Information

ତମେ କହିବ ତ

ପ୍ରକାଶ କୁମାର ଚାନ୍ଦ
ଜଯପୁର ଶାସନ, ପିପିଲି, ପୁରୀ

ତମେ କହିବ ତ ଆକାଶ ଛାତିରୁ
ତୋଳି ଆଣିଦେବି ଜହ୍ନ
ତମେ କହିବ ତ ସୂରୁଜ କୁ ନେଇ
ସାଗରେ କରିବି ଲୀନ ॥

ତମେ କହିବ ତ ଛାତିରେ ମୋହର
ଟଙ୍ଗେଇବି ତୁମ ଫଟ
ତମେ କହିବ ତ ସୁନା ରୂପା ନୁହେଁ
ହୀରାରେ ଗଢିବି ବାଟ ॥

ତମେ କହିବ ତ ନଈ ତୁଠ ସାରା
ଅତର ଦେବି ମୁଁ ଢାଳି
ତମେ କହିବ ତ ତୁମପାଇଁ ନିତି
ଖଟିବେ ହଜାରେ ମାଳୀ ॥

ତମେ କହିବ ତ ତାରାଫୁଲ ଆଣି
ବାନ୍ଧିଦେବି ତୁମ ବେଣୀ
ତମେ କହିବ ତ ସାଗର ଗରଭୁ
ମୁକୁତା ଆଣିବି ଛାଣି ॥

ତମେ କହିବ ତ କୋଈଲି ଗାଇବ
ସାତସୁରେ ମିଠା ଗୀତ
ତମେ କହିବ ତ ଅଳସୀ ନଈର
ବଦଳିବ ଗତିପଥ ॥

ଶେଷ ସ୍ପର୍ଶ ତା'ର ଦେଲା ତୁମ ଦେହେ
କିଏ ସେହି କାରିଗର
ନଜର ଜମାରୁ ଆସେନାହିଁ ଫେରି
ଦେଖୁଥିଲେ ବାର ବାର ॥

Post a Comment