Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କନ୍ୟାରତ୍ନ - ଶ୍ରୀମତୀ ବିଜୟିନୀ ପଣ୍ଡା

ଶ୍ରୀମତୀ ବିଜୟିନୀ ପଣ୍ଡା
ଝାଡୁଆପଡା, ସମ୍ବଲପୁର
ଦୂରଭାଷ : ୯୪୩୯୮୯୩୯୨୦

ସଦର ହସ୍ପିଟାଲର ଲେବର ରୁମ ସାମ୍ନାରେ ଆଜି ଖୁବ ଗହଳି । ଏକା ସାଙ୍ଗେ ଦୁଇଟି ଡେଲିଭରି କେଶ ଆସିଛି । ମୁଖ୍ୟ ଡ଼ାକ୍ତରଣୀ ଏକା ପାରିବେନି ବୋଲି ଆଉ ଜଣେ ଡାକ୍ତରଙ୍କୁ ଡାକିଛନ୍ତି । ବୁଢ଼ୀ ଧାଇମା ନର୍ସ ସହ ଆଉ ଚାରି ପାଞ୍ଚ ଜଣ ନର୍ସ ଭିତର ବାହାର ହେଉଥାନ୍ତି । ନର୍ସ ଜଣେ ଵାହରିଲେ ନବୀନ ବାବୁ ଧାଇଁ ଯାଉଥାନ୍ତି, କାଳେ କିଛି ଖବର ମିଳିବ ବୋଲି । କିନ୍ତୁ ନର୍ସ କିଛି ନ କହି ଚାଲିଯାଏ କ'ଣ ଆଣିବାକୁ । ନବୀନ ଙ୍କ ବାପା ମା ଆହୁରି ସମ୍ପର୍କୀୟା ବେଞ୍ଚରେ ବସି ଥାଆନ୍ତି କିନ୍ତୁ ନବୀନ ବସି ପାରୁ ନ ଥାନ୍ତି ଉତ୍କଣ୍ଠାରେ । ଏପଟେ ଆଉ ଗୋଟିଏ ପରିବାରର ଜଣେ ଯୁବକ ସହ ଦୁଇ ଜଣ ବୟସ୍କ ଲୋକ ଓ ଦୁଇ ଜଣ ମହିଳା । ତାଙ୍କ ଅବସ୍ଥା ମଧ୍ୟ ତଦ୍ରୁପ ।


ନବୀନ ବାବୁ ଓରଫ ନବୀନ ମହାପାତ୍ର, ଜଣେ ଉଚ୍ଚଶିକ୍ଷିତ, ସୌମ୍ୟଦର୍ଶନ ଯୁବକ । ମଧ୍ୟବିତ୍ତ ହେଲେ ବି ନିଜର ନିଷ୍ଠା ବଳରେ ଚାର୍ଟେଡ଼ ଏକାଉଣ୍ଟାଣ୍ଟ ପଢି ଏବେ ଆୟକର ବିଭାଗ ରେ କାର୍ଯ୍ୟରତ । ତିନିବର୍ଷ ଆଗରୁ ତାଙ୍କର ବିବାହ ହୋଇଥିଲା ସଲୀଳା ସଂଗେ । ସଲୀଳା ମଧ୍ୟ ଶିକ୍ଷିତା । ତେବେ ସେ ସ୍ୱାମୀ ଙ୍କୁ ଅଣଦେଖା ହେବନି ବୋଲି ତାଙ୍କ ସହରରେ କରୁଥିବା ବ୍ୟାଙ୍କ ଚାକିରୀ ଛାଡି ଦେଇଥିଲେ । ସ୍ୱାମୀ ସ୍ତ୍ରୀ ମଧରେ ନିବିଡ଼ ପ୍ରେମ । କେହି କାହାରିକୁ ନ ଦେଖିଲେ ରହିପାରନ୍ତି ନି । ସେଥିପାଇଁ ବାହାଘର ପରେ ସଲୀଳା ମାଁ ଘରକୁ ପ୍ରଥମେ ଗଲାପରେ ୧୫ ଦିନ ପାଇଁ ଯାଇଥିଲେ ବି ୬ ଦିନ ପରେ ଚାଲିଆସିଥିଲେ । ନବୀନଙ୍କ ହୋଟେଲ ରେ ଖାଇବା ଅସୁବିଧା ହେଉଛି କହି ବାହାନା ରେ । ଅସଲରେ ତାଙ୍କ ଅନୁପସ୍ଥିତି ନବୀନଙ୍କ ପାଇଁ ଯେପରି ଅସହ୍ୟ ହେଲା ମାଁ ଘରେ ସଲୀଳାଙ୍କ ବି ସେପରି । ନବୀନ ଅଫିସ ଗଲେ ସଲୀଳା ତାଙ୍କୁ ବାଟୋଇ ଦେଇ ନିଜେ କବିତା ଓ ଗପ ଲେଖୁଥାଆନ୍ତି ଓ ମଝି ମଝିରେ ଫୋନ କରି ବୁଝୁଥାନ୍ତି ନେଇଥିବା ଟିଫିନ ସେ ଖାଇଲେ କି ନାହିଁ, ଇତ୍ୟାଦି ଇତ୍ୟାଦି .....


ଦୁଇବର୍ଷ ପରେ ଯେତେବେଳେ ସଲୀଳା ଙ୍କ Check Up ବେଳେ ଜଣାଗଲା, ସେ ଗର୍ଭବତୀ । ନବୀନ ଙ୍କ ଖୁସି କହିଲେ ନ ସରେ । ନବୀନ ଓ ସଲୀଳା ଙ୍କ ସବୁ ବେଳେ ଏବେ ସେଇ କଥା । ଛୁଆ କେବେ ହବ, ତା ପାଇଁ କ'ଣ ବ୍ୟବସ୍ଥା କରାଯିବ, ଏମିତି ସବୁ । ଦିନେ ନବୀନ ଓ ସଲୀଳା କଥା ହେଉଥିବା ବେଳେ ନବୀନ ବାବୁ ହସିକି ପଚାରିଲେ "ଆଛା, ଲୀଳା ତୁମର କଣ ଦରକାର, ପୁଅ ନା ଝିଅ ? ନିଶ୍ଚେ କିଛି ସ୍ୱପ୍ନ ଦେଖିଥିବ ? କାରଣ ପ୍ରତ୍ୟେକ ସ୍ତ୍ରୀ ଲୋକ ନିଜର ନବାଗତ ପାଇଁ କିଛି ନା କିଛି ସ୍ୱପ୍ନ ନିଶ୍ଚୟ ଦେଖିଥାନ୍ତି ।"


ଲାଜେଇ ଯାଇ ସଲୀଳା କହିଲେ "ମୋର ଝିଅ ଟେ ଦରକାର । ମୁଁ ପ୍ରଭୁ ଜଗନ୍ନାଥ ଙ୍କୁ ଝିଅ ଟେ ମାଗିଥିଲି, ପୁରୀ ଯାଇଥିବା ବେଳେ । ତେବେ ତୁମ ଇଛା କ'ଣ ?"
"ଆରେ ଲୀଳା ତୁମେ ତ ମୋ ମୁହଁରୁ ଯେମିତି କଥା ଟା ଛଡେଇ ନେଲ । ମୁଁ ଭି ଝିଅ ଟେ ଚାହୁଁଛି, ଠିକ ତୁମ ଭଳି।"
ଝିଅ ଟିଏ ପାଇଁ ସ୍ୱାମୀ ସ୍ତ୍ରୀ ବାଛି ବାଛି ନାଁ ଟେ ବି ଠିକ କରି ପକାଇଲେ "ଦିବ୍ୟଶା" ବୋଲି ।
ଏଣେ ଦୁଇ ଘଣ୍ଟା ପରେ ବୁଢ଼ୀ ନର୍ସ ଟି କବାଟ ଖୋଲି ବାହାରିଲା ଆଉ ଭିତରୁ ଭାସି ଆସୁଥାଏ କୁଆଁ କୁଆଁ ରାଵ, ଦୁଇଟି ଶିଶୁର ।
ନବୀନ ଦୌଡ଼ିଗଲେ ନର୍ସ ପାଖକୁ। ତାଙ୍କ ସଂଗେ ଆର ବାବୁ ଜଣକ ବି। ନର୍ସ ନବୀନଙ୍କୁ କହିଲା ତୁମର ପୁଅଟିଏ ହେଇଛି ଆଉ ତାଙ୍କର ଝିଅ ଟିଏ ।
ନବୀନ ଏହା ଶୁଣି ଦୁଃଖିତ ନ ହେଲେ ବି ଟିକିଏ ନୈରାଶ୍ୟ ର ଝଲକ ତାଙ୍କ ମୁହଁ ରେ ନିଶ୍ଚୟ ଥିଲା । କିନ୍ତୁ ଆର ବାବୁଙ୍କ ମୁହଁ ଶୁଖିଗଲା ପରି ହୋଇଗଲା । ତାଙ୍କ ମାଁ ଧାଇଁ ଆସି ଯେମିତି ଶୁଣିଲେ ଝିଅ ଟିଏ ବୋଲି ସଂଗେ ସଂଗେ ତାଙ୍କ ବୋହୁ ଉଦ୍ଦେଶ୍ୟରେ ଗାଳିଦେବା ଆରମ୍ଭ କରିଦେଲେ। କହୁଥାନ୍ତି, "ମୁଁ ଜାଣିଥିଲି ସେ ପୋଡାମୁହିଁ ଆମକୁ ନାତି ଟିଏ ଦେବନାହିଁ । ଗୋଟିଏ ଝିଅରେ ମନ ମାନିଲାନି ଯେ, ଆଉ ଗୋଟେ ଝିଅ ଜନ୍ମ କଲାଣି । ଏବେ କିଏ ଆମ ବଂଶ କୁ ରଖିବ ?"
ଏତିକି କହି ବୁଢ଼ୀ ଦମ ଦମ ହୋଇ ବାରଣ୍ଡା ର ଆର ଆଡ଼କୁ ପଳେଇଲେ । ତାଙ୍କ ସ୍ୱାମୀ ଓ ଅନ୍ୟ ମାନେ ବି ତାଙ୍କ ପଛେ ପଛେ ବୁଝେଇବାକୁ ଗଲେ ।


ଏତିକି ବେଳେ ଡାକ୍ତରାଣୀ ହାତ ପୋଛୁ ପୋଛୁ ବାହାରି ଆସି କହିଲେ, ତୁମ ଇଛା ତ ପୂରଣ ହେଲା।ଝିଅ ଟିଏ ଚାହୁଁଚୁ ବୋଲି କହୁଥିଲ, ସେଇଟା ହିଁ ହେଲା । ନବୀନ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁ କୁ ଦେଖି କହିଲେ " କିନ୍ତୁ ମାଡ଼ମ ନର୍ସ ତ.... ଡାକ୍ତରାଣୀ ହସି କି କହିଲେ "ଆରେ ନୁହେଁ, ସେ ଓଲଟା କହିଦେଲା, ତୁମ ନା ନବୀନ, ନବୀନ ମହାପାତ୍ର ଆଉ ଆର ଜଣକ ବି ନବୀନ, ନବୀନ ଦାସ । ସେ ଓଲଟାଇ ଦେଲା ମୁଁ ଶୁଣୁଥିଲି ବେସିନ ପାଖରେ । ଏବେ ନବୀନ ବାବୁ ଦୌଡ଼ିଲେ ବାରଣ୍ଡା ରେ । ଖୁସି ତାଙ୍କର ଦୁଇ ଗୁଣ। ନିଜଇଛା ହେଉଛି ନବୀନ ଙ୍କୁ ବି ଖୁସି ଖବର ଦେବେ ଶୀଘ୍ର । ଡାକ ପକେଇଲେ, "ଦାସ ବାବୁ, ଶୁଣନ୍ତୁ ଆପଣଙ୍କ ପୁଅ ହେଇଛି । ମାଁ ଙ୍କୁ କହନ୍ତୁ ସେ ଆଉ ବୋହୁ କୁ ଗାଳି କରନ୍ତୁନି । ତେବେ ଆପଣ ମାନେ ଗୋଟିଏ ଝିଅ ହେଲା ବୋଲି ଏତେ ବ୍ୟଥିତ ହେଉଥିଲେ କାହିଁକି ? ଦିନ ଥିଲା ନାରୀକୁ ଅବଳା ଦୁର୍ବଳା କୁହାଯାଉଥିଲା, ଅବହେଳା କରା ଯାଉଥିଲା, "ଝିଅ ଜନମ ପର ଘରକୁ" ବୋଲି କୁହାଯାଇ ପାଠପଢାରୁ ମଧ୍ୟ ବଂଚିତ କର ଯାଉଥିଲା, ପରଦା ଆଢୁଆଳରେ ତାଙ୍କୁ ବନ୍ଦୀ କରି ରଖା ଯାଉଥିଲା ଏବେ ତ ଯୁଗ ବଦଳିଛି । ଝିଅଟିଏ ସବୁ କରିପାରିବ ଯାହା ପୁଅ ଟିଏ କରି ପାରିବ ବରଂ ତା ଠୁ ଅଧିକ। ଦେଖୁ ନାହାଁନ୍ତି ଆମ ଦେଶରକ୍ଷାର ଭାର ଏକ ମହିଳା ରାଷ୍ଟ୍ରପତିଙ୍କ ହାତରେ ଥିଲା, ଡ଼ଃ ପ୍ରତିଭା ପାଟିଲ । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପ୍ରଧାନ ମନ୍ତ୍ରୀ ହୋଇ ଦେଶକୁ ଏକ ସୁସ୍ଥ ସବଳ ପ୍ରତିଭା ଶାଳୀ ରାଷ୍ଟ୍ର ରୂପରେ ଗଢି ତୋଳି ଥିଲେ । ଦେଶର ସେନା ବାହିନୀରେ ନାରୀ, ଅନ୍ତରୀକ୍ଷକୁ ଯାଇ ସଫଳତାର ସହ ଗବେଷଣା କରିଛି ସେହି ନାରୀ, ଖେଳ ଦୁନିଆରେ ବି ନାରୀ, ଭାରତର ଅର୍ଥ ବ୍ୟବସ୍ତା ରେ ନାରୀ । ନାରୀ ଯେଉଁଠି ଚନ୍ଦ୍ରପୃଷ୍ଠରେ ଅବତାରଣା କରିବାର ଯୋଜନା କରି ସାରିଲାଣି ଆପଣ ସେଠି ପୁଅ ଝିଅ ର ଫରକ ଦେଖୁଛନ୍ତି ? ଆମେ ଗୋଟିଏ ଝିଅ ଚାହୁଁଥିଲୁ, ପାଇଲୁ, ଆମେ ଖୁସି । ଆପଣ ମାନେ ଯଦି ଝିଅ ପ୍ରତି ଏପରି ଭାବନା ରଖୁଥାନ୍ତି, ତାହେଲେ ପ୍ରଥମ ଝିଅକୁ ମଧ୍ୟ ଅବହେଳା କରୁଥିବେ ନିଶ୍ଚୟ ? ଯଦି ସେମିତି ଅଛି, ତାହେଲେ ତାକୁ ଆମକୁ ଦିଅନ୍ତୁ । ଆମେ ପୋଷ୍ୟ କରିବୁ । ତାକୁ ବଡ ଝିଅ ହିସାବରେ ପାଳିବୁ, ମଣିଷ କରିବୁ । ମନେ ରଖନ୍ତୁ ଝିଅଟିଏ 'କନ୍ୟାରତ୍ନ' ।


ଏତିକି କହି ନବୀନ ବାବୁ ଫେରି ଆସୁଥିଲେ । ହଠାତ ତାଙ୍କ ହାତକୁ ଧରି ପକାଇଲେ ନଟବର ବାବୁ, ନବୀନ ଦାଶ ଙ୍କ ବାପା । ସେ ବେଶୀ ପଢୁଆ ନ ହେଲେ ବି ଜଣେ ବିଜ୍ଞ ବ୍ୟକ୍ତି । ସବୁ ଶୁଣୁଥିଲେ ସେ । ନବୀନ ବାବୁଙ୍କୁ କୁଣ୍ଢେଇ ଧରି କହିଲେ "ବାବୁ, ତୁମେ ଆଜି ଆମର ଆଖି ଖୋଲି ଦେଇଛ, ଆମର ଆମ ନାତୁଣୀ କୁ ପୁଅ ଭଳି ପଢ଼ାଇବୁ, ଭଲ ମଣିଷ କରିବୁ । ଆଉ କେବେ ଝିଅ କୁ ହତାଦର କରିବାର ପ୍ରଶ୍ନ ନାହିଁ । ତୁମେ ବି ମୋ ପୁଅ ନବୀନ ପରି । ତାଙ୍କ ଆଖରୁ ଝରି ଯାଉଥାଏ ଆନନ୍ଦର ଅଶ୍ରୁ ।

Post a Comment

0 Comments