Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅସ୍ତ ବେଳ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨
ଦୂରଭାଷ - ୭୯୭୮୧୯୨୨୨୭

ଜଣ ଜଣ କରି ସୁଖମାନେ ହରି
ନେଲେଣି ଛଡାଇ ରଙ୍ଗ
ହାତ ମୋର ଛାଡି ଦୂରେ ଗଲେ ମାଡି
ମୋହ ତ ହେଲାଣି ଭଙ୍ଗ ।
ଆକୁଳତା ଘନ ଆଚ୍ଛାଦିତ ମନ
ପାରିଲନି ସିନା ଜାଣି
ସରିଲାଣି ଲେଖା ପଡିଲାଣି ଦେଖା
ଫାଟିଲା ରକତ ପାଣି ।
ହୃଦୟରୁ ଘାଣ୍ଟି ଦେଇଥିଲି ବାଣ୍ଟି
ଯେତେକ ଭାବ ବନ୍ଧନ
ରହିଲେ ନିଥରେ ଢାଳିବନି ଥରେ
ଲୋତକ କରି କ୍ରନ୍ଦନ ।
ମୋତେ ପାଇବନି ବୋଲି ଖାଇବନି
ଓଳିଏ ଦି'ଓଳି ସିନା
ନ ପଡିବି ଧରା କହିଦେଲି ପରା
ଉଡିଯିବି ତୁମ ବିନା ।
ପାଖୁଡାକୁ ମେଲି ଫୁଲରୁ ମୁଁ ନେଲି
କିଚିରି ମିଚିରି କରି
ଯେତେ ଯାକ ମଧୁ ଓଷ୍ଠେ ରାତି ଅଧୁ
ସକାଳେ ଯାଇଛି ସରି ।
କରିଛି ସହନ ଦୁଃଖର ଦହନ
କରିଲା କରମ ଫଳ
ପରମାର୍ଥ ହିତେ ଯେତେକ ମୋ ଚିତ୍ତେ
ସେହି ମୋ ଧରମ ବଳ ।
ଯାଇ ଦେଖି ଆସ ମଳିନ ମୋ ବାସ
ଅଳଗୁଣିଟାରୁ ଝୁଲି
ଛାଡିଲାଣି ବାସ ବିତେ ଦିନ ମାସ
ସତ୍ୟକୁ ନଯାଅ ଭୁଲି ।
ଅରଜିଲି ଯାହା ତୋଳି ଦୁଇ ବାହା
ଛାଡି ମୁଁ ଯାଉଛି ସବୁ
ନହେବ ତ ଘାରି ଗଲେ ଆର ପାରି
ଯିବି ଖାଲି ହାତେ ଭବୁ ।
ପୋତି ମନମଞ୍ଜି ଯାହା ସାଥେ ରଞ୍ଜି
ସାଇତିଛି ଶେଷ ପୁଞ୍ଜି
ଗଜୁରିବ ରଞ୍ଜି ସଂସ୍କାର ଏ ଖଞ୍ଜି
ସେତିକି ହିଁ ହେବ ଭୁଞ୍ଜି ।
ପାଇ ନୂଆ ଶକ୍ତି ତୁଟାଇ ଆସକ୍ତି
ଯାଉ ଯାଉ ହସି ହସି
ଫେଡି ଅବସାଦ ନିର୍ମାଲ୍ୟ ପ୍ରସାଦ
ତୁଣ୍ଡେ ଦେବ ପାଶେ ବସି ।

Post a Comment

0 Comments