ଶବ୍ଦତୋଳା

ଶବ୍ଦତୋଳା

ଭାଗିରଥୀ ବେହେରା
ସମ୍ପାଦକ - ଗଞ୍ଜାମର କବିତାଘର
ଆଙ୍କୁଲି, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ - ୮୨୮୦୨୨୩୬୪୪

ଜୀବନର ମୌନମାଟି
ମୁଖରିତ ହେବାକୁ ଚାହୁଁଥିଲା,
ତେଣୁ ତୋଳା ହେଉଥିଲା ଶବ୍ଦ
ଆକାଶକୁ, ମାଟିରୁ ଓ ପକ୍ଷୀର ଗୀତରୁ ।


ଡାଏରୀର ଅକ୍ଷର ମଳୀନ ପୂର୍ବରୁ
ଜୀବନର ଗୀତି ହେବାକୁ ଚାହୁଁଥିଲା,
ତେଣୁ ତୋଳା ହେଉଥିଲା ଶବ୍ଦ
ଅତୀତରୁ, ସ୍ମୃତିରୁ ଓ ପୁରୁଣା ଚିଠିରୁ ।


ପ୍ରେମାସକ୍ତ ଗୋପନ କାହାଣୀ
ଲିପିବଦ୍ଧ ହେବାକୁ ଚାହୁଁଥିଲା,
ତେଣୁ ତୋଳା ହେଉଥିଲା ଶବ୍ଦ
ପତ୍ରରୁ, ଶୂନ୍ୟରୁ ଓ ଧୂଳିରୁ ।


ଆଉ କେତେ ଶବ୍ଦ ତୋଳି ହେବ
ବଞ୍ଚିବାର କବିତା ପାଇଁ ???

ଯେଉଁଠି ଶୈଶବ ବେଗମାନ ହୁଏ
ଯୌବନର ଜ୍ଵାଳା ପାଇଁ
ବାର୍ଦ୍ଧକ୍ୟ ମୁଖାଗ୍ନି ଅଡିବସେ
ଶୈଶବର ଏନ୍ତୁଡିଶାଳ ପାଇଁ ।


ସେଇଠି ତ
କେବେଠୁ ଶବ୍ଦତୋଳା ସରିଛି...

...ବର୍ଷାର କଦମ୍ବରୁ
...ଶୀତର ସୋରିଷ କ୍ଷେତରୁ
...ଫଗୁଣର ସବୁଜ ପ୍ରଜାପତିରୁ
ଆଉ
ଗ୍ରୀଷ୍ମର ଲାଲ କୃଷ୍ଣଚୂଡାରୁ ॥

0 Comments