"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଏମିତି ଏକ ମିଳନ୍ତା ସାଥୀ

ଏମିତି ଏକ ମିଳନ୍ତା ସାଥୀ

ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍ କଲୋନୀ, ଭୁବନେଶ୍ୱର

ଖୋଜୁଛି ଏକ ଦରଦୀ ସାଥୀ
ହଜାଇ ଦେଇ ଛାତିରୁ ତାତି
ଭିଜା ନୟନ ପୋଛି;
ମନଗହନ ଅକୁହା କଥା
ବୁଝି ହରନ୍ତା ଅନ୍ତର ବ୍ୟଥା
ଲଭନ୍ତି ଶାନ୍ତି କିଛି ॥୧॥

ଏମିତି ଏକ ମିଳନ୍ତା ସାଥୀ
କରନ୍ତା ଦୂର ମନରୁ ଭ୍ରାନ୍ତି
ଜୀବନେ ସାଜି ଫୁଲ;
ସ୍ନେହ ସରାଗେ ହସନ୍ତି ଲୋଟି
ଆପଣାପଣ ଦିଅନ୍ତି ଭେଟି
ପା'ନ୍ତି ଅମୂଲ ମୂଲ ॥୨॥


ପରିବାରରୁ ସମାଜ ଯାଏଁ
ଅନ୍ତରତମ ସାଥୀ ନ ପାଏ
ଭାଗ ନେବାକୁ ଦୁଃଖ;
ବେଦନା ସିକ୍ତ ପରାଣ କାନ୍ଦେ
ସୁନା ପଞ୍ଜୁରି ସଂସାର ବାନ୍ଧେ
ତଥାପି ଖୋଜେ ସୁଖ ॥୩॥

ଯାହାକୁ ମଣେ ନିଜର ବୋଲି
ଯାଏ ସେ ମୋତେ ପାଦରେ ଠେଲି
ନ କରି ଆପଣାର;
ଅଭିମାନର ତାତିଲା ବାଲି
ଜୀବନଟାକୁ ଜଳାଏ ଖାଲି
ସତେ କି ଅବା ପର ॥୪॥


ସପନ ମୋର ଯାଉଛି ହଜି
ବିଷଣ୍ଣତାରେ କାହିଁକି ଭିଜି
ସାଉଁଟେ ତା'ର ରୂପ;
କଳାବଉଦେ ଆସି ବିଜୁଳି
ଆଶା କଦମ୍ବ ଉଠଇ ଝଳି
ଅମା ଅନ୍ଧାରେ ଦୀପ ॥୫॥

ହୃଦୟ ତନ୍ତ୍ରୀ ଝଙ୍କାର ତୋଳି
ବାଜି ଉଠନ୍ତା ମମତା ବୋଳି
ହେଲେ ସେ ଆପଣାର;
ନିରାଶା ଯେତେ ଯାଆନ୍ତା ଚାଲି
ଜୈତ୍ର ନାଦ କରନ୍ତି ଖାଲି
ଏ ବିଶ୍ୱ ପରିବାର ॥୬॥


ସକଳ ଆଶା ମୋ ପ୍ରଶ୍ନବାଚୀ
ମିଳେନା ସାଥୀ ପାଏନା ସୂଚୀ
ଦେବ କି କେହି ଖୋଜି;
ଭାବନା ଭରା ହୃଦ କନ୍ଦରେ
କରନ୍ତି ପୂଜା ମନ ମନ୍ଦିରେ
ପରାଣ ରଖି ବାଜି ॥୭॥

ଏକଇ ସାଥୀ ସୁଖଦୁଃଖର
ସେହି ତ ସତ୍ୟ ଶିବ ସୁନ୍ଦର
ଦିଏନା ଦେଖା କେବେ;
ଦିବ୍ୟଚେତନା ମନେ ମୋ ଜାଗେ
ନାହିଁ ସେ କାହିଁ କେଉଁ ସରଗେ
ମିଳେ ତିତିକ୍ଷା ଭାବେ ॥୮॥

1 Comments

  1. ଏମିତି ଏକ ମିଳନ୍ତା ସାଥୀ ପଢି ଆନନ୍ଦିତ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।