Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ସତ୍ୟର ଜୟ

କାଦମ୍ବିନୀ ଖୁଣ୍ଟିଆ
ଅରିମୂଳ, ଆର.କେ.ପାଟଣା
ଜମପଡା, କେନ୍ଦ୍ରାପଡା - ୭୫୪୨୪୪

ଛୋଟ ଏକ ଗାଁ ଟିଏ । ଗାଁ ସିନା ଛୋଟ କିନ୍ତୁ ଗାଁ’ଟି ସବୁ ଗୁଣରେ ପରିପୂର୍ଣ୍ଣ । ଗୋଟେ ଗୁଣ ଧିରେଧିରେ ଲୋପ ପାଇ ଆଉ ଗୋଟେ ଗୁଣ ଧସେଇ ପସିଛି, ସେ ହେଉଛି ଖଳ ପ୍ରକୃତି । ସେଇ ଗାଁ’ରେ କେତନର ଘର । କେତନର ପରିବାର ବାପା ମାଆ ଓ ତା'ର ଦୁଇ ଭଉଣୀଙ୍କୁ ନେଇ ସେ ବେଶ୍ ହସ ଖୁସିରେ ଦିନ ବିତାଏ । ବାପା ଚାଷଜମିରେ ସକାଳର ସୂର୍ଯ୍ୟ ଦେଖନ୍ତି ସନ୍ଧ୍ୟାର ତାରା ପଡିଲେ ଘରକୁ ଫେରନ୍ତି । ଚାଷଜମିରୁ ଯାହା ଅମଳ ହୁଏ ସେଇଥିରେ ଘର ପରିବାର, ତିନି ପୁଅଝିଅଙ୍କ ପାଠପଢା, ବାରଓଷା ତେରପର୍ବ, ବନ୍ଧୁଘର ଏମିତି ଯାବତୀୟ ଖର୍ଚ୍ଚ ଏଇ କ୍ଷେତରୁ କରନ୍ତି । କେତନର ବାପା ବହୁତ ସରଳ । ଦଶପଦରେ ପଦିଏ କଥା କହିବା ବହୁତ କଷ୍ଟକର ହୋଇପଡେ । ମା ତାଙ୍କର ସର୍ବଗୁଣା ସମ୍ପର୍ଣ୍ଣା । ଘରକରଣା ଠାରୁ ଆରମ୍ଭକରି ଗୀତା, ଭାଗବତ, ଧର୍ମ ପରାୟଣ, ବହୁତ ଲୋକପ୍ରିୟ, ପରୋପକାରୀ ମଧ୍ୟ । ପୁତ୍ର କେତନ ଓ ଦୁଇ ପୁତ୍ରୀ ସଙ୍ଗୀତା ଓ ବେଞ୍ଜୀଙ୍କୁ ଭଲ ସଂସ୍କାର ଦେଇ ବଢେଇଛନ୍ତି । ସେଇ ସଂସ୍କାର କେତନକୁ ସୁମଣିଷ ଭାବେ ଗଢିତୋଳିଛି । କେତନର ମା କହିଥିବା ପଦିଏ କଥା "ବାବାରେ ଜୀବନରେ ଦୁଃଖୀ ଲୋକଙ୍କୁ କେବେ ନିରାଶ କରିବୁନି” । ନିଜ ସକ୍ଷମ ଅନୁଯାୟୀ ସାହାଯ୍ୟ ସହଯୋଗର ହାତ ବଢେଇବୁ । ସଦାବେଳେ ସତକର୍ମରେ ଚାଲିବୁ" । ମା'ର ଏଇ କଥା ଛାତିରେ ଲେଖି ହେଇଗଲା ସବୁଦିନ ପାଇଁ । ପିଲାଟି ବେଳରୁ ସମସ୍ତଙ୍କ ସୁଖ ଦୁଃଖରେ ଥାଏ । ସ୍କୁଲରେ ସାର୍ ମ୍ୟାଡାମଙ୍କଠାରୁ ଆରମ୍ଭ କରି ସ୍କୁଲର ସବୁ ପୁଅଝିଅଙ୍କ ସହ ସୁନ୍ଦର ବ୍ୟବହାରରେ ସଭିଙ୍କ ମନଚୋରୀ କରେ ।


୧୯୯୯ ମସିହା ମହା ପ୍ରଳୟଙ୍କରୀ ବାତ୍ୟାରେ କେତନର ମାଟିକାନ୍ଥ ଚାଳଛପର ଖଞ୍ଜାଘରକୁ ଉଜାଡି ଦେଲା । ସ୍ନେହ ମମତାର ଘରକୁ କ୍ଷଣକ ଭିତରେ ଛିନ୍ନ ବିଛିନ୍ନ କରିଦେଲା ଝାଙ୍କାଳିଆ ଚାକୁଣ୍ଡା ଗଛ । ବାପାଙ୍କ ଅଦୃଶ୍ୟ ଦୁଃଖକୁ ଅନୁଭବ କରି ସିଏ ବି ଏଇ ଦୁଃଖରେ ଗଭୀର ମର୍ମାହତ । ଆଉ ସହିପାରିଲାନି କେତନ । ବାପା ଏତେ ଟଙ୍କା କୋଉଠୁ ଆଣିବେ ? କିଏ ଦେବ ଏତେ ଟଙ୍କା ?? ଗାଁ’ରେ ବାପାଙ୍କୁ କୋଉ ଭରସାରେ ଏତେ ଟଙ୍କା କିଏ ଦେବ, ସୁଧକୁ କେତେ ଟଙ୍କା ଆଣିବେ ବାପା ??? ସୁଧକୁ ଆଣିଲେ ବି ମାସକୁ ମାସ ସୁଧ ଦବାକୁ ଘରେ କିଛିନାହିଁ ବିକି କି ଦେବାକୁ । ମନେ ଚିନ୍ତାକଲା ଗାଁ’ରେ ରହିଲେ ଘରର ଦୁଃଖ ଦୂର ହେଇପାରିବନି । ମତେ ବାହାରକୁ ଯାଇ କିଛି କାମ କରିବାକୁ ପଡିବ । ଶେଷରେ ନିଜ +୨ ପଢାକୁ ବିରାମ ଦେଇ ବହିରେ ସବୁଦିନ ପାଇଁ ଡୋରି ବାନ୍ଧିଦେଲା । ବିଦେଶ ଯିବାକୁ ମାଆକୁ କହିଲା । ମା ମନ ! ନିଜ ପାଖରୁ କେମିତି ଦୂରେଇ ଦେବ ଯେ... !! ମା ମନା କଲେ ତୁ ଏତେ କମ୍ ବୟସରୁ ମୋ ଆଖିସାମ୍ନାରୁ ଦୂରେଇ ରହିବୁ କେମିତି ? ତୋର ପାଠପଢା ସରିନି, ନା ମୁଁ ତତେ କେବେ ବାହାରକୁ ଛାଡିପାରିବିନି । କେତନ ତା ମା’କୁ କଳେବଳେ କୌଶଳେ ବୁଝେଇ ସୁଝେଇ କହିଲା । ମା, ମୁଁ ବାହାରେ ରହି କାମ କରିବା ସହିତ ବି ପାଠ ପଢି ଆସି ପରୀକ୍ଷା ଦେଇପାରିବି । କିନ୍ତୁ ବିଦେଶ ମାଟିରେ ପାଦ ଦେଲା ପରେ ନିଜକୁ ବହୁତ ପରିବର୍ତ୍ତନ କରିବାକୁ ପଡେ । ଯୋଉହାତ କଲମ ଧରୁଥିଲା ସେ ହାତ ମେସିନ ଚଲେଇବା କେତେ ଦୁଃଖ ଲାଗୁଥିବ କେତନ ବ୍ୟତୀତ ଆଉ କେହି ବୁଝିବା ଅସମ୍ଭବ । ଗାଁରେ ଝାଟିମାଟି ଘର କାଦୁଅ ରାସ୍ତା ମା'ର ମିଛିମିଛିକା ଆକଟ କରି ଦିନକୁ ଚାରି ବକ୍ତ ଖାଇବାକୁ ଦିଅନ୍ତି ସେଥିରେ ଭରି ରହିଥାଏ ସ୍ନେହ ବୋଳା ପ୍ରୀତି । କିନ୍ତୁ ବିଦେଶୀ ମାଟି ଦେଖିବାକୁ ଚାକଚକ୍ୟ, ଘର ସବୁ ଘର ତ ନୁହେଁ । ବଡ ବଡ କୋଠା ମଖମଲ୍ଲୀ ପଥରରେ ଖଞ୍ଜା ସିନା । ହେଲେ ନାହିଁ ସେଥିରେ ସ୍ନେହ ଓ ଭଲପାଇବା । ଆଉ ନାହିଁ ଚାରିବକ୍ତ ଖାଇବା । ଦୁଇବକ୍ତ ମିଳିଲେ କେତନ ପାଇଁ ବହୁତ ହେଇଯାଏ । ମା ଯେବେବି ପଚାରିଲେ କେତନ କହେ ହଁ ମା, ମୁଁ ଠିକ ସମୟରେ ଖାଉଛି । ମିଛ ନ କହିଲେ ମା ମନଦୁଃଖ କରିବେ ମୁଁ ନ ଖାଇଲେ କେହି ଜାଣି ପାରିବେନି । ଯଦି ସତ କୁହେ ମା କାନ୍ଦି କହିବେ, ତୁ ଫେରିଆ ମୋ ପାଖକୁ ପଇସା ଆମର ଦରକାର ନାହିଁ । ମୋର ତ କିଛି କରିବାକୁ ଅଛି । ବାପା ମା ପିଲାଙ୍କୁ ମଣିଷ କରିବାକୁ କେତେ ରାତି କେତେ ଦିନ ଭୋକରେ ରହୁଥିବେ । କେବେ ବି ପିଲାଙ୍କୁ କୁହନ୍ତିନି ତୁମକୁ ଖୁଆଇ ଆମେ ଉପାସରେ ରହିଲୁ । କେତନ ପ୍ରଥମ ମାସର ଦରମା ୧୨୦୦ ଟଙ୍କା ପାଇଥିଲା । ଯାହାକି ଭଗବାନଙ୍କୁ ଗରିବ ମାନଙ୍କୁ ଦେଇ ଅବଶିଷ୍ଟ ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖେ । ଘରକୁ କେତେମାସ ଟଙ୍କା ଦିଏନି । କାହିଁକି ନା ମା ମନା କରନ୍ତି କି ତୁ ଏବେ ଭଲ ଖାଇ ଭଲରେ ରହ ।


ଏମିତି କିଛି ମାସ ପରେ କିଛି କିଛି ଟଙ୍କା ପଠାଏ । ସେଥିରେ ଯିଏ ଯେତେବେଳେ ଟଙ୍କା ମାଗିଲେ କେବେ ମନା କରେନା । ଗାଁରେ ପୂଜା ପାର୍ବଣରେ ଆଗଭର ହେଇ ଟଙ୍କା ଦିଏ । ଜୀବନରେ ତା'ର କେବେ ଘୃଣା ଭାବ ନଥାଏ । ଯିଏ ଯୋଉ ମୁହୂର୍ତ୍ତରେ ଡାକିଲେ ସାହାଯ୍ୟର ହାତ ବଢାଏ । କମ୍ପାନୀ ମାଲିକ କେତନର ଭଲ ଗୁଣ ଦେଖି ଦରମା ବଢେଇ ଚାଲେ । ଘରକୁ ଟଙ୍କା ପଠେଇ ଛାତଘର କଲା । ଧିରେ ଧିରେ ଘରର ଜିନିଷ କଲା । ଭଉଣୀକୁ ସବୁ ଜାନିଯୌତୁକ ଦେଇ ବିବାହ ଦେଲା ଯେ, ଖଣ୍ଡ ମଣ୍ଡଳ ହୁରି ପଡିଲା.. ଏହିପରି ବିବାହ କାହା ଝିଅ କି କାହା ଭଉଣୀ କରିନଥିବେ । ମାଛମାଂସ ବିଭିନ୍ନ ସାଧା ସୁଆଦ ଖାଦ୍ୟ ଖାଇ ସମସ୍ତଙ୍କ ମୁହଁରେ ବାଃ ବାଃ ଶୁଣିବାକୁ ମିଳେ । ଏମିତିରେ ବିତିଯାଏ ଦୁଇବର୍ଷ । କେତନର ବିବାହ ସ୍ଥିର ହେଲା । ଯୋଉଠି ଭଉଣୀ ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିପାରେ ! ତା ନିଜ ବିବାହରେ କ'ଣ ଖର୍ଚ୍ଚ ନ କରିବ ଯେ, ବହୁତ ସାଙ୍ଗସାଥୀ ବନ୍ଧୁବାନ୍ଧବ ଅନେକ ଗାଁ’କୁ ବିବାହକୁ ଓ ଭୋଜିକୁ ଆମନ୍ତ୍ରଣ କରିଥିଲା । ସମସ୍ତେ ଦେଖିଲେ ଖାଇଲେ । ମନଇଛା ପଲିଥିନରେ ବୋହିନିଅନ୍ତି । ସମସ୍ତେ ଖୁସିହୁଅନ୍ତି । ଜୀବନରେ କେତେ ଦୁଃଖକୁ ଅତିକ୍ରମ କରି ସୁଖର ଫଲ୍ଗୁ ଫେରିଛି । କିନ୍ତୁ ଗାଁ’ର କିଛି ଲୋକଙ୍କର ଦେହ ଜଳିଯାଏ । ଏତେ ଟଙ୍କା ଆଣୁଛି କୋଉଠୁ । ଘର କଲା, ଭଉଣୀ ବାହାଘର କଲା ପୁଣି ନିଜେ ବାହାହେଲା । ଏଇ କେତେଟା ବର୍ଷରେ !!


ମଣିଷର ମନ କଙ୍କଡା ଜାତିର । କଙ୍କଡା ଯେପରି ଆଗକୁ ଯାଏନି କି କାହାକୁ ଯିବାକୁ ଦିଏନି । ସଦାବେଳେ ଚାହିଁ ରହିଥାଏ କିଏ ଆଗକୁ ଯାଉଛି ତା’ଗୋଡକୁ ପଛକୁ ଟାଣିବ । ବିବାହର ଦିନ କେତେଟା ଦିନ ଯାଇନି, ସହିପାରୁନଥିବା ଲୋକ କେମିତି ତା’କୁ ତଳିତଳାନ୍ତ କରିବେ.. । ତାଙ୍କରି ଭିତରେ ଜଣେ ମହିଳା କନେଷ୍ଟବଳ ଓ ତା'ର ସ୍ୱାମୀକୁ ଆଉ ଦୁଇ ପରିବାର ଭିତିରିଆ ମିଶି ଉସ୍କେଇଲେ । କନେଷ୍ଟବଳ ମହିଳା ମିଛ ଅଭିଯୋଗ କଲା କି, କେତନ ତୋ ନାଁରେ ତୋ କମ୍ପାନୀରୁ ଥାନାକୁ ନୋଟିସ୍ ଆସିଛି । ତୁ କମ୍ପାନୀରୁ ଚୋରିକରି ପଳେଇ ଆସିଛୁ । କେତନ ମନା କଲା ମୁଁ ସେମିତି କିଛି କରିନି । କମ୍ପାନୀର ମାଲିକ ପାଖକୁ ଫୋନ୍ କରି ପଚାରିଲା କି ମୋ ନାଁରେ ଥାନାକୁ ଚୋରି କରିବା ଅଭିଯୋଗରେ ନୋଟିସ୍ ପଠେଇଛନ୍ତି ? ମାଲିକ ଏକଥା ଶୁଣି କହିଲେ, “ତୋ ନାଁରେ ମୁଁ କାଇଁ କି ନୋଟିସ୍ ଦେବି । ମୁଁ ଅପେକ୍ଷା କରିଛି ତୁ କେବେ ଆସିବୁ ବୋଲି” ? କେତନ ଏଥର ଜାଣିପାରିଲା କି ମତେ ମିଛରେ ଏମାନେ ଫସେଇବାକୁ ଚାହୁଁଛନ୍ତି । ତେବେ କେତନ ବି ଜୋର ଦେଇ କହିଲା ମୋର କେହି କିଛି କରିପାରିବେନି । ମୁଁ କେବେ କାହାଠୁ କଳାଟଙ୍କା ଆଣିନି । ତଥାପି କେତନକୁ ଫୋନ୍ କରି ଧମକ ଦେବା ସହିତ ଗାଁରେ ସ୍ୱାମୀ ସ୍ତ୍ରୀ ମିଶି ମାଡ ମାରିଲେ । କେତନ କିନ୍ତୁ ମାଡ ଖାଇଚାଲିଛି ହାତ ଉଠଉନି । ଗାଁ ଲୋକ ଦେଖି ଅଟକେଇଲେ । ଓଲଟା କେଶ୍ ଯାଇ ଥାନାରେ ଦେଲା କି ମୋ ପେଟକୁ ଗୋଇଠାମାରି ମୋ ପେଟରେ ଥିବା ପିଲାକୁ ମାରିଦେଇଛି । ଜଣେ ମହିଳା କନେଷ୍ଟବଳ ହେଇ ବି ମିଛ କହିଲା, ମାଟିଆ ପୋଷାକ ପିନ୍ଧି ଗୀତା ଛୁଇଁ ଶପଥ କରିଥିବ କି “କେବେ ମିଛର ଆଶ୍ରୟ ନେବିନି, ସଦାବେଳେ ଅନ୍ୟାୟ ବିରୋଧରେ ଲଢିବି । ଜନସମାଜକୁ ସୁରକ୍ଷା ଦେବି” । କିନ୍ତୁ ଏ କ'ଣ ! ରକ୍ଷକ ହେଇ ଭକ୍ଷକ ସାଜିଲା ପରି କଦର୍ଯ୍ୟ ଗୁଣ ଭରିରହିଛି । ଗାଁ’ର ଲୋକମାନେ ନିରୀହ କେତନର ପକ୍ଷନେଲେ । କନେଷ୍ଟବଳ ପରିବାରକୁ ଏକ ଘରିଆ କଲେ । ଗାଁ ଲୋକଙ୍କ କଥା ନ ମାନି ଥାନାରେ କେଶ୍ ଦେଇଥିବାରୁ । ଯେହେତୁ କେତନର କିଛି ବି ଦୋଷ ନଥିଲା । କେତନ ଜୀବନରେ ଅସମୟେ ଏମିତି ଏକ ରୂପ ନେଇ ଆସିବ ଝଡ, ଏହା ସ୍ଵପ୍ନରେ ସୁଧା ଭାବିପାରୁନଥାଏ । ଠାକୁରଙ୍କୁ ସେ ଅଭିମାନରେ ବହୁତ କିଛି କହିଗଲା । ରୁମ୍ କବାଟ ଦେଇ ବହୁତ ଜୋରରେ ଭୋ ଭୋ ହେଇ କାନ୍ଦିଉଠିଲା । ବାପାଙ୍କ ମାନସମ୍ମାନ ଇଜ୍ଜତ ମାଟିରେ ମିଶେଇ ଦେଲି । ନୂଆ ବାହାଘର ସେ କଣ ଭାବୁଥିବ। କାମ ଉପରକୁ ବି ଯାଇପାରୁନଥିବାରୁ, ଯଦି କାମ ଆଉ କିଏ ନେଇଯିବ ! ଘରେ ସମସ୍ତଙ୍କ ଆଖିରେ ଝରିପଡୁଥାଏ ଲୁହର ବନ୍ୟା । ଯେତେ ଅଟକେଇଲେ ବି ବନ୍ଧ ଭାଙ୍ଗି ବୋହିଗଲା ପରି ବୋହି ଚାଲୁଥାଏ । ନାଁ କାହାର ଖାଇବା ଅଛି ନାଁ ରୋଷେଇ ଅଛି । କେଶ୍ କୋଟକୁ ଚାଲିଯାଇଥିଲା । ଆଗୁଆ ଯାମିନ୍ କରିନେଲା ମିଛକେଶ୍ ହେଉପଛେ ।


କିଛିଦିନ ପରେ କନେଷ୍ଟବଳ ମିଛ କହିଥିବା କଥା ସତହେଲା ମଲାପିଲା ଜନ୍ମହେଲା । ତାର ପ୍ରମୋଶନ୍ ବି ଆଉ ହେଇ ପାରିଲାନି । ଗାଁ’ରେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ମିଛ କହି ସୁନାର ଘରକୁ ଚୁନା କଲା । ତା'ରି କଥା ହିଁ ତା ପିଲାକୁ ମାଇଲା । ଅପୁତ୍ରୀ ହେଇରହିଲା । କେତନ କିନ୍ତୁ ବେଶ୍ ଖୁସି ଅନୁଭବ କରେ । ତା ପରିବାରକୁ ସମୟ ଦେଇପାରିଲା । ପୁଅର ବାପା ମଧ୍ୟ ହେଇପାରିଲା । ହଁ ସେ ପୁଣି ତା କାମ ଉପରକୁ ଗଲା । ଆଉ ଏକ ନୂଆ କାମ କରି ପୁଣି ଧିରେଧିରେ ଅମାବାସ୍ୟା ଅମା ଅନ୍ଧାର ରାତିକୁ ଦୂରକରି ପୂର୍ଣ୍ଣମୀର ଜ୍ୟୋତ୍ସ୍ନାକୁ ଫେରେଇ ଆଣିଲା । ସମସ୍ତଙ୍କ ଓଠରେ ହସ ବୁଣିଲା । ମାସକୁ ମାସ ଆସିବାକୁ ପଡେ କୋଟ୍ କାମରେ । ଏମିତିରେ ପରିବାରକୁ ଦେଖିବାକୁ ସୁଯୋଗ ମିଳିଯାଏ । କେଶ୍ ରେ ସାକ୍ଷୀ ହିସାବରେ ଯାହାର ନାଁ ଦେଇଥିଲା ଗୋଟି ଗୋଟି କରି ମନା କରିଦେଲେ କି ଆମେ କିଛି ଦେଖିନୁ । କେତନ ବି ତା ନାଁରେ କେଶ୍ ଦେଇଥିଲା । କନେଷ୍ଟବଳ ହାରିବା ଜାଣି ଶେଷରେ ଭିତିରିଆ ଲୋକଙ୍କୁ କହି କେଶ୍ ଉଠେଇବାକୁ କହିଲା । କେତନ ମନା କରୁଥିଲା କି ମିଛକହି ଯିଏ ମତେ ଆଉ ମୋ ପରିବାରକୁ ଦୁଃଖ ଦେଇଛି, ସେ କଣ ଫେରେଇ ଦେଇ ପାରିବ ସବୁ ଇଜ୍ଜତ ମାନସମ୍ମାନ ? ଶେଷରେ ଉଦାର ହୃଦୟ କେତନର କହିଲା, ଠିକ୍ ଅଛି ତା'ର ପ୍ରମୋଶନ ହେଇପାରୁନି । ଭୁଲମାଗିବା ଠାରୁ ଆଉ କଣ ପ୍ରାୟଶ୍ଚିତ ଅଛି ? କେତନ ଗାଁ ଲୋକଙ୍କୁ କହିଲା ସେ ଭୁଲ୍ ମାଗି କେଶ୍ ଉଠେଇବାକୁ ଚାହୁଁଛି । ଠିକ୍ଅଛି ଉଠେଇ ଦେଲେ ଭଲ ହେବ। ଗାଁ ଲୋକ କେତନକୁ କହିଲେ, “ତୋ ଇଛା” । ସେ ମିଛ କହି ସବୁ ହରେଇ ସାରିଛି । ଆଜି ତା ଆଖିରେ ଅନୁତାପର ଲୁହ । ମୁଁ ଧର୍ମରେ ଓ ସତ୍ ପଥରେ ଥିଲି ବୋଲି ଜିତି ପାରିଛି । କଥାରେ ଅଛି "ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ" ।

Post a Comment

0 Comments