Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ମୋ ମାଆ ଟା ପରା - ପ୍ରକାଶ ସାହୁ

ପ୍ରକାଶ ସାହୁ
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ

ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଦେହାନ୍ତ ପରେ ପରିବାରର ସମ୍ପୁର୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ଯାହା କିଛି ଦରମା ମିଳୁଥିଲା ସେଥିରେ ଦୁଇ ଝିଅ ଆଉ ଶାଶୁ ଶ୍ୱଶୁରଙ୍କୁ ନେଇ ଭାବ ଅଭାବରେ ସଂସାର ଯେମିତି ସେମିତି ଚଳି ଯାଉଥିଲା । ବଡ ଝିଅଟି ଶାନ୍ତ ସ୍ଵଭାବର ଥିଲା । ମାଆ ର ଦୁଃଖକୁ ସେ ବୁଝି ପାରୁଥିଲା । ଛୋଟ ଝିଅ ଟିକେ ଜିଦ ଖୋର ଥିଲା, ଆଉ ବହୁତ ବୁଦ୍ଧିଆ ବି ଥିଲା । ସବୁଦିନେ ସେହି ଛୋଟ ଝିଅକୁ ନିଜେ ଗାଧୋଇଦେଇ, ପାଖରେ ବସାଇ, ଖୁଆଇ, ହୋମୱର୍କ କରାଇ, ସାଙ୍ଗରେ ଧରି ସ୍କୁଲ ଯାଉଥିଲେ ।


ପିଲାଟି ଥରେ ଥରେ ଜିଦ କରୁଥିଲା । ଭାରି ଅମାନିଆ ହେଉଥିଲା । ଖାଇବିନି, ଏତେ ପାଠ କରିବିନି ବୋଲି ପାଟିକରି କାନ୍ଦୁଥିଲା । ପିଲାଟି ଏମିତି ଜିଦ କରୁଥିଲାବେଳେ ସବୁବେଳେ ପ୍ରାୟ ଶାନ୍ତ ରହୁଥିବା ମା କୁନି ଝିଅ ର ମଥା ଆଉଁସି କହୁଥିଲେ-ମୋ ମା ଟା ପରା । ଏତକ ଖାଇଦିଅ, ଏତକ ସାରିଦିଅ । ସେ ଆହୁରି ଜିଦ କରୁଥିଲା, ନା ତୁମ କଥା ମୁଁ ମନିବିନି, ଜମା ମାନିବିନି । ତୁମେ କିଏ ? ମା ଝିଅର କେଶକୁ ସଜାଡୁ ସଜାଡୁ ତା'ର ଟିକି କଅଁଳ ପାପୁଲିକୁ ନିଜ ଗାଲରେ ଘଷୁଥିଲେ, ଆଉ କହୁଥିଲେ ମୁଁ ପରା ତୋର ମା । ଏଇତକ ସାରିଦିଅ । ଏବେ ପିଲାଟି ବୁଝି ଯାଉଥିଲା । ମା ର କୋଳରେ ମୁହଁ ଗୁଞ୍ଜି ଦେଉଥିଲା । ଆଉ ଜିଦ କରୁ ନ ଥିଲା । ମା ର ସବୁ କଥା ମାନି ନେଉଥିଲା ।


ସମୟ ଗଡି ଚାଲିଥିଲା । ମଣିଷ ବୟସ୍କ ହେବା ସହିତ ଧୀରେ ଧୀରେ ଅଭିଜ୍ଞ ହୋଇଯାଏ । ପରିସ୍ଥିତି, ପରିବେଶ ବଦଳି ସାରିଥିଲା । ଝିଅଟି କେବଳ ବୟସରେ ବଡ ହୋଇ ନ ଥିଲା, ପାଠ ଶେଷ କରି ଜଣେ ଡାକ୍ତର ହୋଇ ସାରିଥିଲା । ବିବାହ ବି ହୋଇ ସାରିଥିଲା । ମା ଙ୍କର ଅବସର । ତେବେ ମା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଲେ । ମା ଙ୍କ ର ସ୍ୱର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା । ବେଳେ ବେଳେ ଉଚ୍ଚ ରକ୍ତ ଚାପ ପାଇଁ ଟଳି ପଡୁଥିଲେ ତ ବେଳେ ବେଳେ ଜ୍ଵର ଭର୍ତ୍ତି ହୋଇ ଯାଉଥିଲା ଦେହରେ । କିଛି ଖାଇବାକୁ ଇଛା କରୁ ନଥିଲେ । କିଛି ଦିନ ହସ୍ପିଟାଲରେ ରହିବା ପରେ । ସେ ସାନ ଝିଅଙ୍କ ଘରେ ରହିଲେ । ସାନଝିଅ ନିଜେ ତାଙ୍କର ସେବା କରିଲେ । ଝିଅଟି ହସ୍ପିଟାଲରେ ସ୍ଥିର ହୋଇ ବସିପାରୁନଥିଲା । ଭିତରେ ଭିତରେ ଆକ୍ତମାକ୍ତ ହୋଇ ପଡୁଥିଲା ଯନ୍ତ୍ରଣା ରେ । ଛାତ ଉପରେ ଏକୁଟିଆ ବସି ଆକାଶକୁ ଅନାଇ ରହୁଥିଲା ଘଣ୍ଟା ଘଣ୍ଟା କାଳ, ବିକଳ ହୋଇ । କେତେବେଳେ ପ୍ରେସକ୍ରିପସନ ଅଣ୍ଡାଳୁଥିଲା ତ କେତେବେଳେ ଔଷଧ ଇଞ୍ଜେକ୍ସନ ପ୍ୟାକେଟ ଘାଣ୍ଟୁଥିଲା ।


କିଛିଦିନ ହବ ରୋଗିଣୀ ମା ହସ୍ପିଟାଲରୁ ଫେରିଛନ୍ତି । ସବୁଦିନ ଭଳି ଝିଅଟି ଅଫିସରୁ ଘରକୁ ଫେରି ଆସିଲା । ମୁଁହରେ ଶୁଖିଲା ହସ ଫୁଟାଇ ମା ଙ୍କ ପାଖରେ ବସି ପଡ଼ିଲା । ଛୋଟପିଲାଙ୍କ ମଥା ଆଉଁଶି ଦେଲା ପରି ଝିଅଟି ମା ର ମଥାକୁ ଆଉଁଶି ଦେଉଥିଲା ଧୀରେ ଧୀରେ । ମା ର ଗୋଡ ଆଉ ହାତକୁ ଆସ୍ତେ ଆସ୍ତେ ଚାପି ଦେଉଥିଲା ମା ଙ୍କୁ ଆରାମ ଲାଗିବ ବୋଲି । ସ୍ୱାମୀ କିଛି ଦିନ ପାଇଁ ଛୁଟିରେ ଆସିଛନ୍ତି ଏବେ । ସ୍ୱାମୀ କ୍ଷୀର ଗିଲାସେ ଆଣି ଆସିଲେ, ମା ଙ୍କୁ ଏତକ ପିଆଇଦିଅ । ତ। ମୁଁ ଯେବେ ଠାରୁ ଆସିଲିଣି କିଛି ଖାଉ ନାହାନ୍ତି ସେ, ଠେଲି ଦେଉଛନ୍ତି ସବୁ, ଜିଦ କରୁଛନ୍ତି । ଏବେ ଝିଅର ପାଳି । ହାତରେ ଗ୍ଲାସ ଧରି ମା ଙ୍କ ର ଓଠରେ ଛୁଆଇଁ ଝିଅଟି ନେହୁରା ହେଉଥିଲା- ଏଇତକ ସାରିଦିଅ ମୋ ମା ମା ଟା ପରା । ମା ମୁହଁ ବୁଲାଇ ନେଲେ ବିରକ୍ତିରେ । ଝିଅ ଥରୁଥିଲା ଲୁହ ଆଉ କୋହରେ ଆଷାଢ଼ ହୋଇ । ସେ ଲୋଚାକୋଚା ହୋଇଯାଉଥିଲା ଭିତରେ ଭିତରେ । ହାତରେ ଧରିଥିବା କ୍ଷୀର ଗ୍ଲାସଟିକୁ ପୁଣି ଥରେ ମା ଙ୍କ ର ଓଠ ପାଖକୁ ନେଇ ନିଜର ବାମ ହାତରେ ମା ଙ୍କ ର ମଥାର ଅଲରା ପାଚିଲା କେଶକୁ ଯତ୍ନରେ ସଜାଡି ଦେଉଥିଲା । କିଛି ନିସ୍ତେଜପଣ, କିଛିଟା ଯନ୍ତ୍ରଣାର ପ୍ରକୋପ, କିଛି ଅବସନ୍ନତା ଆଉ କିଛି ବିସ୍ମରଣ ଜନିତ ଅସ୍ୱସ୍ତିରେ କ୍ଲାନ୍ତ ହୋଇପଡୁଥିଲେ ମା, "ତୁମେ କିଏ ? ମୁଁ ତୁମ ମାନଙ୍କ କଥା ମାନିବିନି ।" ଏବେ ଝିଅଟି ନିଜେ ହିଁ ଶାଙ୍କୁଡ଼ି ଯାଉଥିଲା, ତା'ର ଛାତି ରୁନ୍ଧି ହୋଇଯାଉଥିଲା, ଗଳା ବସିଯାଉଥିଲା । ସ୍ୱାମୀ ଫଳରସ ଗ୍ଲାସ ଧରି ଠିଆ ହୋଇଥିଲେ ମୂର୍ତ୍ତିଟେ ପରି । ଏଥରକ ମା ଙ୍କ ର ଆହୁରି ପାଖକୁ ଘୁଞ୍ଚିଗଲା ପୁଅଟି । ଗୋଟିଏ ହାତରେ ମା ଙ୍କ ର ଅଲରା ପାଚିଲା କେଶକୁ ସଜାଡୁ ସଜାଡୁ ଆର ହାତରେ ମା ଙ୍କ ର ଦୁର୍ବଳ ଶିରାଳ ପାପୁଲିକୁ ନିଜ ଗାଲରେ ଘଷୁ ଥିଲା ଝିଅ । ଓଦା ଓଦା ସ୍ୱରରେ ରହି ରହି କହୁଥିଲା, "ମୁଁ ପରା ତୁମର ସେହି ମା" ଯାହା ପାଇଁ ତୁମେ ଦିନେ ବହୁତ ବ୍ୟସ୍ତ ହୋଇ ଯାଉଥିଲ, ଆଜି ତାହାରି ପ୍ରତିଶୋଧ ନେଉଛ । ମୁଁ କ୍ଷମା ମାଗୁଛି । ଏବେ ଏଇତକ ସାରିଦିଅ । "ମୋ ମା ଟା ପରା" ଏଇତକ ସାରିଦିଅ ।


ମା ଦୋ ଦୋ ଚିହ୍ନା ଆଖିରେ ଜୁଳୁ ଜୁଳୁ ଚାହିଁ ରହିଥିଲେ ଝିଅକୁ । ଝିଅର ଦୁଇ ଆଖିରୁ ବଡ ବଡ ଲୁହ ଠୋପା ଖସି ପଡୁଥିଲା । ତା ଦେହରେ ସବୁତକ ଶିରାପ୍ରଶିରା ଯେପରି ଦୁହିଁ ହୋଇଯାଉଥିଲା । ସେମିତି ଠିଆହୋଇ ମା ଙ୍କ ର ପାପୁଲିକୁ ନିଜ ଗାଲରେ ଚାପି ଧରି ତାଙ୍କର ଆଖିକୁ ଚାହିଁ ରହିଥିଲା ଝିଅଟି । କିଛି କ୍ଷଣ ପରେ ହୁଇଲ ଚେୟାରରେ ବସି ରହିଥିବା ମା ମଣିଷଟି ନିଜର ମଥା ଆଉଜାଇ ଦେଲେ ସାନ ଝିଅର ଛାତିରେ ନୀରବରେ । ଝିଅଟି ମା କୁ କୋଳେଇ ନେଲା ବେଳେ ତା ମନ ଭିତରେ ମା ର ସେହି ସଂଳାପ "ମୋ ମା ଟା ପରା" ଜାଗି ଉଠିଥିଲା । ସତରେ, କେତେ ଶକ୍ତି ଅଛି ଏହି ସଂଳାପ ରେ !

Post a Comment

0 Comments