Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଉତ୍କଳୀୟ ପରମ୍ପରା ମାଣବସା - ଡକ୍ଟର ଲକ୍ଷ୍ମଣ ସାହୁ

ଡକ୍ଟର ଲକ୍ଷ୍ମଣ ସାହୁ, ଅଧ୍ୟାପକ, ଓଡିଆ ବିଭାଗ,
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ
ଦୂରଭାଷ : ୯୪୩୭୭୪୦୨୮୦/୯୦୪୦୧୫୧୪୭୫

ଆଧ୍ୟାତ୍ମିକ ଓ ଧାର୍ମିକ ପୃଷ୍ଠଭୂମିରେ ଓଡିଆ ଲୋକ ଜୀବନ ଖୁବ୍ ପ୍ରଭାବଶାଳୀ । ଓଡିଆ ସଂସ୍କୃତି ଗୁରୁବାର `ମାଣବସା' ଏବଂ କୃଷି ସଭ୍ୟତାର ଆଧ୍ୟାତ୍ମିକ ପରମ୍ପରାକୁ ଧର୍ମ ଅତି ମାତ୍ରାରେ ପୃଷ୍ଠପୋଷକତା ପ୍ରଦାନ କରିଆସୁଛି । ଯୁଗେ ଯୁଗେ ଉତ୍କଳୀୟ ଚଳଣି ଓ ପରମ୍ପରା ସହିତ ଘନିଷ୍ଠ ଓ ନିବିଡ ଏକାତ୍ମକତା ସୃଷ୍ଟି କରୁଛି ଏହି ଧାର୍ମିକ ଚେତନା । ଓଡିଆ ଚଳଣି ଓ ପରମ୍ପରାରେ ଧମନୀରେ ରକ୍ତ ପ୍ରବାହ ପରି ଏହି ଧାର୍ମିକ ଭାବନା ଏକ ସାର୍ବକାଳିକ ଆବେଦନକୁ ଉଜ୍ଜୀବିତ କରି ରଖିବାକୁ ସମର୍ଥ ହୋଇଛି । କୁହାଯାଇଛି ଓଡିଶା ଏକ ଧର୍ମ ପରାୟଣ ରାଜ୍ୟ, ବାରମାସରେ ସେ ତେରପର୍ବ ପାଳନ କରେ । ଧର୍ମ ପରାୟଣ ରାଜ୍ୟ ଭାବରେ ଯେତିକି ପ୍ରତିଷ୍ଠିତ, ସେତିକି କୃଷି ପ୍ରଧାନ ରାଜ୍ୟ ଭାବରେ ସୁଖ୍ୟାତି ଲାଭ କରିଛି । ଧାନ ଶୀଂସାଟିଏ ତା' ଦୃଷ୍ଟିରେ ଲକ୍ଷ୍ମୀ । ଓଡିଆ ଘରଣୀ ସେହି ଧାରାରେ ପୂଜା କରିଥାଏ । ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ଏହି ପୂଜା ଆରମ୍ଭ ହୋଇଥାଏ ଓ ମାସର ଶେଷ ଗୁରୁବାରରେ ଏହା ଉଦଯାପିତ ହୋଇଥାଏ । ଅନେକ ଓଡିଆ ଘରଣୀ ବର୍ଷର ପ୍ରତ୍ୟେକ ଗୁରୁବାର ଏହି ପୂଜା ବ୍ରତ କରୁଥିବାର ଦେଖାଯାଏ । କିନ୍ତୁ ମାର୍ଗଶୀର ଓ ପୁଷମାସର ଚାରି ଗୁରୁବାରର ପ୍ରାଧାନ୍ୟ ବେଶୀ । ଏହି ସମୟରେ ପ୍ରତ୍ୟେକ ଓଡିଆଙ୍କ ଘର ଲକ୍ଷ୍ମୀଙ୍କ ପଦ୍ମପାଦ ଚିହ୍ନରେ ପୁରି ଉଠେ । କାନ୍ଥବାଡ ଧାନ ଶୀଂସା ଓ ଧାନ ମେଣ୍ଟରେ ପରିପୂର୍ଣ୍ଣ ହୋଇଉଠେ । ଘରବାଡି, ଖଳାବାଡି ଆଦି ପ୍ରତ୍ୟେକ ସ୍ଥାନରେ ଲିପା ପୋଛା ହୋଇ ନାନା ପ୍ରକାର ସୁନ୍ଦର ଝୋଟି ଚିତା କଟାଯାଇ ମା' ଲକ୍ଷ୍ମୀଙ୍କୁ ଆବାହନ କରାଯାଇଥାଏ । ମା' ଲକ୍ଷ୍ମୀଙ୍କ ପୂଜା ଓ ବିଧି ପାଳନ ପାଇଁ ସ୍ୱତନ୍ତ୍ର ଆସ୍ଥାନ ପ୍ରସ୍ତୁତ କରାଯାଇଥାଏ । ଘର ଭିତରେ ଧାନ ଓ ଗଉଣୀ ହୋଇଥାନ୍ତି ଲକ୍ଷ୍ମୀ ଠାକୁରାଣୀ । ସେଇ ଧାନ ଓ ଗଉଣୀ ମଣ୍ତାଫୁଲରେ ମଣ୍ତିତ ହୁଏ ଓ ତା'ଉପରେ ମା'ଲକ୍ଷ୍ମୀଙ୍କ ଛିଟ ଥିବା ବସ୍ତ୍ର ଘୋଡାଇ ଦିଆଯାଏ । ଅଷ୍ଟଧାତୁରେ ଗଠିତ ପିତଳ ଲକ୍ଷ୍ମୀ ମୂର୍ତ୍ତୀ ରଖାଯାଏ ଓ ଗୁଆ ତିନୋଟି ମାଣ ଉପରେ ସିନ୍ଦୁର ଲଗାଇ ଶୋଭନ କରାଯାଏ, ଦୁଇପାର୍ଶ୍ଵରେ ପିତଳ ନିର୍ମିତ ହସ୍ତୀ ରଖାଯାଇଥାଏ । ଏପରିକି ଆଖୁ, ମୂଳା, ବିଭିନ୍ନ ସାତଟି ଫଳ କଡରେ ରଖାଯାଇ ପୂଜା କରାଯାଏ । କଦଳୀ, ଚକୁଳି, ଖିରୀ, ଦହି, ଛେନା, ଆମ୍ବିଳ, ଶାକର, ମୂଳାଶାଗ, ବିରି ଲଡୁ, ଆରିସା, କାକରା, ମଣ୍ତା, ଚକୁଳି, ମିଷ୍ଠାନ୍ନ ଖେଚୁଡି ଆଦି ଭୋଗଲାଗି କରାଯାଏ । ଦିନରେ ତିନି ଧୂପ ବା ପ୍ରହର ଭୋଗଲାଗି କରାଯାଇ ଧୂପ ଦୀପ ବାସନାରେ ଘର ମହକି ଉଠେ । ପ୍ରତି ଘରେ ଲକ୍ଷ୍ମୀଙ୍କ ମହିମା ଗାନ କରାଯାଏ ।


ଏହି ପୂଜା ସାରଳା ଦାସ ଯୁଗ ପୂର୍ବରୁ ତଥା ଖ୍ରୀଷ୍ଟୀୟ ଷଷ୍ଠ-ସପ୍ତମ ଶତକ ବେଳୁ ପାଳିତ ହୋଇ ଆସୁଛି । ମାଟିର କବି ସାରଳା ଦାସଙ୍କ `ଲକ୍ଷ୍ମୀ ନାରାୟଣ ବଚନିକା' ଓ ପଞ୍ନସଖା ଯୁଗର ଭକ୍ତ କବି ବଳରାମ ଦାସଙ୍କ ରଚିତ `ଲକ୍ଷ୍ମୀ ପୁରାଣ' ଏହାର ଦୃଷ୍ଟାନ୍ତ । ଲକ୍ଷ୍ମୀ ଶଦ୍ଦର ଅର୍ଥ ପରିପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଚର୍ତୁବର୍ଗ ଫଳପ୍ରାପ୍ତି ପାଇଁ ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଆଶା ପୋଷଣ କରିଥାନ୍ତି । ସେହି ଆଶାହିଁ କେବଳ ପୂର୍ଣ୍ଣ କରିପାରନ୍ତି ପୂର୍ଣ୍ଣମୟୀ ମା'ଲକ୍ଷ୍ମୀ । ସେ ହେଉଛନ୍ତି ଐଶ୍ୱର୍ଯ୍ୟ, ସମୃଦ୍ଧି, ଶ୍ରୀ ଓ ସୌନ୍ଦର୍ଯ୍ୟ ପ୍ରଦାୟିନୀ ଦେବୀ । ସେ ଯାହା ପ୍ରତି ବିମୁଖ ହୁଅନ୍ତି ସେ ଭିକ୍ଷୁକ ହୋଇଥାଏ । ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା ଅଛି ଯେ ମାର୍ଗଶୀର ମାସ ଗୁରୁବାର ଦିନ ମା'ଲକ୍ଷ୍ମୀ ନଗର ପରିକ୍ରମାରେ ଯାଇ ଶ୍ରୀୟା ଚଣ୍ତାଳୁଣୀର ତାଙ୍କ ପ୍ରତି ଥିବା ପ୍ରଚଣ୍ତ ନିଷ୍ଠା ଓ ଭକ୍ତି ଦେଖି ବର ଦେଇଥିଲେ । କିନ୍ତୁ ଜଗନ୍ନାଥ ଓ ବଳରାମ ଦୁହେଁ ଏକଥା ଜାଣି ଲକ୍ଷ୍ମୀଙ୍କୁ ବଡ ଦେଉଳରୁ ବାହାର କରି ଦେଇଥିଲେ । ମା'ଲକ୍ଷ୍ମୀ ଦେଉଳ ଦୁଆର ଛାଡି ଯିବାବେଳେ ଅଭିଶାପ ଦେଲେ ଯେ ଦୁଇ ଭାଇ ଭିକ୍ଷୁକ ହେବେ ଓ ଦୁହିଁଙ୍କୁ ଅନ୍ନ ମିଳିବ ନାହିଁ । ଅଭିଶାପ ସତ୍ୟରେ ପରିଣତ ହେଲା । ବଡଠାକୁର ଜଗନ୍ନାଥ ଓ ପ୍ରଭୃ ବଳରାମ ଭିକାରୀ ହୋଇ ଶେଷରେ ମା' ଲକ୍ଷ୍ମୀଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହି ମହାମାୟୀ କରୁଣା ପ୍ରଦାୟିନୀ ମା' ଲକ୍ଷ୍ମୀଙ୍କର ପବିତ୍ର ପୂଜାର ଦିନ । ସେହିଁ କେବଳ ଆମ ପାଇଁ ଧନଲକ୍ଷ୍ମୀ, ଜନଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ, ଶୋଭାଲକ୍ଷ୍ମୀ, ଗୃହଲକ୍ଷ୍ମୀ, ଐଶ୍ୱର୍ଯ୍ୟଲକ୍ଷ୍ମୀ, ସ୍ୱର୍ଗଲକ୍ଷ୍ମୀ ରୂପେ ପୂଜିତ । ଲକ୍ଷ୍ମୀଙ୍କର ପ୍ରତୀକ ଗଜ ଓ ପଦ ଚିହ୍ନ । ତାଙ୍କର ବାହାନ ଧବଳ ପେଚା । ତାଙ୍କର ପୂଜା ବର୍ଷର ବିଭିନ୍ନ ପର୍ବ ମାନଙ୍କରେ ପାଳନ କରାଯାଏ । ବିଶେଷତଃ ମହାଲକ୍ଷ୍ମୀ ସ୍ନାନ, ଗୁରୁ ପଞ୍ଚମୀ, ଚତୁର୍ମାସ୍ୟା ଗୁରୁବାର ସୁଦଶା ବ୍ରତ, ମାର୍ଗଶୀର ଗୁରୁବାର ଆଦି ମାନଙ୍କରେ ତାଙ୍କର ପର୍ବ ପଡିଥାଏ ।


ହିନ୍ଦୁ ପରମ୍ପରାରେ ଏହି ଲକ୍ଷ୍ମୀ ପୂଜାର ଏକ ସୁମହତ୍ ଆଦର୍ଶ ଆମ ଆଖି ଆଗରେ ପ୍ରକଟିତ ହୁଏ । ଲକ୍ଷ୍ମୀପୁରାଣରୁ ଶିଖିବାକୁ ହୁଏ ପତ୍ନୀର ଅବର୍ତ୍ତମାନରେ ଗୃହ କିଭଳି ବିପର୍ଯ୍ୟସ୍ତ ହୋଇପଡେ । ଗୃହର ଅନ୍ତେବାସୀମାନେ ପ୍ରାଚୁର୍ଯ୍ୟ ମଧ୍ୟରେ ଦରିଦ୍ର ପ୍ରାୟ ଜୀବନ ଯାପନ କରନ୍ତି । ଜୀବନ କିଭଳି ବୀତସ୍ପୃହ, ବିଡମ୍ବିତ ହୋଇଉଠେ । ଏଥିରୁ ଶିକ୍ଷା ମିଳେ ଜାତି ଭେଦ ବିଶ୍ୱାସ ରଖିଥିବା ରକ୍ଷଣଶୀଳ ଦୁଇ ଭାଇ ମା' ଲକ୍ଷ୍ମୀଙ୍କୁ ହରାଇ ଭିକ୍ଷୁକ ହୋଇଥିଲେ । ଜାତି, ବର୍ଣ୍ଣ, ବୈଷମ୍ୟ ବିରୋଧରେ ମା' ଲକ୍ଷ୍ମୀଙ୍କ ବିଦ୍ରୋହର ସ୍ୱର ଉତ୍ତୋଳନ ଅପ୍ରାସଙ୍ଗିକ ନୁହେଁ । ଲକ୍ଷ୍ମୀ ଜାତି ଅଜାତି ବିଚାର ନକରି ଯେଉଁଠି ଶୂଚି, ପରିଚ୍ଛନ୍ନତା, ପବିତ୍ର, ନିର୍ମଳ ଚିତ୍ତର ଏକାଗ୍ରତା ଦେଖନ୍ତି ସେଠାରେ ସେ ଉଭା ହୁଅନ୍ତି । ଶ୍ରୀୟା ଚଣ୍ତାଳୁଣୀ ବି ମଣିଷ, ମଣିଷ ପାଖରେ ମଣିଷର ଛୁଆଁ ଅଛୁଆଁ କଣ (?), ଜାତିଭେଦ ସେ ମାନି ନାହାନ୍ତି । ପୃଥିବୀର ଅନ୍ୟ ଯେଉଁ କୋଣ ଅନୁକୋଣରେ ହୁଏତ ମଣିଷ ମଣିଷ ଭିତରେ ଜାତି ଭେଦ, ସଂପ୍ରଦାୟ ଦେଖା ଦେଇପାରେ, ମାତ୍ର ପୁଣ୍ୟ ଭୂମି ଶ୍ରୀକ୍ଷେତ୍ରରେ ନୁହେଁ । ଜାତି ପ୍ରଥାରେ ବିଶ୍ୱାସୀ ଦୁଇ ଭାଇ ଜଗନ୍ନାଥ ଓ ବଳରାମଙ୍କୁ ସେହି ବ୍ରାହ୍ମଣ ପିଣ୍ତିତ ଏକାଧିପତ୍ୟ ଭିତରୁ ମୁକୁଳାଇ.. ବଡଦେଉଳରୁ ଓହ୍ଲାଇ ଆଣି ଗାଁ ଗଣ୍ତାର ଧୂଳିମାଟି ଦାଣ୍ତ ପର୍ଯ୍ୟନ୍ତ ନେଇଯିବାର ଏହା ମା'ଲକ୍ଷ୍ମୀଙ୍କ ଏକ ଦୁର୍ବାର ମନର ବିଦ୍ରୋହୀ ଅଭିଳାଷ । କେବଳ ସେତିକିରେ କଥା ସରି ନାହିଁ, ମା'ଲକ୍ଷ୍ମୀ ଠାକୁରାଣୀଙ୍କ ସର୍ତ୍ତ ରଖିଲେ, ବଡ ଦେଉଳକୁ ସେ ଫେରିବେ ସତ, ମାତ୍ର ଏଣିକି ତାଙ୍କ `ମହାପ୍ରସାଦ'ରେ `ଆବ୍ରାହ୍ମଣ ଚଣ୍ତାଳ' ଙ୍କର ଅଧିକାର ରହିବ । ଜାତିଗୋତ୍ରର ଭେଦ ଆଧାରରେ କେହି ବି ଜଗନ୍ନାଥ ଓ ମହାପ୍ରଭୂ ଜଗନ୍ନାଥଙ୍କ `ମହାପ୍ରସାଦ'ରୁ ବଞ୍ଚିତ ହେବେ ନାହିଁ । ଲକ୍ଷ୍ମୀଙ୍କ କଥାରେ ରାଜି ହେଲେ ଅଗତ୍ୟା ବଡଠାକୁର । ବଳରାମ ମଧ୍ୟ ମା'ଲକ୍ଷ୍ମୀଙ୍କୁ ବାରଣ କରିନଥିଲେ, କାରଣ `ଲକ୍ଷ୍ମୀଛଡା' ହେବାର ହିନସ୍ଥା ଭୋଗ କରିବାକୁ ତାଙ୍କର ସାହସ ଆଉ ନଥିଲା । ଜାତି-ପତି-ହୀନ ସମାଜ ପ୍ରତିଷ୍ଠାର ଏ ସଂକଳ୍ପ ମା'ଲକ୍ଷ୍ମୀଙ୍କୁ ଦେଇଛି ଏକ ଐତିହାସିକ ଆତ୍ମ ମର୍ଯ୍ୟାଦା :


`ଚଣ୍ତାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ
ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ ।
ହାଡିର ହସ୍ତୁଁ ବ୍ରାହ୍ମଣ ଛଡାଇ ଖାଇବେ
ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ତରେ ପୋଛିବେ ।
ଅନ୍ନ ଖାଇ ସର୍ବେ ମୁଣ୍ତେ ପୋଛୁଥିବେ ହସ୍ତ
ତେବେ ବତ ଦେଉଳକୁ ଯିବି ଜଗନ୍ନାଥ ।"


ଜଗନ୍ନାଥଙ୍କ ନିବାସ ଶ୍ରୀମନ୍ଦିର ମହାପ୍ରସାଦ ସେବନରେ ବ୍ରାହଣ ଚଣ୍ତାଳର ବିଚାର ଭେଦ ଲୋପ ହୋଇ ଶ୍ରୀମନ୍ଦିରର ମହାନତା ମା' ଲକ୍ଷ୍ମୀଙ୍କ ଯୋଗୁଁ ବଢିଯାଇଛି । ଲକ୍ଷ୍ମୀପୁରାଣରେ ନିଜେ ମା'ଲକ୍ଷ୍ମୀ ନଗର ପରିକ୍ରମା କରି ସାଧବାଣୀକୁ ନାନା ଉପଦେଶ ଦେଇଥିବାର ଦେଖିବାକୁ ମିଳେ । ପ୍ରତ୍ୟେକ ଓଡିଆ ଘରଣୀଙ୍କୁ ଆଦର୍ଶ ଗୃହଲକ୍ଷ୍ମୀ କରାଇବା ଲକ୍ଷ୍ମୀଙ୍କ ଇଚ୍ଛା ।


ଆଜି କେବଳ ଓଡିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଏପରି ବିଶ୍ୱରେ ମା' ଲକ୍ଷ୍ମୀଙ୍କ ପୂଜା ହେଉଛି । ଭାରତ ବ୍ୟତୀତ ବର୍ମା, ନେପାଳ, ଇଣ୍ତୋନେସିଆ ଆଦି ଦେଶ ବିଦେଶରେ ପୂଜା କରାଯାଉଛି । ସେଭଳି ଓଡିଶାରେ କେନ୍ଦ୍ରାପଡା, ବଲାଙ୍ଗୀର, ଢେଙ୍କାନାଳ ଆଦି ସ୍ଥାନରେ `ଗଜଲକ୍ଷ୍ମୀ' ପୂଜା ବଡ ଯାକଯମକ ସହକାରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି । ପରମ୍ଫରାରେ ପର୍ଯ୍ୟବେସିତ ଏହି ଲକ୍ଷ୍ମୀ ପୂଜା ଘରେ ଘରେ ମାଣବସା ଉତ୍କଳୀୟ ଜନଜୀବନ ଧାରାରେ ଗୁରୁତ୍ୱ ଓ ପ୍ରାଧାନ୍ୟ ଆହରଣ କରି ଆସିଛି । ସେଥିପାଇଁ ଉତ୍କଳୀୟ ଶସ୍ୟ ସମ୍ଭାରକୁ ମା' ଲକ୍ଷ୍ମୀଙ୍କର ଦାନ ବା ପଡି ବୋଲି ଗ୍ରହଣ କରି ତାଙ୍କୁ ଆରାଧନା କରାଯାଉଛି । ଆଜି ଏ ମଗୁଶୀର ମାସର ଶୀତ ସକାଳେ ପ୍ରତିଟି ଓଡିଆ ଗୋବର ଲିପା ଅଗଣା ସର୍ବତ୍ର ଝୋଟି ଚିତାର ତାଙ୍କର ପ୍ରିୟ ଲକ୍ଷ୍ମୀପାଦ ପକାଇ ମା' ଲକ୍ଷ୍ମୀଙ୍କୁ ଆବାହନ କରେ, ପ୍ରତୀକ ସ୍ୱରୂପ ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ମାଣଭର୍ତ୍ତି ଧାନର ପ୍ରତିମା କରି ଖଟୁଲୀରେ ଥୋଇ ତାଙ୍କର ପ୍ରିୟ ପଦ୍ମପୁଷ୍ପ, ମଣ୍ତା ଫୁଲରେ ମଣ୍ତିତ କରି ମା'ଲକ୍ଷ୍ମୀଙ୍କୁ ଭକ୍ତି ସହକାରେ ପୂଜା ଅର୍ଚ୍ଚନା କଲେ ଅଚ୍ଛବ ଶ୍ରୀୟା ଚଣ୍ତାଳୁଣୀ ଅଗଣାରେ ପ୍ରବେଶ କଲା ପରି ହୁଏତ ସେ ତମ ଅଗଣାରେ ପହଞ୍ଚିଯିବେ । ସେହିଁ କରୁଣାମୟୀ ଅନ୍ନପୂର୍ଣ୍ଣା ଏ ବିଶ୍ୱର ଆର୍ଥିକ ଅନଟନକୁ ଦୂରେଇ ଦିଅନ୍ତୁ, ଏହାହିଁ ତାଙ୍କ ନିକଟରେ ପ୍ରଣିପାତ ଭିକ୍ଷା `ନମଃ ମା' ମହାଲକ୍ଷ୍ମୀ ନମଃ' ।

Post a Comment

1 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।