Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜୟଶ୍ରୀ ପଟ୍ଟନାୟକଙ୍କ ସହ ସାକ୍ଷାତକାର

ଓଡିଆ ବ୍ୟକ୍ତିତ୍ଵ ଓ ପ୍ରତିଭା ଅନ୍ଵେଷଣକୁ ନେଇ କବିର-ଘର ଓ ବଣମଲ୍ଲୀର-ମହକ ସୌଜନ୍ୟରେ ଆୟୋଜିତ ଆଜିର-ଅତିଥି ହେଉଛି ଏକ ଭିନ୍ନ ପ୍ରୟାସ । ଏହି ଅଡିଓ ସାକ୍ଷାତକାର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବିଭିନ୍ନ ଅତିଥି ମାନଙ୍କୁ ଭେଟିଥାଉ । ସେହି ଅଡିଓ ନୋଟ ଗୁଡିକୁ ଏହି ୱେବ-ପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରିବା ସହିତ ପ୍ରତି ତ୍ରୟମାସିକ ପିଡିଏଫ ସଂସ୍କରଣରେ ଜଣେ ଜଣେ ଅତିଥିଙ୍କ ପରିଚୟ ପ୍ରଦାନ କରିଥାଉ । ଏହି କ୍ରମରେ ଚଳିତ ସଂଖ୍ୟାରେ ଆମେ ଏଭଳି ଜଣେ ବ୍ୟକ୍ତିତ୍ଵଙ୍କୁ ଆପଣ ମାନଙ୍କ ସହ ପରିଚିତ କରେଇବାକୁ ଚେଷ୍ଟା କରିଛୁ, ସେ ଏକାଧାରରେ ଜଣେ କବୟତ୍ରୀ, ଗାଳ୍ପିକା, ସଂଯୋଜିକା ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଜୟଶ୍ରୀ ପଟ୍ଟନାୟକ । ସେହି ବହୁମୂଖୀ ପ୍ରତିଭାର ଅଧିକାରିଣୀଙ୍କୁ ସାକ୍ଷାତ କରିଛନ୍ତି ଆମ ସମ୍ପାଦକ ସିଦ୍ଧେଶ୍ଵର ତ୍ରିପାଠୀ ।


ସିଦ୍ଧେଶ୍ଵର ତ୍ରିପାଠୀ : ଆପଣଙ୍କ ସାହିତ୍ୟ ଜୀବନ କେମିତି ଆରମ୍ଭ ହୋଇଥିଲା ?
ଜୟଶ୍ରୀ ପଟ୍ଟନାୟକ : ବିଦ୍ୟାଳୟରେ ପଢିଲା ବେଳେ ମୁଁ ବହୁତ ନାଟକ ଦେଖିବାକୁ ଯାଏ । ଅନେକ ନାଟକରେ ଅଭିନୟ ମଧ୍ୟ କରିଛି, ଯେମିତିକି “ବାଣା ପରାଜୟ” “ଭୀଷ୍ମଙ୍କ ଶରଶଯ୍ୟା” ଇତ୍ୟାଦି । ଏହି ସବୁ ସମ୍ପୃକ୍ତି ମତେ ଲେଖାଲେଖି କରିବା ନିମନ୍ତେ ପ୍ରେରଣା ଯୋଗେଇବା ସହ ମୋର ସାହିତ୍ୟ ଜୀବନର ମୂଳଦୁଆ ସ୍ଥାପନ କରିଥିଲା ।
ସିଦ୍ଧେଶ୍ଵର ତ୍ରିପାଠୀ : ଆକାଶବାଣୀ ପ୍ରେମରେ କେବେଠୁ ପଡିଲେ ?
ଜୟଶ୍ରୀ ପଟ୍ଟନାୟକ : ମୁଁ ୧୯୮୯ ମସିହାରୁ ଆକାଶବାଣୀ ସହ ଜଡିତ । ଜୟପୁର, କଟକ, ବ୍ରହ୍ମପୁର ଓ ପୁରୀ ଆକାଶବାଣୀ କେନ୍ଦ୍ରର ମୁଁ ଜଣେ ନିୟମିତ ଶ୍ରୋତା । ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଚିଠି ପଠେଇବାରେ ମତେ ବହୁତ ଆନନ୍ଦ ମିଳେ । ପରବର୍ତ୍ତୀ ସମୟରେ ବିଭିନ୍ନ ଆକାଶବାଣୀ କେନ୍ଦ୍ର ଦ୍ଵାରା ମୋର ଅନେକ ଗଳ୍ପ ଓ କବିତା ଆଦି ପ୍ରସାରିତ ହୋଇ ସାରିଛି ।
ସିଦ୍ଧେଶ୍ଵର ତ୍ରିପାଠୀ : ପରିବାର ଆଉ ସାହିତ୍ୟକୁ ଆପଣ କେମିତି ସମୟ ଦିଅନ୍ତି ?
ଜୟଶ୍ରୀ ପଟ୍ଟନାୟକ : ମୁଁ ସବୁବେଳେ ଠିକ ସମୟରେ ମୋର କାମ ଗୁଡିକ ସାରିଥାଏ । ସାହିତ୍ୟ ନିମନ୍ତେ ମୁଁ ମୋର ପରିବାରକୁ କେବେହେଲେ ଅବହେଳା କରିନାହିଁ । ଘରକାମରେ ମୋ ସ୍ଵାମୀ ଓ ଝିଅ ମୋତେ ସାହାଯ୍ୟ କରିଥାନ୍ତି ।
ସିଦ୍ଧେଶ୍ଵର ତ୍ରିପାଠୀ : ଆପଣଙ୍କ ପ୍ରିୟ କବି କିଏ ?
ଜୟଶ୍ରୀ ପଟ୍ଟନାୟକ : ମୋର ସମସ୍ତେ ପ୍ରିୟ କବି । ସମସ୍ତଙ୍କ କବିତାରେ କିଛି ନା କିଛି ସ୍ଵତନ୍ତ୍ରତା ଥାଏ । ପ୍ରସନ୍ନ ପାଟ୍ଟଶାଣୀ ଏବଂ ପୀତାମ୍ବର ତରାଇଙ୍କ କବିତା ଗୁଡିକ ମତେ ବହୁତ ଭଲଲାଗେ ।
ସିଦ୍ଧେଶ୍ଵର ତ୍ରିପାଠୀ : ଅମିତ୍ରାକ୍ଷର ଏବଂ ଗୀତି କବିତା ଭିତରେ ଆପଣ କଣ ଫରକ ଅନୁଭୋବ କରନ୍ତି ?
ଜୟଶ୍ରୀ ପଟ୍ଟନାୟକ : ଗୀତି କବିତା ଗୋଟିଏ ଧାରାରେ ଲେଖା ହୁଏ, ତାହା କାଳଜୟୀ ଏବଂ ସହଜରେ ବୁଝିହୁଏ । ଭୀମ ଭୋଇ ଏବଂ ଅନ୍ୟାନ୍ୟ ପ୍ରଥିତଜଶା କବି ମାନେ ସେହି ଧାରାରେ ଲେଖି ଯାଇଛନ୍ତି ।
ସିଦ୍ଧେଶ୍ଵର ତ୍ରିପାଠୀ : ଅମିତ୍ରାକ୍ଷର କବିତା ରସହୀନ ମନେହୁଏ କି ?
ଜୟଶ୍ରୀ ପଟ୍ଟନାୟକ : କେତେକଙ୍କ ମତରେ ରସହୀନ, ତଥାପି ଏହା ଏକ ସ୍ଵତନ୍ତ୍ର ଧାରା । କିନ୍ତୁ କେହି କାହା ଜାଗା ନେଇ ପାରିବେ ନାହିଁ । ଅମିତ୍ରାକ୍ଷର ନାଁ ରେ ଅନାବଶ୍ୟକ ଅବୋଧ ଶବ୍ଦ୍ଦ ଠିକ ନୁହେଁ ।
ସିଦ୍ଧେଶ୍ଵର ତ୍ରିପାଠୀ : ଆପଣ ଜଣେ ପ୍ରତିଷ୍ଠିତା ସଂଯୋଜିକା ଭାବରେ ଓଡିଶା ଜନମାନସରେ ପରିଚିତା, ଏହି ଇଚ୍ଛା ଆପଣଙ୍କର କେବେଠାରୁ ଆରମ୍ଭ ହୋଇଥିଲା ?
ଜୟଶ୍ରୀ ପଟ୍ଟନାୟକ : ମୁଁ କବିତା ଲେଖିବା ସହିତ ବିଭିନ୍ନ ସାହିତ୍ୟ ସଭା ମାନଙ୍କରେ ତାକୁ ସ୍ଵର ଦେଇ ଗାଇଥାଏ । କିଛି ସାହିତ୍ୟାନୁରାଗୀ ମୋର କବିତା ଆବୃତ୍ତିର ଶୈଳୀକୁ ନେଇ ମୋତେ ସଂଯୋଜନା କରିବା ନିମନ୍ତେ ପ୍ରେରଣା ଦେବା ସହ ସୁଯୋଗ ଦେଇଥିଲେ ।
ସିଦ୍ଧେଶ୍ଵର ତ୍ରିପାଠୀ : ନୂତନ ପିଢିର ଲେଖକ ଲେଖିକା ମାନଙ୍କ ନିମନ୍ତେ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ ?
ଜୟଶ୍ରୀ ପଟ୍ଟନାୟକ : ବହୁତ ପଢନ୍ତୁ, କମ ଲେଖନ୍ତୁ । ପ୍ରଥମେ ନିଜକୁ ସଜାଡିବା ପରେ ସାହିତ୍ୟକୁ ସଜାଡନ୍ତୁ । ସାହିତ୍ୟର ଦ୍ଵାହି ଦେଇ ଜୀବନକୁ ନଷ୍ଟ କରନ୍ତୁ ନାହିଁ ।
ସିଦ୍ଧେଶ୍ଵର ତ୍ରିପାଠୀ : ଶେଷରେ କବିର-ଘର ଓ ବଣମଲ୍ଲୀର-ମହକ ସମ୍ପର୍କରେ ଆପଣ କଣ ମତ ଦେବେ ?
ଜୟଶ୍ରୀ ପଟ୍ଟନାୟକ : ଦୁଇ ଅନୁଷ୍ଠାନର ସୁନ୍ଦର ପ୍ରୟାସକୁ ସାଧୁବାଦ ଜଣାଉଛି । ପ୍ରାର୍ଥନା କରେକି ଶ୍ରୀଜଗନ୍ନାଥ ଏହି ଦିଗରେ ସହାୟ ହୁଅନ୍ତୁ ।

Post a Comment

0 Comments