Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ପଚାଶ ଟଙ୍କା

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ- ୯୦୭୮୧୦୫୨୩୪
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଟିଟିଲାଗଡ଼


ଚତୁଃପାର୍ଶ୍ଵରେ ଚାଲିଛି ଘନକୁହୁଡିର ପ୍ରତିଯୋଗିତା, ଘଣ୍ଟା କଣ୍ଟା ୮ଟା'କୁ ଛୁଇଁବାକୁ ହେଉଛି ନିକଟରୁ ନିକଟତର, ମୁଁ ଆଉ ବାପା ବାରଣ୍ଡାରେ ବସିଛୁ । ମୁଁ ଆଖିବୁଲାଉଛି ପୁରୁଣା ଖବରକାଗଜ ଆଡକୁ ଆଉ ବାପା ଏକ ଚିଠି ଉପରେ, ଯାହାକି ଦୀପାବଳୀର ପୂର୍ବଦିନ ଏକ ଅଜଣା ଠିକଣାରୁ ଆସିଥାଏ ।


"ବାପା ମଣିଷପଣିଆ ଆଉ ନାହିଁ... ଏଇ ଦେଖୁନ ପୁଅ ମାଡ଼ରେ ମାଆ ମୃତ..." ମୁଁ ଖବରକାଗଜ ପଢୁ ପଢୁ ଆଶ୍ଚର୍ଯ୍ୟ ଚକିତ ହୋଇ କହିଲି । ବାପା ମୁଣ୍ଡକୁ ଟୁଙ୍ଗାରି ସମ୍ମତି କରୁକରୁ ପ୍ରତ୍ୟାଖ୍ୟାନ କଲେ । "ନା, ରାଜୁ.. ଅଛି ମଣିଷପଣିଆ, କିଛି ନହେଲେବି.. ଆଃ ତ କହୁଛନ୍ତି ଆଉ ସମ୍ବେଦନଶୀଳ ହୋଇ ଚୁ..ଚୁ...ତ କରୁଛନ୍ତି" ମୁଣ୍ଡକୁ ଦୁଇପାର୍ଶ୍ୱକୁ ହଲାଇଦେଇ କହିଲେ । "ତମେ ବି ବାପା ! ଚୁ ଚୁ ଟେ କରିଦେଲେ ଯେ କଣ ଟା କରିଦେଲେ ?" ବିସ୍ମୟ ଭାବେ ପ୍ରଶ୍ନ ଥିଲା ମୋର । ଏବଂ ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ବାପା ତାଙ୍କ ବୟସ ଡାଏରୀର କେଉଁ ଗୋଟିଏ ପୁରୁଣା ପୃଷ୍ଠା ପଢିବାକୁ ଆରମ୍ଭ କଲେ ମୁଁ ଜାଣେନାହିଁ । କିନ୍ତୁ ମୁଁ ସାଜିଥାଏ ତାଙ୍କ ଶ୍ରୋତାଟିଏ ମାତ୍ର ।


କାହାଣୀ କୁହା ଶୈଳୀରେ ବାପା ଆରମ୍ଭ କଲେ.. ମୁଣ୍ଡ ହାଲ୍‌କା ଲାଗୁଥାଏ କାହିଁକିନା ଦିନ'ଯାକର କାମ ଶେଷ ହୋଇଯାଇଥାଏ ଆଉ ମୁଣ୍ଡ ଉପରର ସୂର୍ଯ୍ୟ ଖସି ଖସି ଆସୁଥାଏ । ଅଫିସରୁ ଫେରିବା ବାଟରେ ଇଚ୍ଛା ହେଲା କଫି ଟେ ପିଇବା ପାଇଁ । "ରାମୁକାକା କଫିଟେ ଦେଲ" ଫୁର୍‌ସତ ମୁଡରେ ବରାଦ କଲି । ଭିଡ଼ ନଥିବାରୁ କହୁ କହୁ କଫି ପାଇଗଲି ସତ କିନ୍ତୁ କଫି ଶେଷ କରିପାରିଲି ନାହିଁ । "ଉଁ..ଉଁ.. ମାଆ ପିଟିବ..ଏଁ ଏଁ..." କଫି ଅଧା ହୋଇଛିକିନାଇଁ ଶୁଣିବାକୁ ପାଇଲି କୁନି ପାଟିରେ କାନ୍ଦ ତା ପୁଣି ହୃଦୟରୁ ନିସୃତ କିଛି ବ୍ୟଥା ସହିତ । "କ'ଣ ହେଲା ?" ସମସ୍ତଙ୍କ ଦର୍ଶକ ଭାବକୁ ଦେଖି ପଚାରିବା ପାଇଁ ବାଧ୍ଯ ହେଲି ।" ବାବୁ..! ମାଆ ପିଟ୍‌ବା" ଉତ୍ତର ଥିଲା । କୁନି ପାଟି ହେଲେବି ସମ୍ମାନ ଦେବା ମାଆ ପେଟରୁ ଶିଖିଥିଲା ବୋଧେ ।


"ଆରେ ! ତୁ କାନ୍ଦନି । କାହିଁକି ମାଆ ପିଟିବ ?" ଭାବରେ ପ୍ରକାଶ କଲି ମନର ପ୍ରଶ୍ନବାଚୀକୁ ।
"ଉଁ.. ଉଁ.. ପଇସା ହଜିଗଲା । ତେଲ ଆର୍‌ ନୁନ୍‌..ଉଁ.. ଉଁ.." ଗୋଟିଏ ବଦଳରେ ସହସ୍ର ଚିନ୍ତା ନେଇ ଭୋ ଭୋ ହୋଇ କାନ୍ଦି ପକେଇଲା ।
"ମାଆ ପିଟିବନି, ଯାଆ ତାକୁ ସତ ସତ କହିଦେବୁ ଆଉ ପୁଣିଥରେ କିଣି ଆସିବୁ" ସିଧାସାଧା ଉତ୍ତର ଥିଲା ମୋର ।
"ବାବୁ..! ତମର୍‌ ନେ ସୁନି ପଇସା ଗଛ୍‌ ଅଛେ, ଆମର୍‌ ଥି ନେଇନା" ମୋ ଆଶଙ୍କା ବାହାରେ ଥିଲା ତା'ର ଉତ୍ତର । ମୁଁ ବୁଝିଯାଇଥିଲି ତା'ମୁହଁରେ ଲୁଚି ରହିଥିବା ଦାରିଦ୍ର୍ୟକୁ ।
"ନେ ପଇସା.. କିଣ ଯାଆ" ପର୍ସରୁ ପଚାଶ ଟଙ୍କି ନୋଟ ଦୁଇଟା ବଢ଼େଇ ଦେଇ ।
"ନାଇଁ ବାବୁ ! ମାଆ ଗୁଏଲ୍‌ ଦେବା, କାହାକେ କିଛି ନାଇଁ ମାଗ୍‌ବୁ ବଲ୍‌ସି,
ଆଏଜ କାହାକେ ଗୁଟେ ଖୁରି ଦେଲା ଆରୁ ପଇସା ଆନିଥିଲା ଘରେ ଆରୁ ପଇସା ନେଇନା ହେଥିର ଲାଗି କହିଦେନି" ସମ୍ମାନ ସହକାରେ ପ୍ରତ୍ୟାଖ୍ୟାନ କରିଦେଇ ।
"ନାଇଁ ଝିଅ ! ତୁତ ମାଗୁନାହୁଁ ମୁଁ ଦେଉଛି..ନେ.." କୁଆଡୁ କେଜାଣି ସ୍ନେହକୁ ସାଉଁଟି ଉତ୍ତର ଦେଲି ।
"ମାତ୍‌ର ଉଧାର ହିସାବେ ନେମି" ଖୁବ ଭାବି ଚିନ୍ତି ଉତ୍ତର ଦେଲା ।
"ହଁ ଲୋ ମାଆ ! ନେ.." ହସି ଦେଇ ପଇସା ବଢ଼େଇଦେଲି ।
"ଯଦି ବାର୍‌ ବାର୍‌ କହୁଛ ବଇଲେ ନଉଛେ ହେଲେ ତମ୍‌କେ କେନ୍ତାକରି ଫିରାମି ?" ପଚାଶ ଟଙ୍କାକୁ ଫେରାଇ ଦେଇ, ଅନ୍ୟ ପଚାଶ ଟଙ୍କାକୁ ନେଇ କହିଲା ।
"ନେ.. ଏଠି ମୋ ଠିକଣା ଅଛି ଆଉ ଶୁଣ ମାଆକୁ କିଛି କହିବୁନି" ମୋ ଭିଜିଟିଂ କାର୍ଡ଼ଟି ଦେଇ ।
"ନାଇଁ ବାବୁ ! ମିଛ୍‌ କହେବାର୍‌ ପାପ୍‌ ହେ.. ମାଆ କହୁଥିଲା" ଟିକେ ଖୁସିରେ ।
"ମିଛ କେମିତି କହିବୁ ? ତୁ କିଛିବି କହିବୁ ନାହିଁ" ହସିଦେଇ କହିଲି ।
"ଓଃ.."ତା' ଟିକି ମୁହଁରୁ ହସ ଟିକିଏ ବାହାର କରି ଚାଲିଗଲା ।
ଆଉ ଦେଖ ଇଏ ହେଉଛି ତା'ର ଚିଠି ଆଉ ଇଏ ପଚାଶ ଟଙ୍କା ।


ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଲାଗୁଥିଲା ମନଗଢା କାହାଣୀ ପରି କିନ୍ତୁ ଶତ ପ୍ରତିଶତରୁ ଅଧିକ ସତ ଥିଲା ବାପାଙ୍କ ଜୀବନର ସେଇ କାହାଣୀରେ । ମୁଁ ଚିଠିଟିକୁ ଦେଖିଲି ।ସଫେଦ୍ ପୃଷ୍ଠାରେ ଲେଖାହୋଇଥିଲା...


ନମସ୍କାର ବାବୁ !
କ୍ଷମା ଚାହୁଁଛି ବିଳମ୍ବ ହୋଇଗଲା, ଏବେ ଏବେ ପ୍ରଥମ ଦରମା ପାଇଲି । ମୁଁ ବର୍ତ୍ତମାନ ଉ.ପ୍ରା ବିଦ୍ୟାଳୟ ବାସନ୍ତପୁରରେ ଶିକ୍ଷୟିତ୍ରୀ । ଆପଣଙ୍କ ପଚାଶ ଟଙ୍କାକୁ ମୁଁ ଭୁଲିନାହିଁ ପ୍ରତି ମୁହୂର୍ତ୍ତରେ ମୁଁ ଆପଣଙ୍କ ମଣିଷପଣିଆକୁ ଭାବେ ।


ଶେଷରେ ମୁଁ ଠିକଭାବେ ବୁଝି ସରିଥାଏ ଛଅ ଅକ୍ଷର ବିଶିଷ୍ଟ ମଣିଷପଣିଆ ଶବ୍ଦଟିକୁ.... ।

Post a Comment

0 Comments