Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସଙ୍ଘର୍ଷ ପଥେ ଜୀବନ - ସୀମାଞ୍ଚଳ ରଣା

ସୀମାଞ୍ଚଳ ରଣା
କୁର୍ତ୍ତମଗଡ଼, କନ୍ଧମାଳ
ଦୂରଭାଷ: ୮୨୮୦୯୧୩୯୬୬

ଏବେ ଅଗ୍ରଗତିର ଗିରିଶୃଙ୍ଗରେ ବିଜୟର ଧ୍ଵଜା,
ଫରଫର ଉଡୁଛି ଆଧୁନିକ ସଭ୍ୟତାରେ ।
ପୁଷ୍ପବନ ପରି ନାନା ରଙ୍ଗେ ସୁସଜ୍ଜିତ ଅଟାଳିକାର,
ଏକ ଚାକଚକ୍ୟ କୋଠରୀରେ ସମ୍ଭ୍ରାନ୍ତ ଶରୀର ଶୋଇଗଲା ପରେ,
ଅନୁଭବ ହୁଏ କଥିତ ପୁରାଣର ଅଳକାପୁରୀ ।
ବାସ୍ତବ ଅନୁଭବରେ ଫୁଲିଉଠେ ଛାତି,
ନିଜକୁ ବିଳାସଭୋଗୀ ମନୁଷ୍ୟରେ ଗଣିତକରି ।
ପ୍ରଶ୍ନ କିନ୍ତୁ ଅସମାପ୍ତ,
କେତେ ଜଣକୁ ମିଳେ ଏହି ବାସ୍ତବତା ।
ମୁଁ ମଧ୍ୟ ପଚାରିଛି ନିଜକୁ ଏକ କରୁଣ ବେଳାରେ,
ମିଆଁମ୍ୟାର ରୁ ବଙ୍ଗଳାଦେଶ,
ଅବା ହେଉ ଭାରତ ବର୍ଷ ।
ସବୁଠି ପହଂଚିବା ବେଳେ ପଚାରିଛି ନିଜକୁ,
କେବେ ଦଦରା ବୋଟରେ,
ନୀଳସାଗରରେ ଆତ୍ମୀୟଙ୍କୁ ହରେଇବା ବେଳେ ।
ପୁଣି କେବେ ସୀମା ପାରିବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣରେ,
ଆହତଙ୍କ କରୁଣ ଚିତ୍କାରେ ।
ଗୋଟିଗୋଟି କରି ଲିଭିଯାଉଛି ଜୀବନ ପ୍ରଦୀପ,
ହଜି ଯାଉଛି ସଂଘର୍ଷର ସ୍ବପ୍ନ ।
ପରିଶେଷରେ ଶରଣାର୍ଥୀ ସାଜିବାକୁ ହୁଏ,
ବିଶାଳ ପୃଥିବୀର ଅଜଣା ସହରେ ।
ଶିବିରରୁ ବିଳମ୍ବିତ ଶୟନରୁ,
କ୍ଳାନ୍ତ ଶରୀରକୁ ଅଳସ ଭାଙ୍ଗୁ ଭାଙ୍ଗୁ ଶୁଭୁଥାଏ,
କେବେ ଓଁକାର ଧ୍ୱନି ତ କେବେ ଆଲ୍ଲା ହୋ ଆକବର ।
ପୂର୍ଣ୍ଣ ସୁରକ୍ଷା ଘେରରେ ପଥର ମୂର୍ତ୍ତି ଅବା ହେଉ କାଳ୍ପନିକ ଚିତ୍ର ରୁପକୁ,
ଭଗବାନ ବୋଲି ନତମସ୍ତକ ଦେଖି,
ଇଛାହୁଏ ନିଜକୁ ନିର୍ଜୀବ କରିଦେବା ପାଇଁ ।
ଏକବିଂଶ ଶତାବ୍ଦୀରେ ଚନ୍ଦ୍ରପୃଷ୍ଠରେ ପ୍ରାସାଦର ସ୍ଵପ୍ନ ଦେଖୁଥିବା ସଭ୍ୟତାକୁ ଦେଖି,
ଆଶ୍ଚର୍ଯ୍ୟ ଲାଗେ ଅଧୁନା ଜୀବନରେ ବଞ୍ଚିବାର ସଂଘର୍ଷ ।
ମାତୃଭୂମିରୁ ପଳାତକ ହୋଇଯିବା ପରେ,
ବଙ୍ଗଳା ଆଉ ଭାରତବର୍ଷରେ କେଉଁ ଏକ ଶିବିରେ,
କଳା ପଲଥିନ ତଳେ ମା'ଟିଏ ଲଜ୍ଜ୍ୟା ଉପେକ୍ଷି,
ସର୍ବ ସମ୍ମୁଖରେ ସ୍ତନ୍ୟପାନ ଦେଉଥିବା ଦେଖି ପଚାରେ ନିଜକୁ ।
ସତରେ କଣ ଆମେ ଆତଙ୍କି ?
ତେବେ କାହିଁକି ପ୍ରଚଣ୍ଡ ରୌଦ୍ରତାପ ଆଉ ମୁଷଳ ବର୍ଷାରେ,
କୋମଳ ଶିଶୁଟି ପାଇଁ ବଞ୍ଚିବାର ସଂଘର୍ଷ ?
ଯଦି ଆମେ ନୃଶଂସ ତେବେ କାରଣ କଣ ?
ନା ରୋହିଙ୍ଗ୍ୟା ବୋଲି ଏକ ଭିନ୍ନ ପରିଚୟ,
ଯାହା ସମାଜ କହୁଛି ଆମକୁ ।
ଏ ସବୁ କେବଳ ପ୍ରଶ୍ନ କେବଳ ଆମ ପାଇଁ ।

Post a Comment

0 Comments