Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଡର - ବିନୟ ମହାପାତ୍ର

ବିନୟ ମହାପାତ୍ର
କିଟ ସ୍କୋୟାର, ପଟିଆ, ଭୂବନେଶ୍ୱର

ମନ ଖୋଜେ,
ଏକ ନୂତନ ଆକାଶ,
ଆଉ ଏକ ତୋଫା ଜହ୍ନ ।
ମନ ଖୋଜେ ନିର୍ମଳ ଆକାଶରେ
ଚେନା ଚେନା ତାରାର ରୋଷଣୀ,
ହେଲେ ଏଠି ସବୁବେଳେ ଢାଙ୍କି ଥାଏ,
କଳା କଳା ମେଘର ଚାନ୍ଦୁଆ ।
ସତେ ଅବା ବର୍ଷି ଯିବ ଅବେଳରେ
କେବେ ବା କେମିତି,
ହେଲେ କେବେ ବି ବର୍ଷେନି,
ଖାଲି ନିଇତି ଡରାଏ ।

ଅଟକି ଯାଏ ପାଦ,
ଦୋ ଦୋ ପାଞ୍ଚର ଦୋଛକିରେ ।
ଏକ ପଥ ଘରମୁହାଁ ଯାଏ,
ସହଜ ସରଳ ନିରାପଦ ।
ପୁଣି ସେହି ଗୋଳିଆ ପାଣି
ଛାଣି ପିଇବାକୁ କନା ଖଣ୍ଡେ ନାହିଁ ।
ରାତ୍ରୀର ଜହ୍ନ, ଦିନରେ ବି ଦିଶେ
ଛପରର ଛିଦ୍ର ଦେଇ,
ତାରା ବି ଉଙ୍କି ମାରେ ଦିନ ଦିପହରେ ।
ରୋଷେଇରେ ସିଲଭର ଡେକ୍ଚିର
ଖଡଖଡ୍ ଶବ୍ଦ ଏବେ ବି ଗୁଞ୍ଜରେ,
ସତେବା ଭୋକିଲା ପେଟରେ
ମୁଷା ବିଲେଇର ଖେଳ ।

ଦୋ ଛକିର ଅନ୍ୟ ଏକ ପଥ,
ଧୁଆଁ ଧୁଆଁ କୁହେଳିକା ମୟ,
କିଛି ସମ୍ଭାବନାର ଅସ୍ପଷ୍ କିରଣ
ଦୂରୁ ଚକ୍ ଚକ୍ ଦିଶେ, ଯେମିତି
ଜୁଳୁଜୁଳିଆ ପୋକର ଆଲୋକ ।
ଏକ ଅତି ସୁକ୍ଷ୍ମ ରଜ୍ଜୁ,
ଜଣା ନାହିଁ ଆଶା ମାନଙ୍କର ଭାର
ସମ୍ଭାଳି ନେବ, ଅବା
ଛିଣ୍ଡି ଯିବ ରାସ୍ତା ମଝିଟାରେ,
ଏବଂ ସମୟର ଗଭୀର ଖାଇରେ
ଡୁବି ଯିବ ଉଦୟ ସୂର୍ଯ୍ୟର ଛାୟା ।

‘ଡର’ ମନର ଏ ଭୂତ
ଜୀବନର ପ୍ରତି ପଦକ୍ଷେପେ,
ବିକରାଳ ମୁହଁ ତାର ଖୋଲି
ପଥରୋକି, ସାମ୍ନାରେ ଠିଆ ହୋଇଯାଏ ।
ଥରେ ତ ସାହସ ଦେଖାଅ ବନ୍ଧୁ,
ଆଖି ଦେଖାଇ ଡରାଇ ଦିଅ ଡରକୁ ।
କଳା ମେଘ ବର୍ଷିବା ଡରରେ
ଅଟକାଇ ନିଅ ନାହିଁ ପାଦ,
ବାହାରକୁ ଆସ, ଭିଜି ଯାଅ ବର୍ଷାରେ,
ଏବଂ ଇନ୍ଦ୍ରଧନୁ ଦେଖିବାକୁ
ଥରେ ଆକାଶକୁ ଚାହଁ ।

Post a Comment

0 Comments