Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭାରତୀୟ ଦର୍ଶନରେ ଯୋଗ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟାପକ, ଓଡିଆ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ଯୋଗଭ୍ୟଃ କୁରୁକର୍ମାଣି ସଂଗୀକ୍ତ୍ୱା ଧନଂଜୟଙ୍ଖ
ସିଦ୍ଧା ସିଦ୍ଧୋ ସମାଭୁତ୍ୱା ସମତ୍ୱଂ ଯୋଗ ମୁଚ୍ୟତେ ।


ମହର୍ଷି ପାତାଞ୍ଜଳିଙ୍କ ମତାନୁଯାୟୀ ଚିତ୍ତ ବା ମନର କର୍ମକୁ ନିରୋଧ କରିବା ହିଁ ଯୋଗ । ଗୀତାରେ ଦୁଃଖ ସଂଯୋଗ ଓ ବିୟୋଗରେ ନିର୍ଲିପ୍ତଭାବକୁ ଯୋଗବୋଲି ବୁଝାଯାଇଛି, ସେଥିରେ ଆହୁରି ମଧ୍ୟ କୁହାଯାଇଛି 'ଯୋଗକର୍ମସୁ କୌଶଳମ୍' ଅର୍ଥାତ୍ କର୍ମ ସାଧନର କୌଶଳହିଁ ଯୋଗ । ସାର୍ ଜନ ଉଡ୍ରଫଙ୍କ ମତରେ ଯାହା ସାହାଯ୍ୟରେ ମନୁଷ୍ୟ ତା'ର ଅନ୍ତର୍ନିହିତ ଶକ୍ତି ବା ପରମାତ୍ମାଙ୍କୁ ଉପଲବ୍ଧି କରିବାକୁ ସମର୍ଥ ହୋଇପାରେ ତାହାହିଁ ଯୋଗ । ଆଗମବାଦୀମାନେ କହନ୍ତି 'ଶକ୍ତିଜ୍ଞାନହିଁ (ଙ୍ଗ୍ୟାନ) ଯୋଗ', ସେଇଭଳି ପ୍ରକୃତିବାଦୀଙ୍କ ମତରେ 'ଶିବଶକ୍ତି ଜ୍ଞାନହିଁ ଯୋଗ । ଅନ୍ୟ କେତେକଙ୍କ ମତରେ ଶିବ ଏବଂ ଆତ୍ମାର ଏକତ୍ୱ ଜ୍ଞାନହିଁ (ଙ୍ଗ୍ୟାନ) ଯୋଗ । ଏପରିକି ଶିବପୁରାଣରେ କୁହାଯାଇଛି ସକଳ ବୃତ୍ତିର ନିଶ୍ଚଳତାହିଁ ଯୋଗ । ସ୍କନ୍ଦପୁରାଣ ଅନୁସାରେ ଆତ୍ମାକୁ ଜ୍ଞାନ (ଙ୍ଗ୍ୟାନ) ମୁକ୍ତି ଦିଏ ଓ ଏହା କେବଳ ଯୋଗ ଦ୍ୱାରା ସମ୍ଭବ ହୋଇଥାଏ । ଯୋଗର ଆଠଟି ଅଙ୍ଗ । ସେଗୁଡିକ ହେଉଛି- ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି । ଯମ, ନିୟମକୁ ବାଦ ଦେଇ କେହିକେହି ଅନ୍ୟ ଛ'ଟି ଅଙ୍ଗକୁ ଗ୍ରହଣ କରିଥାନ୍ତି । ସେପରି ମଧ୍ୟ ଯୋଗର ସପ୍ତଅଙ୍ଗ କଥା କୁହାଯାଇଛି, ସେସବୁ ଯଥା- ଷଢକର୍ମ, ଆସନଦ୍ୱାରା ଦୃଢତା, ମୁଦ୍ରାଦ୍ୱାରା ସ୍ଥୈର୍ଯ୍ୟ, ପ୍ରତ୍ୟାହାର ଦ୍ୱାରା ଧୀରତା, ପ୍ରାଣାୟାମ ଦ୍ୱାରା ଲଘବ, ଧ୍ୟାନ ଦ୍ୱାରା ଆତ୍ମ ସାକ୍ଷାତକାର, ସମାଧି ଦ୍ୱାରା ନିର୍ଲିପ୍ତତା ଓ ମୁକ୍ତି ପ୍ରାପ୍ତ ହୁଏ । ଏହାର ସାଧନ ଭୂମି ହେଉଛି ମନୁଷ୍ୟର ଶରୀର । ଏହି ଯୋଗ ଓ ଶରୀର ସାଧନା ଦ୍ୱାରା ମୁକ୍ତି (ନିର୍ବାଣ) ମିଳେ । ଯୋଗହିଁ ସକଳ ଶକ୍ତିର ଆଧାର ଓ ମୁକ୍ତିର ମାର୍ଗ, ଶାନ୍ତି ଓ ପବିତ୍ରତାର ମହାଭାବ । ତେଣୁ ଦେହ ମନକୁ ଶୁଦ୍ଧପୂତ, ପ୍ରଫୁଲ୍ଲିତ କରିବା ନିମନ୍ତେ ନିତ୍ୟଯୋଗାଭ୍ୟାସ ଓ ଶରୀର ସାଧନାର ଆବଶ୍ୟକ ଯଥେଷ୍ଟ ରହିଛି ।


ସାରଳା ଦାସଙ୍କ ମହାଭାରତରେ ସପ୍ତାଙ୍ଗ ଯୋଗ ସମୀରସାଧନା ଭାବେ ଦର୍ଶାଯାଇଛି । ଏପରିକି ବଜ୍ରଯାନ ଓ ସହଜଯାନ ପ୍ରଭୃତି ତାନ୍ତ୍ରିକ ବୌଦ୍ଧଧର୍ମରେ ଏହି ସମୀରସାଧନାକୁ ଯୋଗରୂପେ ଗୃହୀତ ହୋଇଛି । ଏଥିରେ ସପ୍ତବାରର ନିଶ୍ୱାସ ପ୍ରଶ୍ୱାସର ଗତାଗତକୁ ସିଦ୍ଧାନ୍ତ ରୂପେ ଦର୍ଶାଯାଇଛି । ଇଡା, ପିଅଁଳା ଓ ସୁଷୁମ୍ନା ନାଡିରେ ଶ୍ୱାସ ପ୍ରଶ୍ୱାସ ଏହି ସାତ ଦିନରେ ବିଭିନ୍ନ ସମୟରେ ଉବୟ ହେବା କୁହାଯାଇଛି । ଶନି, ରବି, ଗୁରୁ ଓ ମଂଗଳ ବାରରେ ପିଙ୍ଗଳା ନାଡିରେ (ଡାହାଣପଟପୁଡା) ଓ ଶୁକ୍ର, ସୋମ ଓ ବୁଧବାରରେ ବାମଭାଗରେ ପବନ ପ୍ରବାହିତ ହୋଇଥାଏ ବୋଲି କୁହାଯାଇଛି । କିନ୍ତୁ ସାରଳା ଦାସ ତାଙ୍କ ମହାଭାରତରେ ଇଡା, ପିଅଁଳା ଓ ସୁଷୁମ୍ନାକୁ ହଂସ, ସୁହଂସ ଓ ପରମହଂସ ଭାବେ ନାମିତ କରି ଆହାର, ନିଦ୍ରା ଓ ମୈଥୁନର କାଳନିର୍ଦ୍ଦେଶ କରିଛନ୍ତି । ଏହାର ଲକ୍ଷ୍ୟ କାଳକୁ ଜୟକରି ପିଣ୍ତକୁ ବହୁକାଳ ବଂଚାଇ ରଖିବା ।


ସେହିପରି ପଂଚସଖା ଯୁଗରେ ମଧ୍ୟ ସପ୍ତାଙ୍ଗ ଯୋଗସାରଟୀକା, ଯଶୋବନ୍ତ ଦାସଙ୍କ 'ଶିବ ସ୍ୱରଦୋୟ', ଏପରିକି ହରିଦାସଂକ 'ସ୍ୱରସାର' ଗ୍ରନ୍ଥରେ ସପ୍ତାଙ୍ଗକୁ ସାତବାର ଯୋଗ କୁହାଯାଇଛି । ସେ ସମୟରେ ଓଡିଆ ସାଧକମାନେ ଯୋଗ ଉପରେ ଅଧିକ ଗୁରୁତ୍ୱ ଦେବା ଲକ୍ଷ୍ୟ କରାଯାଏ । ଯୋଗ ଏକ ଅନ୍ତର୍ମୁଖୀ ସାଧନା । ଏହାର ପାଂଚଟି ଅଂଗ ଅଛି, ସେଗୁଡିକ ଯଥା- ଯମ, ନିୟମ, ଆସନ, ପ୍ରାଣାୟାମ ଓ ପ୍ରତ୍ୟାହାର ବହିଃରଙ୍ଗ ସାଧନା, କିନ୍ତୁ ଶେଷ ତିନି ଅଙ୍ଗଧାରଣା, ଧ୍ୟାନ ଓ ସମାଧି ହେଉଛି ଅନ୍ତରଙ୍ଗ ସାଧନା । ଏପରି ମଧ୍ୟ କୁହାଯାଇଛି ସମ୍ଭୋଗଯୋଗ (Sexo-yogic) ସାଧନା ଦ୍ୱାରା ସମ୍ଭୋଗସୁଖ ମହାସୁଖରେ ପରିଣତ ହୋଇଥାଏ ଓ ତାହା ହେଉଛି ସାଧନାର ନିର୍ବାଣ ଅବସ୍ଥା । କିନ୍ତୁ ଯୋଗ ସାଧନାରେ ଶରୀର ଭିତରେ ନାନା ଚକ୍ରର ଅବସ୍ଥାନ ଓ ସେଥିରେ ବିଭିନ୍ନ ପଦ୍ମ, ଦେବତା, ବୀଜମନ୍ତ୍ର ଓ ନାଡି ଆଦି ସଂଖ୍ୟାର ପରିକଳ୍ପନା କରାଯାଇଛି, ଯାହା ବୌଦ୍ଧତନ୍ତ୍ର ସହ ସମାନ ।


ଆହୁରି ମଧ୍ୟ ଏହି ସାଧନା ପ୍ରଣାଳୀରେ କାୟା ସାଧନାକୁ ସର୍ବଶ୍ରେଷ୍ଠ ଧରାଯାଇଛି । ଏହା ମୁଖ୍ୟତଃ ହଠଯୋଗୀ ବା ନାଥ ଯୋଗୀମାନଙ୍କ ସାଧନ ପଦ୍ଧତି । ଶରୀରକୁ ଛଥଟି ଚକ୍ରର ପରିକଳ୍ପନା କରାଯାଇଛି, ଯଥା- ମୂଳାଧାରଚକ୍ର, ସ୍ୱାଧିଷ୍ଠାନଚକ୍ର, ମଣିପୁର, ଅନାହତ, ବିଶୁଦ୍ଧ ଓ ଆଜ୍ଞାଚକ୍ର । ଶରୀରରେ ପ୍ରବାହିତ ଅସଂଖ୍ୟ ଇଡା, ପିଙ୍ଗଳା ଓ ଏ ଉଭୟ ମଧ୍ୟରେ ଥିବା ସୁଷୁମ୍ନା ନାଡୀ ପ୍ରଧାନ । ମୁଖ୍ୟତଃ ଏମାନେ ମୂଳଧାର ଠାରୁ ପୃଥକ ପୃଥକ ପ୍ରବାହିତ ହୋଇ ଆଜ୍ଞାଚକ୍ରଠାରେ ପୁନଶ୍ଚ ମିଳିତ ହୋଇଛନ୍ତି । ଯୋଗ ସାଧନାରେ ଇଡା ଓ ପିଙ୍ଗଳା ଏ ଉଭୟ ନାଡୀରେ ପ୍ରବାହିତ ବାୟୁକୁ ରୋଧକରି ପ୍ରାଣ-ପବନକୁ ସୁଷୁମ୍ନା ନାଡୀ ଚାଳନା କରିବାକୁ ହୁଏ, ମୂଳାଧାର ଚକ୍ରଠାରେ କୁଣ୍ତଳିନୀ ଶକ୍ତି କୁଣ୍ତଳାକାରରେ ସୁପ୍ତାବସ୍ଥାରେ ରହିଥାଏ, କିନ୍ତୁ ସାଧନା ବଳରେ ଯୋଗୀ ଏହି ଶକ୍ତିର ମୁଖକୁ ସୁଷୁମ୍ନା ନାଡୀ ଭିତରେ ପ୍ରବେଶ କରାଇ ତାକୁ ଉପରକୁ ତାଳନା କରେ । ଶରୀର ଭିତରେ ଥିବା ଷଟ୍ ଚକ୍ରକୁ ଭେଦକରି କୁଣ୍ତଳିନୀ ଶକ୍ତିକୁ ବ୍ରହ୍ମନାଡୀ ମଧ୍ୟରେ ଆଜ୍ଞାଚକ୍ର ପର୍ଯ୍ୟନ୍ତ ନେଇ ଖେଚରୀ ମୁଦ୍ରା ସାହାଯ୍ୟରେ ଯୋଗୀ ପାନକରେ । ଯାହାଫଳରେ ସେ ନିରାକାର ଶୂନ୍ୟପୁରୁଷ ବା ଅନ୍ୟାର୍ଥରେ ପରମ ପୁରୁଷଙ୍କ ବର୍ଶନ ଓ ସାନ୍ନିଧ୍ୟ ପାଏ । ସାରଳା ମହାଭାରତରେ ଉଲ୍ଲେଖ ଅଛି ପ୍ରାଣାୟାମ ଦ୍ୱାରା ଅଧୋମୁଖୀ କୁଣ୍ତଳିନୀ ଶକ୍ତିକୁ ଉର୍ଦ୍ଧ୍ୱଗାମୀ କରାଇ ସୁଷୁମ୍ନାସ୍ଥିତ ଷଡଚକ୍ର ଭେଦ ପୂର୍ବକ ମସ୍ତକସ୍ଥିତ ସହସ୍ରାର ଚକ୍ରରେ ଅଣାକାର ପୁରୂଷଙ୍କ ଦର୍ଶନ ମିଳିଥାଏ ।


ଏପରିକି ବିଶ୍ୱାସ ରହିଛି ବ୍ରହ୍ମଜ୍ଞାନ ଲାଭର ପ୍ରଧାନ ସାଧନମାର୍ଗ ହେଉଛି ଯୋଗମାର୍ଗ । ବ୍ରହ୍ମଜ୍ଞାନ ବା ବ୍ରହ୍ମବିଦ୍ୟା ପ୍ରସଙ୍ଗରେ ଯୋଗର ସର୍ବମାନ୍ୟତା ସର୍ବତ୍ର ସ୍ୱୀକୃତ ଲାଭ କରିଛି । ଏହାର ସାଧନ ପଦ୍ଧତି ଯୋଗଭିତ୍ତିକ । ପ୍ରାଣ ବା ପବନ ପରି ମନ ମଧ୍ୟ ସର୍ବଦା ଚଳଚଞ୍ଚଳ । ଏହି ଚିତ୍ତ ଚାଞ୍ଚଲ୍ୟତାହିଁ ସକଳ ଦୁଃଖର ମୁଖ୍ୟ କାରଣ ପାଲଟେ । ଏହାର ସ୍ଥିରତା ଆଣିବା ପାଇଁ ମନ ଓ ପବନର ସଂଯମ ବା ନିୟନ୍ତ୍ରଣର ଆବଶ୍ୟକ ରହିଛି । ମନ ସ୍ଥିର ରହିଲେ ପବନ ସ୍ଥିର ରହେ । ତେଣୁ ଯୋଗୀ ଇଡା ଓ ପିଙ୍ଗଳାରେ ସର୍ବଦା ଗତିଶୀଳ ପବନକୂ ସଂଯତ କରି ଉଭୟ ପବନକୁ ଏକ କରି ମନ ସହିତ ବ୍ରହ୍ମ ଦ୍ୱାର ପଥରେ ସୁଷୁମ୍ନା ନାଡୀରେ ପ୍ରବାହିତ କରାଏ । ମେରୁଦଣ୍ତର ମୂଳଭାଗରେ କନ୍ଦକୁ ପରିବେଷ୍ଟନ କରି କୁଣ୍ତଳିନୀ ଶକ୍ତି ସର୍ପାକାରରେ ଶୟନ କରିଥିବା ବେଳେ ବ୍ରହ୍ମ ଦ୍ୱାରକୁ ବନ୍ଦ କରିଦିଏ । ଯୋଗୀ ତାର ସାଧନା ବଳରେ ଏହି ଶକ୍ତିକୁ ଜାଗ୍ରତ କରାଏ ଓ ମନପବନ ସହିତ କୁଣ୍ତଳିନୀ ସହିତ ତାକୁ ଏହି ମୁଳାଧାର ଚକ୍ରରୁ ସୁଷୁମ୍ନା ନାଡିରେ ଉର୍ଦ୍ଧ୍ୱକୁ ଉତ୍ତୋଳନ କରିଥାଏ । ମନପବନ ସହିତ କୁଣ୍ତଳିନୀ ଶକ୍ତି ପରିଶେଷରେ ମସ୍ତକସ୍ଥ ସହସ୍ରାରେ ଥିବା ବହ୍ମରନ୍ଧ୍ର ନିକଟକୁ ଉତ୍ତୋଳିତ ହୋଇଥାଏ । ଏ ରନ୍ଧ୍ର ଭେଦ ହେଲେ ସହସ୍ର ଦଳ କମଳରେ ବିରାଜମାନ କରୁଥିବା ପରମଶିବଂକ ସହିତ କୁଣ୍ତଳିନୀ ଶକ୍ତିର ମିଳନ ଘଟିଥାଏ । ଏ ସଂପର୍କରେ ବିଭିନ୍ନ ଉପନିଷଦରେ ଉଲ୍ଲେଖ ରହିଛି । ଏହି ଯୋଗସାଧନା ସଂପର୍କରେ S.Das Gupta ଲେଖିଛନ୍ତି- ''Yogic Sadhana therefore consists essentially in a process of psychological discipline against a moral back ground."


Post a Comment

1 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା10/10/2017

    ଖୁବ ସୁନ୍ଦର ଆଉ ଉପାଦେୟ ରଚନା । ସୁସ୍ଥ ଆଉ ପରିପୂର୍ଣ୍ଣ ଜୀବନଚର୍ଯ୍ୟା ନିମନ୍ତେ ଯୋଗ ର ଉପାଦେୟତା ଏବଂ ଭାରତୀୟ ଦର୍ଶନରେ ଯୋଗ ର ସ୍ଥିତିକୁ ନେଇ ନିବନ୍ଧଟିର ବିଶ୍ଲେଷଣ ଖୁବ ଶିକ୍ଷଣୀୟ ।

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।