Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଲେଖିଛି ଗୋ ପ୍ରିୟା ଲେଖିଛି

ବିକେଶ ସାହୁ
ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ଲେଖିଛି ଗୋ ପ୍ରିୟା ଲେଖିଛି
ହୃଦୟରୁ ମୋର ଶବଦ ସାଉଁଟି
କବିତା ଟିଏ ମୁଁ ଲେଖିଛି ।

ସେଇ କବିତାରେ ତୁମେ ମୋ ନାୟିକା
ନାୟକ ମୁଁ ତୁମ ସାଜିଛି
ତୁମରି ପ୍ରେମରେ ପାଗଳ ସାଜି ମୁଁ
ତୁମ କଥା ଖାଲି ଭାବୁଛି ।
ଲେଖିଛି ଗୋ ପ୍ରିୟା ଲେଖିଛି......

ଏଇ ହୃଦୟର ସବୁ ଭାବନା କୁ
କଲମରେ ଆଙ୍କି ଦେଇଛି
ଭଲ ପାଏ ବୋଲି ତୁମକୁ ମୁଁ ଖାଲି
ଡରିନି ଗୋ କହିଦେଇଛି ।
ଲେଖିଛି ଗୋ ପ୍ରିୟା ଲେଖିଛି......

ଭାବନା ରାଇଜେ ରାଜମହାଲଟେ
ତୁମ ପାଇଁ ଗଢ଼ିଦେଇଛି
ଆକାଶ ଚାନ୍ଦିନୀ ଆଉ ତାରାଫୁଲ
ସବୁ କିଛି ଆଣି ଥୋଇଛି ।
ଲେଖିଛି ଗୋ ପ୍ରିୟା ଲେଖିଛି......

ସାତରଙ୍ଗ ର ସେଇ ଇନ୍ଦ୍ରଧନୁରେ
ରଙ୍ଗେଲି ଶାଢ଼ୀଟେ ବୁଣିଛି
ପାରିଜାତ କୁ ଗୋ ଗଭାର ଗଜରା
ସାଥେ ମଲ୍ଲୀମାଲ ଗୁନ୍ଥିଛି ।
ଲେଖିଛି ଗୋ ପ୍ରିୟା ଲେଖିଛି.......

ଶତ ଦୀପ ଜାଳି ରଚିଛି ଦୀପାଲି
ତୁମ ଅପେକ୍ଷାରେ ବସିଛି
ଗୋଲାପ ଫୁଲରେ ଘରଟା ସଜାଇ
ରଜନୀଗନ୍ଧା ମୁଁ ଖଞ୍ଜିଛି ।
ଲେଖିଛି ଗୋ ପ୍ରିୟା ଲେଖିଛି......

Post a Comment

0 Comments