Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ମହାବାତ୍ୟା ୧୯୯୯ ର ଅନୁଭୂତି - ଅକ୍ଷୟ ଓଝା



ମୁଁ ଦିଲ୍ଲୀ ରେ ଥାଏ । ସେଦିନ ୨୯ ଅକ୍ଟୋବର, ମୋ ବଡ଼ ପୁଅର ଜନ୍ମଦିନ ଥିଲା । ଜନ୍ମଦିନର ସାମାନ୍ୟ ପ୍ରସ୍ତୁତି ଚାଲିଥାଏ । ପଡ଼ୋଶୀ ଘର ପିଲାମାନେ ଘରେ ଏକତ୍ରିତ ହେଇଥାନ୍ତି । ହଠାତ ଟେଲିଭିଜନରେ ଘୋଷଣା କରାଗଲା ଯେ, ବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କରି ସାରିଛି । ସନ୍ଧ୍ୟା ୮:୪୦ ରେ ଓଡ଼ିଶାର ସମସ୍ତ ଟେଲିଭିଜନ ଓ ରେଡ଼ିଓ ପ୍ରସାରଣ ବନ୍ଦ ହେଇଗଲା । ସାରା ରାତି ପୁରା ଓଡିଶା ପ୍ରଳୟଙ୍କରୀ ତୋଫାନ କବଳରେ ପଡି ଯାଇଥିଲା । ଓଡ଼ିଶାର କୌଣସି ଖବର ନଥିଲା । କଳେଇ କୁଣ୍ଡା (ଝାଡ଼ଖଣ୍ଡ) ଆଗକୁ ନା ଟିଭି ରେପୋର୍ଟିଂ କରି ପାରୁନଥିଲା ନା ରେଡ଼ିଓ । ସାରା ଦୁନିଆଁରୁ ଓଡିଶା ବିଛିନ୍ନ ହେଇ ପଡିଥିଲା ମହାପ୍ରଳୟ ଭିତରେ ଓଡିଶା ମରଣର ହାହାକାର ଭିତରେ ତିଳ ତିଳ ମରୁଥିଲା । ଦୁଇଦିନ ବିତେଇବା ପରେ ଆମେ କେତେଜଣ ଓଡିଶା ବାହାରିଲୁ । ଦିଲ୍ଲୀ ରେଳ ଷ୍ଟେସନରେ ଓଡିଶା ବାହାରିଥିବା ଟ୍ରେନରେ ବିନା ଟିକେଟ ରେ ବସି ପଡ଼ିଲୁ । ଟ୍ରେନ ରେ ଟି.ଟି.ଆଇ. ଟିକେଟ ନ ମାଗି ଆମ ମାନଙ୍କୁ ବିସ୍କୁଟ ବାଣ୍ଟୁଥାନ୍ତି । ସମସ୍ତେ ଉଦାସ ହେଇ ଘରେ ପହଂଚିବାକୁ ବ୍ୟଗ୍ର ହେଇ ପଡୁଥାନ୍ତି । ଆମ ସାଙ୍ଗରେ ଜଣେ ଆର୍ମି ଅଫିସର ଚଣ୍ଡୀଗଡ଼ରୁ ଆସୁଥାନ୍ତି । ପାରାଦୀପ ପାଖାପାଖି ଏରସମା ଗାଁ ର । ସେ କେଉଁଠୁ ଖବର ପାଇଥାନ୍ତି ଯେ ତାଙ୍କ ଗାଁ ରେ କେହି ଜଣେ ହେଲେବି ବଞ୍ଚି ନାହାନ୍ତି । ଲୁହ ଗଡେଇ ପକାଉଥାନ୍ତି । ସମସ୍ତେ ଚୁପଚାପ ବସିଥାଉ । ଜାଗା ଜାଗା ଟ୍ରାକ ବଦଳେଇ ଟ୍ରେନ ସମ୍ବଲପୁର ଦେଇ ଓଡିଶା ଭିତରେ ପଶିଲା । ଢେଙ୍କାନାଳ ଓ କଟକ ମଝିରେ ଟ୍ରେନ ଚାଲିଥାଏ । ରାତି ସମୟ । ଆମେମାନେ ବାହାରକୁ ଉଙ୍କି ମାରି ଦେଖୁଥାଉ । ପୁରା ଓଡିଶା ଯେମିତି ଅନ୍ଧକାରମୟ ହେଇଯାଇଛି । ଗଛପତ୍ର ଭାଙ୍ଗି ପଡିଛି । ବିଜୁଳି ଖୁଣ୍ଟ ମୋଡ଼ିହେଇ ପଡିଛି । କରାଳ ବିଭତ୍ସ ଚେହେରା, ଉଜୁଡି ଯାଇଥିବା କ୍ଷେତ ଭଳି ଦିଶୁଥାଏ ଓଡିଶା । ଆଲୋକର କ୍ଷୀଣ ବିନ୍ଦୁଟିଏ ବି ନାହିଁ କେଉଁଠି । କଟକରେ ରାତି ୪ ଟାରେ ପହଂଚିଲୁ । ଟ୍ରେନରୁ ଓହ୍ଲେଇ ଆମେ ଗୋଟିଏ ଟାକସି ବନ୍ଦୋବସ୍ତ କଲୁ କେନ୍ଦ୍ରାପଡା ପର୍ଯ୍ୟନ୍ତ । ହଁ ନା କରି ଶେଷରେ ରାଜିହେଲା ଟାକସି ବାଲା ।

ଜଗତପୁର ଦେଇ ସାଲେପୁର ପହଂଚିଲୁ ବଡ କଷ୍ଟରେ । ରାସ୍ତାସଫା କାମ ଚାଲିଥାଏ । ଜାଗା ଜାଗା ଆମେ ଭାଙ୍ଗି ପଡିଥିବା ଗଛ ଗୁଡିକୁ ଉଠାଇ ଗାଡି ଆଗକୁ କରୁଥାଉ। ନିଶ୍ଚିନ୍ତକୋଇଲି ଓ କଟିକତା ମଝିରେ ଗଛ ସେମିତି ପଡିଥାଏ ରାସ୍ତା ଉପରେ । ନିଜେ ନିଜେ ଟଣା ଘୋଷରା କରି ଗଛ ଉଠେଇଲା ବେଳକୁ ଗୋଡ ତଳେ ମଲା ଶବ ଲାଗୁ ଥାଏ । ହାତରେ ମଲା ଶବକୁ ସାଇଡ କରି ରାସ୍ତା ବାହାର କରି କରି ସେଦିନ ୪ଟା ବେଳକୁ କେନ୍ଦ୍ରାପଡାରେ ପହଂଚିଲୁ । ତାପରେ ଅଟୋ କରି ଇନ୍ଦୁପୁର ଦେଇ ପଟ୍ଟାମୁଣ୍ଡାଇ ପହଂଚିଲୁ ୯ଟାରେ ଓ ଘରେ ପ୍ରାୟ ରାତି ଦଶଟାରେ । ଗାଁ ରୁ କେହି ହତାହତ ହେଇନଥିବାର ଖବର ପାଇଲି । କିନ୍ତୁ ଶହେ ଭାଗ ଚାଳ ଘର ଭାଙ୍ଗି ଯାଇଥାଏ । ପରଦିନ ମୋଟରସାଇକେଲ ନେଇ ସାଙ୍ଗ ସହିତ ପାରାଦୀପ ଯିବାକୁ ସ୍ଥିର କଲି । ବାହାରିଲୁ... ଚାଲିଲୁ... । ରାସ୍ତା କଡରେ ହଜାର ହଜାର ସଂଖ୍ୟାରେ ଗାଈ, ଛେଳି ଆଉ ମଣିଷଙ୍କର ଶବ । ଉଠେଇବାକୁ କେହି ନାହାନ୍ତି । ରାସ୍ତା ଯାକ ଦୁର୍ଗନ୍ଧ । ଜଣେ ଦୁଇଜଣ ସରକାରୀ କର୍ମଚାରୀ ବ୍ଲେଚିଂ ପାଉଡର ମୃତ ଶବ ଗୁଡିକ ଉପରେ ପକାଉଥାନ୍ତି । ଚାରିଆଡ଼େ ମୃତଦେହର କରାଳ ଦୃଶ୍ୟ । ପୁରା ଓଡ଼ିଶାର କାନ୍ଦ କାନ୍ଦ ମୁହଁ ମୋତେ ଦିଶି ଯାଉଥିଲା । ଭୁତମୁଣ୍ଡେଇର ୧୦ କିଲୋମିଟର ପୂର୍ବରୁ ଫେରିଲୁ । ଆଗକୁ ବଢିବାର ସାହସ ହେଲାନି । ନଈ ପାଣିରେ, କେନାଲ ଭିତରେ କୁଢ଼ କୁଢ଼ ଶବ, ଫୁଲି ଗଲେଣି, ଦୁର୍ଗନ୍ଧରେ ଫାଟି ପଡୁଥାଏ । କାନ୍ଦି ପକେଇଲି । ଜଗନ୍ନାଥଙ୍କୁ ହାତ ଯୋଡିଲି । କଣପାଇଁ କଲୁ ଏମିତି କଳିଆ ? କଣପାଇଁ ଓଡିଶାକୁ ଏ ଦଣ୍ଡ ଦେଲୁ ?? ଫେରିଲି ଘରକୁ । ମନେ ପଡ଼ିଲା ମୋ ପିଲାବେଳେ... ମା କୁହେ ଯୋଗନୀ ଆସିବେ, ବାରହାତ ଖଣ୍ଡା ବୁଲେଇବେ । କଲି ଯୁଗ ଶେଷ ହେବ । ଭୈରବ ରଡି ଦେବ । କେହି ବଂଚିବେନି । ମା କଥା ସତ ଲାଗୁଥିଲା ।

ଅକ୍ଷୟ ଓଝା
୧୭୩୮/୪, ସି.ସି.ଏ. ସ୍କୁଲ ପାଖ
ଗୁରୁଗାଓଁ, ହରିୟାଣା, ଦୂରଭାଷ: ୯୯୧୧୮୯୮୦୫୦

Post a Comment

0 Comments