Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଲଙ୍ଗଳ ମୁନ

ବଳବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଟିଟିଲାଗଡ଼
ଦୂରଭାଷ- ୯୦୭୮୧୦୫୨୩୪


ହ...ହ...
ଗୋଟ...ଗୋଟ...
ଏମିତି କିଛି ଶବ୍ଦ ସାଥୀରେ
କାଳିଆ କସରା ଆଗେ ଆଗେ
ଚାଷୀ ଭାଇ ପଛେ ପଛେ
ତା' ମଝିରେ ଲଙ୍ଗଳ ମୁନ
ଯେଉଁ ମୁନରେ ନିର୍ଦ୍ଧାରିତ ହେଉଛି
ତା'ପରିବାରର ଚାରି କପାଳର ଭାଗ୍ୟରେଖା।
ଯେଉଁ ମୁନ ମାଟି ମାଆର ବକ୍ଷକୁ ଚିରି
ଭିତର୍ ମାଟିର ଉଷ୍ନତା ଓ ଉପର ମାଟିର ଶୀତଲତା ମଧ୍ୟରେ
କରାଉଛି ଶୀତଳ ଯୁଦ୍ଧ,
ପ୍ରସ୍ତୁତ କରୁଛି ମାଆ ପାଇଁ ସବୁଜ ପାଟଶାଢ଼ୀ ।
ସେହି ମୁନକୁ କେହିବି ପାରିବେନି ଅଟକାଇ
ପାରିବନି ପ୍ରକୃତି
ପାରିବନି ଏ ବିଶାଳ ମଣିଷ ଜାତି
ନା ପାରିବ ଅଟକାଇ, ଗ୍ରୀଷ୍ମର ତାତି
ନା ପାରିବ, ବର୍ଷାର ଘଡଘଡି ବିଜୁଳି ଶକ୍ତି
ନା ପାରିବ, ଶୀତର କାକର ରାତି ।
ଏ ମୁନ ଏମିତି ଚାଲୁଥିବ
ଅବ୍ୟାହତ ଓ ଅନବରତ ଭାବେ
ସୁଖରେ ବି ଦୁଃଖରେ ବି
ହସରେ ବି କାନ୍ଦରେ ବି
ଭାବରେ ବି ଅଭାବରେ ବି
ଯୌବନରେ ବି ବୃଦ୍ଧରେ ବି
ଏପରିକି ସମାଜ ସଙ୍ଗରେ ହେଉକି ନିସଙ୍ଗରେ ବି ।
ଏ ମୁନ ଏମିତି ଚାଲୁଥିବ
ଦେଉଥିବ ସଭିଙ୍କୁ, ସବୁକିଛି
ଶରୀରରେ ଚଦର ଠାରୁ ଉଦରରେ ଆହାର ପର୍ୟ୍ୟନ୍ତ,
ଯେ ପର୍ୟ୍ୟନ୍ତ ଲକ୍ଷ ଲକ୍ଷ ଭୋକିଲା ପେଟ
ଉଭେଇ ନ ଯିବ,
ଯେ ପର୍ଯ୍ୟନ୍ତ ପ୍ରତି ପେଟରେ ଦାନା ନପଡିବ ଓ ପ୍ରତି ମୁଖରେ ହସ
ଏ ମୁନ କେବେ ଥକିବନି କେବେ
ତା'ସହ କେହିବି ଥକିବେନି
ନା ଥକିଯିବେ କାଳିଆ କସରା
ନା ଥକିଯିବେ ଚଷା ଭାଇ
ନା ଥକିବ ନିଜେ (ଲଙ୍ଗଳ ମୁନ)
ବରଂ ଚନ୍ଦ୍ର ସୂର୍ୟ୍ୟ ଥକିଯିବେ, ହାରିଯିବେ
କିନ୍ତୁ ଏ ମୁନ ଥକିବନି ପୁଣି ଥକିବନି
ଦିନ ଆସିବ, ସେ ଜିତିବ...।


Post a Comment

0 Comments