Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସମ୍ପାଦକୀୟ - ପଞ୍ଚମ ସଂଖ୍ୟା - ଦ୍ଵିତୀୟ ବର୍ଷ

“କେବଳ ଦୁର୍ବଳମନା ସାହିତ୍ୟ ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ”

ଚାରିଆଡେ ଶୁଭେଚ୍ଛା ପତ୍ର ଓ ଶୁଭେଚ୍ଛା ବାର୍ତ୍ତାର ସମ୍ଭାର । କାରଣଟା ସ୍ପଷ୍ଟ । ଆସିଛି ବଡଦିନ ଆଉ ଇଂରାଜୀ ନୂଆ ବରଷ । ମନରେ ଆଶା, ଆଖିରେ ଚମକ । ପ୍ରତିଷ୍ଠିତ ଓ ନୂତନ ସାହିତ୍ୟାନୁରାଗୀ ମାନଙ୍କ ଲେଖା ଗୁଡିକୁ ନେଇ ଆସିଛି “ବଣମଲ୍ଲୀର ମହକ” ର ପଞ୍ଚମ କଳେବର । ବିଦାୟୀ ବର୍ଷରେ ପାଠକ ମାନଙ୍କ ସଂଖ୍ୟା ଉସ୍ଚାହଜନକ । ପାଠକେ ଶ୍ରେଷ୍ଠ ବିଚାରକ । ପ୍ରିୟ ପାଠକ / ପାଠିକା ମାନଙ୍କ ନିକଟରେ ବଣମଲ୍ଲୀର ମହକ ପରିବାର ଚିର କୃତଜ୍ଞ । ବଣମଲ୍ଲୀର ମହକ ଇ-ପତ୍ରିକାର କଳେବରକୁ ଋଦ୍ଧିମନ୍ତ.. ରୁଚିମନ୍ତ କରିଛି ଅନେକ ସାହିତ୍ୟାନୁରାଗୀଙ୍କ କଲମ ନିସୃତ ଗଳ୍ପ, କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ ଇତ୍ୟାଦି । ସମସ୍ତଙ୍କୁ ସାରସ୍ଵତ ପ୍ରଣାମ ।


ଭଲ ପତ୍ରିକାଟିଏ ମଣିଷର ଭଲ ବନ୍ଧୁ । ଏପରି ଲେଖନ୍ତୁ, ଯାହା ହୃଦୟର ଅନ୍ତରତମ ପ୍ରଦେଶକୁ ସ୍ପର୍ଶ କରିବ । ଯାହାର ସ୍ପର୍ଶରେ କେହି କ୍ଷତାକ୍ତ ହେବେନାହିଁ । ଯାହା ଭରିଦେବ ମନରେ ଆନନ୍ଦ ଆଉ ସ୍ଥଳବିଶେଷରେ ଆଣିବ ସାମାଜିକ ପରିବର୍ତ୍ତନ । ବଣମଲ୍ଲୀର ମହକ ଇ-ପତ୍ରିକାର ପ୍ରକାଶନ କରିବା ପଛରେ ଅଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ନିରୋଳା ଭଲପାଇବା । କୌଣସି ପରିସ୍ଥିତିରେ ମଧ୍ୟ ଅର୍ଥ ରୋଜଗାର କରିବା ଏହାର ଲକ୍ଷ୍ୟ ନୁହେଁ । ବଣମଲ୍ଲୀ ମାନଙ୍କୁ ସାଉଁଟି ମାଳାଟିଏ ଗୁନ୍ଥିବା ଏ ପରିବାରର ମୂଳଲକ୍ଷ୍ୟ । ଆପଣ ମାନଙ୍କ ଭଲପାଇବା ଓ ସମୟ ଉପଯୋଗୀ ମାର୍ଗ-ଦର୍ଶନ ଆମର ପୁଞ୍ଜି ।


ଯଦି ଆମେ ସାହିତ୍ୟକୁ ଏକ ବିଳାସ ସାମଗ୍ରୀ ଭାବେ ବିବେଚନା କରିବା, ତେବେ ସ୍ରଷ୍ଟାର ମନଗଢା କଥା ଓ କବିତା ସତରେ କି ଆନନ୍ଦ ଦିଏ !!! ବିଳାସ ଦ୍ରବ୍ୟଟିଏ ମଣିଷକୁ ଆନନ୍ଦିତ କଲାଭଳି ଭଲ ସାହିତ୍ୟ ଆମକୁ ଆନନ୍ଦିତ କରେ । ଅନ୍ୟପଟେ ସାହିତ୍ୟ ସମାଜକୁ ସଚେତନ କରି ଉତ୍ତମ ଚିନ୍ତା ଚେତନାର ଉଦ୍ରେକ ଘଟାଇଥାଏ । ସାହିତ୍ୟକୁ ଆଦର କରନ୍ତୁ.. ହସନ୍ତୁ ଓ ହସାନ୍ତୁ.. ଏବଂ ସମାଜରେ ମାନବିକତାର ମୂଲ୍ୟବୋଧର ପ୍ରତିଷ୍ଠା କରନ୍ତୁ । ଜଗତର ନାଥ ଜଗନ୍ନାଥ ମଙ୍ଗଳ କରନ୍ତୁ । ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।


ସଲିଳ କୁମାର ସ୍ଵାଇଁ
ମୁଖ୍ୟ ସମ୍ପାଦକ, ବଣମଲ୍ଲୀର ମହକ
ଦୂରଭାଷ : ୯୪୩୭୦୯୦୧୨୪

Post a Comment

0 Comments