Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିର୍ଭୀକ ଓଡିଆ ବାଳକ - ବାଜି ରାଉତ - ଧନଶ୍ରୀ ମିଶ୍ର

ଧନଶ୍ରୀ ମିଶ୍ର, ମାର୍ଫତ : ନୃସିଂହ ଚରଣ ସାହୁ
ଆର.ପି-୧୨୫, ପାଣ୍ଡବ ନଗର, ଟଙ୍କପାଣି ରୋଡ, ଭୁବନେଶ୍ଵର

୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦି ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପିଲା ବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ । ପରିବାରରେ ଚାଷବାଷ ସକାଶେ ଜମି ନ ଥିଲା । ମା’ ଅନ୍ୟଘରେ ପାଇଟିକରି ତାଙ୍କୁ ପାଳୁଥିଲେ । ହେତୁ ପାଇଲା ପରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ ନାମରେ ଜଣାଶୁଣା) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ । ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ଦେଇଥିଲେ । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ଵେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ । ପୋଲିସର ଧମକ ଚମକ ସତ୍ଵେ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେ । ପୋଲିସ ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁ'ର ଆଉ କେତେ ଜଣ - ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହୀଦ ହୋଇଗଲେ । ନୀଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଦିନ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଶେଷରେ ଆଜିର ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରାଗଲା ।

Post a Comment

0 Comments