Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ବାଟବଣା ବିବେକ - ବଲବନ୍ତ ସାହୁ

ବଲବନ୍ତ ସାହୁ
ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ : ୯୦୭୮୧୦୫୨୩୪

ଯେତେ ଚେଷ୍ଟା କଲେ ମଧ୍ୟ ଏହି ଭାବ ନିକିତି ସାହାଯ୍ୟରେ ମାପି ପାରୁନାହିଁ । ଗୋଟିଏ ପଟେ ଦୀର୍ଘ କୋଡ଼ିଏ ବର୍ଷର ବନ୍ଧୁତା ଅନ୍ୟ ପଟେ ସେଇ କୋଡ଼ିଏ ବର୍ଷର ଅନ୍ୱେଷଣ ଲକ୍ଷ୍ୟସ୍ଥଳ । ତା' ପୁଣି ଓ.ଏ.ଏସ୍ । ବହୁତ ବଡ଼ ଡିସିସନ୍ । କାହିଁକିନା ବିବେକ ଓ ବିବେକ ମଧ୍ୟରେ ଡିସିସନ୍ । ବିବେକକୁ ମନେ ପକାଉ ପକାଉ ମନେ ପଡ଼ିଯାଏ ତା'ର ସେଇ ଦୁଇପଦ ଭାଷଣ । କାନ ପରଦା ଦ୍ୱାରରେ ଠକ୍ ଠକ୍ କରି ପ୍ରବେଶ କରିଯାଏ ଭାବନା ରାଇଜକୁ । ତୃତୀୟ ଆଖି ଆଗରେ ଝଲସି ଉଠେ ସେ ସବୁ ଦୃଶ୍ୟ.. ସତେକି ଗୋଟେ ଚଳଚ୍ଚିତ୍ର ଦେଖିଲା ପରି ।


କଲେଜ ଶେଷର ସେଇ ବିଦାୟ ସଭା । ଷ୍ଟେଜ ଉପରେ ସମାଜ ଦୃଷ୍ଟିର କିଛି ବଡ଼ବଡିଆ ଲୋକ, କିଛି ନେତା, ତା'ସହିତ ସଭାପତି ଆସନରେ ଆମ ଅଧ୍ୟକ୍ଷ । ବାମ ପାର୍ଶ୍ଵରେ ମାଇକ୍ରୋଫୋନ୍ ଓ ତା ଆଗରେ ବିବେକ ଏବଂ ବିବେକର ଦୁଇ ଆଖି ସାମ୍ନାରେ ଦୁଇ ଶହରୁ ଅଧିକ ଶିକ୍ଷାର୍ଥୀ । ତା'ସହ କିଛି ମାନ୍ୟଗଣ୍ୟ ଭଦ୍ରଲୋକ । କେବେ ଲଙ୍ଗଳା କେବେ ଚଡ଼ି ଟେ ପିନ୍ଧି କାଣିକୁଚି, ବରକନ୍ୟା ଖେଳ ଖେଳାଠାରୁ ବର୍ତ୍ତମାନର ଜିନ୍ସପ୍ୟାଣ୍ଟ, ବୁଟ୍, ସୁଟ୍ ପିନ୍ଧା ପର୍ଯ୍ୟନ୍ତ ବିବେକ ମୋର ପ୍ରିୟ ବନ୍ଧୁ । ଯଦିବା କଳାମେଘ ଆସି ସୂର୍ଯ୍ୟାଲୋକକୁ ପ୍ରତିରୋଧ କରିପାରେ ସତ, କିନ୍ତୁ କୌଣସି ବି ପରିସ୍ଥିତି ଏ ଯାଏ ଆସିନାହିଁ, ଯାହାକି ଆମ ବନ୍ଧୁତାରେ ଫାଟ ସୃଷ୍ଟି କରିବ । ବିବେକ ଭାରି ସାହସୀ । ହାର ମାନିବା କେବେ ଶିଖିନାହିଁ । ଶିଖିଛି ଗମ୍ଭୀରରୁ ଗମ୍ଭୀର ପରିସ୍ଥିତିର ମୁକାବିଲା କରିବା । ବାପା ଚାଲିଯିବା ପରେ ପରେ ଏକାଧାରରେ ସାଜିଛି ଗାନ୍ଧୀ, ଗୋପବନ୍ଧୁ, ଅବଦୁଲ୍ କଲାମ.. । ବାପା ଚାଲିଯିବା ପରେ ସମାଜକୁ ନିଜର ମନେକରି ପରିବର୍ତ୍ତନ କରିଛି ତା' ଜୀବନର ଲକ୍ଷ୍ୟକୁ । କଳାପଟା ଓ ଚକ୍ ରୁ ସପ୍ନ ଦେଖିଛି ପ୍ରଶାସନିକ ସେବାର । ଚାହୁଁଚି, କ୍ଷମତା ହାସଲ କରି ଅକ୍ଷମ ମାନଙ୍କ ସେବା କରିବା । ସେଥିପାଇଁତ ଗୋଟିଏ ଚେଷ୍ଟାରେ କ୍ୱାଲିଫାଏ କରିଛି ପ୍ରିଲିମ ଆଉ ମେନ କୁ । ଏକା କରିନାହିଁ, ତା'ସାଥେ ସାଥେ ମୋତେ ବି କରାଇ ଦେଇଛି । ଫଳନ୍ତି ବୃକ୍ଷ ପରି ନମ୍ର ଭାବେ ଗୁରୁଜନଙ୍କୁ ସମ୍ମାନ କୁସୁମ ସମର୍ପଣ କରୁ କରୁ ପ୍ରକାଶ କରିଦେଇଛି ହୃଦୟର ଭାଷାକୁ । ଲଗାମ୍ ବିହୀନ ଅଶ୍ୱ ପରି ବିବେକର ଭାବନା ଦୌଡ଼ି ଚାଲୁଛି... ଆଗକୁ... ଆଗକୁ... । ସେ କହି ଚାଲୁଛି, "ଆଜି ବିଦାୟ ସମାରୋହ । ଆମେ ସମସ୍ତେ କଲେଜ ଜୀବନର ଶେଷ ପାହାଚରେ । ଆଜିର ଦିନରେ ଆମ ସମ୍ପର୍କରେ ଗୋଟିଏ କମା, ଯୋଗ ହେବାର ସମୟ । ମୁଁ ଆଜି ସମସ୍ତଙ୍କ ମୁହଁରେ ସ୍ପଷ୍ଟ ଭାବେ ଦେଖିପାରୁଛି, ସାମାନ୍ୟ ଦୁଃଖର ଝଲକ୍ । ଏହା ବାସ୍ତବିକ, କିନ୍ତୁ ଆମେ ଖୁସି ହେବା ଉଚିତ । କାହିଁକିନା ହଜାର ହଜାର ନିରୀହ ଆଖି ଆଜିବି ଯେଉଁ ସ୍ଵପ୍ନ ଦେଖୁଛି- "କଲେଜ ଜୀବନ " । ଆମେ ସେ ସ୍ୱପ୍ନକୁ ପୂରଣ କରିସାରିଛୁ । ଯଦିବା ତାଙ୍କ ପାଇଁ ଏ ଦିବାସ୍ଵପ୍ନ । ଜୀବନ ଯାତ୍ରାରେ ଆମକୁ ଆହୁରି ଅନେକ ଆଗକୁ ଯିବାକୁ ଅଛି । ଆଉ ଗୋଟିଏ କଥା କହିବି- "ଜୀବନର ଯେକୌଣସି ସୋପାନ ହେଉ, ଯେକୌଣସି ମୁହୂର୍ତ୍ତ ହେଉ, ଯେକୌଣସି ପରିସ୍ଥିତି ହେଉ, ସବୁଠାରୁ ଅଧିକ ବିଶ୍ୱାସ କେବଳ ଦୁଇ ଜଣକୁ କରିବା ଉଚିତ । ସେ ହେଲେ ବାପା ଆଉ ମାଆ । (ମାଆ ବାପା କହୁ କହୁ ବାହାରି ଆସିଥାଏ ଦୁଇ ଟୋପା ଳୁହ) ।" ଲୁହକୁ ପୋଛି ଆରମ୍ଭ କରିଛି – ଆଉ ଏକ ଅଧ୍ୟାୟ- ପ୍ରେମ । (ସାମାନ୍ୟ ହସିଦେଇ) "ପ୍ରେମ" ହେଉଛି ଆଜିର ଚର୍ଚ୍ଚିତ ବିଷୟ । କେଉଁଠି ପଳାୟନ, କେଉଁଠି ମୃତ୍ୟୁ, କେଉଁଠି ଠକ, କେଉଁଠି ଯୌନ ସମ୍ପର୍କ, କେଉଁଠି ଦେହ ବିକ୍ରି, ଆଉ କେଉଁଠି କେଉଁଠି ପ୍ରେମ ପାଇଁ ଯାଉଛି ମାଆ ବାପାଙ୍କ ଜୀବନ । ବାପ୍ ରେ ପ୍ରେମ ଏତେ ବଡ । (ହସିଦେଇ) ପ୍ରେମର ଅନେକ ବିଭାଗଅଛି, ଆଉ ଏହାର ଅୟମାରମ୍ଭ ଯେଉଁଠି ହୁଏ ତା'ହେଲା- ମାତୃଗର୍ଭ । ଆଉ ଏହା ହିଁ ବାସ୍ତବ ପ୍ରେମ । ଯଦି ମାତୃତ୍ୱକୁ ବର୍ଣ୍ଣନା କରିବାକୁ ଚେଷ୍ଟା କରିବି ତେବେ ତାହା ମୋର ମୂର୍ଖାମୀ ହେବ । ଆଉ ଏ ଝିଅ ପ୍ରେମ (ଲଭ୍) । ମୁଁ କିଛି କହିବି ନାହିଁ, ଆମ କୋଶଳୀ ଭାଷାରେ ପଦେ କହିବି । "ଇ ଲଭ୍ ଜୀବନ୍ କେ ଉଲ୍‌ଟେଇ ଦେସି, ଏକଦମ୍ ଚକେଲ୍‌ ପିଠା ଲେଖେ । ଭଲ୍ କେ ଖରାପ୍ ଆରୁ ଖରାପ୍ କେ ଭଲ୍ ।" ଶେଷରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ "ଲକ୍ଷ୍ୟ" । ଏହା ପରେ ମୁଁ ମୋର ବକ୍ତବ୍ୟ ସମାପନ କରିବି । ଏଥିପାଇଁ ଗୋଟିଏ କହାଣୀ କହିବି ।


୧୯୩୮ ମସିହା, ସାରା ହଙ୍ଗେରୀ ଦେଶରେ ଜଣଙ୍କ ନାଆଁ ଚର୍ଚ୍ଚାରେ । ସେ ହେଲେ କ୍ୟାରୋଲି ଟାକସ୍ । ହଙ୍ଗେରୀର ସବୁଠୁ ବେଷ୍ଟ ଫିଜିକାଲ ସୁଟର । ଦେଶର ସବୁ ଜାତୀୟ ପ୍ରତିଯୋଗିତାରେ ନିଜର କୃତି ଦେଖାଇ ସାରିଥିଲେ । ଏବଂ ତାଙ୍କ ଦକ୍ଷତାର ସମକକ୍ଷ ଅନ୍ୟ ଦେଶରେ ମଧ୍ୟ ନଥିଲେ ଏଣୁ ୧୯୪୦ ମସିହାରେ ଟୋକିଓରେ ହେବାକୁ ଥିବା ଅଲମ୍ପିକରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ପାଇବା ପ୍ରାୟ ଶତ ପ୍ରତିଶତ ନିର୍ଦ୍ଧାରିତ ହୋଇସାରିଥିଲା । ଅଶ୍ୱ କଣ ଲଗାମ୍ ବିରୋଧରେ ଗତି କରିପାରେ ? ସେହିପରି ଦଇବର ଅଙ୍ଗୁଳି ନିର୍ଦ୍ଦେଶ । ତାଙ୍କ ଆର୍ମି ଟ୍ରେନିଂ ସମୟରେ ହାତରେ ଫୁଟି ଗଲା ହେଣ୍ଡଗ୍ରେନେଡ । ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଇତିହାସ ଲେଖୁ ଲେଖୁ କଲମର କାଳି ଶେଷ ହୋଇଗଲା । ହେଲେ ସେ ପଶ୍ଚାତାପ କଲେ ନାହିଁ । ନିଜ ଭାଗ୍ୟକୁ ଆଦରି ଶୋକ ପ୍ରକାଶ କଲେ ନାହିଁ । ପୁଣି ସୁଟିଂ ଟ୍ରେନିଂ ଆରମ୍ଭ କଲେ । ତାଙ୍କର ସେଇ ଏକମାତ୍ର ବାମ ହାତରେ, ଯେଉଁଥିରେ କି ସେ ଦସ୍ତଖତ ମଧ୍ୟ ଦେଇ ପାରୁନଥିଲେ । ବିଶ୍ୱଯୁଦ୍ଧ ପାଇଁ ୧୯୪୦ ମସିହାରେ ଅଲମ୍ପିକ ଖେଳ ହେଲା ନାହିଁ । ତଥାପି ସେ ନିରାଶ ହେଲେ ନାହିଁ, ଅପେକ୍ଷାରେ ରହିଲେ ୧୯୪୪ ଅଲମ୍ପିକକୁ । ଆସିଲା ୧୯୪୪ ମସିହାରେ କିନ୍ତୁ ଅଲମ୍ପିକ କ୍ରିଡା ଅନୁଷ୍ଠିତ ହେଲା ନାହିଁ । ବିଶ୍ଵଯୁଦ୍ଧର କୁହୁଡ଼ିରେ ଢାଙ୍କି ହୋଇଗଲା ଅଲମ୍ପିକ । ଏପଟେ ସମୟ ଚାଲିଯାଉଥାଏ ସମୁଦ୍ରର ଭଟ୍ଟା ପରି । ହେଲେ ସେ ଅବିଚଳିତ ଭାବେ ଟ୍ରେନିଂ ଜାରି ରଖିଲେ । ଆଉ ଯୋଗଦେଲେ ୧୯୪୮ ଅଲମ୍ପିକରେ । ସମସ୍ତ ପ୍ରତିଯୋଗୀ ତାଙ୍କୁ ପ୍ରଶଂସା କରି କହିଲେ - "ଏତେ କିଛି ଆପଣଙ୍କ ଜୀବନରେ ଘଟିଯିବା ପରେ ମଧ୍ୟ ଆଜି ଆସିଛ, ଆମକୁ ଉତ୍ସାହିତ କରିବା ପାଇଁ । ବାସ୍ତବିକ ଆପଣ ମହାନ ।" ହେଲେ ନମ୍ର ଭାବେ ତାଙ୍କ ଉତ୍ତର ଥିଲା- "ମୁଁ ଏଠାକୁ ଉତ୍ସାହିତ କରିବା ପାଇଁ ଆସିନାହିଁ । ମୁଁ ଆସିଛି ତୁମ ମାନଙ୍କ ସହ ଲଢ଼ିବାକୁ ।" ଆଶ୍ଚର୍ଯ୍ୟ..! ଆଶ୍ଚର୍ଯ୍ୟ ସହିତ ପ୍ରତି ମନରେ ସୃଷ୍ଟି ହୋଇସାରିଥାଏ କିଛି ପ୍ରଶ୍ନବାଚୀ । କିଛି ପାଟିରେ ତାଛଲ୍ୟ ହସ । ହେଲେ ଯେତେ ଢେଉ ଆସିଲେ ସୁଧା ସୋଲକୁ କଣ ବୁଡାଇ ପାରିବ ? ଅସମ୍ଭବ ! ସୋଲ ଯେ କେବେ ଢେଉ ମାଡ଼ରେ ବୁଡିବା ସମ୍ଭବ ନୁହେଁ । ଅଲମ୍ପିକ ସରିଲା ସେ ସ୍ୱର୍ଣ୍ଣ ପଦକ ପାଇଲେ । ତଥାପି ସେ ବିଶ୍ରାମ ନେଲେ ନାହିଁ । ୧୯୫୨ ଅଲମ୍ପିକରେ ପୁନଃ ସ୍ୱର୍ଣ୍ଣ ପଦକ ଜିତିଲେ । ଆଉ ହୋଇଗଲେ ପୃଥିବୀର ପ୍ରଥମ ଯିଏକି ଦୁଇ ଦୁଇ ଥର ସ୍ୱର୍ଣ୍ଣ ପଦକ ବିଜେତା । କରତାଳିରେ କୋଠରୀ ପ୍ରକମ୍ପିତ ହୋଇଉଠୁଥାଏ । ସେ ଆହୁରି ପଦେ କହୁଥାଏ- "ଏହାର ଅର୍ଥ, ଯାହାର ଆତ୍ମବିଶ୍ଵାସ ଯେତେ ବଡ଼ ସେ ସେତେ ବଡ଼ । ଏତିକି କହି ମୁଁ ମୋର ବକ୍ତବ୍ୟକୁ ଶେଷ କରୁଛି । ଯେ... ମାଆ..."


ଭାବନାରେ ବିବେକର ସମ୍ଭାଷଣ ସରୁ ସରୁ ମୁଁ ମାପି ଦେଇଛି । ହଁ ! ତା ବନ୍ଧୁତା ଓ ମଣିଷପଣିଆ ଆଗରେ କମ୍ ପଡିଛି ମୋ ଅନ୍ୱେଷଣ ଲକ୍ଷ୍ୟସ୍ଥଳର ମୂଲ୍ୟ । ବାଇକ ଷ୍ଟାର୍ଟ କରି ପହଞ୍ଚିଛି ବିବେକ ପାଖରେ । ସେ ମୋତେ ଇଣ୍ଟରଭିଉ ପାଇଁ ପ୍ରସ୍ତୁତ ହେବା ପାଇଁ କହିଛି । ଆଉ ଅଲ୍ ଦ ବେଷ୍ଟ କହି ଫେରାଇ ଦେଇଛି । ମୁଁ ମଧ୍ୟ ଚାଲି ଆସିଛି । ହେଲେ ଏ ମୁଣ୍ଡର ବିବେକ ମାନୁନାହିଁ । ଜବାବ ଦେଉଛି । କହୁଛି- "ବିପଦରେ ହିଁ ପ୍ରକୃତ ବନ୍ଧୁର ପରୀକ୍ଷା ହୁଏ" ମୁଁ ପୁଣି ଫେରିଆସିଛି ବିବେକ ପାଖକୁ । ଆଉ ବସିପଡିଛି ବିବେକର କାର ର ଡ୍ରାଇଭିଂ ସିଟରେ । ଆସି ସେ ଦେଖିଛି । ଏତେ ଦୁଃଖରେ ମଧ୍ୟ ସାମାନ୍ୟ ହସିଛି । କେବଳ ଏଇ ବନ୍ଧୁ ପାଇଁ । ଗାଡିର କଣ୍ଟା ଶହେରୁ ଶହେ କୋଡିଏ ମଧ୍ୟରେ । ଗାଡି ଚାଲିଛି ବଲାଙ୍ଗୀର ସରକାରୀ ଡାକ୍ତରଖାନା ଅଭିମୂଖେ । ବିବେକର ଫୋନ ରିଙ୍ଗ ହେଲା । କାନ ପାଖକୁ ନେଉ ନେଉ ତା'ମନ, ଭାବନା, ଚେହେରା, ଚାହାଣୀ ସବୁ ପରିବର୍ତ୍ତନ ହୋଇସାରିଥାଏ । ସେ କେବଳ ହଁ ହଁ... କରିଚାଲିଥାଏ । ମଝିରେ ମଝିରେ ଚୁପ୍ ରହି ଯାଉଥାଏ । ମୁଁ କିନ୍ତୁ ରାସ୍ତା କଡର ଉଭୟ ପାର୍ଶ୍ଵର ସବୁଜ ବନାନୀକୁ ଉପଭୋଗ କରି, ଗାଡିକୁ ବଢ଼ାଇ ନେଉଥାଏ ବଲାଙ୍ଗିର ଅଭିମୁଖେ । ହଠାତ୍ ହୀରାକୁଦ ଗେଟ୍ ଖୋଲିଲା ପରି ସ୍ପଷ୍ଟ ଓ ଉଚ୍ଚ ସ୍ୱରରେ ଆବାଜ୍ ଆସିଲା । ଆଉ ଆବାଜ୍ ଥିଲା ବିବେକର "ଚୁପ୍....!  କଣ ! ବିଜ୍ଞାନ.. ବିଜ୍ଞାନ.., କଳା... କଳା... କରୁଛ ? କଳା ମଧ୍ୟ ଗୋଟିଏ ବିଷୟ । ସବୁବେଳେ ନିଜକୁ ନୀଚ ଭାବିବା ଗଲାନାହିଁ । ସମାଜକୁ ଆଉ କେତେଦିନ ଡରିବା ? କେତେଦିନ ହୃଦୟରେ ଲୁହ ଗଡାଇବା । ବିଜ୍ଞାନର ଭାଷାରେ ହୃଦୟ ଅର୍ଥାତ ହାର୍ଟ, ଯା ହେଉଛି ମଣିଷର blood pumping system,ଯେଉଁଠୁ ସାରା ଶରୀରକୁ ରକ୍ତ ସଞ୍ଚାଳନ ହୁଏ । କିନ୍ତୁ କଳା ର ମତ ରେ ହୃଦୟ ହେଉଛି ସେଇ ସ୍ଥାନ ଯେଉଁଠି ମଣିଷ ନିଜ ଖୁସି, ଦୁଃଖ, ପ୍ରେମ, ଭଲ ପାଇବା, ସ୍ନେହ, ଦୟା, କ୍ଷମା ସବୁ ଅନୁଭବ କରିପାରେ । ଆଉ ଗୋଟିଏ ବିନା ଆରଟି ଅସମ୍ପୂର୍ଣ୍ଣ । ତେଣୁ ମୁଁ ବିଜ୍ଞାନର ଛାତ୍ର ହେଲେ ବି ତୁମପରି ଜଣେ କଳା ର ଛାତ୍ରୀକୁ ଭଲପାଏ, ଆମ ଜୀବନକୁ ପରିପୂର୍ଣ୍ଣତାରେ ଭରିଦେବା ପାଇଁ" । କିଛି ସମୟର ନୀରବତା ପରେ- "କିଛି ନାହିଁ, ତିନି ବର୍ଷ ମଧ୍ୟରେ ଚିହ୍ନି ପାରିଲ ନାହିଁ । ହେଲେ ଆଗକୁ ଚେଷ୍ଟା କରିବ । ଚିହ୍ନିବା ପାଇଁ ବିବେକକୁ । ଏତିକି କହି ସାରି ମୋବାଇଲକୁ ରାଗରେ ରଖିଦେଲା । ଗାଡି ମଧ୍ୟ ପହଞ୍ଚି ସାରିଥାଏ । ବିବେକର ନିର୍ଦ୍ଦେଶରେ ଗାଡି ଷ୍ଟାର୍ଟ ବନ୍ଦ ହେଲା । ମୁଁ ବାହାରିଲି କିଛି ଫଳମୂଳ କିଣିବା ପାଇଁ । ସେ ଆସୁଛି କହି ଚାଲିଗଲା । କୁଆଡେ ଗଲା ? ଏ କଣ ? ସେ ଲୁଗାପଟା କିଣି ଷ୍ଟେସନ ଆଡେ ଗଲାଣି ?


ଆଶ୍ଚର୍ଯ୍ୟ ମଣିଷ ! ମାଆର ହସ୍ପିଟାଲ ବିଛଣାରେ ମୃତ୍ୟୁ ସହ ସଂଗ୍ରାମ, ଭଉଣୀ ହସ୍ପିଟାଲର ସର୍ଜରୀ ରୁମରେ ଜୀବନ ସହ ସଂଗ୍ରାମ କରୁଛି, ମୁଣ୍ଡ ଉପରେ ଓ.ଏ.ଏସ୍ ଇଣ୍ଟରଭିଉ, ତଥାପି ଏ କଣ ? ଏତେ ଟେନସନରେ ବି ମଣିଷ ଅନ୍ୟର ଦୁଃଖ ଦେଖିପାରେ ? ବାସ୍ତବିକ ବିବେକ ହିଁ ସମାଜର ମଣିଷ । ଆଉ ଆମେ ସମସ୍ତେ ଚାରି କାନ୍ଥ ମଝି ପରିବାରର ସ୍ୱାର୍ଥପର । ଦୁଇ ଦିନ ରହିଲା ଇଣ୍ଟରଭିଉ । ଯଦିବା ମେନ ପରୀକ୍ଷା ପରି ପୁଙ୍ଖାନୁପୁଙ୍ଖ ପଢିବା ଦରକାର ନାହିଁ, ଫଣ୍ଟାମେଣ୍ଟାଲ ତ ଦେଖିବାକୁ ପଡିବ । କେତେବେଳେ କଣ ଗୋଟେ ପଚାରିଦେବେ ? ନିଜେ ତ ରିଜେକ୍ଟ ହେବ, ମୋତେ ବି ରିଜେକ୍ଟ କରାଇବ ? ମନ ଭିତରେ ସୃଷ୍ଟି ହେଉଥାଏ ଏପରି କିଛି ପ୍ରଶ୍ନବାଚୀ । ଯେଉଁ ପ୍ରଶ୍ନର ଉତ୍ତର ଥାଏ ବିବେକ ପାଖରେ । ହେଲେ ସେ ଗଲା କୁଆଡେ ? ତା 'ଆସିବା ଅପେକ୍ଷାରେ ସାମାନ୍ୟ ବିରକ୍ତ ହୋଇ ହସ୍ପିଟାଲକୁ ପହଞ୍ଚିଲି । ଯାଇକି ଦେଖୁଛି ତା' ମାଆର ଅବସ୍ଥା । ସେଇ ଲୋତକଭରା ଆଖି ବୁଜିବା ଆଗରୁ ଅପେକ୍ଷା କରିଛି ତା' ପୁଅକୁ ବୋଧେ । ଖୁବ ବିରକ୍ତ ଲାଗୁଥାଏ । "ମାଆକୁ ଏପରି ଅବସ୍ଥାରେ ଛାଡି ଦେଇ ଗୋବବନ୍ଧୁ ସାଜୁଛି" ମନେ ମନେ ଭାବୁଥାଏ । ସେ ମୋର ଆଶ୍ଚର୍ଯ୍ୟର ସୀମା ଲମ୍ବାଇ ଦେଉଥାଏ । ଦୀର୍ଘ ଦୁଇ ଘଣ୍ଟା ହେଲା କୁଆଡେ ଗଲା ? ବିରକ୍ତି ଭାବରେ ମନେ ମନେ ଗାଳି ଦେଇ ବାଧ୍ୟ ହୋଇ ଔଷଧପତ୍ର ଆଣିଲି । ଆଉ ଅଳସ ହେତୁ ବିଶ୍ରାମ ନେଉ ନେଉ ଶୋଇ ପଡ଼ିଲି ବେଞ୍ଚରେ । କେଉଁ ଅଜଣା ନିଦ ଗ୍ରାସିଥିଲା ମୋତେ ଜଣା ନାହିଁ । ନଅଟା ରୁ ଶୋଇଲି ଯେ ଉଠିଲି ଏକା ବେଳକୁ ସାତଟା ପରେ । ଉଠିକି ଅସ୍ତବ୍ୟସ୍ତ ହୋଇ ନର୍ସକୁ ପଚାରିଲି- "ମାଆଙ୍କ ଅବସ୍ଥା ?" ଉଚ୍ଚଶିକ୍ଷିତା ଭଦ୍ର ମହିଳା ପରି ନିର୍ଦ୍ଵନ୍ଦରେ ଉତ୍ତର ଆସିଲା- she is death. ଏପଟେ ବିବେକ ଗଲା କୁଆଡେ ? ମୁଣ୍ଡ ଉପରରୁ ଆକାଶ ଖସି ଆସୁଛି । ଅନାୟାସରେ ଗଡି ଆସୁଛି କିଛି ଧାର ଲୁହ । ତଥାପି ଧର୍ଯ୍ୟହରା ହୋଇନାହିଁ । ମାଆଙ୍କ ଚାଲିଯିବା ଦୁଃଖରେ ଆଉ କର୍ତ୍ତବ୍ୟ ଭାରରେ ବିବେକକୁ ଖୋଜିବା ପ୍ରାୟ ଭୁଲି ଯାଇଛି । ବିବେକର ଭଉଣୀ ବବିର ଫୋନ । ସେ କିଛି କହିପାରୁନାହିଁ । କେବଳ କାନ୍ଦୁଛି । ଆଉ କହୁଛି ଭାଇ... ଭାଇ... । ଏ ଭାଇ.. ଭାଇ..ର ଅର୍ଥ ବୁଝି ପାରୁନଥିଲି । କିନ୍ତୁ ଏହାର ଅର୍ଥ ବୁଝିବା ପରେ ମୋ ପାଦତଳୁ ମାଟି ଅତଡ଼ା ଖସି ଯାଉଥାଏ । କାହିଁ କେଉଁଆଡ଼ୁ ଧାର ଧାର ହୋଇ ବହି ଆସୁଥାଏ ଲୁହଧାର ! ବିବେକ ଆଉ ନାହିଁ । ଟ୍ରେନ ଆଗରେ ଡେଇଁ ପଡି ଜୀବନ ହାରି ଦେଇଛି । "ମୁଁ ସ୍ବପ୍ନ ଦେଖୁନାହଁ ତ ?" ଚାରିପାଞ୍ଚ ଥର ନିଜକୁ ନିଜେ ପଚାରୁଥାଏ । ଶେଷରେ ଦଇବ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେଲି । ଯଦିବା ବିବେକକୁ ଦାହ ମଧ୍ୟ କରିପାରିଲି ନାହିଁ ତଥାପି ମାଆଙ୍କ ଦାହ କରି ଫେରିଲି । ଘରକୁ ଫେରିଥିଲେ ମଧ୍ୟ ନିଜକୁ ବିଶ୍ୱାସ କରିପାରୁନଥାଏ । ଆଜି ଏତେ ସବୁ ଘଟିଗଲା । ମନଦୁଃଖରେ କିଛି ଭାବି ପାରୁନଥାଏ । ହ୍ଵାଟ୍ସଆପ ଖୋଲୁ ଖୋଲୁ ପ୍ରଥମେ ଥିଲା ବିବେକର ମେସେଜ । ମେସେଜରେ ଲେଖାଥିଲା- "ବହୁତ ଦୁଃଖ ଲାଗୁଛି । ମୋର ଦୀର୍ଘ ୨୫ ବର୍ଷରେ କିଛି ବି କରିପାରିଲି ନାହିଁ । ନା କିଛି କରିପାରିଲି ସମାଜ ପାଇଁ, ନା ପରିବାର ପାଇଁ, ନା କରିପାରିଲି ତୋ ପାଇଁ । ମାଆ ଭଉଣୀଙ୍କୁ ଦେଖିବୁ । ମୋ ପ୍ରେମ ବିଷୟରେ ତୋତେବି କିଛି କହିପାରିଲି ନାହିଁ । ଆଜି ମୁଁ କାହାକୁ ଦୋଷୀ କହୁନାହିଁ । ଝରଣାକୁ ଦୋଷ ଦେଉନାହିଁ କାହିଁକିନା ସେ ମଧ୍ୟ ବନ୍ଧା ଥିଲା ସମାଜ ପାଖରେ । ସମାଜକୁ ବି ଦୋଷ ଦେଉନି । ସବୁ ଦୋଷ ମୋର । ତୁ ଆଗକୁ ବଢିବୁ । ସମାଜ ପାଇଁ ବଢିବୁ । ସେବାରେ ଜୀବନ ଦେବୁ... ମୋ ପରି ପ୍ରେମରେ ନୁହେଁ ।" ତା ମେସେଜ ପଢ଼ିସାରି ସେୟାର କରି ଦିଏ ଝରଣା ପାଖକୁ… ।


କିଛିଥର ଘଣ୍ଟାକଣ୍ଟାର ସ୍ଥାନ ପରିବର୍ତ୍ତନରେ ଚାଲିଯାଇଛି ଦିନ ପରେ ଦିନ । ଆଜି ମୁଁ ସେ ସବୁକୁ ଭୁଲି ବୋରିଗୁମ୍ମା ବ୍ଲକର ବିଡ଼ିଓ । ବିବେକର ବାସ୍ତବିକ ନକ୍ସା ଅନ୍ୱେଷଣ ସହିତ ଆଇ.ଏ.ଏସ୍ କ୍ୱାଲିଫାଏ କରିଛି ଝରଣା । ସମୟ ସ୍ରୋତରେ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଗଲାଣି । ଆଜି ଦଶ ବର୍ଷ ପୁରୁଣା ହୋଇଗଲାଣି ସେ ସ୍ମୃତି ସବୁ । ଆଜି ନିମନ୍ତ୍ରଣ ପତ୍ର ଟେ ଆସିଛି । ତା' ପୁଣି କଲେକ୍ଟରଙ୍କ ପାଖରୁ । ତା'ର ଆଗରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି - "ଝରଣା ସହିତ ବିବେକ" । ଆଉ ଶୁଭ ବିବାହ ପରିବର୍ତ୍ତେ ଲେଖା ହୋଇଛି - "ଶୁଭ ଉଦଘାଟନ" । ତାପରେ ଲେଖା ହୋଇଥାଏ- ହୃଦୟ ଅନ୍ତରରୁ ନମସ୍କାର । ଦୁଃଖୀ ଆଖିର ଲୁହକୁ ପୋଛି ବଞ୍ଚିବାର ରାହା ଦେଖାଇବାର ଆଶା ଓ ପ୍ରଚେଷ୍ଟା ନେଇ ଆସନ୍ତା ଜାନୁଆରୀ ୧ତାରିଖ ଦିନ ଉଦଘାଟନ କରିବାକୁ ଯାଉଛୁ ଏକାଧାରରେ ଏକ ଅନାଥାଶ୍ରମ, ଏକ ବୃଦ୍ଧାଶ୍ରମ, ଏକ ପ୍ରାଥମିକ ବିଦ୍ୟାଳୟ ଓ ଏକ ସେବାସଂସ୍ଥା । ଏହା ସହ ଗୋଟିଏ ପୁସ୍ତକ ଉନ୍ମୋଚନ କରାଯିବାର ବ୍ୟବସ୍ଥା ରହିଛି । ପୁସ୍ତକ - "ବାଟବଣା ବିବେକ" ଲେଖିକା- ଡକ୍ଟର ଝରଣା ଶତପଥି । ଏଣୁ ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ଆମର ଦୃଢ଼ ଆଶା । ଆପଣଙ୍କ ଅପେକ୍ଷାରେ ରହିଲୁ..


॥ ଆବାହକ ॥


ଝରଣା ଶତପଥି (କଲେକ୍ଟର, ପୁରୀ)


ଆଗକୁ ପଢୁ ପଢୁ ବାହାରି ଆସିଥାଏ ଦୁଇଧାର ଲୁହ । ସତରେ ପ୍ରେମ ମଣିଷକୁ କଣ ନକରେ ? ଶିକ୍ଷୟିତ୍ରୀ ଝରଣାକୁ କଲେକ୍ଟର । ଆଉ ଦେବତ୍ୱ ଗୁଣଧାରୀ ବିବେକକୁ ବାଟବଣା ବିବେକ… ।

Post a Comment

1 Comments

  1. ବଲବନ୍ତ ସାହୁ3/12/2018

    ପଢିଲେ ମତାମତ ରଖିବେ...

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।