Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସ୍ମୃତି - ପାଉଁଶତଳର ନିଆଁ - ନୃସିଙ୍ଘ ଚରଣ ବେହେରା

ନୃସିଂହ ଚରଣ ବେହେରା
୨୧୭-ବାୟାବାବା ମଠ ଲେନ
ଭୋଇ ନଗର, ଭୁବନେଶ୍ୱର-୨୨

ଆଜି ରବିବାର ଛୁଟିଦିନ ତେଣୁ ବେଶୀ କିଛି କାମ ନଥାଏ । ବାହାରେ ମୃଦୁ ବର୍ଷା ସହ ଶୀତଳ ପବନ । ଲାଗୁଛି ପୁରା ସହରଟା ଥଣ୍ଡା ଥଣ୍ଡା । ହେଲେ ସୁମନକୁ ତା’ର ଘରଟା ବେଶ୍ ଉତ୍ତପ୍ତ ଲାଗୁଛି, ସକାଳୁ ସକାଳୁ । ରାସ୍ତାଠାରୁ ଟିକିଏ ଭିତରକୁ ତା’ର ଏ ଦୁଇମହଲା ଘରଟି । ଦୂରରୁ ଏହି ଘରଟି ଗୋଟିଏ ମଧ୍ୟବିତ୍ତ ପରିବାରର ଘର ବୋଲି ସ୍ପଷ୍ଟ ଜଣା ପଡିଯାଏ । ଏଇ ଦୁଇ ମହଲା ବିଶିଷ୍ଟ ଘରର ବାଲକୋନିରେ ସୁମନ ଗରମ ଗରମ ଉପମାକୁ ଖାଇସାରିବା ପରେ ଗରମ ଚାହା କପ କୁ ଓଠରେ ଲଗାଇଲା । ତା’ପରେ ଗତକାଲି ସନ୍ଧ୍ୟାରେ କିଣି ଆଣିଥିବା ଶାରଦୀୟ ବିଶେଷାଙ୍କ ପତ୍ରିକାକୁ ପଢିବାକୁ ଆରମ୍ଭ କଲା । ସମ୍ପୂର୍ଣ୍ଣ ଉପନ୍ୟାସ ବିଭାଗରୁ ଆରମ୍ଭ କରି ଗଳ୍ପ, କବିତା, ଭ୍ରମଣ କାହାଣୀ ଓ ଉପନ୍ୟାସକୁ ପଢି ଚାଲିଲା । ଶେଷରେ ସେ ପୁସ୍ତକ ସମୀକ୍ଷା ବିଭାଗରେ ଅଟକିଗଲା । “ସ୍ମୃତି ପାଉଁଶତଳର ନିଆଁ” ପୁସ୍ତକର ସମୀକ୍ଷା କରିଥାନ୍ତି ତା’ର ପୂର୍ବତନ ଖ୍ୟାତନାମା ଅଧ୍ୟାପକ । ଉତ୍କଳ ଜନନୀର ବରପୁତ୍ର ତଥା ଓଡିଆ ସାହିତ୍ୟ ଆକାଶର ଉଜ୍ଜଳ ନକ୍ଷତ୍ର ସମୀକ୍ଷକ । ଉତ୍କଣ୍ଠାର ସହିତ ପଢିବାକୁ ଆରମ୍ଭ କରୁ କରୁ ପୁସ୍ତକଟିର ରଚୟିତାଙ୍କ ନାମଟି ଦେଖୁ ଦେଖୁ ବିସ୍ମିତ ହୋଇଗଲା । ସେ ତା’ର ଅତୀତକୁ ଫେରିଗଲା ଇଏ କଣ ତା’ର ବାନ୍ଧବୀ ଜୟନ୍ତୀ ଦାସ ନା ଆଉ କିଏ ? ପ୍ରାୟ ତିନି ଦଶନ୍ଧି ପରେ ସେ ତା’ର ପୁରୁଣା ଅତୀତକୁ ମନେ ପକେଇବାକୁ ଲାଗିଲା ।


ସମୀକ୍ଷକଙ୍କ ମତରେ ସାଂପ୍ରତିକ ବିଷୟରେ, ନିଜର ଜୀବନ ଦଶର୍ନକୁ ଉକ୍ତ ପୁସ୍ତକରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେ ଜଣେ ବିଶିଷ୍ଟ ଲେଖିକା ବୋଲି ସ୍ୱୀକାର କରିବାକୁ ହେବ । ତାଙ୍କର ପ୍ରାଣର ଆକୁଳ ନିବେଦନ, ଶକ୍ତିଶାଳୀ ସୁଚିନ୍ତିତ ଭାଷାର ପ୍ରୟୋଗଶୈଳୀ ଅତୁଳନୀୟ । ଓଡିଆ ଭାଷା ସାହିତ୍ୟକୁ ଏକ ନୂତନ ପଥ ଦେଖାଇବାର ସହାୟକ ଭୂମିକା ଗ୍ରହଣ କରିଛନ୍ତି ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରିବାକୁ ହେବ । ଆଧୁନିକ ଦୁନିଆରେ ପିତା ମାତାଙ୍କ ପାଖରେ ପିଲାମାନଙ୍କ ମନର କୈଣସି ମୂଲ୍ୟ ନାହିଁ । ସେମାନେ ଯାହା କହିବେ ତାକୁ ମାନିବାକୁ ବାଧ୍ୟ । ଏକ ପକ୍ଷରେ ଆଜିକାଲିର ସାମାଜିକ ଜୀବନ, ଆଶା, ଆକାଂକ୍ଷା, ସ୍ୱପ୍ନ ସଂଘର୍ଷର ନିଛକ ଚିତ୍ର ଉପସ୍ଥାପନ କରିଥିବା ବେଳେ ଜୀବନର ଗତି ଓ ପରିଣତି ପ୍ରତି ମଧ୍ୟ ସେ ସଚେତନ । ସାଧାରଣ ଜୀବନ ଉପରେ ଏହାର ପ୍ରଭାବ ପଡିବ । ନାନା ଘାତ ପ୍ରତିଘାତ ମଧ୍ୟରେ ଗତି କରୁଥିଲେ ମଧ୍ୟ ସେ ଗୁରୁଜନଙ୍କୁ ଅବଜ୍ଞା କରିନାହାନ୍ତି । ଏହା ଭିତରେ ସେ ତାଙ୍କ ଉପନ୍ୟାସର ନାୟକ ଓ ନାୟିକାଙ୍କ ଅବସ୍ଥା ବର୍ଣ୍ଣନା ପ୍ରତି ଯେତିକି ଯତ୍ନ ନ କରିଛନ୍ତି ତା’ ଅପେକ୍ଷା ସମ୍ପର୍କକୁ ସେ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କ ମତରେ ପ୍ରେମର ପରିଣତି ନୁହେଁ ବିବାହ । ଭଲ ପାଇବାର ପ୍ରକୃତ ଅର୍ଥ ମନର ମିଳନ । ପ୍ରେମ ଶାଶ୍ୱତ, ଚିରନ୍ତନ, ଅମର । ପ୍ରେମର ପରିସୀମା ବ୍ୟାପ୍ତ । ପ୍ରେମ ସ୍ମୃତି ହୋଇ ରହିଯାଏ ଜୀବନ ସାରା ।


ସମୀକ୍ଷାଟି ପଢି ସାରିଲା ପରେ ସେ ତା’ର ପୁରୁଣା ଅତୀତକୁ ବାରମ୍ବାର ମନେ ପକେଇଲା । ଦୀର୍ଘ ଦିନର ସ୍ମୃତି ଗୋଟି ଗୋଟି କରି ମନେ ପଡୁଥାଏ । କଲେଜରେ ପାଠପଢା ସମୟର କଥା, ବି.ଏ ଦ୍ୱିତୀୟ ବର୍ଷର । ଇତିହାସ ଅନର୍ସ ଶ୍ରେଣୀରେ ଅଧ୍ୟାପକ ପାଠ ପଢାଇ ବାହାରିଗଲା ପରେ, ‘ଜୟନ୍ତୀ ତୁମ ଇତିହାସ ନୋଟ ବୁକ ଟା ଟିକିଏ ଦିଅ ।’ କାହିଁକି ସାର ପଢାଇଲା ବେଳେ କଣ ନିଦ ହୋଇ ଯାଇଥିଲା କି ? ନା ! ମୁଁ ଶୋଇଥିଲେ କଣ ସାରଙ୍କ ନଜର ପଡିନଥାନ୍ତା ? କିଛି ଛାଡି ହୋଇଗଲା ପରି ଲାଗୁଛି । ସେଥିପାଇଁ ତୁମ ନୋଟ ବୁକ ଟି ମାଗୁଛି । ହଉ ନିଅ କାଲି ନିଶ୍ଚୟ ଫେରାଇଦେବ । ତା ପରଦିନ କଲେଜରେ ପହଞ୍ଚି ପ୍ରଥମେ ଜୟନ୍ତୀକୁ ନୋଟବୁକ୍ ଫେରାଇଲା ବେଳେ ସୁମନ କହିଥିଲା, ‘ତୁମ ଅକ୍ଷର ଯେପରି ସୁନ୍ଦର, ତୁମେ ବି ସେପରି ସୁନ୍ଦରୀ’ । ସେଦିନ ଜୟନ୍ତୀ କିଛି ନ କହି ହସିଦେଇ ତା ନୋଟବୁକ୍ ନେଇ କମନ୍ ରୁମରୁ ଚାଲି ଯାଇଥିଲା । ଆଜି ମନେପଡୁଛି, ଇତିହାସ ଅନର୍ସରେ ସେମାନେ ଷୋହଳ ଜଣ ଥିଲେ । ତାଙ୍କ ଭିତରେ ପୁଅପିଲା ଦଶ ଜଣ ଏବଂ ଝିଅପିଲା ଛଅ ଜଣ । କ୍ଲାସ ନଥିଲେ ସମସ୍ତେ ଏକାଠି ବସି ନାନା ଗପ କରୁଥିଲେ । ପାଠ ବିଷୟରେ ଆଲୋଚନା ଛଡା ଥଟ୍ଟା ମଜାରେ ସମୟ କଟି ଯାଉଥିଲା । ପୁଅ ପିଲାଙ୍କ ମଧ୍ୟରେ ସୁମନ ଟିକେ ଅଲଗା । ସେ ମଫସଲରୁ ଏକ ଗରୀବ ପରିବାରରୁ ଆସିଥିବାରୁ ନିଜକୁ ସହଜ ମନେ କରୁନଥିଲା । ତଥାପି ସେ ସବୁ ଆଲୋଚନା, ସମାଲୋଚନାରେ ଭାଗ ନେଉଥିଲା । ସେ ଶାନ୍ତ, ସରଳ ପ୍ରକୃତିର ପିଲା ଏବଂ ଭଲ ପଢୁଥିବାରୁ ଅଧ୍ୟାପକ ମାନେ ତାକୁ ଭଲ ପାଉଥିଲେ । ସହପାଠୀ ମାନେ ମଧ୍ୟ ତାକୁ ବହୁତ ଭଲ ପାଉଥିଲେ ।


ଦିନକର କଥା ସେଦିନ ପ୍ରଥମ ଦୁଇ ପିରିୟଡ କ୍ଲାସ୍ ନଥାଏ । କଲେଜରେ ପହଞ୍ଚିଲା ବେଳକୁ କଲେଜ ଗେଟ୍ ପାଖରେ ଜୟନ୍ତୀ ସହିତ ଭେଟ ହେଇଗଲା । ସେ ଘରକୁ ଫେରିବାପାଇଁ ବସ୍ କୁ ଅପେକ୍ଷା କରିଥାଏ । ମୋତେ ଦେଖି କହିଲା ଆଜି ସବୁ କ୍ଲାସ୍ ସସପେଣ୍ଡ ହୋଇଯାଇଛି । ଘରକୁ ଫେରିବାକୁ ହେବ ତା କଥା ଶୁଣି ମୁଁ କହିଲି ତେବେ ଚାଲ ଆମେ ଆଜି ଚାଲିକରି ଯିବା । ସାଥି ହୋଇ ଫେରିବା ବାଟରେ ସେ ମୋ ଘର ବିଷୟରେ ପଚାରିବାରୁ ମୁଁ ତାକୁ କହିଥିଲି, ମୁଁ ଜଣେ ଅତି ଗରୀବ ଚାଷୀର ପୁଅ । ଆମର କେବଳ ଦୁଇ ଏକର ଜମି ଅଛି । ବାପା ନିଜେ ଚାଷ କରନ୍ତି, ତା ଛଡା ଅନ୍ୟ ଲୋକଙ୍କର ଭାଗ ଚାଷ କରନ୍ତି । ଆମର ପାଞ୍ଚଜଣିଆ ଅଭାବି ପରିବାର । ବାପା, ମା, ଆଉ ଦୁଇ ଜଣ ସାନ ଭାଇ ଭଉଣୀ । ଭାଇ ଭଉଣୀ ଦୁଇଜଣ ଗାଁ ପାଖ ଅନ୍ୟ ଏକ ଗାଁର ସ୍କୁଲରେ ପଢନ୍ତି । ମୁଁ ଏଠି ଗୋଟିଏ ମେସ୍ ରେ ରହି ଟ୍ୟୁସନ କରି ପାଠ ପଢୁଛି । ବହୁ ଆଶା ନେଇ ବାପାଙ୍କୁ ବୁଝାଇ ଘରୁ ଗୋଡ କାଢିଛି । ଭବିଷ୍ୟତ ତା ବାଟରେ ମୋ ପାଇଁ କଣ ଲୁଚାଇ ରଖିଛି ତାହା ମୁଁ ଜାଣେନା । ମୋ କଥା ଶୁଣି ସେ କହିଥିଲା ଆଶା ହିଁ ମଣିଷ ପାଇଁ ଶ୍ରେଷ୍ଠ ସମ୍ବଳ । ଏହାକୁ ପାଥେୟ କରି ଜୀବନରେ ଆଗକୁ ବଢିବାକୁ ହେବ । ସବୁ ସୁଖ ଦୁଃଖ ଭିତରେ ଆଶା ହିଁ ଜୀବନ ଶକ୍ତି । ମଣିଷ ଆଶାକୁ ନେଇ ବଞ୍ଚେ । ଯଦି ମଣିଷ ଭିତରେ ଆଶା ଅଉ ସ୍ୱପ୍ନ ନ ଥାନ୍ତା ତେବା ମଣିଷ ଜୀବନଟା ଦୁର୍ବିସହ ହୋଇପଡନ୍ତା । ମୁଁ ତାକୁ ତା ଘର ବିଷୟରେ ପଚାରିଲି, ସେ କହିଥିଲା ଘରେ ତାର ବାପା, ମା, ଜେଜେ ବାପା, ଜେଜେମା, ଆଉ ଭାଇ ଏବଂ ଭଉଣୀଟିଏ । ସେ ଏକ ମଧ୍ୟବିତ ପରିବାରର ସାନ ଝିଅ । ତା ବାପା ଜଣେ ହାଇସ୍କୁଲ ଶିକ୍ଷକ ଏବଂ ତାଙ୍କ ନୀତି ଆଉ ଆଦର୍ଶରେ ସେମାନେ ପରିଚାଳିତ । ଜେଜେବାପା ଆଉ ଜେଜେମା ଆକଟି କଥା ନ କହିଲେ ଭଲ । ସେମାନେ ଯେମିତି ସ୍ନେହ କରନ୍ତି ସେମିତି ଶାସନ ମଧ୍ୟ କରନ୍ତି । ମା ଜଣେ ଗୃହିଣୀ ସକାଳୁ ସଞ୍ଜଯାଏଁ ସେ ଘର କାମରେ ଲାଗିଥାନ୍ତି । ସକାଳୁ ଉଠି ଘର ଓଳାଇବାଠାରୁ ଆରମ୍ଭ କରି ଘରର ସବୁକାମ ଏକା ଏକା କରନ୍ତି । ଆମକୁ ଘରର କିଛି କାମ କରିବାକୁ ଦିଅନ୍ତି ନାହିଁ । ଜେଜେବାପା ତାଙ୍କ ଜୀବଦଶାରେ ସହରରେ ଏଇ ଘରଟିକୁ କରିଥିଲେ । ଯେଉଁଠି ଆମେ ମାନେ ଏବେ ରହୁଛୁ । ଗାଁରେ ଆମର ଘର ଆଇ କିଛି ଜମି ଅଛି । ବାପା ଏବଂ ଜେଜେବାପା ଗାଁକୁ ଯିବା ଆସିବା କରନ୍ତି । ଭଉଣୀ ମୋଠାରୁ ବଡ । ତା’ର ବିବାହ ହୋଇଯାଇଛି ଏବଂ ସେ ତା ସ୍ୱାମୀଙ୍କ ସହିତ କଟକରେ ରହେ । ଭିଣେଇ କଟକରେ ବ୍ୟବସାୟ କରନ୍ତି । ଭାଇଟି ହାଇସ୍କୁଲରେ ପଢୁଛି ।


ଆମ କଥାବାର୍ତ୍ତା ଭିତରେ କେତେବେଳେ ଆମେ ଜୟନ୍ତୀର ଘର ପାଖରେ ପହଞ୍ଚି ଯାଇଥିଲୁ ଆମକୁ ଜଣା ପଡିଲାନାହିଁ । ତା ପରେ ଜୟନ୍ତୀଠାରୁ ବିଦାୟ ନେଇ ମୁଁ ମୋ ମେସକୁ ଫେରିଆସିଲି । କଲେଜ ମାଗାଜିନ ପାଇଁ ଗଳ୍ପ, କବିତା, ରମ୍ୟରଚନା ଇତ୍ୟାଦି ଦେବା ପାଇଁ ସମ୍ପାଦକ ସବୁ ବିଭାଗକୁ ଦିନେ ନୋଟିସ୍ ପଠାଇଲେ । ଆମ ଇତିହାସ ଅନର୍ସର ସମସ୍ତ ପିଲା ନିଜ ନିଜ ଲେଖା କବିତା, ଗଳ୍ପ ଦେଇଥିଲେ । ସେଥି ମଧ୍ୟରୁ ତିନୋଟି ଗପକୁ ସମ୍ପାଦନ ମଣ୍ଡଳୀ ନିର୍ବାଚିତ କରିଥିଲେ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଥିଲା ଜୟନ୍ତୀ ଏବଂ ମୋ ଲିଖିତ ଗଳ୍ପ ଦୁଇଟି ପାଖାପାଖି ଛପା ଯାଇଥିଲା । ମାଗାଜିନ ପ୍ରକାଶ ପାଇଲା ପରେ ମୋତେ ଜୟନ୍ତୀ ହିଁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲା । ମୁଁ ବି ତା ଗଳ୍ପଟି ଅତି ସୁନ୍ଦର ହୋଇଛି ବୋଲି କହି ତାକୁ ଉତ୍ସାହିତ କରିଥିଲି । ସେଦିନ କ୍ଲାସରୁମରେ ବହୁତ ମଜା ହେଲା । ସବୁ ପିଲା ମନ ଖୋଲି ନିଜ ନିଜର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କଲେ । କିଏ କହିଲା ଅଧ୍ୟାପକ ହେବ, କିଏ କହିଲା ଶିକ୍ଷକ ହେବ, କିଏ କହିଲା ଆଇ.ଏ.ଏସ ପରୀକ୍ଷା ଦେବ ଇତ୍ୟାଦି । ମୋ ପାଳି ପଡିବାରୁ ମୁଁ କହିଲି ବି.ଏ. ପାଠ ଶେଷ ହେଲା ପରେ ଗୋଟିଏ କମ୍ପ୍ୟୁଟର କୋର୍ସ କରିବି ତା’ପରେ ଚାକିରୀ କରିବି । ଜୟନ୍ତୀ କହିଲା ସେ ଏମ.ଏ. ପଢିବ ଏବଂ ଅଧ୍ୟାପିକା ହେବ । ସମସ୍ତେ ନିଜର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିସାରିବା ପରେ କ୍ଲାସରୁମରୁ ବାହାରିଗଲେ । କ୍ଲାସରୁମରେ କେବଳ ରହିଗଲୁ ମୁଁ ଆଉ ଜୟନ୍ତୀ । ମୁଁ ଜୟନ୍ତୀକୁ ଏକୁଟିଆ ଦେଖି ସାହସ କରି ତାକୁ କହିଲି “ଜୟନ୍ତୀ ମୁଁ ବହୁତ ଦିନ ହେଲାଣି ତମକୁ ଗୋଟିଏ କଥା କହିବି କହିବି ବୋଲି ଭାବୁଛି, ହେଲେ କହିପାରୁନାହିଁ”, କାରଣ ମୋତେ ଡର ଲାଗୁଛି । ଜୟନ୍ତୀ କହିଲା କଣ କହିବ କୁହ । ନ ହେଲେ ମୁଁ ଯାଉଛି । ମୋର ଘରକୁ ଯିବାରେ ନ ହେଲେ ଡେରି ହୋଇଯିବ । ତା’ ଛଡା ତମେ ଏମିତି ପାଗଳଙ୍କ ପରି କାହିଁକି ହେଉଛ । ମୁଁ କଣ ବାଘ ନା ଭାଲୁ ହୋଇଛି ଯେ ମୋତେ ଡରୁଛ । ମୁଁ ପ୍ରକୃତିସ୍ଥ କହିଲି, ”ମୁଁ ତୁମକୁ ଭଲପାଏ ।” ହଠାତ୍ ଯେମିତି ମୋ ଚାରିପାଖର ପୃଥିବୀଟା ସ୍ତବ୍ଧ ହୋଇଗଲା । ମୋ ହୃଦୟର ସ୍ପନ୍ଦନ ବଢିଗଲା । ହେଲେ ଜୟନ୍ତୀ କିଛି ନ କହି ସାମାନ୍ୟ ହସି ଦେଇ କ୍ଳାସରୁମରୁ ବାହାରିଗଲା ।
ଅତୀତଟା ସତରେ ବହୁତ ଭଲଥିଲା । ସବୁକଥା ସୁମନର ଆଜି ଗୋଟି ଗୋଟି କରି ହୋଇ ମନେପଡୁଛି । କୁଆଡେ ଗଲା ଅଧ୍ୟାପକ ମାନଙ୍କର ଆର୍ଶୀବାଦ, ବନ୍ଧୁମାନଙ୍କର ଭଲପାଇବା । ସମ୍ପର୍କର ପରିଭାଷା ଯେ କେତେ ବିସ୍ତୃତ ତାହା ମୁଁ କଲେଜରେ ମୋ ସହପାଠୀ ମାନଙ୍କଠାରୁ ହିଁ କେବଳ ଜାଣିଲି । ସେଦିନ ମୁଁ ମୋର ଭଲପାଇବାକୁ ଜୟନ୍ତୀ ଆଗରେ ପ୍ରକାଶ କଲାପରେ ସେ ଯଦିବି ପ୍ରତ୍ୟାଖାନ କରିନଥିଲା, ସମର୍ଥନ ମଧ୍ୟ ଜଣାଇନଥିଲା । ହେଲେ ମୁଁ ନିଶ୍ଚିନ୍ତ ଥିଲି ଯେ, ସେ ମୋତେ ଭଲ ପାଉଥିଲା । କଲେଜ ସରିଲା ପରେ ସବୁ ସାଙ୍ଗମାନେ କିଏ କୁଆଡେ ଗଲେ ତା’ର ଖବର ମୋ’ ପାଖରେ ନଥିଲା ।


ସମୟ କାହାକୁ ଅପେକ୍ଷା କରେନାହିଁ । ସମସ୍ତେ ଜୀବନ ସଂଗ୍ରାମରେ ଝାସ ଦେବାକୁ ବାଧ୍ୟ ନୁହନ୍ତି । ମୁଁ ମଧ୍ୟ ମୋର କର୍ତ୍ତବ୍ୟ ସମ୍ପାଦନା କରିବା ପାଇଁ ଚାକିରୀଟିଏ କଲି । ଦିନେ ହଠାତ୍ ମୁଁ ଚାକିରୀ କରୁଥିବା କମ୍ପାନୀର ଅଫିସକୁ ଫୋନ ଆସିଲା, ମୁଁ ଫୋନର ରିସିଭର ଉଠାଇ କହିଲି
“ହ୍ୟାଲୋ, ମୁଁ.. ସୁମନ କହୁଛି ଆପଣ କାହାକୁ ଖୋଜୁଛନ୍ତି ।”
“ମୁଁ, ଆପଣକୁ ହିଁ ଖୋଜୁଥିଲି, ସେପଟୁ ଉତ୍ତର ଆସିଲା”
“ହ୍ୟାଲୋ, ମାଡାମ୍ କିଏ କହୁଛନ୍ତି ? ମୁଁ ଆପଣଙ୍କୁ ଚିହ୍ନି ପାରୁନାହିଁ । ଆପଣଙ୍କ ପରିଚୟ ଜାଣିପାରିବିକି ?”
“ମୁଁ ବାଘ କି ଭାଲୁ ନୁହେଁ ! ମୁଁ ଜୟନ୍ତୀ ଦାସ କହୁଛି, ମ୍ୟାଡାମ ନୁହେଁ”
“ଆଶ୍ଚର୍ଯ୍ୟ ମୁଁ ସ୍ୱପ୍ନ ଦେଖୁନାହିଁ ତ ? ତୁମେ ମୋ ଠିକଣା କେମିତି ପାଇଲ ? ତା’ ଛଡା ତୁମେ ଏବେ କେଉଁଠାରୁ କହୁଛ ।”
“ଆରେ.. ଆରେ ଏତେ ଗୁଡେ ପ୍ରଶ୍ନ ଏକାଥରକେ । ଟିକେ ଦମ୍ ନିଅ ସୁମନ । ମୁଁ ଏବେ ଭବାନୀପାଟଣାରେ ସରକାରୀ କଲେଜରେ ଅଧ୍ୟାପିକା ଅଛି । ଆଉ ତୁମ ଖବର କଣ ?”
ମୋର ଏଇ ଛୋଟ ଚାକିରୀ । ଆଉ ତୁମ ଖବର କ’ଣ ଜୟନ୍ତୀ ?” ଆଜି ହଠାତ୍ ମୁଁ ତୁମର କେମିତି ମନେ ପଡିଲି ?” ତୁମେ ଯାହାକୁହ ଜୟନ୍ତୀ ଆଜି ମୋର ମହାଭାଗ୍ୟ । ଆଜିତ ସୂର୍ଯ୍ୟ ସବୁଦିନ ପରି ପୂର୍ବ ଦିଗରେ ଉଦୟ ହୋଇଥିଲେ । କିନ୍ତୁ ଆଜିର ଦିନଟି ଭାରି ଭିନ୍ନ । ତୁମ ସହିତ ଏତେ ଦିନ ପରେ କଥାବାର୍ତ୍ତା ହେଲାପରେ ମୁଁ ଏତେ ଖୁସି ଯେ ତାକୁ ଭାଷାରେ ପ୍ରକାଶ କରି ପାରୁନାହିଁ । ମୋ ବିଷୟରେ କ’ଣ ବା କହିବି । ମୋର ସେଇ ପୁରୁଣା ମେସ୍ ଜୀବନ । କମ୍ପ୍ୟୁଟର କୋର୍ସ କରି ଏଇ କମ୍ପାନୀରେ । ଏକାଉଣ୍ଟାଣ୍ଟ ଅଛି । ଗତବର୍ଷ ବାପାଙ୍କର ଦେହାନ୍ତ ପରେ ଘରର ସବୁ ଦାୟିତ୍ୱ ଏବେ ମୋ ଉପରେ । ମୋତେ ସବୁ କଥା ବୁଝିବାକୁ ପଡୁଛି । ସାନଭାଇ ମାଟ୍ରିକ ପାସ କରି ପାରିଲାନି । ତେଣୁ ତା’ପାଇଁ ଗାଁ’ରେ ଗୋଟିଏ ଦୋକାନ କରିଦେଇଛି । ସେ ଦେକାନ ଚଳାଇବା ସହିତ ଚାଷବାସ କାମ ଦେଖୁଛି ।
“ମୁଁ ତୁମକୁ କିଛି କହିବାକୁ ଚାହୁଁଛି ସୁମନ ?”
“ହଁ, କୁହ ଜୟନ୍ତୀ ମୁଁ ତୁମ କଥା ଶୁଣୁଛି ।”
“ମୁଁ ତୁମକୁ ବହୁତ ଭଲପାଏ ସୁମନ ! ମୁଁ ତୁମ ସହିତ ସଂସାର କରିବାକୁ ଚାହେଁ ।”
ଶୁଣ ଜୟନ୍ତୀ ମୋର ଏଇ ଛୋଟ ଚାକିରୀରେ ତୁମକୁ ନେଇ ସ୍ୱପ୍ନ ଦେଖିବାର ଶକ୍ତି ଆଉ ସାମର୍ଥ୍ୟ ମୋ ପାଖରେ ନାହିଁ । ତା’ ଛଡା ତୁମେ ମୋ ଘରର ପରିବେଶରେ ଚଳିପାରିବ ନାହିଁ ।
କାହିଁକି ମୁଁ ଏମିତି କ’ଣ ହୋଇଗଲିକି ? ତୁମକୁ ପାଇଲେ ମୁଁ ବହୁତ ଖୁସି ହେବି । ଆମେ ଦୁହେଁ ଦୁହିଁଙ୍କ ପାଇଁ ଜିଇଁବା । ତୁମ ଛଡା ମୁଁ ଅନ୍ୟ କାହାକୁ ମୋ ହୃଦୟରେ ସ୍ଥାନ ଦେଇ ନପାରେ ।
“ଠିକ ଅଛି ! ମୋର ଅନୁରୋଧ ତୁମେ ତୁମ ବାପାଙ୍କୁ ଏକଥା କୁହ ।”
“ନା ବାବା ନା ସେ କାମ ମୋ ଦ୍ୱାରା ହୋଇ ପାରିବ ନାହିଁ ।” ମୁଁ ବାପାଙ୍କ ସାମ୍ନାରେ କେବେବି ମୁହଁ ଉଠାଇ କହିନାହିଁ । ଜେଜେବାପା ଆଉ ଜେଜେମା ଅତିମାତ୍ରାରେ ରକ୍ଷଣଶୀଳ । ମୋ ବାପା ଶୁଣିଲେ ଘରେ ଅଶାନ୍ତିର ଝଡ ଉଠିବ । ସେମାନେ ମୋ ଉପରେ ବର୍ଷିଯିବେ । ତେଣୁ ସେ କାମ ମୋ ଦ୍ୱାରା ହୋଇପାରିବ ନାହିଁ । ଏକଥା ଶୁଣି ସୁମନ ପଚାରିଲା ?”ତେବେ କଥା ଆଗକୁ କିପରି ବଢିବ? ”


“ଭଗବାନ ଜାଣନ୍ତି,” ତାଙ୍କର ଯାହା ଇଚ୍ଛା ତାହାହିଁ ହେବ କହି ଜୟନ୍ତୀ ଫୋନ ରଖି ଦେଇଥିଲା । ତା’ର ଠିକ୍ ଦୁଇ ମାସ ପରେ ସୁମନ ଜୟନ୍ତୀର ବିବାହ ନିମନ୍ତ୍ରଣ ପତ୍ର ପାଇଥିଲା । ଜୟନ୍ତୀ ତା’କୁ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲା । ଜୟନ୍ତୀକୁ ହରାଇବା ଦୁଃଖରେ ସେ ପୁରା ଦିନ କାନ୍ଦି କାନ୍ଦି ବିତାଇ ଦେଇଥିଲା । ସେ ଜୟନ୍ତୀକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଗୋଟିଏ କ୍ଷଣରେ ଚୁରମାର୍ ହୋଇଯାଇଥିଲା । ତଥାପି ସେ ଭାଙ୍ଗି ନପଡି ତା’ ପାଖକୁ ଉପହାର ପଠାଇ ଶୁଭକାମନା ଜଣାଇଥିଲା । ଜାଣି ଜାଣି ସେ ତା’ର ଅନୁରୋଧ ରକ୍ଷା କରି ପାରିନଥିଲା । ଭଗବାନଙ୍କ ଦୟାରୁ ଦୁଃଖର ବଳୟ ଭିତରୁ ବାହାରି ଆସି ନିଜକୁ ସହଜ କରି ନେଇଥିଲା ।


ବିବାହର ଅଳ୍ପ ଦିନ ପରେ ଜୟନ୍ତୀଠାରୁ ସେ ଚିଠି ଖଣ୍ଡିଏ ପାଇଥିଲା । ମୋର ଅନୁପସ୍ଥିତିକୁ ସେ ଉପଲବଧି କରି ଦୁଃଖ ପ୍ରକାଶ କରିଥିଲା । ସେ ଲେଖିଥିଲା କଲେଜରେ ପାଠ ପଢିବାବେଳୁ ସେ ତାକୁ ଭଲ ପାଇଥିଲା । ତାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା, ହେଲେ ବିଧିର ବିଧାନକୁ ମାନିନେଇ ସେ ଆଉ ଜଣକୁ ପତି ରୂପରେ ଗ୍ରହଣ କରିଛି । ବାଧ୍ୟ ଶିଶୁଟିଏ ପରି ଗୁରୁଜନଙ୍କ କଥାକୁ ମାନି ନେଇଛି । ଶାନ୍ତ୍ୱନା ଦେଇ ଜୟନ୍ତୀ ଲେଖିଥିଲା ଭଲପାଇବାର ଶେଷ ପରିଣତି ବିବାହ ନୁହେଁ । ତେବେ ଆମର ଭଲ ପାଇବାକୁ ସ୍ମୃତି କରି ବଞ୍ଚିପାରିବା ବନ୍ଧୁ ହିସାବରେ । ଏହା ଭିତରେ ତିରିଶିବର୍ଷ ବିତି ଯାଇଛି । ସୁମନ ମଧ୍ୟ ନିଜ ଜୀବନରେ ଆଗକୁ ବଢି ଯାଇଛି । ଶତରୂପା ଭଳି ବୁଦ୍ଧିମତୀ ସ୍ତ୍ରୀଟିଏ ପାଇଛି । ହେଲେ ଆଜି ଜୟନ୍ତୀ ଦାସଙ୍କ ନାମଟି ଦେଖିଲା ପରେ ତା’ର କଲେଜ ବେଳର କଥା ମନେ ପଡିଗଲା । ସାରା ଜୀବନ ସେ ଶତରୂପା ପାଖରେ ଭଲ ସ୍ୱାମୀଟିଏ ହେବାପାଇଁ ଶତଚେଷ୍ଟା କରିଛି । ହେଲେ ସବୁ ସୁଖ ଓ ପରିପୂର୍ଣ୍ଣତା ଭିତରେ ନିଜର ପ୍ରଥମ ପ୍ରେମକୁ ହରାଇବାର ଦୁଃଖ ତା’କୁ ପାଉଁଶତଳେ କୁହୁଳିଥିବା ନିଆଁ ପରି ସାରା ଜୀବନ ଜଳାଇ ଆସିଛି ।

Post a Comment

0 Comments