Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧର୍ମ ବନାମ ସଂପ୍ରଦାୟ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ

ଧର୍ମ ସମ୍ବନ୍ଧରେ ବିଶେଷତଃ ଧର୍ମର ତିନୋଟି ଅଂଗକୁ ବିଚାରକୁ ନିଆଯାଇ ପାରେ । ପ୍ରଥମତଃ କିଛି ଏକ ବିଶିଷ୍ଟ ମତବାଦ, ଦ୍ୱିତୀୟତଃ କୌଣସି ଏକ ବିଶିଷ୍ଟ ସାଧନ ପ୍ରଣାଳୀର ଉପାସନା ପଦ୍ଧତି, ତୃତୀୟତଃ ରୀତିନୀତିର ଆଚାର ବ୍ୟବହାର । ଅର୍ଥାତ୍ ପ୍ରଥମଟି ଧର୍ମର ମସ୍ତକ, ଦ୍ୱିତୀୟଟି ହୃଦୟ ଓ ତୃତୀୟଟିକୁ ଚରଣ (ପାଦ) କୁହାଯାଇପାରେ । ଯଦି ମନୁଷ୍ୟର ବୁଦ୍ଧି ଓ ହୃଦୟର ବିକାଶ ହ୍ରାସ ପାଏ ବା କମିଯାଏ, ତେବେ ତାର କିଛି ବିଶେଷ କ୍ରିୟା କଳାପ (କାର୍ଯ୍ୟ), ରୀତିନୀତି, ଆଚାର ବ୍ୟବହାରକୁ ଧର୍ମର ସୂରୂପ ବୋଲି ମାନି ନିଆଯାଏ, ଏହାକୁ ଲୋକେ ଧର୍ମ ସାଧନା ବୁଝନ୍ତି । ଏଠି ହୃଦୟର ବିକାଶ ସାଙ୍ଗରେ ଅନ୍ତରଙ୍ଗ ସାଧନାର ଆବଶ୍ୟକ ଅନୁଭୂତ ହୁଏ । ଶ୍ରଦ୍ଧା-ଭକ୍ତି-ଏକାଗ୍ରତା ଆଦି ଆଭ୍ୟନ୍ତରୀଣ ସଦ୍ ଗୁଣର ଅନୁଶୀଳନରେ ଅଧିକ ପ୍ରବୃତ ହୁଏ । ଏକ ବିରାଟ ଶକ୍ତିଶାଳୀ ପ୍ରାଣ ସଂଗେ ନିଜର ପ୍ରାଣର ଜ୍ଞାନରେ, ଧ୍ୟାନରେ, ପ୍ରେମରେ ମିଶାଇ ଦେବାହିଁ ଧର୍ମର ପ୍ରଥମ ଅଂଗ ବୁଝିବାକୁ ହେବ । ଅନ୍ତଃକରଣ ବିଭିନ୍ପ ଜ୍ୱାଳା ଯନ୍ତ୍ରଣାପ୍ରଦ ସାଂସାରିକ ବନ୍ଧନରୁ ମୁକ୍ତ ହେବାପାଈଁ ଆଧ୍ୟାତ୍ମିକ ଆତ୍ମିକମାର୍ଗର ଅନୁସନ୍ଧାନ କରିବାକୁ ପଡିବ । ଏହି ଉଦ୍ଦେଶ୍ୟରେ ବିଶେଷ ସାଧନ, ଉପାସନା ପ୍ରଣାଳୀ ଆବିଷ୍କୃତ ଓ ଅବଲମ୍ବିତ ଅଟେ । ଏହି ଅବସ୍ଥାରେ ପୂର୍ବୋକ୍ତ ବାହ୍ୟ ରୀତିନୀତି ଧର୍ମର ଗୌଣ ପାଲଟି ଯାଏ ଏବଂ ଆଭ୍ୟନ୍ତରୀଣ ସାଧନ ଭଜନରେ ଐକାନ୍ତିକ ନିଷ୍ଠା ଅବଲମ୍ବିତ ହୁଏ, ସର୍ବଗଣ କଲ୍ୟାଣ ସାଧନ ସାମର୍ଥରେ ଅବିଚଳ ବିଶ୍ୱାସହିଁ ଧର୍ମର ମୁଖ୍ୟଅଂଶ ବୋଲି ମାନିବାକୁ ହେବ ।


କିନ୍ତୁ, ମନୁଷ୍ୟହିଁ ଏକ ବୁଦ୍ଧିଜୀବି ପ୍ରାଣୀ । ବିଚାର ଶକ୍ତିଦ୍ୱାରା ଅନୁମୋଦିତ ମାର୍ଗ ଉପରେ ଦୀର୍ଘକାଳ ଚଳିବା ଏହାର ସ୍ୱଭାବ ବିରୁଦ୍ଧ, ବୁଦ୍ଧିର ଯେତେଯେତେ ବିକାଶ ଘଟେ, ସେତେସେତେ ରୀତିନୀତି ଓ ସାଧନ ପଦ୍ଧତି ଭିତ୍ତିରେ ଏକ ବିଚାରାନୁମୋଦିତ ମତବାଦର ଆବଶ୍ୟକତା ଅନୁଭୂତ ହୁଏ । ମାନବ ଜୀବନର ଲକ୍ଷ୍ୟ କଣ ? ମନୁଷ୍ୟ ସଙ୍ଗରେ ବର୍ହିଜଗତର ଯଥାର୍ଥ ସମ୍ବନ୍ଧ କଣ ?? ଉପାସ୍ୟ ସହିତ ଉପାସକର ସଂପର୍କ କଣ ??? ମୃତ୍ୟୁ ପରେ ଅସ୍ଥିତ୍ୱ ରହେ ନା ନାହିଁ (?), ରହିଲେ କେଉଁ ଅବସ୍ଥାରେ କିପରି ରହେ (?), ଏପରି ନାନା ପ୍ରଶ୍ନ ସ୍ୱତଃ ମାନବ ବୁଦ୍ଧିରେ ଉଦୟ ହୋଇ ଏହାର ଯୁକ୍ତିସଙ୍ଗତ ଉତ୍ତର ପାଇବାକୁ ବ୍ୟାକୁଳ ହୁଏ, ଅଧିକାଂଶ ମଣିଷ ଅବଶ୍ୟ ନିଜର ବିଚାର ଶକ୍ତିକୁ ପ୍ରୟୋଗ କରି ସ୍ୱାଧିନ ଭାବେ ନିଜର ପ୍ରଶ୍ନକୁ ସମାନ୍ଧନ କରିବାରେ ସଫଳ ହୁଅନ୍ତି ନାହିଁ । ସୁବିକଶିତ ବୁଦ୍ଧି, ଉନ୍ନତ ଚରିତ୍ର ଶକ୍ତିଶାଳୀ ଶ୍ରେଷ୍ଠ ପୁରୁଷ ସମାଧାନର ଅନେକ କ୍ଷେତ୍ରରେ ବିଶ୍ୱାସ ରଖି, ନିଜ ବୁଦ୍ଧି ଶକ୍ତିର ବିକାଶାନୁସାରେ ଏହାର ଉତ୍ତରକୁ ବିସ୍ତାରିତ ସହିତ ବୁଝିବାକୁ ପ୍ରଯତ୍ନ ରଖେ । ତେଣୁ ସେ ଶ୍ରେଷ୍ଠ ପୁରୁଷ, ମହାପୁରୁଷ, ମହାତ୍ମା, ମୁନି, ଋଷି ଆଦି ସନ୍ଥାଦି ଅଥବା ଭଗବାନଙ୍କ ପ୍ରେରିତ ପୁରୁଷଙ୍କୁ ଅବତାର ମାନି ପୂଜାକରେ ।


ଏପ୍ରକାର ମତବାଦ, ମାନବ ପ୍ରଣାଳୀ ଓ ଆଚାର ପଦ୍ଧତିକୁ ନେଇ ଏକ ନୂତନ ଧର୍ମ ସଂପ୍ରଦାୟ ଗଠିତ ହୁଏ । ମନୁଷ୍ୟର ଧର୍ମ, ସାଧନା ଲାଗି ତିନୋଟି ଅଂଗହିଁ ଆବଶ୍ୟକ । ସଂସାରରେ ବିଚିତ୍ର ଅବସ୍ଥା ପ୍ରବାହରେ ବିଚିତ୍ର ଆଧ୍ୟାତ୍ମିକତା, ଆଦିଜୈବିକ ଓ ଭୌତିକ ଶକ୍ତିର ଘାତ ପ୍ରତିଘାତରେ ଏ ବିଚାରଶୀଳ କର୍ମପ୍ରବଣ ଭାବସଂପନ୍ନ ମନୁଷ୍ୟ ଜୀବନର ପରିପୂର୍ଣ୍ଣତା ସଂପାଦନ ପୂର୍ବକ ସମ୍ୟକ୍ ସାର୍ଥକତାରେ ପ୍ରତିଷ୍ଠା ପ୍ରାପ୍ତ ପାଇଁ ବୁଦ୍ଧିରେ ସ୍ଥିରତା ଓ ଉତ୍କର୍ଷ ସାଧନ ପାଇଁ ତତ୍ତ୍ୱ ନିର୍ଦ୍ଧାରଣ ପୂର୍ବକ ସୁଦୃଢ ମତବାଦ ଯେଭଳି ଆବଶ୍ୟକ ହୁଏ, ସେଭଳି ହୃଦୟ ମନର ବିଚିତ୍ର ବିଭିନ୍ନାମୂଖୀ ବୃତ୍ତିକୁ ସଂପାଦନ ଓ ତତ୍ତ୍ୱାନୁଗତ ପ୍ରତିଷ୍ଠା ପାଇଁ ବିଶିଷ୍ଟ ସାଧନ ପ୍ରଣାଳୀ ସହ ଉପାସନା ପଦ୍ଧତିର ଆବଶ୍ୟକ ଅଛି । ଦେହେନ୍ଦ୍ରିୟକୁ ସୁସଂଗତ ଓ ପାରିପାଶ୍ୱିକ ଅବସ୍ଥାରେ ଧର୍ମ ସାଧନାର ଅନୁକୂଳ ନିମନ୍ତେ ସୁବିହିତ ରୀତିନୀତି ଓ ଆଚାର ବ୍ୟବହାରକୁ ଅନୁସରଣର ଆବଶ୍ୟକ ରହିଛି । ଏକ ବିଶିଷ୍ଟ ମତବାଦ, ସାଧନ ପଦ୍ଧତି, ରୀତିନୀତି ବିନା ଧର୍ମ ସାଧନ ସମ୍ଭବ ନୁହେଁ, ଏପ୍ରକାର ଜାତୀୟ ମତବାଦ, ସାଧନ ପ୍ରଣାଳୀ ଓ ଆଚାର ବ୍ୟବହାର ସମ୍ବନ୍ଧୀୟ ବିଧି ବ୍ୟବସ୍ଥା ଅବଲମ୍ବନରେ ଏକ ଧର୍ମ ସଂପ୍ରଦାୟ ଗଠିତ ହୋଇଥାଏ, ଯାହାର କେନ୍ଦ୍ରରେ ଥାନ୍ତି ଜଣେ ଅସାଧାରଣ ଶକ୍ତିସଂପ୍ରନ୍ନ ମହାପୁରୁଷ ।


ଧର୍ମ ସାଧନ ପାଇଁ ସଂପ୍ରଦାୟର ଆବଶ୍ୟକ ମଧ୍ୟ ଅଛି, ଆଚାର୍ଯ୍ୟ ଶିଷ୍ୟ ପରଂପରା କ୍ରମରେ ଶାସ୍ତ୍ର ସାଧନ ସମ୍ବନ୍ଧୀୟ ଉପଦେଶ ଓ ଆଲୋଚନା, ସଦ୍ ଭାବାପନ୍ନ ସାଧକଗଣ ପରସ୍ପରର ସଙ୍ଗ ଓ ସହଯୋଗ, ଏକ ଆଦର୍ଶ ଦ୍ୱାରା ଅନୁପ୍ରେରିତ । ବିଭିନ୍ନ ସ୍ତରର ସାଧକଙ୍କ ଉପରେ ଭାବ ବିନିମୟ ତଥା ଆତ୍ମ ନିରୀକ୍ଷଣ, ଏସବୁ ପ୍ରତ୍ୟେକ ସାଧନର ସଫଳ ପାଇଁ ଆବଶ୍ୟକ ରହିଛି । ସଂପ୍ରଦାୟର ବିଶ୍ୱଜନୀନ ମାନବ ଧର୍ମର ଦେଶ କାଳାବସ୍ଥାନୁଯାୟୀ ଓ ମାନବ ପ୍ରକୃତିର ବୈଚିତ୍ରାନୁଯାୟୀ ବିଶିଷ୍ଟ ମତବାଦ, ସାଧନ ପ୍ରଣାଳୀ ଓ ରୀତିନୀତିର ସମନ୍ୱୟରେ ଧର୍ମର ଏକ ବିଶିଷ୍ଟ ମୂର୍ତ୍ତି ପ୍ରକଟ ହୁଏ, ବିନା କିଛି ଏକ ପ୍ରାଣବାନ ଶକ୍ତିଶାଳୀ ସାଧକ ସଂପ୍ରଦାୟକୁ ଆଶ୍ରୟ ନକରି ମନୁଷ୍ୟ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରେନାହିଁ । ସଂପ୍ରଦାୟ, ସଂଘ ଓ ସମାଜ ଏହା କେବଳ ମାତ୍ର ଏକ ଏକ ବିଶେଷ ଧର୍ମାଦର୍ଶ ଓ ସାଧନ ପ୍ରଣାଳୀର ଦେହ ସୂରୂପ । ଦେହର ଅଭାବରେ ଦେହୀ ଅପ୍ରକାଶିତ ହୋଇ ରହିଯାଏ । ଦେହ ଦୁର୍ବଳ ହୋଇ ପଡିଲେ, ଦେହୀର ଜୀବନୀ ଶକ୍ତିର ନିଦର୍ଶନ ପାଇବା କଠିନ, ଯାହା ସଂପ୍ରଦାୟ, ସମାଜ ବା ସଂଘକୁ ଦେହ ରୂପରେ ଅବଲମ୍ବନ କରି ଧର୍ମର ଏକ ବିଶିଷ୍ଟ ରୂପ, ବିଶିଷ୍ଟ ଭାବଧାରା ଓ ସାଧନାଧାରା ମାନବ ଜୀବନର କଲ୍ୟାଣ ପାଇଁ ଜଗତରେ ପ୍ରକଟ ହୁଏ । ଯେତେବେଳେ ଏ ସମାଜ, ଏ ସଂପ୍ରଦାୟ ବା ସଂଘ ନିସ୍ତେଜ, ମଳିନ ବା କ୍ଷୟପ୍ରାପ୍ତ ହୋଇଯାଏ, ସେତେବେଳେ ଧର୍ମର ଏହି ବିଶିଷ୍ଟ ରୂପର ଜୀବନୀ ଶକ୍ତି ମଧ୍ୟ ନଷ୍ଟ ହୋଇଯାଏ । ଏହାର ଭାବଧାରା ଓ ସାଧନା ଧାରା ଅବଲୁପ୍ତ, ପଙ୍କିଳ ଓ ଆବର୍ଜନାମୟ ପାଲଟିଯାଏ । ଧର୍ମକୁ ଜୀବିତ ରଖିବା ଲାଗି ସମାଜ, ସଂପ୍ରଦାୟ ବା ସଂଘକୁ ମଧ୍ୟ ନିର୍ମଳ, ପ୍ରାଣବାନ ଓ ସତେଜ ରହିବା ଅପରିହାର୍ଯ୍ୟ । ଆଜିର ଏ ଭୋଗବିଳାସି ଛଦ୍ମବେଶୀ ଧର୍ମ ବାବାମାନେ ନୁହଁନ୍ତି ।


ସଂପ୍ରଦାୟକୁ ସୁସଂହତ ଓ ବିଶିଷ୍ଟ ସାଧନ ଧାରାକୁ ଅବିଚ୍ଛିନ୍ନ ରଖିବାକୁ ହେଲେ ଅବର୍ଜନୀୟ ଉପାୟରେ ସଂପ୍ରଦାୟ ପ୍ରବର୍ତ୍ତକଙ୍କ ପ୍ରତି ଅତୁଟ ଶ୍ରଦ୍ଧାର ଆବଶ୍ୟକ ରହିଛି, ସାଂପ୍ରଦାୟିକ ଶାସ୍ତ୍ରଗ୍ରନ୍ଥକୁ ଗଭୀର ବିଶ୍ୱାସ ରଖିବା, ଏହା କେବେ ଅଭ୍ରାନ୍ତ ଅସମୀଚୀନ ନୁହେଁ ଧାରଣା ଦୃଢ କରିବା ଉଚିତ୍, ଶାସ୍ତ୍ରକୁ ସ୍ୱଂୟ ଭଗବାନଙ୍କ ବାଣୀ ଓ ସଂପ୍ରଦାୟ ପ୍ରବର୍ତ୍ତକ ମହାପୁରୁଷଙ୍କୁ ଭଗବାନଙ୍କ ଅବତାର ବା ପ୍ରତିନିଧି ରୂପେ ଗ୍ରହଣ କରିବାକୁ ହେବ । ଭଗବାନ ପ୍ରେରିତ ପୁରୂଷ ରୂପ ଧାରଣ କରି ଧର୍ମ ସାଧନାରେ ବିଶେଷ ସହାୟକ ହୁଅନ୍ତି । ସେ କେବେ ରକଷ୍ଟାର ଭୋଗବିଳାସି ଭଣ୍ତବାବା ହୋଇପାରନ୍ତି ନାହିଁ, ସେ ଯୀଶୁ, ମହମ୍ମଦ ଆଲ୍ଲା, ମହାବୀର, ବୁଦ୍ଧ ହୁଅନ୍ତି ।


ମାନବ ସମାଜରେ ବିଭିନ୍ନ ଦେଶରେ, ବିଭିନ୍ନ କାଳରେ ତଥା ବିଭିନ୍ନ ଅବସ୍ଥାରେ ଧର୍ମ ସମ୍ବନ୍ଧୀୟ ଯେତେ ମତବାଦ, ସାଧନ ପଦ୍ଧତି ଓ ରୀତିନୀତି ଆବିର୍ଭୂତ ଓ ପ୍ରଚଳିତ ହୋଇଛି, ଯେତେ ସଂପ୍ରଦାୟ ଗଠିତ ହୋଇଛି, ଯେତେ ମହାପୁରୁଷ ଓ ଶାସ୍ତ୍ରଗ୍ରନ୍ଥ, ସଂପ୍ରଦାୟ ବିଶେଷ ଅବିଚଳ ଶ୍ରଦ୍ଧା, ଭକ୍ତି, ବିଶ୍ୱାସ ଦ୍ୱାରା ଆକର୍ଷଣ କରିଛି, ଏସବୁ ମାନବ ସମାଜରେ ଧର୍ମ ପ୍ରତିଷ୍ଠା, ମାନବ ଜୀବନର ଚରମ କଲ୍ୟାଣକୁ ଅର୍ଥାତ୍ ମାନବାତ୍ମାର ପରିପୂର୍ଣ୍ଣ ବିକାଶ ସଂପାଦାନ ପାଇଁ ସୃଷ୍ଟି । ମନୁଷ୍ୟର ପ୍ରକୃତି ରୁଚି ଓ ବୁଦ୍ଧିର ବୈଚିତ୍ର, ଦେଶକାଳ ଓ ପାରିପାଶ୍ୱିକ ଅବସ୍ଥାର ବୈଚିତ୍ରର, ଜ୍ଞାନଶକ୍ତି, କର୍ମଶକ୍ତି ତଥା ହୃଦୟବୃତ୍ତିର ବିକାଶର ତାରତମ୍ୟ ରହିପାରେ, ତଥାପି ତାହା ଧର୍ମ ଜୀବନର ପରିପୋଷକ ମତବାଦ, ସାଧନ ପଦ୍ଧତି ଓ ରୀତିନୀତିର ବୈଚିତ୍ର ନିତ୍ୟାନ୍ତ ସ୍ୱାଭାବିକ ଅଟେ । ମନୁଷ୍ୟର ଶରୀର ପୋଷଣ ଅନୁକୂଳ ଆହାର ଓ ବସ୍ତ୍ର ଆଦିରେ ଯେଉଁ ପ୍ରକାର ବୈଚିତ୍ର ଦେଖାଯାଏ, ଅବସ୍ଥା ଭେଦରେ ଏହି ବୈଚିତ୍ରର ଆବଶ୍ୟକ ମଧ୍ୟ ପ୍ରକାର ମାନ୍ୟତା ଦର୍ଶାଏ, ଏପ୍ରକାର ମନୁଷ୍ୟର ଆଧ୍ୟାତ୍ମିକ କଲ୍ୟାଣ ପାଇଁ ଅବସ୍ଥାଭେଦରେ ତତ୍ପରିପୋଷାକ ମତବାଦ ସାଧନ ପଦ୍ଧତି ଓ ରୀତିନୀତିର ବୈଚିତ୍ରକୁ ମଧ୍ୟ ଆବଶ୍ୟକାନୁଯାୟୀ ସ୍ୱୀକାର କରିବାକୁ ହୁଏ । ଏହି କାରଣରୁ ମାନବ ସମାଜରେ ସଂପ୍ରଦାୟ ବସ୍ତୁତଃ ଓ ଶାସ୍ତ୍ରବାହୁଲ୍ୟ ମଧ୍ୟ ଅବଶ୍ୟମ୍ଭାବୀ ଅଟେ । ଚିରକାଳର ଏହି ବିଚିତ୍ର ଭାବଧାରା, ଚିନ୍ତାଧାରା, କର୍ମଧାରା, ଭୋଗଧାରା ଓ ତ୍ୟାଗଧାରା ଭିତରେ ମାନବ ସମାଜ ଖଣ୍ତ ଖଣ୍ତ ରୂପରେ ଏକ ମାନବତାର ଉତ୍କର୍ଷ ଯେ କରି ଆସିଛି; ଇତିହାସ ଏହାର ସଙ୍କେତ ଦିଏ, ମନୋବିଜ୍ଞାନ ଏହାର ପ୍ରୟୋଜନୀୟତା ଦର୍ଶାଏ ଓ ଧର୍ମବିଜ୍ଞାନ ଏହାକୁ ସମର୍ଥନ କରେ !!! (ସୂର୍ଯ୍ୟପ୍ରଭାରେ ପୂର୍ବ ପ୍ରକାଶିତ)

Post a Comment

1 Comments

  1. Sarbeswar das10/20/2017

    ଖୁବ ଶିକ୍ଷଣୀୟ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।