Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କଥା ଓ ବ୍ୟଥା - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ /୧୩, ସେକ୍ଟର - ୪
ରାଉରକେଲା, ଦୂରଭାଷ - ୭୯୭୮୧୯୨୨୨୭

ଓଡ଼ିଆ ଭାଷାର ଛନ୍ଦ ଅଳଙ୍କାର
ଉପମା ଭୂଷିତ କରି
ଲେଖିଲି ଯେତେକ କବିତାକୁ ଦେଖ
ହେଲିନାହିଁ ଆନ ସରି ।
ପାଠକେ ଆଜିର ସରଳ ସୁନ୍ଦର
ସାବଲୀଳ ମିଠା ଗୀତ
ଅଧିକେ ପସନ୍ଦ କରନ୍ତେ ଆନନ୍ଦ
ଜାଣି ସାରିଲିଣି ମିତ ।
ତଥାପି ଦୂରୁହ ଅନୁପ୍ରାସ ମୋହ
ହୃଦୟରୁ ଛାଡୁ ନାହିଁ
ବୁଝେନି ସତରେ ସରଳ ଲେଖାରେ
ବାହାଦୁରୀ ଅଛି କାହିଁ !
ଭାବନାହିଁ ଅତି ଭାବକୁ ସାଇତି
ଲେଖିବାର ନାହିଁ ଜଣା
ଭାବ ଧରୁ ଧରୁ ପିଲାଟି ଦିନରୁ
ଭାବି ସିନା ଏତେ ବଣା ।
ପାଇଛି ପରଶ ଯେତେ ଅଛି ରସ
ଦେଖିଛି ନିକଟେ ଅତି
କବି ପଦେ ଯାଇ ଗଣା ହେବା ପାଇଁ
ବଳାଇ ନାହିଁ ମୋ ମତି ।
ଓଡ଼ିଆ ମୋ ଭାଷା ଉଚ୍ଚ ଶିକ୍ଷା ଆଶା
ପୂରଣ ହୋଇନି ବୋଲି
ଭାଷା ଅନୁରାଗ ଊଣା ନାହିଁ ଆଗ
କହି ଦେଉଅଛି ଖୋଲି ।
ମନେ ଭରି ଦମ୍ଭ କରିଲି ଆରମ୍ଭ
କବିତା ଲେଖିବା କଥା
ଦେଖାଇଲେ ପଥ ବନ୍ଧୁ ଯେ ସତତ
ଝୁଙ୍କାଉଥିବି ଏ ମଥା ।
ସ୍ନେହ ଶ୍ରଦ୍ଧା ବୋଳି ଆଶୀର୍ବାଦ ଢାଳି
ଦେଲେ ଯେଉଁ ଗୁରୁଜନ
ସେମାନଙ୍କ ପାଇଁ ଚିରଋଣୀ ହୋଇ
ଭକ୍ତିପୂତ ଥିବ ମନ ।
ପାଠକ ପାଠିକା ଦୋଷ ଥିଲେ ଏକା
କରିବ ହେ କ୍ଷମା ଦାନ
ସମୟ ଅଭାବେ ଊଣା ଥିଲେ କେବେ
ନକରିବ ହୀନିମାନ ।
ଭଞ୍ଜ ଜୟଦେବ କୃଷ୍ଣ ବଳଦେବ
ଆଦିଙ୍କ ପୟର ତଳେ
କୃପା କଲେ ବାଣୀ ଚାଲିବ ଲେଖନୀ
ଭାବକୁ ସଜାଇ ବଳେ ।

Post a Comment

0 Comments