Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ରିକ୍ସାବାଲା - ପ୍ରଶାନ୍ତ କୁମାର ମଲ୍ଲିକ

ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରତିଷ୍ଠାତା : ମୋସାହିତ୍ୟ.କମ୍
ଗୋପିଆକୁଦ, କୁଜଙ୍ଗ, ଜଗତସିଂହପୁର
ଦୂରଭାଷ : ୯୭୭୬୭୭୨୪୩୮

ଘଡ଼ଘଡ଼ି ସାଙ୍ଗକୁ ତୁହାକୁ ତୁହା ଝଡ଼ି ବର୍ଷା ମଝିରେ ମଝିରେ ବିଜୁଳିର ଝାପ୍ସା ଆଲୋକ । କଳା ମଚମଚ ଓସାରିଆ ଏନ୍.ଏଚ୍ ରାସ୍ତାର ଦୁଇକଡ଼ରେ ଥିବା ବିରାଟ ବିରାଟ ବୃକ୍ଷମାନ ଝାପ୍ସା ଆଲୋକିତ ହେଉଥାଏ । ମୁଁ ଏକା ରିକ୍ସାରେ ବସି ଆସୁଥାଏ । ସାଙ୍ଗରେ ଥାଏ ରିକ୍ସା ଚାଳକ ଆଉ ମୁଁ । ମୁଁ ଏକ ଅଫିସ୍ ରେ କିରାଣୀ କାମ କରେ । ଅଫିସ୍ ର ସବୁ କାମସାରି ଅଫିସ୍ ବାବୁ ମାନେ ସବୁ ଗଲାପରେ ମୁଁ ଯାଏ । ଆଜି କାହିଁକି କେଜାଣି ଗପୁ ଗପୁ ଏତେ ଡ଼େରି ହୋଇଯାଇଥିଲା । ଶେଷରେ ଅଫିସ୍ ବନ୍ଦକରି ବାହାରିଲା ବେଳକୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇ ଛାଡ଼ିଯାଇଥିଲା । ଯାହାଫଳରେ ଗାଡ଼ିମଟର ଶୂନସାନ ହେଇଯାଇଥିଲା । ବାଧ୍ୟହୋଇ ରିକ୍ସାବାଲାକୁ ଧରି ଘରକୁ ଫେରୁଥାଏ । ବାଟରେ ପୁଣିଥରେ ଆରମ୍ଭ ହୋଇଯାଇଥିଲା ବର୍ଷା ଛାଡ଼ିବାର ନାଁ ଧରୁନଥାଏ । ହାଲକା ହାଲକା ଶୀତୁଆ ପବନ ରିକ୍ସାର ଚାଦର ତଳେ ପଶି ଦେହକୁ ଥରେଇ ଦେଉଥାଏ । ଟିକିଏ ଭାବନ୍ତୁ ତ ମୁଁ ସିନା ରିକ୍ସାର ଚାଦର ତଳେ, ରିକ୍ସା ବାଲାଟି ଧୂ ଧୂ ବର୍ଷାରେ ରିକ୍ସା ଚଳାଇବା କଣ କମ୍ କଷ୍ଟ, ମୁହଁରେ ତା ସବୁଯାକ ବର୍ଷା ଛିଟା ବାଜୁଥାଏ । ଦେହରେ ତା'ର କିଛି ବି ନାହିଁ ମୁଣ୍ଡରେ ତାର ଗୋଟେ ଗାମୁଛା ଆଉ ଚିରା ଫଟା ଗଞ୍ଜି ଖଣ୍ଡେ । ମୁଁ ତାକୁ ପଚାରିଲି ତା'ର ପୁଅ ଝିଅ ଅଛନ୍ତି କି ନାହିଁ, ସେ ବା କ୍ଷୀଣ ସ୍ୱରରେ କଣ କହିଲା ମୋତେ ବି ଭଲଭାବରେ ଶୁଭିଲାନି । କାରଣ ବର୍ଷାର ମାତ୍ରା ଏତେ ଅଧିକ ଥିଲା, ମୁଁ ଖାଲି ଏତିକି ଶୁଣିଛି ଯେ ବାବୁ ଆମ ଘରକୁ ଚାଲ ମୁଁ ସେଠି ସବୁ କହିବି । ମୁଁ ନୀରବ ରହିଲି, କିଛି ବାଟ ଗଲାପରେ ହଠାତ୍ ରିକ୍ସା ବାଲା ରହିଗଲା, ମୁଁ ତା କଥା ଭାବି ଭାବି ଅନ୍ୟମନସ୍କ ହେଇଯାଇଥିଲି । କ୍ଷଣିକରେ ଭାଙ୍ଗିଗଲା ଦେଖିଲାବେଳକୁ କେହିଜଣେ ଆମ ସାମନାରେ ଠିଆ ହେବାପରି ଲାଗିଲା । ମୁଁ ଦେଖିବାକୁ ଚେଷ୍ଟାକଲି ହେଲେ ବର୍ଷା ଯୋଗୁଁ ଯେତିକି ଦେଖିଛି, ଧଳାଲୁଗା ପରିଧାନ କରିଥିବା ମହିଳା ଜଣକ ପରି ଦେଖାଯାଉଥାଏ । ମନେ ହେଉଥାଏ ସେ ଜେମିତି ରିକ୍ସାବାଲାକୁ ହାତଠାରି ଡାକୁଛି । ମୁଁ କିଛି ଭାବିବା ଆଗରୁ ରିକ୍ସାବାଲା ରିକ୍ସାରୁ ଓହ୍ଲେଇ ତା ସମ୍ମୁଖକୁ ଚାଲିଗଲା । ମୁଁ ରିକ୍ସାର ଚାଦର ଆଡ଼େଇ ଦେଇ ଦେଖିବାକୁ ଲାଗିଲି ମୋ ନିଜ ଆଖିକୁ ବିସ୍ୱାସ କରି ହେଉନଥାଏ । ସତେ ଯେମିତି ସେ ମହିଳା ଜଣକ ସେ ରିକ୍ସାବାଲାର ଘନିଷ୍ଠ ନିଶ୍ଚେ ନ ହେଇଥିଲେ ସେ କଣ ପାଇଁ ତା ପାଖକୁ ଦୌଡ଼ିଯାଇଥାନ୍ତା, ଏମିତି ଅନେକ ପ୍ରଶ୍ନ ମୋ ମନରେ ଉଙ୍କିମାରୁଥାଏ, ସେ ରିକ୍ସା ବାଲା ଆସିଲେ ପଚାରିବି ବୋଲି । କିଛିକ୍ଷଣ କଥାହୋଇ ରିକ୍ସାବାଲା ଚାଲିଆସିଲା, ମୁଁ ଦେଖିବାକ୍ଷଣି ସେ ମହିଳା ଜଣକ ଆଉ ଦୃଶ୍ୟମାନ ହେଲାନି କେଉଁଆଡ଼େ ଉଭେଇ ଗଲା । ରିକ୍ସାବାଲା ଆସି ରିକ୍ସାଧରି ପୁଣି ଚାଲିଲା କିଛିବାଟ ଗଲାପରେ, ମୁଁ ପଚାରିଲି ସେ ମହିଳା ଜଣକ କିଏ ? ଆଉ ତୁମେ ତା ପାଖକୁ କାହିଁକି ଗଲ ?ସେ କଣ ତୁମକୁ ଜଣିଛି ? ଏ ବର୍ଷା ରାତିରେ ସେ ମହିଳା ଜଣକ କଣ ପାଇଁ ସେ ରାସ୍ତା କଡ଼ରେ ଛିଡ଼ା ହେଇଛନ୍ତି ? ଏମିତି ଅନେକ ପ୍ରଶ୍ନ ପଚାରିଲି ସେ କିଛି ସମୟ ଗୁମ୍ ମାରି ରହିଗଲା, ତା ପରେ କ୍ଷୀଣ ସ୍ୱରରେ କହିବାକୁ ଲାଗିଲା ବାବୁ, ତମେ ଆମ ଘରକୁ ଚାଲ ମୁଁ ସବୁ କଥା କହିବି, ଆଉ ବର୍ଷା ଛାଡ଼ିଲେ ମୁଁ ଆପଣଙ୍କ ଘରେ ନେଇ ଛାଡ଼ିଦେଇ ଆସିବି ।



ରିକ୍ସା ଚାଲୁଥାଏ ଆଗକୁ ଆଗକୁ ସେ ବିରାଟ ଓସାରିଆ ରାସ୍ତାରେ ବର୍ଷାର ଛିଟା ଆଉ କୋହଲା ପବନରେ ଦେହ ଥରି ଉଠୁଥାଏ । ରାଜରାସ୍ତା ସତରେ ଶୂନ୍ ଶାନ୍ ମଝିରେ ମଝିରେ ବେପୁରିଆ ଗାଡ଼ି ଚାଳକମାନଙ୍କ ଦ୍ୱାରା ଓଭର୍ ଲୋଡ଼୍ ଲରି ସବୁ ଦ୍ରୁତଗତିରେ ଛୁଟି ଯାଉଥାଏ । ଆଉ ତା ଆବାଜରେ ରାସ୍ତାର ପାଣିଛିଟିକା ଆସି ରିକ୍ସାରେ ବାଜୁଥାଏ । ସତରେ, ରିକ୍ସାବାଲାର ଜୀବନ କଣ ଏଇଆ । କାହା ଜୀବନକୁ ବା ଭୟ ନାହିଁ, ଭାବିଲାବେଳକୁ ଦେହ ହାତ ଥରିଯାଉଥାଏ । ପଛରେ ଘଟିଥିବା ଘଟଣାକୁ ନେଇ ସହଜେ ଅନେକ ପ୍ରଶ୍ନ ମନରେ, ତା ପରେ ଘରକୁ କେମିତି ଯିବି ସେ ଚିନ୍ତା । ମନକୁ ବ୍ୟାକୁଳ କରୁଥାଏ । ଏମିତି ୟାଡ଼ୁ ସାଡ଼ୁ କଥା ଗୁଡ଼ାଏ ମନକୁ ଅସ୍ତବ୍ୟସ୍ତ କରିପକଉଥାଏ । ଭାବିଲା ବେଳକୁ କିଛି ଦୂରରେ ଦେଖାଗଲା ରାଜରାସ୍ତାର ଦୁଇକଡ଼ରେ ଲାଗିଥିବା ଲାଇଟ୍ ମାନ ଦୁକ୍ ଦୁକ୍ ହେଇ ଜଳୁଥିଲା । କେଇଟା ଜଳୁଛି ବା କେଇଟା ଜଳୁନି, କାହାର ରକ୍ଷଣାବେକ୍ଷଣ ଦାଇତ୍ୱ ବା କାଇଁ । ମନେ ହେଉଥିଲା ଏଇଟା ହେଉଛି ଆମର ସୂଜନପୁର ବଜାର, ଏ ବଜାର ଆମର ନିର୍ଭରଯୋଗ୍ୟ ଅଟେ । ବଜାରଟା ଚାରିଆଡ଼େ ଖାଁ ଖାଁ ଲାଗୁଛି । ରାତି ପ୍ରାୟ ୧୧ ଟା ପାଖାପାଖି ହେବ, ଦୋକାନ ବଜାର ସବୁ ବନ୍ଦକରି କିଏ କୁଆଡ଼େ ସବୁ ଚାଲିଗଲେଣି, ସହଜେ ତ ବର୍ଷାର ପ୍ରକୋପ, ଆଉ ସାତ କି ଆଠ କି.ମି. ଗଲା ପରେ ଆମ ଗାଁ ବିଳାସପୁର ପଡ଼ିବ । ଆଉ ଖଣ୍ଡେ ବାଟ ଗଲା ପରେ ରିକ୍ସାବାଲା ଘର ପଡ଼ିଲା, ତା ଘର ପାଖକୁ ରିକ୍ସା ଲଗେଇ ଦେଇ ଘରଭିତରକୁ ଦୌଡ଼ିଗଲା ଘର ଭିତରୁ ଏକ ଛତା ଆଣି କହିଲା ବାବୁ ଆସନ୍ତୁ । ମୁଁ ଓହ୍ଲେଇପଡ଼ି ଘରଟା ଭିତରକୁ ଦୌଡ଼ିଗଲି । ଘରଟା ତାର ଶୂନସାନ, କେହିବି ଦେଖାଯାଉ ନଥିଲେ ଗୋଟିଏ ଗାଉଁଲି ଖଟ ଗାମୁଛାରେ ପୋଛି ଦେଇକହିଲା ବାବୁ ବସନ୍ତୁ । ଚାରିଆଡ଼େ ଖାଲି ବୁଢ଼ିଆଣି ବସାରେ ଭର୍ତ୍ତି । ଘର ଭିତରେ ଦୁଇ ତିନିଟା ଲୁଗାପଟା ମାଟିରେ ତିଆରି ପାଣି ସୁରେଇ ହାଣ୍ଡି ଗୋଟିଏ, ଆଉ ଠଣାରେ ଦୁଇଟା ହଳଦି ଜରି ଆଉ ଦିଆସିଲି କାଠି । ଏହାକୁ ନେଇ ତା ଘର । ସହଜେ ତ ଝାଟିମାଟି ଝୁମ୍ପୁରୀ ଚାଳଛପର ଘର, ସହଜେ ଘର ଛାଉଣୀ ବୋଧେ ହେଇନି, ସେଇଥିପାଇଁ ଘରଟାଯାକର କଣା, ଆଉ ପାଣି ଚାରିଆଡ଼େ ଗଳୁଛି । ତା ଭିତରେ ମୁଣ୍ଡ ପୋଛି ଦେଇ ଆସି ମୋ ପାଖରେ ବସିପଡ଼ିଲା, ମୋ ମନରେ ଉଙ୍କିମାରୁଥିବା ପ୍ରଶ୍ନ ଗୁଡ଼ିକୁ ଗୋଟିଗୋଟି କରି ପଚାରିଲି ସେ ସେଦିନ ବର୍ଷା ରାତିରେ ଯାହାସବୁ କହିଲା, ମୁଁ ଭାବିଲି ମଣିଷ ଜୀବନ କଣ ଏଇୟା ? ପ୍ରଥମେ ତା'କୁ ତା ପରିବାର କଥା ପଚାରିବାରୁ ସେ ଖାଲି କାନ୍ଦିବାକୁ ଲାଗିଲା, କାନ୍ଦିକାନ୍ଦି ଯୋଉ କଥା କାହିଲା, -ବାବୁ, ମୁଁ ଏମିତି ବାଲିଯାତ୍ରା ଦେଖିବାକୁ ଯାଇଥାଉ ମୁଁ ଆଉ ମୋ ସ୍ତ୍ରୀ ଏବଂ ମୋର କୁନି ଝିଅ ମାମାଲି । ଆମେ ବାଲିଯାତ୍ରା ଦେଖି ଘରକୁ ଫେରିବା ବାଟରେ ବହୁତ୍ ଖୁସିରେ ଫେରୁଥାଉ ରିକ୍ସା ଧରି ଏତିକି କହି ଖାଲି କଇଁ କଇଁ ହୋଇ କାନ୍ଦି ଉଠୁଥାଏ କହୁଥାଏ । ତା ପରେ କିଛି ବୁଝିବା ଆଗରୁ ସବୁ ସରିଯାଇ ଥିଲା ବାବୁ । କଣ ପଚାରିବାରୁ କ୍ଷୀଣସ୍ୱରରେ କହିଲା, ଏକ ବଡ଼ ଲରି ଆସି ଆମକୁ ଏକ ଶକ୍ତ ଧକ୍କା ଦେଇ ଚାଲିଗଲା । ତା'ପରେ ମୁଁ ଆଉ କିଛି ଜାଣିନି କି କିଛି ଦେଖିନି । ହଠାତ୍ ମୁଁ ଦୀର୍ଘ ଦୁଇ ଦିନପରେ ଦେଖିଲି ଡ଼ାକ୍ତରଖାନାରେ ପଡ଼ିଛି । ଯାହା ଶୁଣିବାକୁ ପାଇଲି ଡ଼ାକ୍ତରଙ୍କଠାରୁ ଯେ, ମୋ ଝିଅ ଆଉ ମୋ ସ୍ତ୍ରୀ ଆଉ ନାହାଁନ୍ତି ଏ ଦୁନିଆରେ । ଏମିତି ଘଟଣା କିଏ କଣ ସହିପାରିବ ବାବୁ ତୁମେ କୁହ । ଆଉ ସେଇ ଦିନଠୁଁ ମୋର ନିଜର ବୋଲି କେହି ନାହାଁନ୍ତି । ଏଇ ରିକ୍ସା ଖଣ୍ଡେ ହିଁ ଭରସା । ଆଉ ତୁମେ ଦେଖିଥିବା ପୂର୍ବ ଘଟଣାରେ ବିସ୍ମିତ ହେଇ ଯାଇଥିଲେ । ତାହା ମଧ୍ୟ ସତ ଯେ, ଯୋଉଠି ତମେ ଏକ ମହିଳାର ପ୍ରତିଛବି ଦେଖିଥିଲ ସେ ଆଉ କେହିନୁହେଁ, ସେ ମୋ ସ୍ତ୍ରୀ ଥିଲା ବାବୁ । ସେଇଠି ଆମର ଆକ୍ସିଡେଣ୍ଟ ହୋଇଥିଲା । ସେହିଦିନ ଠାରୁ ମୁଁ ଯେତେବେଳେ ରିକ୍ସାଧରି ଆସେ, ସେ ଗଛମୂଳରେ ମୋ ସ୍ତ୍ରୀକୁ ଟିକେ ଦେଖି ଆସେ । ମନ ଟା ଟିକେ ବୁଝିଯାଏ । ଆଉ ଘରକୁ ଆସି କିଛି ଖାଇବା କରି, ଖାଇ ପୁଣି ସକାଳୁ ସକାଳୁ ବାହାରିପଡ଼େ ମୋ ରିକ୍ସା ଧରି ।

Post a Comment

0 Comments