Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରୂପସୀ ଚିଲିକା - ଧ୍ରୁବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

ସ୍ଵପ୍ନମୟୀ ତୁହି ସୁନ୍ଦରୀ ରୂପସୀ
ପ୍ରକୃତିର ମହାରାଣୀ
ନୀଳ ନୀଳ ଢେଭ ସଜାଇ ତନୁରେ
ଲାଗୁଛୁ ଚାରୁ ତରୁଣୀ ॥

ମରାଳର ମାଳ କରି ରୂପା ହାର
ପିନ୍ଧିଛୁ ଗଳାରେ ଘେରି
ସମୀର ବହନ୍ତେ ଝୁଲି ନାଚୁଥାଉ
ସତେ କିବା ଅପସରୀ ॥


ସୁନେଲୀ ସକାଳେ ପଖାଳୁଛୁ ଦେହ
ରାତିର ବସନ ଧୋଇ
ନିତି ସଞ୍ଜ ବେଳେ ପ୍ରଣାମ କରୁଛୁ
ରବି ହସୁଥିଲେ ଉଇଁ ॥

ଗୋଧୂଳି ଲଗନେ ତୋ ରୂପ ଲାଗଇ
ସତେ ଅବା ଅପରୂପା
ବିହଙ୍ଗମ ମାଳେ ଶୁଣୁଛୁ ରାଗିଣୀ
ମନ ତୋର ସ୍ଵର୍ଣ୍ଣ ଚମ୍ପା ॥


ପୂର୍ଣ୍ଣିମାର ଉଷା ଢାଳଇ ଜୋଛନା
ତୋ ଯୁବା ବୟସ ଦେଖି
ରାତିର ଶେଯରେ ଶୋଇ ଚେଇଁ ଥାଉ
ଲାଗୁ ତୁ ବଡ ପ୍ରେୟସୀ ॥

ପ୍ରୀତିମୟୀ ଲାଗେ ତୋ ବେଶ ମାଧୁରୀ
ଶୀତଳତା ବହେ ଅଙ୍ଗେ
ତୋର ରୂପ ଯୌବନ ଦେଖିଦେଲେ ଥରେ
ମନ ଲାଗଇ ସର୍ବାଙ୍ଗେ ॥


କବି ଭାବୁକଙ୍କ ମନର ମାନସୀ
ହୃଦୟ ନୌକାରେ ବସି
ଲେଖିଦେଉ କେତେ କାହାଣୀ କବିତା
ମନେ ମନେ ହୋଇ ଖୁସି ॥

ରୂପରେ ଭରିଛି କେତେ ଅତୀତର
ଅଭୁଲା ପୀରତି ପ୍ରେମ
ସଦା ହସୁଥାଉ ପ୍ରକୃତିର କୋଳେ
ମେନକା ଉର୍ବଶୀ ସମ ॥


ସୌନ୍ଦର୍ଯ୍ୟର ଲାଗି ଅଟୁ ଗନ୍ତାଘର
ମନକୁ ଟାଣୁ ତୁ ଏକା
ଚାରୂକଳା ଭରା ଏସିଆ ସୁନ୍ଦରୀ
ନୂଆ ବୋହୂ ତୁ ଚିଲିକା ॥

Post a Comment

2 Comments

  1. ଧ୍ରୁବ ଚରଣ ବେହେରା10/27/2017

    ଶରତ ଗୋଧୂଳି

    ଶରତ ଗୋଧୂଳି ହସୁଛି ଧରାରେ
    ସବୁଜିମା ସଖୀ ମେଳେ
    ସୂରୁଯ କିରଣେ ଲାଜେଇ ଧରଣୀ
    ଓଢଣା ଢାଙ୍କିଛି ଛଳେ ।।
    କିଛିକ୍ଷଣ ଲାଗି ସୁନା ବସନରେ
    ସଜାଇଛି ଦେହ ତାର
    ସଂନ୍ଧ୍ଯା ଚାଲିଯିବ ଚୁମ୍ବନ ଟେ ଦେଇ
    ହେବ ସେ ଆଉ କାହାର ।।
    ଏମିତି ବେଳରେ ଅଗଣାଟି ତାର
    ଲାଗଇ ରଙ୍ଗ ମହଲ
    ବିହଙ୍ଗମ ମାଳେ ଶୁଣେ ସେ ରାଗିଣୀ
    ଦିଶେ ବଡ ଝଲମଲ ।।
    କାଶତଣ୍ଡି ନାଚେ ବିଲ ହୁଡାମାଳେ
    ଦେଖି ଏହି ସ୍ଵୟଂମ୍ବର
    ସମୀର ସାଥିରେ ମାତୁଥାଏ ସିଏ
    କହେ ମତୁଆଲା ଗୀର ।।
    ଅଭୟ ଦାୟିନୀ ଶକ୍ତି ପ୍ରଦାୟନୀ
    ଆସିଛନ୍ତି ଧରା ଧାମେ
    ଅଲୌକିକ ଧାରା ଢାଳି ଦେବ ବସି
    ଚାନ୍ଦିର ମେଢ ଉପରେ ।।
    ସିନଗ୍ଧ ଶରତର ଗୋଧୂଳି ବେଳରେ
    ଦୋଳିଖେଳ ପ୍ରାଣୀ ମନ
    ଲାଗୁଥାଏ ସତେ ଏ ମର୍ତ୍ତ୍ୟ ଭୂବନ
    ଦେବ ନନ୍ଦନକାନନ ।।
    ଏମିତି ମୂହୁର୍ତ୍ତେ ଗାଁଆ ଶୋଭାଦିଶେ
    ସାଧବ ବୋହୂ କି ପରୀ
    ଶରତ କାଳୀନ ଗୋଧୂଳି ବେଳକୁ
    ହେବନି ମନୁ ପାଶୋରି ।।

    ReplyDelete
  2. […] ଏହାର ପୂର୍ବ ପ୍ରକାଶିତ ପ୍ରଥମଭାଗଟି ପଢନ୍ତ… […]

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।