Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପୁଣି ଦେଖା ହେବ ଆର ଜନମରେ - ସୀମାଞ୍ଚଳ ରଣା

ସୀମାଞ୍ଚଳ ରଣା
କୁର୍ତ୍ତମଗଡ଼, କନ୍ଧମାଳ

ଏକ ନିଃଶବ୍ଦ ରଜନୀ.. ପୂର୍ଣ୍ଣିମା ଚାଲିଯିବାର ପାଞ୍ଚଦିନ ହେଇଗଲାଣି ବୋଲି ଫୁଲେଇ ଜହ୍ନଟି ଘଡିମାରି ଆସୁଛି । ବାଘୁଆ ଶୀତ ମାର୍ଗଶୀର ପହିଲାରୁ ଝରକା ଫାଙ୍କରେ ଆସି ଦେହ ଥରାଇ ଦେଉଛି । ଅସହ୍ୟ ଜାଡକୁ ଭ୍ରୁକ୍ଷେପ ନକରି ଦାଣ୍ଡ ଲାଇଟକୁ ସୁଇଚ ଅନ କଲେ ଦୀପକ । ଆଉ ମୁକ୍ତ ଆକାଶକୁ ଚାହିଁ ଘଡ଼ିଏ ଠିଆ ହୋଇ ଜହ୍ନକୁ ଚାହିଁଲେ । ସେ ଦେଖୁଥିଲେ ସେଇ ଜହ୍ନକୁ.. ଯିଏ ବିଗତ ପ୍ରତିଟି ସ୍ମୃତିଭରା ରାତିର ମୁକ ସାକ୍ଷୀ ଥିଲା । ହଠାତ ପାଦ ଆଗକୁ ବଢ଼େଇଲେ ଦୀପକ । ଏହି ଶୀତୁଆ ରାତିରେ କେଉଁ ଆଡେ ଯିବେ ଦୁନିଆରେ କିଏ ବା ଅଛି ତାଙ୍କର । ହଁ ନିଜ ପରିବାର ବ୍ୟତୀତ ଆଉ ତ କେହି ନାହାନ୍ତି । ତେବେ ଆଜି କାହିଁକି ଏହି ରାତିରେ ଯିବେ କେଉଁ ଆଡେ ? ଏମିତିରେ ପହଁଚି ସାରିଛନ୍ତି ଘର ସାମନାରେ ଥିବା ରାଜପଥ ଆରପଟେ ଥିବା କାର୍ତ୍ତିକ ଚା ଦୋକାନକୁ, କିନ୍ତୁ କାର୍ତ୍ତିକ ତ କେତେବେଳୁ ଦୋକାନ ବନ୍ଦ କରି ଚାଲିଗଲାଣି । କେବଳ ଚା ଦୋକାନ ପାଖେ ଧିମା ଧିମା ଆଲୋକରେ ଜଳୁଛି ଶୁଖିଲା ଆମ୍ବ ଗଣ୍ଡିଟାଏ । କେଜାଣି କେବେଠୁ ସାଇତା ଦୀର୍ଘଶ୍ଵାସଟିଏ ପକେଇ ନିଆଁ ପାଖରେ ବସିପଡିଲେ ଦୀପକ । ପାଖରେ ପଡିଥିବା ଖଣ୍ଡେ ଶୁଖିଲା ଡାଙ୍ଗରେ, ଭୂଇଁକୁ ଗାରେଇ କିଛି ଲେଖୁଥାନ୍ତି । କଣ ଲେଖୁଛନ୍ତି ଗଣିତ ନା ଜ୍ୟାମିତି ? ପୁଣି ଏହି ରାତିରେ ମୁକ୍ତ ଆକାଶ ତଳେ । ହଁ ସେ କଷିଚାଲିଥିଲେ ଏମିତି ଏକ ଗଣିତ, ଯାହାର ସମାଧାନ ନଥିଲା ଅତୀତର ସେହି ଜଟିଳ ଗଣିତର ସରଳ ସମାଧାନ କରୁଥିଲେ । ହେଲେ ଅତୀତର ସ୍ମୃତିଟା ବଜ୍ରଗୁଣନ ଦେଇ ଦୀପକଙ୍କୁ ଶୂନ୍ୟତାର ଦୋ'ଛକି ରେ ଠିଆ କରାଉଥିଲା । ସମାଧାନର ପଥ କେବଳ ପ୍ରଶ୍ନବାଚୀ ହିଁ ଥିଲା । ଆଉ ନିଜକୁ ପରାଜିତ ବିଫଳ ମଣିଷଟେ ବୋଲି ପରିଚୟ ଦେଉ ଦେଉ, ଅଜାଣତରେ ଅମାନିଆ ଲୁହ ଟୋପେ ନୟନ କୋଣରୁ ବୋହି ଆସି ଦାମୀ ଜାକେଟକୁ ସ୍ପର୍ଶ କରିଗଲାଣି ଏକଥା ଦୀପକ ଙ୍କୁ ଜଣାନାହିଁ । କିଏ ଏହି ଦୀପକ ? ହଁ ଦୀପକ ସାମନ୍ତରାୟ, ପିତା-ଭବାନୀ ପ୍ରସାଦ, ମାତା-ଭାନୁମତୀ ଦେବୀ । କନ୍ଧମାଳର ଏକ ଆଦିବାସୀ ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମ୍ଭ୍ରାନ୍ତ ପରିବାରର ତୃତୀୟ ସନ୍ତାନ ସେ ସାମନ୍ତରାୟ ପରିବାରର ।


ଠିକ୍ ଆଜକୁ ଏକୋଇଶି ବର୍ଷ ତଳେ ୧୯୯୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଗ୍ରୀଷ୍ମର ଖାଁ ଖାଁ ମୁହୂର୍ତ୍ତରେ କୁଆଁ କୁଆଁ ଡାକି ଜନ୍ମ ହୋଇଥିଲେ ଦୀପକ ସାମନ୍ତରାୟ । ଭୋଗବିଳାସ ଆଭିଜାତ୍ୟ ପରିବାରରେ ଖୁବ୍ ସ୍ନେହ ପାଇ ବାଲ୍ୟଜୀବନର ପରିସମାପ୍ତି କରି, ବୟସକୁ ନେଇ ଠିଆ ହୋଇଗଲେ ଛାତ୍ର ଜୀବନକୁ । ଗ୍ରାମ ବିଦ୍ୟାଳୟରେ ପ୍ରାଥମିକ ଏବଂ ଉଚ୍ଚ ଶିକ୍ଷା ଲାଭ କରି, ଅଧିକ ଶିକ୍ଷା ଲାଭ ପାଇଁ ଚାଲିଗଲେ ବ୍ରହ୍ମପୁରକୁ । ସେଠି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ବିଜ୍ଞାନରେ କୃତକାର୍ଯ୍ୟ ହୋଇ କିଛିଦିନ ପାଇଁ ଚାଲିଆସିଲେ ନିଜ ଭିଟାମାଟିକୁ ବାପାଙ୍କୁ ବାଣିଜ୍ୟରେ ସହାୟ ହେବା ପାଇଁ । କିନ୍ତୁ ପଢ଼ିବାର ନିଶା ତାଙ୍କୁ ବେସିଦିନ ଗ୍ରାମରେ ରହିବାର ସୁଯୋଗ ଦେଲାନି, ପୁଣି ଚାଲିଗଲେ ଭୁବନେଶ୍ୱର ଡିପ୍ଲୋମା କରିବା ପାଇଁ । ଏହି ରାଜଧାନୀ ସତରେ କେତେ ସ୍ମୃତିର ଗନ୍ତାଘର ତାହା ଦୀପକଙ୍କ ଛଡା ସେ ହିଁ ଜାଣିବ ଯେ ରାଜଧାନୀ ରେ ନିଜ ସ୍ମୃତି ନିଜ ହାତରେ ଗଢିଛି । ସେମିତି ଦୀପକଙ୍କ ଜୀବନରେ ଅଭିଶପ୍ତ ରାତିର ଏକ ମୁହୂର୍ତ୍ତ ଆସିଥିଲା, ଯାହା ତାଙ୍କୁ ଟାଣିନେଇଥିଲା ଏକ ଅନୁତାପର ଦୁନିଆକୁ । ଏହି ରାଜଧାନୀରେ ହିଁ ପରିଚିତ ହେଲେ ଅମିତଙ୍କ ସହ । ଅମିତ ମହାନ୍ତି ଭାରି ଶାନ୍ତ ନମ୍ର ସ୍ୱଭାବର ଯୁବକ ଜଣକ କିଛିଦିନରେ ଦୀପକଙ୍କ ସହ ଅତି ଘନିଷ୍ଠ ବନ୍ଧୁ ହୋଇଗଲେ । ଦୁଇ ବନ୍ଧୁ କୃଷ୍ଣ ସୁଦାମା ପରି ବନ୍ଧନରେ ବାନ୍ଧି ହୋଇଗଲେ । ଉଚିତ ପାଠପଢ଼ା ସହ ବାହ୍ୟ ଦୁନିଆର ଭରପୁର ଆନଦ ନେଉଥିଲେ ଦୀପକ ଏବଂ ଅମିତ । ଜୀବନର ରଙ୍ଗୀନ ମୁହୂର୍ତ୍ତକୁ ଉପଭୋଗ କରୁକରୁ ଦିନେ ଆସିଲା ଏମିତି ଏକ ମୁହୂର୍ତ୍ତ ଯାହା ଆଜି ଦୀପକଙ୍କୁ ଅନୁତାପ ର ଅନଳେ ଜଳିବାକୁ ହେଲା । ଏହି ଭିତରେ ଯୌବନର ପ୍ରଥମ ପାହାଚରେ ଠିଆ ହୋଇଥାନ୍ତି ଦୀପକ । କାହାକୁ ବା ଏହି ପାହାଚ ଅତିକ୍ରମ କରିବାର ଇଛା ନାହିଁ ? ଏମିତି ସ୍ୱପ୍ନ ଦେଖି ମସଗୁଲ ହେବା ତ ସ୍ୱାଭାବିକ । ଆଉ ମନରେ ଭାବନାର ଲକ୍ଷ୍ମୀ ପ୍ରତିମାକୁ ଦେଖିବାକୁ ହୁଏ ଏହି ଯୁବା ଯୌବନରେ ଦୀପକ ମଧ୍ୟ ଦେଖୁଥାନ୍ତି ସେ ଛବିକୁ.. କିନ୍ତୁ ମନର ଭାବନା ସତ ହେଉନଥାଏ । କାହିଁକିନା ନିଜ ସହ ନିଜେ କଥା ହେବା କେବଳ ଏକ ସ୍ୱପ୍ନ ଯାହା ବାସ୍ତବକୁ ପହଞ୍ଚିବା ପାଇଁ ସହଜ ନୁହେଁ । ସେମିତି ଏକ ସ୍ୱପ୍ନର ବାସ୍ତବ ସକାଳର ପହିଲି କିରଣ ଦୀପକଙ୍କ ହୃଦୟ ବେଳାଭୂମିରେ ଆଶାର ମୁରୁଜ ବୁଣି, ପୁଣି ଲୁଚିଯାଇଥିଲା ଛଳନାର ସୁଦୂର ପର୍ବତ ଉହାଡ଼େ । କେବଳ ରହିଯାଇଛି ଦୀପକଙ୍କ ଜୀବନରେ କିଛି ଅତୀତର ସ୍ମୃତି ଛିଟା, ଯାହା ଅକ୍ଟୋପସ ପରି ହୃଦୟକୁ ଜାବୁଡି ଧରିଛି ଆଉ ଶୋଷି ନେଉଛି ବଞ୍ଚିବାର ଆଶା ରକ୍ତ ସବୁ ।


ଆଜକୁ ଠିକ ତିନି ବର୍ଷ ତଳେ ଦୀପକ ନିଜ କାର୍ ନେଇ ଅମିତଙ୍କ ସହ ବାହାରିପଡିଥିଲେ ସୁଦୂର କେନ୍ଦୁଝରକୁ ଅମିତଙ୍କ ପ୍ରେମିକା ପୂଜାଙ୍କୁ ଦେଖା କରିବା ପାଇଁ । ସେଦିନ କେନ୍ଦୁଝରରେ ପହଁଚି ପ୍ରଥମେ ଆରାଧ୍ୟ ଦେବୀ ଘଟଗାଁ ବାସିନୀ ମା ତାରିଣୀଙ୍କ ଦର୍ଶନ କରି ପାର୍କ ଯାଇଥିଲେ ଦୁଇବନ୍ଧୁ ପୂର୍ବରୁ ଅପେକ୍ଷା କରିଥିଲେ । ପୂଜା ନିଜ ପ୍ରେମିକ ଅମିତଙ୍କ ସହ ସାକ୍ଷାତ ହୋଇ ପରିଚିତ ହେଲେ ଦୀପକଙ୍କ ସହ । ଦୁଇ ପ୍ରେମୀଯୁଗଳଙ୍କୁ ମାନଖୋଲି ବର୍ତ୍ତାଳାପ କରିବାକୁ ଏକାନ୍ତରେ ଛାଡି ଦେଇ, ନିଜ ଫୋନ ସହ ବ୍ୟସ୍ତ ରହିଲେ ଦୀପକ । ହଠାତ ତାଙ୍କ ନୟନ ଆବିଷ୍କାର କଲା ଏକ ସୁନ୍ଦରୀ ତରୁଣୀଙ୍କୁ । ଗୌରବର୍ଣ୍ଣ ଶରୀର ପଦ୍ମପାଖୁଡା ସଦୃଶ ମୁଖ ମଣ୍ଡଳ, ଉଚ୍ଚା ଉଚ୍ଚା ଭୃଳତା ସଂଗେ ନୀଳ ନୀଳ ଆଖି, କଳା ଘନ କେଶର ଖଜୁରୀଆ ବେଣୀକୁ ବକ୍ଷୋଜର ତଟ ଦେଶରେ ଖୁବ ରୋମାଂଚିତ ଆକର୍ଷଣ କରୁଥିଲେ ସେ ତରୁଣୀ ଜଣକ । ବେଶ ଭୂଷାରୁ ଜଣେ ସମ୍ବ୍ରାନ୍ତ ପରିବାରର ଉଚ୍ଚ ଶିକ୍ଷିତା କନ୍ୟା ପରି ଜଣା ପଡୁଥାନ୍ତି ଯୁବତୀ ଜଣକ । ନିମିଷକେ ସ୍ୱପ୍ନର ସୌଦାଗର ସାଜିଗଲେ ଦୀପକ ସେହି ପାର୍କରେ ହିଁ ଯୁବତୀ ଜଣଙ୍କୁ ସମର୍ପି ଦେଲେ ନିଜ ଜୀବନର ପ୍ରଥମ ପ୍ରେମକୁ । ଯାହା ସେ ଯୁବତୀ ଜଣଙ୍କ ଜାଣିପାରିଲେନି । ମନେ ମନେ ଭଲପାଇବସିଲେ ସେ ଯୁବତୀଙ୍କୁ । ବାସ୍ତବ ଯୋଗସୂତ୍ର ପରି ତରୁଣୀ ଜଣଙ୍କ ଥିଲେ ଅମିତଙ୍କ ପ୍ରେମିକା ପୂଜାଙ୍କ ଘନିଷ୍ଠ ବାନ୍ଧବୀ ରୂପାଲି ଚୌଧୁରୀ । କେନ୍ଦୁଝର ସହରର ଏକ ମଧ୍ୟବିତ୍ତ ପରିବାର ର ଅଲିଅଳି କନ୍ୟା । ଜନ୍ମ ବେଳୁ ହିଁ ରୂପାଲିଙ୍କ ରୂପ ଗାରିମା ଅବର୍ଣ୍ଣନୀୟ ଥିଲା ତେଣୁ, ଚୌଧୁରୀ ପିତା ମାତା ଝିଅର ନାମକରଣ କରିଥିଲେ ରୂପାଲି ବୋଲି ।


ଦିନେ କୌଣସି କାରଣ ବଶତଃ ଦୀପକଙ୍କ ଲାପଟପ ପୂଜାଙ୍କ ନିକଟରେ ରହିଯାଇଥିଲା ପୂଜା ଏବଂ ରୂପାଲି ଦୀପକଙ୍କ ଲାପଟପରେ ଚିତ୍ରଗୁଡିକ ଦେଖୁ ଦେଖୁ ରୂପାଲି ମଧ୍ୟ ପଡିଗଲେ ଦୀପକଙ୍କ ପ୍ରେମରେ କେବଳ ଦୀପକଙ୍କ ଫୋଟୋଗୁଡିକ ଦେଖି । ଆଉ ମନକଥା କହିବସିଲେ ନିଜ ବାନ୍ଧବୀ ପୂଜାଙ୍କୁ ଯେ, ସେ ଦୀପକଙ୍କୁ ପସନ୍ଦ କରନ୍ତି ବୋଲି । ଦିନେ ପୂଜା ଫୋନ କରି ଦୀପକଙ୍କୁ କହିଲେ ଯେ, ରୂପାଲି ତାଙ୍କୁ ପସନ୍ଦ କରନ୍ତି । ବାସ୍ ଏତିକିରେ ଦୀପକଙ୍କ ପାଦ ଆଉ ତଳେ ପଡ଼ିଲାନି ସେ ଯାହା ଚାହୁଁଥିଲେ ତାହା ଆପେ ଆପେ ନିଜ ନିକଟକୁ ଆସୁଥିବା ଜାଣି ଖୁସିରେ ଆତ୍ମବିଭୋର ହୋଇଗଲେ, ଆଉ ଦେଖି ଚାଲିଲେ ସେଇ ସ୍ୱପ୍ନ ସବୁ ଯାହା ଜଣେ ଯୌବନର ପ୍ରଥମ ଖସଡ଼ା ପାହାଚରେ ଦେଖିଥାଏ । ଏହା ମଧ୍ୟରେ ରୂପାଲି ଏବଂ ଦୀପକ ପରସ୍ପରକୁ ବୁଝିପାରିଛନ୍ତି କେବଳ ଖଣ୍ଡେ ଫୋନ ଯୋଗେ । କିଛିଦିନର ଭଲପାଇବାରେ ସେମାନେ ପହଞ୍ଚିଗଲେ ପ୍ରେମର ନିଷିଦ୍ଧ ଉପତ୍ୟକାକୁ । ପାଖରେ ଥିବା ପୁଷ୍ପବନରୁ କେବେ ଭଅଁର ସାଜି ମଧୁ ସଂଗ୍ରହ କଲେତ, କେବେ ପୁଣି ନୀଳ ଗଗନରେ ନୂଆ ପରଲଗା ପକ୍ଷୀ ହୋଇ ଉଡ଼ିବୁଲିଲେ । କେବେ ପୁଣି ସ୍ୱପ୍ନର ନଈକୂଳେ ବଗୁଲା ବଗୁଲୀ ସାଜି ନିର୍ମଳ ଜଳକୁ ଆଇନା ଭାବି ଦୁହିଁଙ୍କ ଚେହରାକୁ ଏକାଠି ଦେଖିଲେ । ପାଠପଢା ସହ ପ୍ରେମପାଠକୁ ମଧ୍ୟ ଉଚିତ ଢଙ୍ଗରେ ପଢିବାରେ ମାହିର ଥିଲେ ରୂପାଲି ଏବଂ ଦୀପକ । ଦୀପକ ଦିନେ ଶୁଣିବାକୁ ପାଇଲେ ଯେ ରୂପାଲି ତାଙ୍କ ବ୍ୟତୀତ ଅନ୍ୟ ଏକ ପୁଅକୁ ଦୀର୍ଘଦିନ ହେବ ଭଲ ପାଉଛନ୍ତି । ଏବଂ ବିବାହ କରିବାକୁ ସଂକଳ୍ପ କରିଛନ୍ତି । ଏହା ଏକ ଇର୍ଷାଜନିତ ଖବର ଭାବି ଦୀପକ ହାଲୁକା ଭାବେ ଗ୍ରହଣ କଲେ । ସବୁ ଦିଗରୁ ଅନୁସନ୍ଧାନ ସହ ଦୀପକ ନିଶ୍ଚିତ ହୋଇଗଲେ ଯେ ଏହା ମିଛ ନୁହେଁ ବରଂ ରୂପାଲିଙ୍କ ସହ ବବୁଲୁଙ୍କ ସହ ସମ୍ପର୍କ ଅଛି ଏବଂ ସେମାନଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରହୁଛି । ଚିନ୍ତାରେ ପଡିଗଲେ ଦୀପକ ରୂପାଲିଙ୍କର ଏହା କି ପ୍ରକାର ପ୍ରେମ ? ଯଦି ଅନ୍ୟ ବବୁଲୁଙ୍କ ସହ ତାଙ୍କର ସବୁ ସମୟ କାଟିବାର ନିଷ୍ପତ୍ତି ଅଛି ତେବେ କାହିଁକି ତାଙ୍କୁ ଭଲ ପାଇବାର ଅଭିନୟ କରୁଛନ୍ତି ଆଉ ଏତେ ଉଚ୍ଚ ସ୍ୱପ୍ନ ଦେଖାଉଛନ୍ତି ? କେଉଁ ସ୍ୱାର୍ଥ ପାଇଁ ସେ ତାଙ୍କୁ ଭଲ ପାଉଛନ୍ତି ନା କେବଳ ସମୟ ଅତିବାହିତ କରିବା ପାଇଁ ସେ ପ୍ରେମ କରୁଛନ୍ତି ?


ଏମିତି ହଜାରେ ପ୍ରଶ୍ନକୁ ସମାଧାନ କରୁକରୁ ଅର୍ଦ୍ଧ ପାଗଳ ହୋଇଗଲେଣି ଦୀପକ । ଶାନ୍ତ ସରଳ ଜୀବନରେ ଆସିଯାଇଛି ଜୁଆର ଆଉ ଧୋଇ ନେଇଛି ଗଢିଥିବା ପ୍ରେମ ବାଲିଘରକୁ । ସ୍ୱପ୍ନର ମହଲ ଭୁଶୁଡି ପଡିଛି, କାହିଁକି ଏମିତି କଲ ବୋଲି ରୂପାଲିଙ୍କୁ ପ୍ରଶ୍ନ କରିବାପାଇଁ ଦୀପକଙ୍କ ପାଖରେ ସାହସ ନାହିଁ । କାହିଁକିନା ସେ ସେତେବେଳକୁ ଅତି ନିଜର କରିସାରିଛନ୍ତି ରୂପାଲିଙ୍କୁ । ସେ ଯାହାବି ହେଉ ରୂପାଲିଙ୍କୁ ଛାଡିବା ସହଜ ନଥିଲା ତାଙ୍କ ପାଖେ । ଦିନେ ଦୀପକଙ୍କୁ ରୂପାଲିଙ୍କ ପିତା ମାତା ଫୋନ କରି କହିଲେ ରୂପାଲିଙ୍କୁ ଭୁଲିଯିବା ପାଇଁ । କାହିଁକି ନା ସେମାନେ ଝିଅର କ୍ୟାରିଅର କଥା ଚିନ୍ତା କରୁଥାନ୍ତି । ରୂପାଲି ଏବଂ ଦୀପକଙ୍କ ପ୍ରେମ କାହାଣୀ ଚୌଧୁରୀ ପରିବାରରେ ପହଂଚି ସାରିଥିଲା ତେଣୁ ସବୁ ଦିଗକୁ ଦୃଷ୍ଟି ଦେଇ ନିଜ ପ୍ରେମିକା ରୂପାଲିର ଭବିଷ୍ୟତ ପାଇଁ ଦୀପକ ଦୁରେଇ ଯିବା ହିଁ ଠିକ୍ ଭାବିଲେ । ଏହି ସମୟରେ ଏକ ଗୁରୁତର ସମସ୍ୟା ଆସି ଠିଆ ହେଲା ଦୀପକଙ୍କ ସାମ୍ନାରେ । ରୂପାଲି ଜାଣିବାକୁ ପାଇଲେ ଯେ ଦୀପକ ତାଙ୍କ ବିଷୟରେ ସବୁ ଜାଣିଗଲେ ଏବଂ ନିଜ ଘରେ ମଧ୍ୟ ଆମ ଦୁଇଜଣଙ୍କ ବିଷୟରେ ଜାଣି ଯାଇଛନ୍ତି । ଏଇଠି ମନ ବଦଳାଇଦେଲେ ରୂପାଲି । ମିଛ ଅଭିନୟରୁ ସତ ସତିକା ଭଲ ପାଇବସିଲେ ଦୀପକଙ୍କୁ । କିନ୍ତୁ ବହୁତ ବିଳମ୍ବ ହୋଇସାରିଥିଲା ସେତେବେଳକୁ ଦୀପକ ରୂପାଲିଙ୍କ ପିତାମାତାଙ୍କୁ କଥା ଦେଇସାରିଥିଲେ ଯେ ସେ ରୂପାଲିଙ୍କୁ ଭୁଲିଯିବେ ବୋଲି । ରୂପାଲିଙ୍କ ନିକଟରୁ କିଛି ବାଟ ପଛକୁ ଫେରିଆସି ଭୁଲିବା ପାଇଁ ଚେଷ୍ଟା କଲେ ଦୀପକ କିନ୍ତୁ ପାରିଲେନି ସେ ଦୁଇ ଦେହର ମିଳନ ଯାହା ବିବାହ ବୋଲି କୁହାଯାଏ ତାହା ବୋଧହୁଏ ଦୀପକଙ୍କ ଭାଗ୍ୟରେ ନଥିଲା ରୂପାଲିଙ୍କ ସହ । ଆଜି ୨୧ ବର୍ଷରେ ପାଦ ଦେଇଛନ୍ତି ଆଗ ଅପେକ୍ଷା ଅଜସ୍ର ସମ୍ପତ୍ତିର ମାଲିକ ସେ ବ୍ୟବସାୟ ଖୁବ ଭଲ କରିବା ସହ ପାଠପଢା ମଧ୍ୟ ଖୁବ ଭଲ କରୁଛନ୍ତି ଦୀପକ । ଆଗର କାର କୁ ବଦଳାଇ ଏବେ ନୂଆ କରି ଦାମୀ କାର ଟିଏ କିଣିଛନ୍ତି, କିନ୍ତୁ ପାଖ ସିଟରେ ବସିବା ପାଇଁ ଅତୀତର ସେହି ପ୍ରେମିକା ରୂପାଲି ନାହିଁ । ସବୁ କିଛି ବଦଳି ଯାଇଛି ତାଙ୍କ ଜୀବନରେ, ଅନେକ କଥାକୁ ସେ ପାଶୋରି ଦେଲେଣି । କିନ୍ତୁ ଭୁଲି ପାରୁନାହାନ୍ତି ସେହି ଅଭିନୟ ପ୍ରେମର ନାୟିକା ଛଳନା ସୁନ୍ଦରୀ ରୂପାଲିକୁ । କେମିତି ବା ଭୁଲିବେ ନହୁଲି ବୟସର ପ୍ରଥମ ପ୍ରେମର ପ୍ରଥମ ସ୍ଵପ୍ନକୁ ସେ କେମିତି ଭୁଲିବେ ? ଆଜି ମାର୍ଗଶୀରର ମଧ୍ୟ ବୟସର ଶୀତୁଆ ରାତିରେ ବାହାରେ ଭୀଷଣ ଥଣ୍ଡା । ନିଆଁ ପାଖରେ ବସି ଦୁଇ ଟୋପା ଅଶ୍ରୁ ସହ କୋହ ଭରା କଣ୍ଠରେ ଦୀପକ କହି ଉଠନ୍ତି ମନକୁ ମନ ଶୂନ୍ୟ ଆକାଶର ଜହ୍ନକୁ ଚାହିଁ, ତୁମେ ପୁଣିଥରେ ଦେଖା ହୁଅ ରୂପାଲି, ହୁଏତ ମୁଁ ସାଇତା ଅଶ୍ରୁକୁ ତୁମରି ସାମ୍ନାରେ ନିଗାଡ଼ି ଦେବି, ମୁଁ କଥା ଦେଉଛି ରୂପାଲି ତୁମପାଇଁ ଅସରନ୍ତି ଅଶ୍ରୁକୁ ନଈ କରି ବୁହାଇଦେବି ମୋ ଆମାନିଆ ଆଖିରୁ । କିନ୍ତୁ ତୁମକୁ ଭଲପାଇବାର ଇଛାକୁ କେବେ ଜାଗ୍ରତ କରିପାରିବିନି । ତୁମେ ତ ଘୃଣା କରିବା ମୋତେ ଶିଖେଇ ଦେଲ । ସତରେ ଏହି କୋମଳ ବୟସରେ ପ୍ରେମ କୁ ଉଚିତ ମାର୍ଗ ନମିଳିଲେ କେତେ ଯେ ଯନ୍ତ୍ରଣା ଭୋଗିବାକୁ ହୁଏ ତାହା ଦୀପକଙ୍କ ବ୍ୟତୀତ ସେ ହିଁ ଜାଣିବ ଯେ କି ସେହି ବାଟରେ ଆସିଥିବ । ପ୍ରେମ ଏକ ପ୍ରଶ୍ନବାଚୀ ନିଶ୍ଚିତ ରୂପେ । ଯାହାର ସମାଧାନ ଦୀପକ କରିପାରୁନାହାନ୍ତି । ରାତ୍ରି ୧୨ ଟା ବାଜିଗଲାଣି କେତେ ବେଳେ ଦୀପକଙ୍କୁ ନଜର ନାହିଁ । ହଠାତ ଫୋନର ଘଣ୍ଟି ବାଜିଲା । ତରବରରେ ଫୋନ ଦେଖିଲେ ଦୀପକ ତାଙ୍କ ମା ଫୋନ କରି ସେଇ ପରିଚିତ ସ୍ନେହ ସ୍ୱରରେ କହିଲେ ରାତି ଅନେକ ହେଲାଣି ଦିପୁ କେଉଁଠି ଅଛୁ ଶୀଘ୍ର ଆସ ଖାଇବୁ । ଖାଦ୍ୟ ଥଣ୍ଡା ହୋଇଗଲାଣି ଆଉ ମୋତେ ନିଦ ବି ଲାଗିଲାଣି । ଗମ୍ଭୀର ସ୍ୱରରେ, ହଁ ଆସୁଛି କହି ଯିବାକୁ ଉଦ୍ୟତ ହେଲେ ଦୀପକ । ମିଞ୍ଜି ମିଞ୍ଜି ତାରାଙ୍କ ଗହଣରେ ସଫେଦ ଜହ୍ନକୁ ଦେଖି ଦୁଇ ହାତ ମେଲାଇ କହିଲେ ଦୀପକ । ହେ ପ୍ରିୟା ପୁଣି ଦେଖା ହେବ ଆର ଜନମରେ ଆମର । କାଳେ ତୁମେ ଛଳନା ସୁନ୍ଦରୀରୁ ଜନ୍ମ ନେଇଥିବ ଏକ ପବିତ୍ର ହୃଦୟ ଥିବା ଷୋଡଶି ସୁନ୍ଦରୀ ହୋଇ ଏହି ବିଶ୍ୱାସ ମୋର ଅଛି ।

Post a Comment

0 Comments