Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମେ - କବିତା ପଟ୍ଟନାୟକ

କବିତା ପଟ୍ଟନାୟକ
ପଲଟଣ ପଡିଆ, ଖୋରଧା

ତୁମ ସହ ଦେଖା ହେଲା ବେଳେ
ମାତ୍ର କେଇ ପାହୁଣ୍ଡ ବାକିଥିଲା
ଜୀବନର ଅପରାହ୍ନ ହେବାକୁ
ତୁମ ସହ ଦେଖା ହେଲା ବେଳେ ॥

ତୁମ ସହ ଦେଖା ହେଲା ବେଳେ
ପ୍ରତାରକ ସମୟର ଓଠ
ଚୁମି ନେଇଥିଲା କୃଷ୍ଣଚୂଡାର ଲାଳିମାକୁ
ଇନ୍ଦ୍ରଧନୁର ଭଙ୍ଗକୁ
ଆଉ ଶତାବ୍ଦୀର ଭୋକକୁ
ତୁମ ସହ ଦେଖା ହେଲା ବେଳେ ॥

ତୁମ ସହ ଦେଖା ହେଲା ବେଳେ
ଝୋଟି ରଙ୍ଗର ମହକକୁ
ଭୁଲି ସାରିଥିଲା ଜୀବନ
ଅମାନିଆ ବସନ୍ତରୁ
ହଜି ସାରିଥିଲା ଲାଳିମା
ଆଉ ଦୁଷ୍ଟ ପବନରୁ ଉଡିଯାଇଥିଲା ରଙ୍ଗ
ତୁମ ସହ ଦେଖା ହେଲା ବେଳେ ॥

ତୁମ ସହ ଦେଖା ହେଲା ବେଳେ
ଭୋଦୁଅ ଖରା ଭଳି ଚିକମିକ କରୁଥିଲ ତୁମେ
ଶୁଖିଲା ନଈଟେ ଭଳି ବାଟ କାଟି
ଗଡି ଯାଉଥିଲି ମୁଁ
ମୋ ଅପହଞ୍ଚ ହାତରୁ ଝରୁଥିଲା ରକ୍ତ
ନିଷିଦ୍ଧ ବାଡ ଭିତରୁ ଚାହିଁ ରହିଥିଲ ତୁମେ ॥

ଆଉ ତୁମ ସହ ଭେଟ ହେବା ପରେ
ଶ୍ରାବଣର ଓଦା ମାଟି ଭଳି ଓଦା ଓଦା ଲାଗୁଥିଲା ମନ
ଜୋଛନାର ମଧୁରିମାରେ ଧୋଇ ହେଉଥିଲା ଜୀବନ
ଆଉ ମନର ଅନ୍ତରଙ୍ଗ କୋଣରୁ ଝରୁଥିଲା
ସୁଖୀ ହୁଅ ସୁଖୀ ହୁଅ ତୁମେ ଆୟୁଷ୍ମାନ
ତୁମ ସହ ଦେଖା ହେଲା ବେଳେ ॥

Post a Comment

0 Comments