Information

ଶରତ ପୁନେଇଁ - ଧ୍ରୁବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

କଥା ଦେଇଥିଲା ଆସିବ ପୁନେଇଁ
ଶରତ ରାତିକୁ ନେଇ
ବିଛାଇ ଦେବ ସେ ରୂପେଲି ଜୋଛନା
ଧରାର ବକ୍ଷକୁ ଚାହିଁ ।।
ହସି ଉଠିଲାତ ଚଉଦିଗ ଶୋଭା
ବହିଲା ମୃଦୁ ସମୀର
କାଶତଣ୍ଡି ମନେ ଭରି ହୋଇଗଲା
ଅଭୁଲା ରାଗିଣୀ ଝର ।।
ହସି କହୁଥିଲା ମନର ବେଦନା
ଚନ୍ଦ୍ରର ମୁହଁକୁ ଚାହିଁ
ବହୁଦିନ ହେଲା କଣ୍ଟ ଦେଇଗଲ
ମନ କି ତୁମର ନାହିଁ ।।
ବିଲ ହୁଡା ମାଳେ ଏକା ବସିଥିଲି
ତୁମରି ପଥକୁ ଚାହିଁ
ଯୌବନ ଜୁଆରେ ଖେଳାଇଲ ଢେଉ
ତୁମେ ଶରତ ପୁନେଇଁ ।।
ତୁମେ ଥିଲ ବୋଲି ଗଭାର ଗଜରା
ଖୋଲି ଦେଇଥିଲି ଅଙ୍ଗେ
ଦୂରୁ ଦିଶୁଥିଲି ସୁନ୍ଦରୀ ନାୟିକା
ମଧୂ ଝରୁଥିଲା ଅଙ୍ଗେ ।।
ତୁମରି କିରଣେ ପଖାଳେ ତନୁକୋ
ବଡ ହସ ହସ ହୋଇ
ପରଛାଇ ପାଇ ଦେଖଇ ମୁହଁକୁ
ଲାଗେ ତୁମ ମନ କଇଁ ।।
ଆଦ୍ୟ ସନ୍ଧ୍ୟାକାଳୁ ଗେଲ ମୁଁ ହୁଅଇ
ନିଶି ପାହିଯିବା ଯାଏ
ତୁମେ ମୋ ଶରତ ମୁହିଁ କାଶତଣ୍ଡି
ଋତୁ ପ୍ରେମ ମନ ମୋହେ ।।

Post a Comment