Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଉତ୍କଳ ପ୍ରଣାମ

ତଥ୍ୟ - ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋରଧା
ଦୂରଭାଷ - ୭୮୯୪୬୬୮୩୫୬
(ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମତିଥି ଅବସରରେ ଲିଖିତ)


*ପିଲା ବେଳ ଓ ଛାତ୍ରାବସ୍ଥା*


ଗୋପବନ୍ଧୁ ଦାସ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାଶଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।


ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, 'କର୍ତ୍ତବ୍ୟ ବୋଧିନୀ ସମିତି' ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ଵାନ ଥିଲା, 'ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା, ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ' । ରମ୍ଭା ଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ଵାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ଵେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କଲେ ଓ କଲିକତାରେ ବି.ଏଲ ପଢ଼ିଲେ


ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ 'ଓଡ଼ିଆ ଶ୍ରମିକ ସଂଘ' ଓ 'ସାନ୍ଧ୍ୟ ବିଦ୍ୟାଳୟ' ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ଵିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।


*କର୍ମମୟ ଜୀବନ*


ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ଭକ୍ତକବି, ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ଵାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା


୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।


*ସମାଜ ସମ୍ବାଦ ପତ୍ର , ଓଡ଼ିଆ ଜାତି ପାଇଁ ଏକ ଅନୁଷ୍ଠାନ*


ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ସମାଜ' ।


ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । 'ସମାଜ' ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେ । ୧୯୩୦ ରେ 'ସାପ୍ତାହିକ ସମାଜ', 'ଦୈନିକ ସମାଜ' ରେ ପରିଣତ ହୋଇଥିଲା । 'ସମାଜ' ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ ।


ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ଵିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ, ଲାଲା ଲାଜପତ ରାୟ, ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।


*ଗୋପବନ୍ଧୁଙ୍କ ଅନ୍ତିମ ଜୀବନ*


୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବାପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ଵରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, 'ସମାଜ' ଓ 'ସତ୍ୟବାଦୀ ପ୍ରେସ'ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ. ୭:୨୫ ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ


*ରାଜନୀତି ଜୀବନ*


ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ।

Post a Comment

2 Comments

  1. Jayashree Dash, Puri10/10/2017

    Very nice collection

    ReplyDelete
  2. Prasanta Mahapatra10/10/2017

    Dhanyabad jayashree mam

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।