Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ନିସ୍ଵାର୍ଥ ପ୍ରେମ - ବିକେଶ ସାହୁ

ବିକେଶ ସାହୁ
ଭୁଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ଚାରିଆଡେ ସୂର୍ଯ୍ୟଙ୍କ ଆଧିପତ୍ୟ । ସମୟର ତାଳେ ତାଳ ଦେଇ ସୂର୍ଯ୍ୟଦେବ ଆଗକୁ ଆଗକୁ ମାଡିଚାଲିଛନ୍ତି । ସମୟ ପାଖାପାଖି ୧୦ଟା.. କିନ୍ତୁ ସମଗ୍ର ସହର ଜଳିଲା ପରି ମନେ ହେଉଥାଏ । ପ୍ରାୟ ରାସ୍ତାଘାଟରେ ସ୍କୁଲ ଓ କଲେଜ ଛାତ୍ରମାନଙ୍କୁ ଛାଡିଦେଲେ ଲୋକଙ୍କ ଭିଡ଼ ସେତେଟା ନଥିଲା । ସେଦିନ ବି ସତିଆ ଠିକ ସମୟରେ ଘରୁବାହାରି ପଡିଲା ନିଜ ଠେଲାଟାକୁ ସାଥିରେ ଧରି କଲେଜ ଛକ ଆଡକୁ । ସବୁଦିନ ଭଳି ଆଜିବି ଠେଲାରେ ଥୁଆ ହୋଇଥାଏ ହାତତିଆରି ଗୁପଚୁପ ପୁଣି ତାରି ସାଥିରେ ସିଝାଚଣା, ଭୁଜା ଓ କେତେ ଗୁଡିଏ ଆସବାବ ପତ୍ର । ଆସିକି ପ୍ରତିଦିନ ଯେଉଁଠାରେ ସେ ଠେଲା ଛିଡାକରେ ସେଇଠି ଠେଲାଟା ରଖିଲା । ସମସ୍ତେ ତା ଗୁପଚୁପକୁ ଭାରି ଭଲପାଆନ୍ତି ଏମିତିକି ମୁଁ ମଧ୍ୟ । କାହିଁକିନା ଗୁପଚୁପଟା ସେ ନିଜ ହାତରେ ତିଆରିକରେ । ତା ଗୁପଚୁପ ପରି ସେ ବି ଜଣେ ଭଲ ମଣିଷ । ଅନୁମାନରୁ ଜଣାଯାଏ, ତା’ର ବୟସ ପାଖାପାଖି ତିରିଶି ହୋଇଯିବ, ହେଲେ ଏ ଯାଏଁ ସେ କୁଆଁରା । ଘରେ ତା ବୁଢ଼ୀ ମା କୁ ଛାଡିଦେଲେ ଦୁନିଆଁରେ ଆଉ ନିଜର ବୋଲି ତା’ର କେହିନାହିଁ । ସବୁବେଳେ ତା ମୁହଁରେ ସ୍ମିତହସ ଲାଗିରହିଥାଏ । କେବେବି ମୁଁ ତା ମୁହଁରେ ମଳିନତା ଲକ୍ଷ୍ୟକରିନି ଏଇ ଦୁଇବର୍ଷର ଜାଣିବା ଭିତରେ । ମୋତେ ସେ ଭାରି ସ୍ନେହ କରେ, ଏତେଦିନ ଭିତରେ କେବେ ହେଲେ ମୋ’ଠାରୁ ସେ ଟଙ୍କାଟିଏ ବି ନେଇନି । ଯେତେ ଯାଚିକି ଦେଲେ ବି ସେ ମନାକରିଦିଏ । ସବୁଦିନ ଆମେ ଭଲମନ୍ଦ କଥାହେଉ । ବେଳେବେଳେ ସେ ନିଜ କଲେଜ ଜୀବନର କଥା ଗୁଡିକ ମଧ୍ୟ କହିବସେ । ଛୋଟଭାଇ ପରି ମୋତେ ସ୍ନେହ ସରାଗ କରେ । ମୁଁ ବି ତାକୁ ଦାଦା ବୋଲି ଡାକେ । ଏମିତି ବିତିଚାଲି ଥାଏ ସମୟ.. ।


ଦିନର କଥା.. । ମୁଁ କଲେଜରୁ ଫେରିଆସି ଠେଲା ପାଖରେ ଭଲମନ୍ଦ କଥା ହେଉଥାଉ । କଥାହେବା ଛଳରେ ମୁଁ ତା’କୁ ବାହାହେବା ବିଷୟରେ ପଚାରିଦେଲି । କିନ୍ତୁ ସେ କିଛି କହିଲା ନାହିଁ । ମୁଁ ଅନୁଭବ କରୁଥାଏ, ତାଙ୍କ ଆଖି ଦୁଇଟି ଅଶ୍ରୁରେ କେମିତି ଢଳଢଳ ହେଉଥାଏ । ସତେକି ନଦୀର ବନ୍ୟାଜଳ ପରି । କିଛିସମୟ ସେ ଚୁପ ହୋଇଗଲା । ବୋଧେ ସେ କଣ ଭାବୁଥିଲେ । ମୁଁ ତା କାନ୍ଧରେ ହାତରଖି ପଚାରିଲି କ'ଣ ହେଲା କିଛି କହିଲନି ଯେ.. ? ଆଖିରୁ ଲୁହ ସବୁ ଗାମୁଛାରେ ପୋଛିଦେଇ ଆରମ୍ଭ କରିଦେଲା ତା’ର ସେଇ ପୁରୁଣା ଅତୀତର ସ୍ମୃତି ସବୁକୁ । ତା’ରି ସାଥିରେ ତା’ର ପ୍ରଥମପ୍ରେମର କଥା ।


ଜନ୍ମହେବା ମାତ୍ରେ ମାଆକୁ ହରେଇଥିଲା । ବାପା ଥିଲେ ରୋଗଣା । ସତିଆକୁ ପାଞ୍ଚବର୍ଷ ହେଇଛି କି ନାଇଁ ସେ ବି ତାକୁ ଛାଡି ଚାଲିଗଲେ । ଏତେବଡ଼ ଦୁନିଆରେ ନିଜର କହିଲେ ତା’ର ବୁଢ଼ୀମାଆଙ୍କୁ ଛାଡିଦେଲେ ଆଉକେହି ନାହାଁନ୍ତି । ଛୋଟବେଳୁ ମାଆ ବାପାଙ୍କୁ ହରାଇ ମା ସ୍ନେହ ସେ ଜାଣିନଥିଲା । ତା ବୁଢୀମା ତାକୁ ଅତି ଯତ୍ନରେ ପାଳନକରି ଛୋଟଟିରୁ ବଡ଼ଟିଏ କଲେ । ଏମିତିକି ଗାଁ ସ୍କୁଲରେ ତାକୁ ନାଁ ଲେଖେଇଦେଇ ତା’ର ସବୁ ସୁବିଧା ଅସୁବିଧା ବୁଝିଲେ । ଛୋଟବେଳୁ ସତିଆ ଶାନ୍ତ, କୋମଳ ଓ ଖୁବ ବୁଦ୍ଧିଆ ଥିଲା । ପଢାପଢିରେ ସେ ସବୁ ବେଳେ ଆଗୁଆ । ବଡ଼ମାନଙ୍କୁ ଖୁବ ସମ୍ମାନ କରୁଥିଲା । ଶେଷରେ ସପ୍ତମଶ୍ରେଣୀରେ ପ୍ରଥମସ୍ଥାନ ରଖି ସେ ଉତ୍ତୀର୍ଣ୍ଣ ହୋଇ ଗାଁ ହାଇସ୍କୁଲରେ ନାମ ଲେଖାଇଲା । ପାଠପଢା ସାଥିରେ ତା ବୁଢୀମାର କାମରେ ମଧ୍ୟ ସେ ସାହାଯ୍ୟ କଲା । ଶେଷକୁ ସ୍କୁଲରେ ସବୁଠାରୁ ଅଧିକ ନମ୍ବର ରଖି ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା । ଏହା ଜାଣିବା ପରେ ବୁଢ଼ୀର ଖୁସି କହିଲେ ନସରେ । ଏତେ କଷ୍ଟ ସହି ସତିଆକୁ ପଢ଼ାଇବାର ଶ୍ରମ ସାର୍ଥକ ହେଲା । ବୁଢ଼ୀ ବ୍ୟାଙ୍କରେ ରଖିଥିବା ପଇସା ବାହାର କରି ପାଖ ସହରର କଲେଜରେ ନାମ ଲେଖାଇଦେଲା । ଗାଁରୁ ଦୁଇକିଲୋମିଟର ଦୂରରେ କଲେଜ । ପ୍ରତିଦିନ ସତିଆ ସାଇକେଲରେ ଯିବା ଆସିବା କରେ । ଘରୁ କଲେଜ ଯିବାକୁ ପ୍ରାୟ ଘଂଟାଏ ଲାଗିଯାଏ । ଏମିତି ଚାଲିଥାଏ । କଲେଜରେ ବି ସତିଆର ସରି କେହି ନଥିଲେ । ସବୁ କାମରେ ସେ ଆଗୁଆ ।


ଏମିତି ଏକଦିନର କଥା, ଆକାଶରେ ମେଘ ମାନଙ୍କ ଭିଡ଼ । ଘଡ଼ଘଡ଼ି ଓ ବିଜୁଳିର ଶବ୍ଦ ଚାରିଆଡେ ପ୍ରକମ୍ପିତ କରିଦେଉଥିଲା । ତା ସାଥିରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥାଏ । ଏତିକି ବେଳେ ସତିଆ କଲେଜ ସାରି ଫେରୁଥାଏ । ବର୍ଷାରେ ସେ ସମ୍ପୂର୍ଣ୍ଣ ଭିଜିଯାଇ ଥାଏ । ତା ଓଦା ପୋଷାକରୁ ପାଣି ଝରୁଥାଏ । ହେଲେ ବର୍ଷା ଛାଡିବାର ନା ନେଉନଥାଏ । ସତିଆର ଦେହ ଶୀତରେ ଥରୁଥାଏ । ସାଇକେଲଟାର ବେଗ ଆହୁରି ଜୋରରେ ବଢେଇ ଦେଉଥାଏ । ହଠାତ ତା ନଜରରେ ପଡିଲା ଏକ ଝାଟିମାଟିର କୁଡ଼ିଆ ଘର ଟିଏ । ସତିଆ ଘରପାଖକୁ ଗଲା । ତାକୁ ଭୟ ଭୟ ବି ଲାଗୁଥାଏ । ସାଇକେଲଟାକୁ ବାହାରେ ଛିଡ଼ା କରିଦେଇ କବାଟ ବାଡେଇଲା ।
କିଏ ଅଛନ୍ତି... ? କବାଟ ଟିକିଏ ଖୋଲିବେକି... ? ଅତି ଧୀରକଣ୍ଠରେ ସତିଆ ଡାକ ଛାଡ଼ିଲା ।
ଭିତରୁ ପ୍ରତିଉତ୍ତରରେ ଶୁଭାଗଲା....ହଁ....ହଁ.... ଟିକିଏ ରୁହନ୍ତୁ.... । ଅତି କୋମଳ କଣ୍ଠ ।


ସତିଆ ଚମକି ପଡିଲା । ଆବାଜରୁ ସେ ବୁଝି ସାରିଥିଲା ସେଇଟା ଗୋଟିଏ ଝିଅର କଣ୍ଠସ୍ୱର । କିଛି ସମୟ ପରେ କବାଟ ଟା ଖୋଲି ଅତି ଧୀରକଣ୍ଠରେ ଝିଅଟିଏ ଆସି କହିଲା କ'ଣ କିଛି ଦରକାର... ? ସତିଆ ଟିକିଏ ଚୁପରହି ଝିଅଟିକୁ ଦେଖିଲା ବୟସ ପାଖାପାଖି ଅଠରବର୍ଷ ହେବ । ପୂର୍ଣ୍ଣିମାର ଜହ୍ନପରି ତା’ର ମୁହଁରେ ଉଜ୍ଜଳତା । ହାତ ଗୁଡିକ ସତେକି ଗୋଲାପ ଫୁଲଠୁ ବି ଆହୁରି କୋମଳ । ଆଖିଦୁଇଟି ନୀଳକଇଁ ପରି ଦେଖାଯାଉଥିଲା । କହିବାକୁ ଗଲେ ଝିଅଟି ଗୋଟିଏ ଚାଉଳରେ ଗଢ଼ା । ତା ହାତରେ ମାଟି ଲାଗିଥାଏ ବୋଧେ କିଛି ମାଟିକାମ କରୁଥିଲା ସେ ।


ଝିଅଟି ପୁଣି ଥରେ ପଚାରିଲା.........


ହଁ.....ହଁ.... ନା......ନା........। ବର୍ଷା..... ହେଉଛିତ ଟିକିଏ ଅନୁମତି ଦେଲେ ବର୍ଷା କମିବା ଯାଏ ମୁଁ ଅପେକ୍ଷା କରନ୍ତି । ସତିଆ ଟିକିଏ ଖନେଇକି କହିଲା ।


ଝିଅଟି ଭିତରକୁ ଆସିବାର ଅନୁମତି ଦେଲା । ସେଇ ଦିନହିଁ ସାବିତ୍ରୀ ସହିତ ତା’ର ପ୍ରଥମ ଦେଖା । କହିବା ସାଥିରେ ତା’ମୁହଁରେ ସଚ୍ଚା ପ୍ରେମର ଆଭା ମୁଁ ଅନୁଭବ କରୁଥିଲି । ଆଖିରୁ ଅଦିନିଆ ଶ୍ରାବଣର ଧାର ବନ୍ଧଭାଙ୍ଗି ବୋହିଚାଲିଥାଏ । ଗାମୁଛାରେ ଲୁହ ପୋଛି ପୁଣି ଆରମ୍ଭ କରିଦେଲା... । ବର୍ଷାରେ ସମ୍ପୂର୍ଣ୍ଣ ଥରୁଥିବା ଦେଖି ସାବିତ୍ରୀ ଗାମୁଛାଟିଏ ବଢ଼େଇଦେଲା ସତିଆ ଆଡକୁ । ବିଛଣାରେ ତା’ର ମଦୁଆ ବାପା ଟାଙ୍କେ ପିଇ ଶୋଇପଡିଥାଏ । ଘୁଙ୍ଗୁଡ଼ିରେ ଘରଟା ଉଠୁଥାଏ ପଡୁଥାଏ । ଏପଟେ ସାବିତ୍ରୀ ମୂର୍ତ୍ତି ଓ କଣ୍ଡେଇ ତିଆରି କାମରେ ଲାଗିପଡିଥାଏ । ପାଖରେ ଥିବା ଭଙ୍ଗାଚୌକିରେ ସତିଆ ବସିପଡିଲା । ତା ଆଖି ସାବିତ୍ରୀକୁ ହିଁ ଚାହିଁରହିଥାଏ । ଯେତେ ଚେଷ୍ଟାକଲେ ବି ସେ ନଜର ଫେରେଇ ପାରୁନଥାଏ ।


ହଠାତ ଶୁଭିଲା ବାବୁ... !! ଏକ କରୁଣ ସ୍ୱର । ସତିଆ ଟିକିଏ ଚମକି ପଡିଛି ।
ତା ପାଟିରୁ ବାହାରି ପଡ଼ିଲା.... ଅସ୍ପଷ୍ଟ ସ୍ୱର..... ହଁ...ହଁ.. ।


ସତିଆ ଜାଣିପାରିଲା ଝିଅଟିର ସ୍ୱର । ତାପରେ କହିଚାଲିଲା ଝିଅଟି ତା’ର କରୁଣ କାହାଣୀ । ଜନ୍ମହୋଇ ଦୁଇମାସ ଗଲା ପରେ ତା ମାଆ ସବୁଦିନ ପାଇଁ ତାକୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛି । ବା ସେଇ ଦିନଠୁ ମଦପିଇବା ଆରମ୍ଭ କରିଦେଲା । କେତେ କଷ୍ଟରେ ତାକୁ ଲାଳନ ପାଳନ କଲା । ପାଞ୍ଚବର୍ଷରୁ ଏ ଯାଏଁ ସେ ମୂର୍ତ୍ତି ଓ କଣ୍ଢେଇ ଗଢି ଘରକରଣା ସାଥିରେ ବା’ର ମଦ ଖର୍ଚ୍ଚ ତୁଲାଇ ଆସୁଛି । କେଉଁଦିନ ଗୋଟିଏ ତ କେଉଁଦିନ ଦୁଇଟି, ଆଉ ପୁଣି କେଉଁ ଦିନ କିଛି ବି ବିକ୍ରି ହୋଇପାରୁନି । ସେଥିରୁ ଯାହା ମିଳେ ତା’ ବା ସବୁ ଛଡେଇ ନେଇଯାଏ । ଯେତେ ମନାକଲେବି ସେ କିଛି ଶୁଣେନି । ବେଳେ ବେଳେ ତାକୁ ନିର୍ଧୁମ ମାଡ଼ ମାରେ । ଏମିତି କହୁକହୁ କାନ୍ଦିପକାଇଲା ସାବିତ୍ରୀ । ସତେକି ତା ହୃଦୟରେ ଜମାଟ ବାନ୍ଧିଥିବା ସବୁତକ କୋହ ଲୁହ ହୋଇ ବୋହିଯାଉଛି । ସତିଆ ବି ତା ସାଥିରେ କାନ୍ଦି ପକାଇଲା । ତା ପାଖକୁ ଯାଇ ଆଖିରୁ ଲୁହତକ ପୋଛିଦେଲା । ତାକୁ ବୁଝେଇଲା । ଏତିକି ବେଳକୁ ବର୍ଷା ପ୍ରାୟ କମି ଆସିଲାଣି । ବାହାରେ ଘନ ଅନ୍ଧକାର ମାଡି ଆସୁଥାଏ । ସେଇଦିନ ସତିଆ ସାବିତ୍ରୀକୁ ବିଦାୟ ମାଗି ଚାଲିଆସିଲା ଘରକୁ । ସେଦିନ ଆଉ ତା ଆଖିରେ ନିଦ ହେଲାନି । ସବୁବେଳେ ଖାଲି ତାକୁ ସାବିତ୍ରୀ କଥା ହିଁ ମନେ ପଡୁଥାଏ । ଏପଟେ ସାବିତ୍ରୀ ଅବସ୍ଥା ବି ଠିକ ସେଇଆ । ଯେମିତି ତାକୁ ଲାଗିଲା ତା’ର ନିଜର ବୋଲି କିଏ ଜଣେ ଅଛି । ସେ ବି ସତିଆ କଥା ହିଁ ଭାବୁଥାଏ ।


ସେଇଦିନଠୁ ସତିଆ କିଛିଟା ବଦଳି ଗଲା । ସବୁବେଳେ ସାବିତ୍ରୀ କଥା ହିଁ ଭାବୁଥାଏ । ସାବିତ୍ରୀକୁ ଟିକିଏ ଦେଖିବା ପାଇଁ ସେ ଅଧୀର ହୋଇପଡୁଥାଏ । ସେ ବୁଝି ସାରିଥିଲା ସାବିତ୍ରୀ କୁ ସେ ଭଲ ପାଇ ବସିଛି । ହେଲେ ସାବିତ୍ରୀ ମନରେ କଣ ଅଛି ସେ ଜାଣିନି । ରାତିଦିନ ଖାଲି ସାବିତ୍ରୀ କଥା ହିଁ ସେ ଭାବୁଥାଏ । କେମିତି ତା’କୁ ତା’ମନ କଥା କହିବ କିଛି ବୁଝିପାରୁନଥାଏ ।


ଦିନକର କଥା, ସତିଆ କଲେଜରୁ ଫେରୁଥାଏ । ସହରର ଶେଷ ମୁଣ୍ଡରେ ଦେଖିଲା ଝିଅଟିଏ କଣ୍ଡେଇ ବିକ୍ରି କରୁଛି । ସତିଆ ଜୋରରେ ସାଇକେଲ ଚଳେଇ ପାଖରେ ପହଞ୍ଚି ଦେଖିଲା ସେ ହେଉଛି ସାବିତ୍ରୀ ଯାହାଠାରେ ସେ ନିଜ ହୃଦୟ ବିକି ସାରିଛି । ହେଲେ ସେ ପାଖକୁ ଗଲା ନାହିଁ କାଳେ ସେ ଖରାପ ଭାବିବ । ଦୂରରୁ ଅତି ନିରୀହ ଭାବରେ ଏକ ମନ ଏକ ଲୟରେ ଅନେଇ ରହିଥାଏ ସାବିତ୍ରୀକୁ । ନିଜକୁ ହଜେଇ ଦେଇଥାଏ ସାବିତ୍ରୀ ପାଖରେ । ଏମିତି କିଛିସମୟ ଗଲାପରେ ସାବିତ୍ରୀ ସତିଆକୁ ଦେଖି ପାରିଲା । ପାଖକୁ ଆସି ଅତି ଧୀର ସ୍ୱରରେ କହିଲା ।
ବାବୁ..! ଏ ବାବୁ..!
ସତିଆ ଚମକି ପଡିଲା । ଦେଖିଲା ତା’ମୁହଁ ଆଗରେ ତା’ହୃଦୟର ରାଜକୁମାରୀ ଠିଆ ହୋଇଛି । ସେ କ'ଣ କରିବ କିଛି ବୁଝିପାରୁନଥାଏ । ଟିକିଏ ଚୁପ ରହିଗଲା ସତିଆ । ସତିଆର ନୀରବତା ଦେଖି ପୁଣି ସାବିତ୍ରୀ କହିଲା, କ'ଣ ହେଲା ବାବୁ ଚିହ୍ନି ପାରିଲେନି ବୋଧେ..... । ମୁଁ ସାବିତ୍ରୀ ...। ଯାହାଘରେ ଆପଣ ସେଇ ବର୍ଷା ହେଉଥିବା ଦିନରେ ଆଶ୍ରୟ ନେଇଥିଲେ ।


ହଁ..... .ହଁ....। ଚିହ୍ନି ପାରିଲି । ତୁମକୁ କେମିତିବା ମୁଁ ଭୁଲିପାରିବି ଯେ... । ସତିଆର ପାଟି ଖନେଇ ଯାଉଥାଏ । କ'ଣ କହିବ ! କେମିତି କହିବ !! କେଉଁଠୁ ସେ ଆରମ୍ଭ କରିବ କିଛି ବୁଝିପାରୁନଥାଏ । କେମିତି ସେ ତା’ମନ କଥା ସାବିତ୍ରୀକୁ କହିବ ସେ ଜାଣି ପାରୁନଥାଏ । ଯେତେ ଚେଷ୍ଟାକଲେ ମଧ୍ୟ ସତିଆ କିଛି କହି ପାରିଲାନାହିଁ । ଗୋଟିଏ ଛୋଟ କଣ୍ଢେଇ ନେଇ ସେ ଦିନ ସେ ଚାଲିଆସିଲା ଘରକୁ । କିନ୍ତୁ ସାବିତ୍ରୀ ବୁଝି ସାରିଥିଲା ସତିଆ ତାକୁ ଭଲପାଉଛି । ସାବିତ୍ରୀ ମଧ୍ୟ ସତିଆକୁ ପ୍ରଥମ ଦେଖାରେ ପସନ୍ଦ କରିବାକୁ ଲାଗିଥିଲା । ସତିଆକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲା ସେ । କିନ୍ତୁ ତା’ ବା କ'ଣ ତା’ ସ୍ୱପ୍ନ ସାକାର ହେବାକୁ ଦେବ... ?? ବୁଢା ମଦୁଆ ବା’ର କଥା ଭାବି ସେ ଚୁପ ରହିଯାଉଥିଲା ।


ସେମିତି ଅନେକ ଦିନ ଚାଲିଗଲା । ସତିଆ ବହୁତ ଦିନ ହୋଇଗଲାଣି ଆଉ ସାବିତ୍ରୀକୁ ଦେଖିନି । ଦିନେ ସେ ତା’ଘରକୁ ଯାଇ ତାକୁ ମନକଥା କହିବାକୁ ସ୍ଥିରକଲା । କଲେଜରୁ ଶୀଘ୍ର ବାହାରି ପଡି ସବିତ୍ରୀର ସେଇ କୁଡ଼ିଆଘର ଆଡ଼କୁ ଅଗ୍ରସର ହେଲା । କିନ୍ତୁ ଦେଖିଲା ଘର ତାଲା ପଡିଛି । ସତିଆ କିଛି ବୁଝି ପାରିଲାନି । ସାବିତ୍ରୀର ଏମିତି ଅଚାନକ କୁଆଡେ ଚାଲିଯିବା କଥା ସତିଆକୁ ଭାରି ବ୍ୟତିବ୍ୟସ୍ତ କରିପକାଉଥାଏ । ଏପଟେ ତା’ ପରୀକ୍ଷା । ବୁଝିପାରୁନଥାଏ ସେ କଣ କରିବ ! ସାବିତ୍ରୀକୁ ବହୁତ ଖୋଜିଲା । ହେଲେ କୋଉଠି ବି ସେ ପାଇଲାନି । ସବୁବେଳେ ତା’ ମନରେ ସାବିତ୍ରୀ ପାଇଁ ଅନେକ ଅବାନ୍ତର ପ୍ରଶ୍ନ ସବୁ ଉଙ୍କି ମାରୁଥାଏ । ଏଇସବୁରେ ଚିନ୍ତା କରୁ କରୁ ପରୀକ୍ଷା ଚାଲିଆସିଲା । କିନ୍ତୁ ସତିଆର ମନ ସେଠି ନଥାଏ । ସବୁବେଳେ ସେ ସାବିତ୍ରୀ କଥା ହିଁ ଭାବୁଥାଏ । ଯେଉଁଥି ପାଇଁ ତା’ ପରୀକ୍ଷା ଭଲହେଲାନି । ବହୁତ କଷ୍ଟରେ ପାସ କଲା । କିନ୍ତୁ ସେଥିପ୍ରତି ତା’ର ଖାତିର ନଥାଏ ।


ଦିନକର କଥା.. ସତିଆ ସହରରେ ବୁଲୁଥିବା ବେଳେ ଜଣେ ଭଦ୍ର ମହିଳାଙ୍କ ସହ ତା’ର ଦେଖା ହୋଇଗଲା । ମହିଳା ଜଣକ ଲାଲଶାଢ଼ୀ ସାଙ୍ଗକୁ ଓଢଣା ଦେଇ ଡାକ ଛାଡୁଥାନ୍ତି ଖେଳନା ନେବ ଖେଳନା.... । ସତିଆକୁ ସ୍ୱରଟି ଚିହ୍ନା ଚିହ୍ନା ଲାଗିଲା । ଦୁଇହାତ ମୁଠେଇ ଦୌଡ଼ିବାରେ ଲାଗିଲା ସତିଆ । ଆସି ପହଞ୍ଚି ଦେଖେତ ସେ ହେଉଛି ତା’ ସାବିତ୍ରୀ । ସେ ବିଶ୍ୱାସ କରିପାରୁନଥାଏ । ପାଖକୁ ଯାଇଛି.... । ଅତି ଧୀରକଣ୍ଠରେ କହିଲା ସାବିତ୍ରୀ... । ସାବିତ୍ରୀ ବି ସତିଆ କୁ ଦେଖିଛି । କିଛି ସମୟ ଦୁହେଁ ଦୁହିଁଙ୍କୁ ଦେଖାଦେଖି ହେଲେ । ସତିଆ ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ । ସାବିତ୍ରୀ ବି ଆଉ ନିଜକୁ ସମ୍ଭାଳି ପାରୁନଥାଏ । ତା’ରି ଆଖିରୁ ବି ଧାର ଧାର ଲୁହ ବନ୍ଧ ଭାଙ୍ଗି ବୋହିଚାଲିଥାନ୍ତି ।


ତୁମେ ଏତେ ଦିନ କୋଉଠି ଥିଲ.... ? ମୁଁ ତୁମକୁ କେତେ ନ ଖୋଜିଛି.... ? ସତିଆ ପଚାରିଲା ଅତି କରୁଣ ସ୍ୱରରେ ।
ସାବିତ୍ରୀ କିଛି ନକହି କେବଳ କାନ୍ଦୁଥାଏ । କାନ୍ଦି କାନ୍ଦି ସେ କହିଲା । ତା’ ବା ମଧ୍ୟ ତା’କୁ ପରକରି ଚାଲିଯାଇଛି ତା’କୁ ଆଉ କାହା ହାତରେ ଟେକିଦେଇ । ଆଜି ସେ ଆଉ କାହାର ସ୍ତ୍ରୀ । ଯେତେବେଳେ ସତିଆ ସେଇ କଥା ଶୁଣିଛି, ସତେକି ତା’ ପାଦତଳୁ ମାଟି ଖସି ଗଲାପରି ମନେହେଲା । ତା’ ମୁଣ୍ଡରେ ବଜ୍ରପାତ ହେଲାଭଳି ତଳେ ପଡ଼ିଗଲା । ସେଇଦିନଠୁ ଆଜି ଯାଏଁ ତା’ ହୃଦୟରେ ସେ ସାବିତ୍ରୀ କୁ ହିଁ ଭଲପାଉଛି ଆଉ ଭଲପାଉଥିବ ମଧ୍ୟ ।


ଏମିତି କହୁ କହୁ ତା’ ଆଖିରୁ ଝରି ଯାଉଥାଏ ଲୁହ । ଏପଟେ ସମୟ ୨ଟା ପାଖାପାଖି । ସତିଆର ଦୁଃଖ ଦେଖି ମୋ ଆଖିରୁ ବି ଝରିଗଲା ଦୁଇବୁନ୍ଦା ଅଶ୍ରୁ । ସତରେ କେତେ ମହାନ ହୃଦୟର ମଣିଷଟିଏ ସେ । ହୃଦୟରେ ଏତେ ଦୁଃଖ ଚାପିରଖି ସେ କେମିତି ସବୁବେଳେ ହସଖୁସିରେ ବଞ୍ଚୁଛି ! ସେଇଦିନ ମୁଁ ଠିକ ବୁଝି ପାରିଲି ପ୍ରକୃତ ପ୍ରେମ କ'ଣ ? କେବଳ ଲୋକ ଦେଖାଣିଆ ପ୍ରେମ ପ୍ରକୃତ ପ୍ରେମ ନୁହେଁ । ହୃଦୟର ବନ୍ଧନ ହିଁ ପ୍ରକୃତ ପ୍ରେମ । ଯେଉଁ ପ୍ରେମ ପାଇଁ ସତିଆ ଆଜୀବନ କୁଆଁରା ରହିଗଲା । ପ୍ରତିଟି ସମୟ ସାବିତ୍ରୀର ମଙ୍ଗଳ ମନାସି ଭଗବାନଙ୍କୁ ଡାକୁଛି । ଏଇ ବୋଧେ ନିସ୍ୱାର୍ଥ ପ୍ରେମ...... ହଁ.. ହଁ.. ନିସ୍ୱାର୍ଥ ପ୍ରେମ..... ।

Post a Comment

0 Comments