Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦେବୀ ନବଦୂର୍ଗାଙ୍କ ଗୁଣ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର
ଦୁରଭାଷ : ୯୪୩୭୦୮୧୩୩୩

ନମୋଃ ନମୋଃ ମାତେଶ୍ଵରୀ ନମୋଃ ଦୁର୍ଗାମାତା
ଆମ୍ଭ ମାନଙ୍କର ମାତା ତୁ ଭାଗ୍ୟବିଧାତା ॥
ଅପାର ଶକ୍ତିର ମାତା ତୁ ଅଧିକାରିଣୀ
ଆମ ରାଗ, କ୍ରୋଧ, ଗର୍ବ ତୋ’ ଦ୍ଵାରା ହାରିଣୀ ॥
ତୋହର ଆଶିଷ ମାତା ଯିଏ ପାଇଥାଏ
ତା’ପାଶେ ଅସାଧ୍ୟ ଆଉ କିଛି ବି ନଥାଏ ॥
ପ୍ରତିବର୍ଷ ଆସିଯାଏ ଯେବେ ନବରାତ୍ରୀ
ନଟି ରୂପରେ ତୋତେ ଲୋକେ ପୂଜୁଥାନ୍ତି ॥୦॥

ପ୍ରଥମ ଦିନରେ ମା’ଗୋ ହେଲୁ ଶୈଳପୁତ୍ରୀ
ଦୁଇଟି ଭୁଜ ତୋହର ଶୋଭା ପାଇଥାନ୍ତି ॥
ଏହି ରୂପରେ ଭୃଷଭ ବାହାନ ତୋହର
ଦକ୍ଷିଣ ତ୍ରିଶୂଳ ବାମେ ଧରୁ ପଦ୍ମଫୁଲ ॥
ଏହି ରୂପେ ଚନ୍ଦ୍ର-ଗ୍ରହ କରେ ପ୍ରଭାବିତ
“ଓଁ ଦେବୀ ଶୈଳପୁତ୍ରାୟେ ନମୋଃ” ତୋର ମନ୍ତ୍ର ॥୧॥


ଦ୍ଵିତୀୟ ଦିନରେ ରୂପ ତୋ ବ୍ରହ୍ମଚାରିଣୀ
ମଙ୍ଗଳ-ଗ୍ରହ ପ୍ରଭାବେ ଅଭୟଦାୟିନୀ ॥
ବ୍ରହ୍ମଚାରିଣୀ ରୂପରେ ନଥାଏ ବାହାନ
ଫୁଙ୍ଗୁଳା ପାଦରେ ମାତା କରଇ ଗମନ ॥
ଦୁଇଟି ଭୁଜ ତୋ ଶୁଭ୍ରା ବସ୍ତ୍ର ପରିହିତା
ଜପମାଳା କମଣ୍ଡଳୁ ଦୁଇ ହସ୍ତେ ମାତା ॥
“ଓଁ ଦେବୀ ବ୍ରହ୍ମଚାରିଣୀୟେ ନମୋଃ” ମନ୍ତ୍ରକୁ
ଜପିଲେ ଉଦ୍ଧାର କରୁ ତୋହର ଭକ୍ତକୁ ॥୨॥

ତୃତୀୟ ଦିବସେ ତୋର ନାମ ଚନ୍ଦ୍ରଘଣ୍ଟ
ବ୍ୟାଘ୍ର ବାହାନରେ ଦଶଭୁଜରେ ଶୋଭିତ ॥
ଅର୍ଦ୍ଧଚନ୍ଦ୍ରାକୃତି ଘଣ୍ଟ ଶୋଭା ମସ୍ତକରେ
ଚନ୍ଦ୍ରଘଣ୍ଟ ନାମ ତେଣୁ ଏପାଇଁ ତୋହରେ ॥
ଶୁକ୍ର-ଗ୍ରହର ପ୍ରଭାବ ଏ ରୂପରେ ଥାଏ
ମାତାଙ୍କର ଯୋଦ୍ଧାବେଶ ଏହା କୁହାଯାଏ ॥
ଦକ୍ଷିଣ ହସ୍ତରେ ପଦ୍ମ, ଧନୁ ଆଉ ତୀର
ଅଭୟମୁଦ୍ରା ଗୋଟେରେ ଅନ୍ୟେ ଜପମାଳ ॥
ବାମେ କମଣ୍ଡଳୁ, ଖଣ୍ଡା, ଗଦା ଓ ତ୍ରିଶୂଳ
ବରଦ ମୁଦ୍ରାରେ ଶେଷ ବାମ ହସ୍ତଟିର ॥
“ଓଁ ଦେବୀ ଚନ୍ଦ୍ରଘଣ୍ଟୟେ ନମୋଃ” ଏହି ମନ୍ତ୍ର
ଏ ଦିବସେ ଜପ କଲେ ଭକ୍ତ କୃପାବନ୍ତ ॥୩॥


କୁଷମାଣ୍ଡ ନାମ ତୋର ଚତୁର୍ଥ ଦିବସ
ସୂର୍ଯ୍ୟ-ଗ୍ରହଙ୍କ ଦ୍ଵାରା ହେଉ ପ୍ରଭାବିତ ॥
ଅଷ୍ଟଭୁଜା ହୋଇ ସିଂହ ବାହାନ ଉପରେ
ବିରାଜୁ ତୁ ମାତା ଆମ ବର୍ଣ୍ଣନା ବାହାରେ ॥
ଦକ୍ଷିଣ ହସ୍ତରେ ଗଦା, କମଣ୍ଡଳୁ ଶୋଭା
ତାହା ସହ ବର୍ଚ୍ଛା, ପଦ୍ମ ଅତି ମନଲୋଭା ॥
ଗୋଟେ ବାମହସ୍ତେ ଶୋଭା ଅମୃତ କଳସ
ଅନ୍ୟ ଜପମାଳା, ଗଦା ସହ ଶୋଭା ଚକ୍ର ॥
“ଓଁ ଦେବୀ କୁଷ୍ମାଣ୍ଡୟେ ନମୋଃ” କୁ ଜପିବ
ସିଦ୍ଧି, ନିଧି ତୋର କୃପା ବଳରେ ମିଳିବ ॥୪॥

ପଞ୍ଚମ ଦିବସେ ନାମ ତୋର ସ୍କନ୍ଦମାତା
ବୁଧ-ଗ୍ରହ ଦ୍ଵାରା ଏହି ରୂପେ ପ୍ରଭାବିତା ॥
ଭୀଷଣ ମୂର୍ତ୍ତି ସିଂହକୁ କରି ତୁ ବାହାନ
ଚତୁର୍ଭୁଜ ରୂପରେ ତୋ ହୁଅଇ ଦର୍ଶନ ॥
ଉପର ଦୁଇ ହସ୍ତରେ ଧରି ପଦ୍ମଫୁଲ
ଦକ୍ଷିଣେ ସ୍କନ୍ଦଙ୍କୁ ଧରୁ ଦୃଷ୍ଟାନ୍ତ ସ୍ନେହର ॥
ଅଭୟ ମୁଦ୍ରା ଠାଣିରେ ଥାଏ ଅନ୍ୟ ହସ୍ତ
“ଓଁ ଦେବୀ ସ୍କନ୍ଦମାତାୟେ ନମୋଃ” ତୋର ମନ୍ତ୍ର ॥
ଏହି ରୂପରେ ମାତାର ମିଳଇ ଆଶିଷ
ଆଶିଷ ବି ମିଳିଥାଏ ଭକ୍ତଙ୍କୁ ସ୍କନ୍ଦଙ୍କ ॥୫॥


ମହାଷଷ୍ଠୀ ଦିନ ତୋର ନାମ କାତ୍ୟାୟିନୀ
ଚତୁର୍ଭୁଜା ରୂପ ତୋର ତୁ ସିଂହବାହିନୀ ॥
ଏହିଦିନେ ବୃହଷ୍ପତି କବଳରେ ତୁହି
ଅଭୟ ବରଦମୁଦ୍ରେ ତୁହି ଥାଉ ରହି ॥
ବାମହାତେ ପଦ୍ମ, ଖଣ୍ଡା ତୋର ଶୋଭାପାଏ
ଦକ୍ଷିଣେ ମୁଦ୍ରା ଭଙ୍ଗୀରେ ଶୋଭା ମନ ମୋହେ ॥
“ଓଁ ଦେବୀ କାତ୍ୟାୟନେ ନମୋଃ” ଏହି ମନ୍ତ୍ରକୁ
ଜପିଦେଲେ ଲାଭ ହୁଏ ମାତା ଆଶିଷକୁ ॥୬॥

ମହାସପ୍ତମୀରେ ନାମ ତୋର କାଳରାତ୍ରୀ
ଶନି-ଗ୍ରହ ଏ ଦିନରେ ପ୍ରଭାବ ପକାନ୍ତି ॥
ତ୍ରିପଣ୍ଡ କଳା ଅଟଇ ରଙ୍ଗ ଦେବୀଙ୍କର
ଗଧ ବାହାନର ସାଥେ ଗମନ ତାହାର ॥
ଏହି ରୂପେ ଚତୁର୍ଭୁଜେ ତୁହି ଶୋଭାପାଉ
“ଓଁ ଦେବୀ କାଳରାତ୍ରୟେ ନମୋଃ” ଜପୁଥାଉ ॥
ବାମହସ୍ତେ ଖଣ୍ଡା ସହ ତୁ ଧରୁ ଆଙ୍କୁଶ
ଦକ୍ଷିଣେ ଅଭୟ ବରଦମୁଦ୍ରେ ତୋର ହସ୍ତ ॥୭॥


ମହାଷ୍ଟମୀ ଦିନ ନାମ ତୋର ମହାଗୌରୀ
ରାହୁ-ଗ୍ରହ ଏହିଦିନ ତୋହର ପ୍ରଭାରୀ ॥
ବୃଷଭ ବାହାନ ଧରି କରୁ ତୁ ଗମନ
ଚତୁର୍ଭୁଜ ରୂପ ତୋର ଶୋଭାପାଏ ଜାଣ ॥
ଗୋଟିଏ ଦକ୍ଷିଣ ହସ୍ତେ ଥାଏ ତୋ ତ୍ରିଶୂଳ
ଅଭୟମୁଦ୍ରାରେ ଥାଏ ଅନ୍ୟ ହସ୍ତ ତୋର ॥
ବାମର ଗୋଟିଏ ହସ୍ତେ ଡମ୍ବରୁ ଧାରଣ
ବରଦମୁଦ୍ରାରେ ଅନ୍ୟ ବାମହସ୍ତ ଜାଣ ॥
“ଓଁ ଦେବୀ ମହାଗୌରୀୟେ ନମୋଃ” ଏ ମନ୍ତ୍ରକୁ
ଜପି ଜପି ଲାଭ କର ମାତା ଆଶିଷକୁ ॥୮॥

ମହାନବମୀର ଦିନ ନାମ ସିଦ୍ଧିଦାତ୍ରୀ
କେତୁ-ଗ୍ରହ ଏହିଦିନ ପ୍ରଭାବେ ଥାଆନ୍ତି ॥
ପଦ୍ମପରେ ବସି ମାତା ସିଂହ ବାହାନରେ
ବିଜେ କରିଥାନ୍ତି ମାତା ଚାରୋଟି ହସ୍ତରେ ॥
ଦକ୍ଷିଣହସ୍ତରେ ଗଦା, ଚକ୍ର ଶୋଭାପାଏ
ବାମ ଦୁଇହସ୍ତେ ପଦ୍ମ, ଶଙ୍ଖ ରହିଥାଏ ॥
“ଓଁ ଦେବୀ ସିଦ୍ଧିଦାତ୍ରୟେ ନମୋଃ” ର ମନ୍ତ୍ରକୁ
ଜପି ଜପି ଲାଭକର ମାତା କରୁଣାକୁ ॥୯॥


Post a Comment

0 Comments