Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଖୁବ କମ ବୟସରୁ ବହୁମୂଖୀ ପ୍ରତିଭାର ଅଧିକାରିଣୀ ଦେବୀ ପ୍ରଧାନ - କଳା, ସାହିତ୍ୟ, ସଙ୍ଗୀତ ହେଉଛି ଯାହାଙ୍କ ଜୀବନ

ଓଡିଆ ବ୍ୟକ୍ତିତ୍ଵ ଓ ପ୍ରତିଭା ଅନ୍ଵେଷଣକୁ ନେଇ କବିର-ଘର ଓ ବଣମଲ୍ଲୀର-ମହକ ସୌଜନ୍ୟରେ ଆୟୋଜିତ ଆଜିର-ଅତିଥି ହେଉଛି ଏକ ଭିନ୍ନ ପ୍ରୟାସ, ଅକାଳରେ ଝଡି ଯାଉଥିବା ବଣମଲ୍ଲୀ ଗୁଡିକୁ ଆଦର ଅଭ୍ୟର୍ଥନାର ସହ ସାଉଣ୍ଟି ଆଣି ତା'ର ଅପୂର୍ବ ମହକକୁ ପ୍ରତିପାଦିନ କରିବା ହେଉଛି ଏହି ପ୍ରୟାସର ମୂଳଲକ୍ଷ୍ୟ । ଚଳିତ ସଂଖ୍ୟାରେ ଆମେ ଏଭଳି ଜଣେ ପ୍ରତିଭାଙ୍କୁ ଜାଣିବା - କଳା, ସାହିତ୍ୟ, ସଙ୍ଗୀତ ହେଉଛି ଯାହାଙ୍କ ଜୀବନ । ସେ ଏକାଧାରରେ ଜଣେ କବୟତ୍ରୀ, ନୃତ୍ୟଶିଳ୍ପୀ, ଚିତ୍ରଶିଳ୍ପୀ ଓ କଣ୍ଠଶିଳ୍ପୀ । ଖୁବ କମ ବଯସରୁ ନିଜର ଇଚ୍ଛାଶକ୍ତି ବଳରେ ସେ ଜାରି ରଖିଛନ୍ତି ତାଙ୍କର ନିଶା ଓ ସାଧନା । ଏଥିପାଇଁ ତାଙ୍କୁ କୌଣସି ତାଲିମର ଆବଶ୍ୟକତା ପଡିନାହିଁ । ଭଦ୍ରକ ଜିଲ୍ଲାର ସୁଦୂର ପାଣିଭଣ୍ଡାର ଗ୍ରାମରୁ ସେହି ବହୁମୂଖୀ ପ୍ରତିଭାର ଅଧିକାରିଣୀ ଦେବୀ ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ଆମ ସମ୍ପାଦକ ସିଦ୍ଧେଶ୍ଵର ତ୍ରିପାଠୀ ।


ସିଦ୍ଧେଶ୍ଵର ତ୍ରିପାଠୀ : ଆପଣଙ୍କ ନୃତ୍ୟଶିଳ୍ପୀର ଜୀବନ କେମିତି ଆରମ୍ଭ ହୋଇଥିଲା ?
ଦେବୀ ପ୍ରଧାନ : ସ୍କୁଲ ଜୀବନରୁ ଅର୍ଥାତ ପ୍ରଥମ ଶ୍ରେଣୀରୁ ଓଡିଶୀ ନୃତ୍ୟ ସହିତ ଆଧୁନିକ ନୃତ୍ୟ ପରିବେଷଣ କରୁଥିଲି । ଭଦ୍ରକ ଟାଉନ ହଲରେ ଶିଶୁ ଦିବସ ଅବସରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲି । ସେହିଠାରୁ ଏ ଦିଗରେ ମୋର ଆଗ୍ରହ ବଢିବାକୁ ଲାଗିଥିଲା ।


ସିଦ୍ଧେଶ୍ଵର ତ୍ରିପାଠୀ : ନୃତ୍ୟ ସହ ସଙ୍ଗୀତର ଛାପ ନିଜ ଭିତରେ ଆପଣ କେବେଠୁ ଉପଲବ୍ଧି କରିଥିଲେ ?
ଦେବୀ ପ୍ରଧାନ : ଟିଭି ରୁ ଗୀତ ଶୁଣି ଶୁଣି ମୁଁ ଗୀତ ଗାଇବା ଆରମ୍ଭ କରିଥିଲି । ବିନା ତାଲିମରେ ମୁଁ ନିୟମିତ ଅଭ୍ୟାସ କରି ଏହି ଦିଗରେ ଅନେକ ସଫଳତା ସାଉଣ୍ଟିଛି ।


ସିଦ୍ଧେଶ୍ଵର ତ୍ରିପାଠୀ : ଆପଣ ଜଣେ ଭଲ ଅଭିନେତ୍ରୀ । ଏହି ଅଭିନୟର ନିଶା ଆପଣଙ୍କ ଭିତରେ କେବେଠୁ ଆସିଲା ?
ଦେବୀ ପ୍ରଧାନ : ପିଲାବେଳୁ ଅଭିନୟ କରିବାର ନିଶା ମତେ ଅଭିନୟ କରିବାକୁ ବାଧ୍ୟ କରିଥିଲା । ଟିଭି ଦେଖି ମୁଁ ଏହି ଦିଗରେ ଖୁବ ଅନୁପ୍ରାଣିତ ହୋଇଥିଲି । ଅଷ୍ଟମ ଶ୍ରେଣୀରେ ପଢୁଥିଲା ବେଳେ ସମସ୍ତଙ୍କ ସମ୍ମୁଖରେ ମୁଁ ମୋର ପ୍ରଥମ ଅଭିନୟ ପ୍ରଦର୍ଶନ କରିଥିଲି ।


ସିଦ୍ଧେଶ୍ଵର ତ୍ରିପାଠୀ : ସାହିତ୍ୟ କ୍ଷେତ୍ରରେ ବି ଆପଣ ଦଖଲ ରଖିଛନ୍ତି, ଏ ଦିଗରେ ଚଳଚଞ୍ଚଳ କେମିତି ?
ଦେବୀ ପ୍ରଧାନ : ସ୍କୁଲ ଜୀବନରୁ ମୁଁ ସାହିତ୍ୟ ପ୍ରତି ଆଗ୍ରହୀ ଥିଲି । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ଆୟୋଜିତ ଗଳ୍ପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି । ମୋ ଲିଖିତ କ୍ଷୁଦ୍ରଗଳ୍ପ "ନାଉରୀ" ଏହି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ପାଇଥିଲା । ସେହିଦିନରୁ ଏଇ ଦିଗରେ ମନୋନିବେଶ କରି ଆସିଛି । ପରବର୍ତ୍ତୀ ସମୟରେ ମୋର କଲେଜ ଜୀବନରୁ କବିତା ଲେଖା ଆରମ୍ଭ କରିଥିଲି । ମୋର ପ୍ରଥମ କବିତାର ଶୀର୍ଷକ ଥିଲା "ନାରୀ" । ଆଉ ଅଦ୍ୟାବଧି ସାହିତ୍ୟ କ୍ଷେତ୍ରରେ ଲେଖାଲେଖିବି ଜାରି ରଖିଛି ।


ସିଦ୍ଧେଶ୍ଵର ତ୍ରିପାଠୀ : ଏସବୁ ବ୍ୟତୀତ ଆଉ କେଉଁ କ୍ଷେତ୍ରରେ ଆପଣଙ୍କ ରୁଚି ରହିଛି ?
ଦେବୀ ପ୍ରଧାନ : ମୋତେ ଚିତ୍ର ଆଙ୍କିବାକୁ ଭଲଲାଗେ । ଘରେ ଅବ୍ୟବହୃତ ଜିନଷକୁ ବ୍ୟବହାର କରି ସାଜସଜ୍ଜା ଉପକରଣ ମାନ ତିଆରି କରିବାକୁ ମତେ ଭଲଲାଗେ । ସିଲେଇ ଓ ବୁଣାବୁଣି କାମ ମଧ୍ୟ ମୁଁ ଜାଣିଛି । ଏହା ବ୍ୟତୀତ, ବକ୍ତୃତା କ୍ଷେତ୍ରରେ ମୋର ଆଗ୍ରହ ରହିଛି, ବିଭିନ୍ନ ବକ୍ତୃତା ପ୍ରତିଯୋଗିତାରେ ଭାଗନେଇ ସଫଳତା ମଧ୍ୟ ପାଇଛି ।


ସିଦ୍ଧେଶ୍ଵର ତ୍ରିପାଠୀ : ଏସବୁ ନିମନ୍ତେ ଆପଣଙ୍କୁ କିଏ ଅଧିକ ପ୍ରେରଣା ଦିଅନ୍ତି ?
ଦେବୀ ପ୍ରଧାନ : ମୋ ପରିବାର, ବାପା, ମାଆ, ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି, ବନଲତା ସିଂ, ମୋର କିଛି କବିବନ୍ଧୁ ଓ ସାଙ୍ଗସାଥୀ ମାନେ ।


ସିଦ୍ଧେଶ୍ଵର ତ୍ରିପାଠୀ : ଏତେ କମ ବୟସରୁ ଆପଣ ଯେଉଁ ଯେଉଁ କ୍ଷେତ୍ରରେ ଦଖଲ ରଖିଛନ୍ତି, ସେହି ସବୁ କ୍ଷେତ୍ରକୁ ଆସୁଥିବା ନୂତନପିଢିଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ ?
ଦେବୀ ପ୍ରଧାନ : ସେମିତି କିଛି ବାର୍ତ୍ତା ଦେଲାଭଳି ପରିଣତ ବୟସ କି ପରିପକ୍ଵତା ମୋର ଆସିନାହିଁ କାରଣ ମୁଁ ତ ନିଜେ ହିଁ ନୂଆ । ତଥାପି ଏତିକି କହିବି, ଯାହା କିଛି କରିବାକୁ ଚାହୁଁଛନ୍ତି ପ୍ରଥମେ ସେହି କାମକୁ ଭଲପାଆନ୍ତୁ ଆଉ ସାଧନାରୁ କେବେବି ବିରତ ହୁଅନ୍ତୁ ନାହିଁ ।


ସିଦ୍ଧେଶ୍ଵର ତ୍ରିପାଠୀ : କବିର-ଘର ଓ ବଣମଲ୍ଲୀର-ମହକ ବିଷୟରେ ଆପଣ କଣ ମତ ଦେବେ ?
ଦେବୀ ପ୍ରଧାନ : ଏହି ଦୁଇ ଅନୁଷ୍ଠାନ ସବୁଠୁ ନିଆରା । ସର୍ବଦା କିଛି ନୂଆ କରିବାର ପ୍ରଚେଷ୍ଟା ଜାରିରଖିଥିବାରୁ ଏହାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି ।






ପାରିବାରିକ ତଥ୍ୟ
ନାମ : ଦେବୀ ପ୍ରଧାନ
ପିତା : ରଘୁନାଥ ପ୍ରଧାନ
ମାତା : ସଞ୍ଜୁଲତା ପ୍ରଧାନ
ଭାଇ : ଶ୍ରୀଧର କୁମାର ପ୍ରଧାନ


ବାସସ୍ଥାନ
ଗ୍ରାମ : ପାଣିଭଣ୍ଡାର, ପୋଷ୍ଟ : କେଶପୁର
ଜିଲ୍ଲା : ଭଦ୍ରକ, ଓଡିଶା


ଶିକ୍ଷା ଓ ଜୀବନର ଲକ୍ଷ୍ୟ
ଶିକ୍ଷା : ଯୁକ୍ତ ତିନି ଦ୍ଵିତୀୟବର୍ଷରେ ଅଧ୍ୟୟନରତ
ଲକ୍ଷ୍ୟ : ଶିକ୍ଷୟତ୍ରୀଟିଏ ହେବା ନିମନ୍ତେ







ତାଙ୍କ କଳାତ୍ମକ ପରିପ୍ରକାଶରୁ ସମ୍ୟକ ଉପସ୍ଥାପନା


[gallery type="circle" link="none" ids="5391,5388,5385,5392,5383,5384"]

Post a Comment

0 Comments