Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଭିନ୍ନ ଏକ ଜୀବନ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା

ଆସନ୍ନ ସନ୍ଧ୍ୟା ସ୍ଵାଗତ କରୁଥାଏ
ଘମାଘୋଟ ରାତ୍ରୀର ଅନ୍ଧକାରକୁ...
ସ୍ତବ୍ଧ ହୋଇଯାଏ
ପକ୍ଷୀ ମାନଙ୍କର କଳରବ,
ରିମଝିମ ନକ୍ଷତ୍ର ଗୁଡିକର
ମିଟିମିଟି ଆକ୍ଷିଠାର... ।
ପୁଣି ଫେରି ଆସୁଥାଏ
ପେଟ ଚାଖଣ୍ଡକ ପାଇଁ
ସୁନା ଫସଲର ଲାଳସାରେ
ଲହୁ ଲୁହର ଅକ୍ଲାନ୍ତ ଶ୍ରମଦାନ କରି
ଅନ୍ଧାରି ମୂଳକର ବାସିନ୍ଦାଟି...
ପ୍ରତିଧ୍ଵନିତ୍ଵ ହେଉଥାଏ
କର୍ଣ୍ଣ ଗହ୍ଵରରେ ତା’ର
ଲୁମ୍ବିନୀ ଆମ୍ର କୁଞ୍ଜନର ବୁଦ୍ଧବାଣୀ –
“ବୁଦ୍ଧମ ଶରଣମ ଗଚ୍ଛାମି... ସଙ୍ଘମ ଶରଣମ ଗଚ୍ଛାମି...”
ପୁଣି ଆକର୍ଷିତ କରୁଥାଏ
ଭାଗବତ ଟୁଙ୍ଗୀର ନବାକ୍ଷରୀ ଛନ୍ଦ...
ଉଜ୍ଜୀବିତ କରୁଥାଏ ପୁଣି
ହୃଦୟର ଭକ୍ତି ଭାବ ଧାରାକୁ
ମନ୍ଦିର ବେଢାରୁ ଭାସି ଆସୁଥିବା
ଘଣ୍ଟ-ମର୍ଦ୍ଦଳର ଗୁରୁ ଗମ୍ଭୀର ସ୍ଵର ।
ଅବୁଝା ପାଲଟି ଯାଏ ତା’ପାଇଁ
ବହୁତଳ ଶୀତତାପ ନିୟନ୍ତ୍ରିତ
ପ୍ରାସାଦର କଥା ଅବା, ସ୍ପର୍ଶ କରି ପାରେନା
ସର୍କାରୀ କାଗଜ ଫର୍ଦ୍ଦରେ
ସୁ-ଅଙ୍କିତ ବ୍ୟବସ୍ଥାର କାହାଣୀ ମାନ...
ତା’ର ମାଟି ଚାଳଘରର ତେଲଲୁଣ ସଂସାରରୁ
ବେଳେ ବେଳେ ଭାସି ଆସୁଥିବା
କଅଁଳା ଶିଶୁଟିର ବିକଳ ଓ କରୁଣ କ୍ରନ୍ଦନ ସ୍ଵର...
ପଢି ହୋଇଯାଉଥାଏ
ତା’ର ନିଷ୍ପାପ ଭୋକିଲା ପେଟର ଭାଷାକୁ
କେବଳ ଆଶ୍ଵାସନାର ଡିବିରି ଆଲୁଅରେ
କାନ୍ଦୁରୀ ବୁଢୀକୁ ଖୋଜୁଥାଏ
ଚମ ଧୁଡୁ ଧୁଡୁ ବୁଢୀ ମାଆ ତା’ର ।

Post a Comment

0 Comments