Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଭୁଲ ଠିକଣା

କିଶୋର କୁମାର ପଣ୍ଡା
ବଖରାବାଦ, ବାଲିକୁଦା, ଜଗତସିଂହପୁର
ଦୂରଭାଷ - ୮୬୫୮୪୧୭୧୫୮

ଖବର କାଗଜରୁ ମୋ କବିତା ପଢି ସୁଲଗ୍ନା ନାମ୍ନୀ ଝିଅଟି ଯେ ଏତେ ଭାବପ୍ରବଣ ହୋଇ ପଡ଼ିବ, ତାହା ଥିଲା ମୋ କଳ୍ପନାର ଏକବାର ବାହାରେ । ତଥାପି ବହୁତ ଖୁସୀ ଲାଗିଥିଲା ସେଦିନ । ଯାହାହେଉ ମୋ କଳ୍ପନା ଆଉ କାହା ଭାବନାକୁ ବ୍ୟକ୍ତ କରୁଛି । କାହାର ମନକୁ ବି ମୋ ସହ ଯୋଡ଼ି ରଖୁଛି ଦିନସାରା । କେଜାଣି କାହିଁକି ସେ ଦିନ ସାରା ମୁଁ ବି କେବଳ ସୁଲଗ୍ନା ମନସ୍କ ହେଇଗଲି । ଦେଖିବାକୁ କେମିତି ହୋଇଥିବ ?? ମୋତେନେଇ କ'ଣ ସବୁ ଭାବୁଥିବ ସେ । ରାତିସାରା ଠିକ୍ ସେ ନିଦ ବି ହେଲାନି ମୋତେ । ତାକୁ ଭାବି ଭାବି ଦୁଇଟି ଚମତ୍କାର କବିତା କେତେବେଳେ ଯେ ଲେଖିଦେଇଛି ସେ କଥା ମୋତେ ଜଣାନାହିଁ । ଏଇ କିଛି ଦିନ ହେଲା ଲାଗୁଛି ଅନେକ ପରିବର୍ତନ ହୋଇଯାଇଛି ମୁଁ । ଆଗରୁ କେବଳ କବିତା ହିଁ ଥିଲା ମୋ ଜୀବନରେ କିନ୍ତୁ ଏବେ ବଂଚିବା ପାଇଁ ଆଉ ଗୋଟିଏ କାରଣ ମିଳି ଯାଇଛି ମୋତେ। ସୁଲଗ୍ନାର ଚିଠିକୁ ଅପେକ୍ଷା କରି କରି ଦିନ ସବୁ କେମିତି ଚାଲିଯାଏ ମୁଁ ଜାଣି ପାରୁନି । ଏଇତ, ଡାକପିଅନ ଆସୁଛି.. ବୋଧ ହୁଏ ସୁଲଗ୍ନାର ଚିଠି ଆଣି ଆସିଥିବ । କାରଣ ଏଇ କିଛିଦିନ ହେଲା ବରାବର ସୁଲଗ୍ନାର ଚିଠି ଆଣୁଛି ସେ । ତା’ଛଡ଼ା ମୋ ପାଖକୁ କେହି କେବେ ବି ଚିଠି ପଠେଇ ନାହାନ୍ତି ଯଦିଓ ମୋର ସବୁ ଲେଖାର ଶେଷରେ ନିଜ ଠିକଣା ଥାଏ ।


ହଁ ସୁଲଗ୍ନାର ଚିଠି । ଲଫାପାରେ ଲେଖାଥିବା ଅକ୍ଷରରୁ ହିଁ ଜଣାପଡ଼ିଗଲା । ଏଇ କିଛିଦିନ ଭିତରେ ଭାରି ଚିହ୍ନା ହୋଇ ଗଲେଣି ସେ ଅକ୍ଷରଗୁଡ଼ାକ । ଗୋଟିଏ ନିଃଶ୍ଵାସରେ ପଢ଼ିଗଲି ଚିଠିଟିକୁ । ଆଜି କାହିଁକି ଅନୁଭବ ହେଲା କି ସୁଲଗ୍ନା ଓ ମୋ ଭିତରେ ଥିବା ସାରସ୍ଵତ ସମ୍ପର୍କରେ କେଉଁଠି ନା କେଉଁଠି ପ୍ରେମର ରଙ୍ଗ ମାଖି ହୋଇଗଲାଣି । ଆଜିକାଲି ଭାରି ଖିଆଲ ରଖୁଛି ସେ ମୋର । ଠିକ୍ ସମୟରେ ଖାଉଛ ନା ନାହିଁ । ଦେହ ପା'ର ଯତ୍ନ ନେଉଛ ନା ନାହିଁ । ଅଧିକ ରାତି ଯାଏ ଲେଖାଲେଖି କରନି । ବାଟରେ ଗଲାବେଳେ ଅନ୍ୟମନସ୍କ ହୁଅନି ଇତ୍ୟାଦି ଇତ୍ୟାଦି । ମା ଗଲା ପରେ କେମିତି ଗୋଟେ ନିଃସଙ୍ଗତା ମୋତେ ଲେଖାଲେଖି କରିବା ପାଇଁ ଏକ ପ୍ରକାର ବାଧ୍ୟ କରୁଥିଲା । ଜୀବନରେ ଆଉ କାହାର ଆବଶ୍ୟକତା ହୁଏତ ହଜି ଯାଇଥିଲା । କେବଳ କବିତାକୁ ନେଇ ସାରା ଜୀବନ ବଞ୍ଚିଯିବି ବୋଲି ଭାବୁଥିଲି । କିନ୍ତୁ ଏଇ କିଛିଦିନ ହେଲା ମୋର ବିଶ୍ବାସ ଭାଙ୍ଗିଗଲା ପରି ଲାଗୁଛି । କାହାର ଅନୁପସ୍ଥିତି ମୋତେ ଉଦବେଳିତ କରୁଛି । କାହାର ଶୁଭାଗମନର ପ୍ରତୀକ୍ଷାରେ ମୋର ଦିନ କେତେବେଳେ ରାତିରେ ଓ ରାତି କେତେବେଳେ ଦିନରେ ପରିଣତ ହେଉଛି ସେ କଥା ମୋତେ ଜଣା ପଡ଼ୁନାହିଁ । କାହାର ଆବଶ୍ୟକତା ଅନାବଶ୍ୟକ ଭାବେ ବଢ଼ିବଢ଼ି ଚାଲିଛି ?? କିଏ ମୋତେ ଆନମନା କରୁଛି ?? କିଏ ମୋ ମନ, ମୋ ସ୍ଵପ୍ନ, ମୋ ଭାବନା, ମୋ ସମୟ ସବୁକିଛି ମୋ ଠାରୁ ଛଡ଼େଇ ନେଉଛି ?? ବୋଧହୁଏ ସୁଲଗ୍ନା.. !! ଥରୁଟିଏ ପଚାରିଥିଲି, "ମୋତେ ନ ଦେଖି ନ ଜାଣି ଏମିତି ଅନ୍ଧ ଭାବରେ ଭଲପାଇବା କଣ ଠିକ୍ ? କବିତାକୁ ନେଇ କଣ ବଞ୍ଚିହୁଏ ?? ହୁଏତ ମୁଁ ବଂଚିଯିବି । କାରଣ ମୁଁ କବି । ମୋର ବଞ୍ଚିବା ପାଇଁ ଦରକାର କଛି କାଗଜ ଓ କେତୋଟି କଲମ । ମୋ ଜୀବନର ଲକ୍ଷ୍ୟ ଖାଲି ଫର୍ଦ୍ଦ ଫର୍ଦ୍ଦ କବିତା । ହେଲେ ତୁମେ କଣ ଏତିକିରେ ବଞ୍ଚିପାରିବ ?? ତୁମ ଜୀବନର ଲକ୍ଷ୍ୟ କଣ ପୂରଣ କରି ପାରିବ ?? ତୁମେ କଣ ଅଳ୍ପରେ ସନ୍ତୁଷ୍ଟ ହେଇ ପାରିବ ?? ତେଣୁ ମୋତେ ଭଲ ପାଉଛ ଠିକ୍ ଅଛି । ମୋ ଲେଖା ତୁମ ହୃଦୟକୁ ଛୁଉଁଛି ସେ ବି ଠିକ୍ ହେଲେ ମୋତେ ନେଇ ସଂସାର ଗଢ଼ିବାର ଅଭିଳାଷକୁ ପରିତ୍ୟାଗ କର । କିନ୍ତୁ ନା, ସେ ଥିଲା ନଛୋଡ଼ବନ୍ଧା । କହିଲା- "ମୁଁ ଆପଣଙ୍କ ପ୍ରତିଭାକୁ ଭଲପାଏ । ଆପଣଙ୍କ ହୃଦୟର ଭାବନା ଗୁଡ଼ିକ ଆପଣଙ୍କର କବିତା ଗୁଡ଼ିକରେ ପ୍ରତିଫଳିତ ହୁଏ । ମୁଁ ଆପଣଙ୍କ ହୃଦୟକୁ ଭଲପାଏ । ଏବେ ସିନା ଏକୁଟିଆ ବଞ୍ଚି ଯାଉଛନ୍ତି ହେଲେ ସବୁଦିନେ କଣ ପାରିବେ ?? କେହି ତ ଜଣେ ଆପଣଙ୍କ ସାହାରା ହେବା ଦରକାର । ସେ କେହି ଜଣକ ମୁଁ କାହିଁକି ନ ହେବି । କୁହାଯାଏ ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ । ତେଣୁ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ମାଧ୍ୟମଟିଏ ମୁଁ ନ ହେବି କାହିଁକି ??


ତାର ଏଇ ଦୁଇପଦ କଥା ହିଁ ଗଢ଼ିଦେଲା ଆଉ ଗୋଟେ ସମ୍ପର୍କର ମହାସେତୁ । ଏବେ ମୁଁ ବି ତା ପାଖକୁ ଚିଠି ପଠାଉଥିଲି । ପ୍ରାୟ ପ୍ରତିଦିନ ଚିଠି ଦିଆନିଆ ଚାଲିଥିଲା । ଟେଲିଫୋନରେ ବି ବେଳେବେଳେ କଥା ହେଉଥିଲୁ । ହେଲେ ଚିଠି ଗୁଡ଼ିକ ହିଁ ଥିଲେ ଆମ ସମ୍ପର୍କର ମୁକସାକ୍ଷୀ । ନୀଡ଼ଠାରୁ ପକ୍ଷୀ ବା କେତେଦିନ ଆଲଗା ରହି ପାରିବ । ଦିନେ ସେ ହଠାତ୍ ଟେଲିଫୋନ କରି କହିଲା କି ଆସନ୍ତା ରବିବାର ଦିନ ଆପଣ ଘରେ ଥିବେ । କେଉଁଠିକୁ ବି ଯାଇ ନ ଥିବେ । ମୁଁ ଯାଇ ଆପଣଙ୍କ ଘରେ ପହଞ୍ଚିବି । ମୋ ମନ ଆକାଶରେ ପ୍ରେମର ସାତ ରଙ୍ଗ ଲାଗିଗଲା ବୋଧହୁଏ । ସ୍ଵପ୍ନମାନେ ଡ଼େଣାଝାଡ଼ି ଉଡ଼ି ଚାଲିଲେ ଦିଗବଳୟର ଏପାରିରୁ ସେପାରି.. । ରବିବାର ଆହୁରି ତିନିଦିନ ବାକି ଥାଏ । ଇଚ୍ଛା ହେଉଥିଲା କ୍ୟାଲେଣ୍ଡରରେ ଦିନ ଗୁଡ଼ିକ ପୃଷ୍ଠା ଲେଉଟିଲାପରି ବିତି ଯାଆନ୍ତା କି । କିନ୍ତୁ ହାଏ ପ୍ରତୀକ୍ଷାର ମୂହୁର୍ତ୍ତ ଗୁଡ଼ିକ କଇଁଛ ଠାରୁ ବି ଧିରେଧିରେ ଯାଏ । ପ୍ରତୀକ୍ଷା ଯେ କେତେ ଯନ୍ତ୍ରଣାଦାୟକ ମର୍ମେ ମର୍ମେ ଅନୁଭବ କରୁଥିଲି ମୁଁ । ଅନାଗତ ସୁଖଦ ଭବିଷ୍ୟତର ଆଗମନୀ ସଙ୍ଗୀତ ମୋ ହୃଦୟ ବୀଣାରେ ଝଂକୃତ ହେବାରେ ଲାଗିଥାଏ । ଆଜି ଶୁକ୍ରବାର । ଆଉ ଦୁଇ ଦିନ ପରେ ଜୀବନର ଆଉ ଗୋଟିଏ ନୂତନ ଅଧ୍ୟାୟର ପ୍ରଥମ ପୃଷ୍ଠାକୁ ଦୁହେଁ ମିଶି କେମିତି ପଢ଼ିବୁ ତାର ରିହର୍ସାଲ କରିକରି କେମିତି ଯେ ବିତିଗଲା ସେଦିନ ମୋଟେ ଜାଣିହେଲା ନାହିଁ । କାଲି ସୁଲଗ୍ନା ଆସିବ । କଣ ଭାବିବ ମୋ ଘରକୁ ଦେଖି । ହୃଦୟଟା ଏତେ ସଫା ହେଲେ ଘରଟା ଏତେ ଅପରିଷ୍କାର । ନା ନା ସେ ଏମିତି ଭାବିବା ପୂର୍ବରୁ ମୋତେ କିଛି କରିବାକୁ ପଡ଼ିବ । ଟେବୁଲ, ଚେୟାର, ବହି, ଖାତା, ଫୁଲଦାନୀ ସବୁ କିଛିସଜାଡ଼ି ରଖୁରଖୁ ଦିନ ବାରଟା ହୋଇ ଯାଇଥାଏ । କଲିଂବେଲର ଘଣ୍ଟି ମୋତେ ପ୍ରକୃତିସ୍ଥ କଲା । ସୁଲଗ୍ନା ମୋତେ ଆଉ ସରପ୍ରାଇଜ୍ ଦେବା ପାଇଁଗୋଟେ ଦିନ ଆଗରୁ ଆସିଯାଇ ନାହିଁତ ?? ଭାବୁଭାବୁ କେତେବେଳେ ଯାଇ ଦରଜାଟା ଖୋଲି ଦେଇଛି ମୋତେ ଜଣାନାହିଁ । -"ଆରେ ବବ୍ଲୁ ଯେ ଭିତରକୁ ଆସ । କବିତା ସଂକଳନଟା ଏତେଶୀଘ୍ର ପଢ଼ିଦେଲ । ହଉ ବସ । ମୁଁ ତୁମ ପାଇଁ କୋଲ୍ଡ଼ଡ଼୍ରୀଙ୍କସ୍ ଟିକେ ନେଇ ଆସୁଛି।"


ରାତି ନଅଟା । ଆଖି ଖୋଲି ଦେଖେତ ମୁଣ୍ତ ଉପରେ ଫ୍ୟାନ ଟା ଘିର୍ଘିର ହୋଇ ବୁଲୁଛି । ସାଲାଇନ୍ ବଟଲ୍ ରୁ ଟୋପେ ଟୋପେ ପାଣି ନଳୀ ଦେଇ ମୋ ଭିତରକୁ ଆସୁଛି । ଆଶ୍ଚର୍ଯ୍ୟ ! ଏଇଟା ବୋଧେ କେଉଁ ଏକ ଡ଼ାକ୍ତରଖାନାର କକ୍ଷ । ହେଲେ ମୁଁ ଏଠି କେମିତି ?? ନିଜକୁ ନିଜେ ପ୍ରଶ୍ନ କଲି । ଉଠି କରି ବସିବାକୁ ଶକ୍ତି ନଥାଏ । ତଥାପି ବସି ପଡ଼ିଲି ସେହି ବେଡ଼୍ ଉପରେ । ବବ୍ଲୁ କହୁଥାଏ ଉଠନ୍ତୁ ନାହିଁ ସାର୍ । ଡ଼ାକ୍ତର ମନା କରିଛନ୍ତି । ହେଲେ କଣ ହୋଇଛି ମୋର ?? ମୁଁ ଏଠି କାହିଁକି ?? ମୋ ପ୍ରଶ୍ନର ଶବ୍ଦଗୁଡ଼ିକ କାନ୍ଥରେ ପ୍ରତିଧ୍ଵନୀତ୍ଵ ହୋଇ ମୋ ପାଖକୁ ଫେରି ଆସୁଥାଏ । ତଥାପି ବବ୍ଲୁ ନିରୁତ୍ତର । କିଛି ସମୟ ପରେ କହିଲା -"ଆପଣ ରକ୍ତବାନ୍ତି କରି ହଠାତ୍ ଚେତା ହରାଇ ପଡ଼ିଲେ । ଆଉ ମୁଁ ଆପଣଙ୍କୁ ଏଠିକୁ ନେଇ ଆସିଛି ।" ଏତିକି ବେଳେ କେହି ଜଣେ ମୋ ପାଖକୁ ଆସିଲେ ବୋଧହୁଏ ଡ଼ାକ୍ତର । ମୁଁ କିଛି ପଚାରିବା ପୂର୍ବରୁ ସେ ଅନର୍ଗଳ କହି ଚାଲିଥିଲେ । ସେଥିରେ କିଛି ସାହିତ୍ୟିକ ଶବ୍ଦ ନଥିଲା । ଥିଲା କିଛି ସଂସାରୀକ ଶବ୍ଦ କିଛି ଯନ୍ତ୍ରଣାଦାୟକ ତଥା କିଛି ମୁକ୍ତିଦାୟକ ଶବ୍ଦ । ସେଥିରୁ ମୁଁ କିଛି ବୁଝି ପାରୁଥିଲି କିଛି ଅବୁଝା ବି ରହି ଯାଉଥିଲା, ତଥାପି ଯେତିକି ବୁଝିଥିଲି ସେତିକି ଯଥେଷ୍ଟଥିଲା । ଅନ୍ତତଃ ମୋ ପାଇଁ । ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି । କାରଣ ଆଉ ଦିନେ ଦୁଇ ଦିନ ପରେ ଏମିତି ଘଟିଥିଲେ ହୁଏତ ମୋ ଉପରେ କିଛି ପ୍ରଭାବ ପଡ଼ି ନଥାନ୍ତା । ହେଲେ ସୁଲଗ୍ନା ?? ସେ କଣ ବଞ୍ଚି ପାରିଥାନ୍ତା ଏତେବଡ଼ ଦୁର୍ଘଟଣାକୁ ସାମ୍ନାକରି । ବବ୍ଲୁକୁ ଡ଼ାକିଲି ସେ ଶୁଣିଲାନି । ବୋଧହୁଏ ସେ ପାଷାଣ ହୋଇ ଯାଇଥିଲା । ଆଉଥରେ ଡ଼ାକିଲି । ପାଖକୁ ଆସିଲା । ମୋ ମୁହଁକୁ ଚାହିଁପାରୁ ନଥାଏ । ଆଖିର ଲୁହ ସବୁ ବନ୍ଧ ଭାଙ୍ଗି ସାରିଥାଏ । ରୁମାଲରେ ଯେତେ ମୁହଁ ପୋଛିଲେ ବି ମୋ ପାଖରେ ଧରାପଡ଼ି ଯାଉଥାଏ ସେ । କହିଲି କାଲି ଜଣେ ମୋତେ ଭେଟିବାକୁ ଆସିବ । ତୁମେ ତା’କୁ ମୋ ବିଷୟରେ କିଛି ବି କହିବନି । କେବଳ କହିବ କି ସେ ଗେଟିଏ ଭୁଲ୍ ଠିକଣାରେ ପହଞ୍ଚିଛନ୍ତି । ଏଠି ଶେଖର ନାଁ ରେ କେହି ରହୁ ନାହାନ୍ତି କି ରହୁ ନ ଥିଲେ ମଧ୍ୟ । ସେ ବାଧ୍ୟ ଶିଶୁଟି ଭଳି ମୁଣ୍ତ ହଲାଇଲେ । କାଲି ସନ୍ଧ୍ୟାରେ ଆସିବି କହି ସେ ଚାଲିଗଲେ । ତାଙ୍କ ଯିବା ବାଟକୁ ମୁଁ ଚାହିଁ ରହିଥିଲି । ସୁଲଗ୍ନାକୁ ସିନା ସେ ଠକି ଦେବ ହେଲେ ନିଜକୁ କଣ ଠକି ପାରିବ ?? ହୁଏତ ନା ।


ରବିବାର ସକାଳ ନଅଟା । ଡାକ୍ତର ଆସି କିଛି ଔଷଧ ଦେଇ ଫେରି ଗଲେଣି । ପାଖ ବେଡ଼ରେ ବି କେହି ନାହାନ୍ତି । ଧିରେଧିରେ ଉଠିଲି । ସମସ୍ତଙ୍କ ନଜର ଆଢ଼ୁଆଳରେ ଚାଲି ଆସିଲି ଡ଼ାକ୍ତରଖାନା ଛାଡ଼ି । ରାଜରାସ୍ତା ଉପରେ ପାଦ ଦେଇ ଭାବୁଥିଲି ସୁଲଗ୍ନା ପାଇଁ ସିନା ମୋ ଠିକଣାଟା ଭୁଲ୍ ହେଇଗଲା, ହେଲେ ଏଠି କିଏ ବା ଠିକ ଠିକଣାରେ ପହଞ୍ଚି ପାରିଛି ???? ବବ୍ଲୁ ପାଇଁ ଡ଼ାକ୍ତରଖାନା ଭୁଲ୍ ଠିକଣା ଆଉ ମୋ ପାଇଁ ଏ ପୃଥିବୀଟା ଭୁଲ୍ ଠିକଣା । ଇଚ୍ଛାଥିଲା ମରିବାଯାଏଁ ତୁମ ଦୁଇ ଆଖିରେ ନିଜକୁ ଖୋଜୁଥିବି । ଏଇ ଛାତିରେ ତୁମକୁ ଲୁଚେଇ ରଖିବି ସାରା ଜୀବନ । ହେଲେ କଣ କରିବି । ଭଗବାନଙ୍କର ନିଷ୍ପତ୍ତି କିଛି ଅଲଗା ଥିଲା । ସବୁ ଆଶା ଆଶାରେ ରହିଗଲା । ସ୍ଵପ୍ନର ମୀନାର୍ ଚୁରମାର ହୋଇଗଲା । ଏବେ ତୁମରି ସ୍ମୃତିକୁ ନେଇ ବଞ୍ଚିବାକୁ ପଡ଼ିବ । କିନ୍ତୁ ତୁମେ ମୋତେ ଏତେ ଶୀଘ୍ର ଭୁଲ୍ ବୁଝିବ ବୋଲି ଆଶା କରି ନଥିଲି । ତଥାପି ମୁଁ ଖୁସୀ । ଏତେ ଖୁସୀ ଯାହା କେବେ ବର୍ଣ୍ଣନା କରାଯାଇ ନପାରେ । କଣ କରି ପାରିଥାନ୍ତି ମୁଁ ?? ମୋର ଆଉ ମାତ୍ର କିଛି ଦିନର ଖୁସୀ ପାଇଁ ତୁମକୁ ସାରା ଜୀବନ କନ୍ଦେଇ ପାରିନଥାନ୍ତି । ବରଂ ମୁଁ ଜୀବନର ଏଇ ଶେଷ କିଛିଦିନ ଲୁହ ପିଇ ପିଇ ବଞ୍ଚିପାରିବି । କୁହ ତ ଦେଖି ଯାହାକୁ ଏତେ ଭଲ ପାଉଥିଲି ତା ଆଖିର ଘୃଣାକୁ ସିନା ବରଦାସ୍ତ କରିଦେବି ହେଲେ ସେ ଆଖି ଦୁଇଟିର ଲୁହ କୁ କଣ ସହି ପାରିବି ମୁଁ ?? ନା ମୁଁ ପାରିବିନି । ତୁମ ଘୃଣାରେ ମୋର ଶାନ୍ତି ତୁମ ଅଭିଶାପରେ ମୋର ମୁକ୍ତି ।

Post a Comment

1 Comments

  1. Kishore Panda10/23/2017

    ଖୁବ୍ ସୁନ୍ଦର ସମ୍ପାଦିତ ଇ-ପତ୍ରିକାଟି
    ପଢ଼ିକି ଖୁସୀ ଲାଗିଲା

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।