Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଲିଭା ଅତୀତର ଦାଗ - ସୀମାଞ୍ଚଳ ରଣା

ସିମାଞ୍ଚଳ ରଣା
ଗ୍ରାମ- କୁର୍ତ୍ତମଗଡ଼, ଥାନା- ତୁମୁଡିବନ୍ଧ, ଜିଲ୍ଲା- କନ୍ଧମାଳ

ସେଦିନ ଭାରି ମଜା ଲାଗୁଥିଲା ମୋତେ ନିପଟ ମଫସଲ ତଥା ଆଦିବାସୀ ଗ୍ରାମର ଏକ ମାତ୍ର ପ୍ରଥମ ମାଟ୍ରିକ ପାସ କରି ଆଣିଦେଇଥିଲି ଏକ ଇତିହାସର ଆଧ୍ୟାୟ । କନ୍ଧ ସମ୍ପ୍ରଦାୟର ରୀତି ଅନୁଯାୟୀ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ମୋତେ । ଆଦିବାସୀଙ୍କ ଚାଙ୍ଗୁ ବାଦ୍ୟ ସହ ସାଲୁଆ ଡାଳକୁ ହଲେଇ ଆଦିବାସୀ ଯୁବତୀ ନିମ, ରାଧା, ଗୁରୁବାରୀ, ମେନକା ଇତ୍ୟାଦି ବାଲ୍ୟବାନ୍ଧବୀଙ୍କ ଗହଣରେ, କାନ୍ଧରେ ହାତ ରଖି, ଗବନା ଅଜାର ବଗଡ଼ (ପୋଡ଼ୁ ଚାଷ କରି ପାହାଡ଼ରେ କରାଯାଉଥିବା କାନ୍ଦୁଲ ଚାଷ) ଜଗିବାର ଗୀତ ସଂଗେ ମତୁଆଲା ହୋଇ ନାଚି ଉଠିଥିଲି ସେଦିନ । ଧରଣୀ ଖୁମ୍ବ ପାଖେ ଲେଉଟିଆ କୁକୁଡ଼ା ବଳି ଦେଇ ପିତରା ବୁଢ଼ା ମୋ ଉନ୍ନତି ନିମନ୍ତେ ପୂଜା କରିଥିଲା । ହଁ ତାପରେ ବଦଳି ଯାଇଥିଲା ମୋ ଜୀବନର ଗତି ଭଲ ପାଠପଢି ସରକାରୀ ଶିକ୍ଷକ ରୂପେ ୧୫୦୦ ଟଙ୍କା ଦରମାରେ ମାଷ୍ଟ୍ରେ ହୋଇଗଲି । ଯେଉଁମାନେ ନାଁ ଧରି ମୋତେ ଡାକୁଥିଲେ ସେମାନେ ଆଜ୍ଞା ଡାକିଦେଲାବେଳେ ସତେ ଯେମିତି ଛାତିଟା ଆହୁରି କୁଣ୍ଢେ ମୋଟ ହେଇଯାଉଥିଲା । ହେଲେ ଏ ଗରିବୀ ପଣିଆ ସବୁ ପଥକୁ ପ୍ରତିରୋଧ କରେ । ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ସେଦିନ ଶିକ୍ଷକ ପଦକୁ ପୁଷ୍ପାଞ୍ଜଳି ଦେଇ ବିଦା କରିଦେଲି । ଘରୁ ବସ୍ତାଏ ଚାଉଳ ବିକି ବାପା ମାଆଙ୍କ ଆଶୀର୍ବାଦ ନେଇ ବାହାରିଲି ତାମିଲନାଡୁ ଗୋଟେ ଦାଦନ ଶ୍ରମିକ ସାଜି । ବିଦାୟ ବେଳର ଦୃଶ୍ୟ ବହୁତ କଷ୍ଟ ଦାୟକ ଥିଲା । ମିନତୀ ଗୁହାଳରୁ ଗୋବର କାଢ଼ିବା ବାହାନାରେ ବୋଧେ ମୋତେ ଚାହିଁ ରହିଥିଲା ଅଶ୍ରୁ ଛଳଛଳ ଆଖିରେ । ବାପା ସାଇକେଲରେ ବସଷ୍ଟାଣ୍ଡ ଛାଡି ଆସିବା ବେଳେ ଅଳ୍ପ କଣେଇ ଚାହିଁଲି ମିନତୀକୁ । ସ୍ମିତହାସ୍ୟ ସହ ଅଶ୍ରୁ ଆଖିରେ ଦୁଃଖର ଯନ୍ତ୍ରଣାକୁ ବେଶ ଅନୁଭବ କରି ପାରୁଥିଲି ମୁଁ ମିନତୀ ପାଖରୁ । ପଦିଏ କହିଦେଲି ତାକୁ ଆଦିବାସୀ ଭାଷାରେ- "ସାଜି ମାଈଲା ମିନତୀ ଏସେକ ବାଇ ଯେ ପୁଞ୍ଜା ସିଡେ ଆନୁ" (ଯାଉଛି ମିନତୀ କେବେ ଫେରିବି ଜାଣେନି) । ଏତିକିରେ ସେ କୋହଭରା ଚାହାଣୀ ଦେଇ ଚାଲିଗଲା ଘରକୁ ।


ଓଡିଶା ରୁ ତାମିଲନାଡୁ ପହଞ୍ଚି ଦୁଇଦିନ ଚେଷ୍ଟା ପରେ ମେରିଡିଆନ ଆପାରେଲ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଜଣେ ଛାତ୍ର ଶ୍ରମିକ ରୂପେ ପୋଷାକ ସିଲାଇ, ମାନ ପରୀକ୍ଷଣ ଇତ୍ୟାଦିରେ କାର୍ଯ୍ୟ କରି ଭଲ ପାରଙ୍ଗମ ହୋଇଗଲି କାର୍ଯ୍ୟ କ୍ଷେତ୍ରରେ । ସେଠାରେ ତାମିଲ ବନ୍ଧୁଙ୍କୁ ଓଡ଼ିଆ ଶିଖାଇବା ସହ ତାମିଲ ଭାଷା ମଧ୍ୟ ଶିଖିଲି । ମୋ ସଂଯମତା ଓ କାର୍ଯ୍ୟ ଦକ୍ଷତା ଦେଖି କମ୍ପାନୀର ପ୍ରଡ଼କସନ ମ୍ୟାନେଜର ମୋର ପଦୋନ୍ନତି କରି କ୍ଵାଲିଟି ଚେକର ଅଧିକାରୀ ଭାବେ ଦାୟିତ୍ଵ ଦେଲେ । ଓଡ଼ିଶାର ଦଉଡି ଖଟିଆରେ ଜୀବନ ବିତିଥିବା ଏହି ମଣିଷଟିକୁ ସେଦିନ ମୁଭିଙ୍ଗ ଚେୟାରରେ ବସିବାର ଦୃଶ୍ୟ କେବଳ ନିଜେ ହିଁ ମୁଁ ଅନୁଭବ କରିଛି । ଏହା ପରେ ଆରମ୍ଭ ହୋଇଥିଲା ମୋ ସୁନ୍ଦର ଖୁସିର ସାମ୍ରାଜ୍ୟରେ ଯବନିକାର ଶତ୍ରୁ ଆକ୍ରମଣ । ସେଦିନ ଜେସିକା ସେଲଭି ଆମ କମ୍ପାନୀର ବାୟର କ୍ଵାଲିଟି ମ୍ୟାନେଜର ରୁପେ ଯୋଗଦେଲେ । ସୁନ୍ଦରୀ ଝିଅଟିଏ ଅଳ୍ପ ଗୋରୀ, ତା'ସହ ମିଠା ହସ ମନ କିଣି ନେଉଥିଲା ସମସ୍ତଙ୍କର । ଶ୍ରୀଲଙ୍କାରୁ ଆସି ଇଣ୍ଡିଆରେ ଚାକିରୀ କରିବାରେ ବେଶ ଖାପ ଖୁଆଇ ଚାଲିପାରୁଥିଲେ ଜେସିକା । ପ୍ରାୟ ସବୁବେଳେ ମୋର କାମ ପଡେ ତାଙ୍କ ଚାମ୍ବରରେ । ହଠାତ ଦିନେ ଦେଖିଲି, ସେ କାନ୍ଦୁଛନ୍ତି ମୁଁ ପଚାରି ଦେଲି- "ଇନା ଚେ ମାଡାମ" (କଣ ହେଲା ମାମ) ସେ କହିଲେ- "ଇଲେପା ସୁମା" (କିଛି ନୁଁହ ମିଛରେ କାନ୍ଦୁଛି) ହେଲେ ମୁଁ ବୁଝିପାରୁଥିଲି ତାଙ୍କ ବେଦନାର ପରିଭାଷା । ସେଦିନ ବସାକୁ ଫେରି ଫେସବୁକ ଖୋଲି ଦେଖିଲି ଜଣେ ନୂତନ କେହି ବନ୍ଧୁତା ନିମନ୍ତେ ଅନୁରୋଧ ପଠାଇଛନ୍ତି, ସେ ଆଉ କେହିନୁଁହ ଜେସିକା ମାମ । ଏବେ ସୋସିଆଲ ମିଡିଆରେ ବନ୍ଧୁ ହେଲା ପରେ ସେଦିନର ପୋଷ୍ଟ ପଢି ଦେଖିଲି ଲେଖାଥିଲା "remember me any one"ଏତିକିରୁ ବୁଝିଯାଇଥିଲି ସେ ଏକାକୀ ପଣକୁ ନେଇ ଦୁଃଖିତ । ତାଙ୍କରି ଫେସବୁକ ୱାଲରେ ପୋଷ୍ଟଟିଏ କଲି ସେଦିନ- "smile is a language of love, smile is way to get success.. smile is improves and personallty so keep smiling regular, have a good evening mam"


ଏହା ପରେ ଆରମ୍ଭ ହୋଇଥିଲା ଆମ ପ୍ରେମର ମୂଳଦୁଆ.. କଥା ଦିଆନିଆରେ ଭଲପାଇ ବସିଲୁ ଉଭୟେ ପରସ୍ପରକୁ । ମାଡାମରୁ ସେ ମୋ ଜେସିକା ହୋଇ ଯାଇଥିଲେ । ଯାହା ଦିନେ କମ୍ପାନୀରେ ଚର୍ଚ୍ଚା ଧରିଲା, ଆଉ ଆମେ ଉଭୟେ ବିଦାୟୀ ହେଲୁ । ସେଦିନ କମ୍ପାନୀରୁ ଆସି ମୋ ଘରେ ରହିବା ପରେ ଜେସିକା ଶ୍ରୀଲଙ୍କା ଫେରିଯିବାକୁ କହିଲା । ପ୍ରେମ ଆମକୁ ଏତେ ପାଗଳ କରିଦେଇଥିଲା ଯେ, କେହି କାହାକୁ ଛାଡିବାକୁ ରାଜି ନଥିଲୁ । କିନ୍ତୁ ଜେସିକାକୁ ଯିବାକୁ ପଡିଲା, ଆଉ ଦରଦୀ ଭରା ଅଶ୍ରୁ ସହ ସେଦିନ କୋଏମ୍ବାଟୁର ଏଆରପୋର୍ଟରେ ବିଦାୟ ଦେଇ ଆସିଲି । ଶ୍ରୀଲଙ୍କା ପହଞ୍ଚି ନିୟମିତ କଥା ହେଉଥିଲା ସେ । ମୁଁ ମଧ୍ୟ ଏକ ନୂତନ କମ୍ପାନୀରେ ଯୋଗଦାନ କରିଥାଏ, ଆଉ ଆଗ ଅପେକ୍ଷା ଅଧିକ ରୋଜଗାର ହେଉଥାଏ । ତାକୁ ଆସିବା ପାଇଁ କହିଲି, ହେଲେ ସେ କହିଲା ଯଦି ମୁଁ ତାକୁ ବିବାହ କରିବି ସେ ଆସିବ । ମୁଁ ତାକୁ ଶ୍ରୀଲଙ୍କାରେ ତା'ପରିବାର ସହ କଥା ହେବାକୁ ପଡିବ । ବାସ ଲାଗିପଡ଼ିଲି ଭିସା ପାସପୋର୍ଟ କରିବାରେ । କିଛି ମାସ ପରେ ଭିସା ହେଇଗଲା ପରେ ବାହାରି ପଡ଼ିଲି ଶ୍ରୀଲଙ୍କାର କଲମ୍ବୋ ସହରକୁ । ପ୍ରଥମ କରି ବିଦେଶ ଯାଉଥିବାରୁ ମନରେ ଉତ୍ସାହ ଓ ଛନକା ରହିଥାଏ । ମାତ୍ର ତିନି ଘଣ୍ଟାରେ କଲମ୍ବୋ ପହଞ୍ଚି ଗଲି । ଶ୍ରୀଲଙ୍କାରେ ଆଚମ୍ବିତ କରିବାପାଇଁ ଜେସିକାକୁ ନଜଣାଇ ଶ୍ରୀଲଙ୍କା ପହଞ୍ଚିଗଲି । ପାଇଥିବା ଠିକଣାରେ ପହଞ୍ଚି ଘର ବାହାରେ କଲିଂବେଲଟିକୁ ବଜାଇଲି, ଘର ଭିତରୁ ଜଣେ ବୟସ୍କା ମହିଳା ବାହାରି ଆସିଲେ ହଠାତ ମୁଁ ମତି ଭ୍ରମ ହୋଇ ଓଡିଆରେ ପଚାରିଲି, ଏଇଟା ଜେସିକାର ଘର ତ ? ସେ କହିଲେ, ପ୍ଲିଜ ଟେଲ ମି ଇନ ତାମିଲ ଅର ଇଂଲିଶ । ମୁଁ କହିଲି, "ଇଦେ ବିଟ ୟରେ କି ଜେସିକା ୟା ବେରେ ପାସାଙ୍ଗା" ? (ଏହା ଜେସିକା ନା ଆଉ କାହାର ଘର ?) ସେ ହଁ କହି ଜେସିକାକୁ ଡାକିଲେ ମୁଁ ଖୁସିରେ ନାଚି ଉଠୁଥିଲି ତାକୁ ଦେଖିବାପାଇଁ । ହଠାତ ସେ ଆସିଲା, ଯାହା ଦେଖିଲି ଏ ଆଖିକୁ ବିଶ୍ୱାସ ହେଉନଥିଲା । ସେଇ ଜେସିକା ସେଇ ଚେହେରା ସେଇ ରୂପ ସେଇ ଚାହାଣୀ, କିଛି ପରିବର୍ତ୍ତନ ନଥିଲା କିନ୍ତୁ ବଦଳି ଯାଇଥିଲା ସେ, ନିଜେ ବେକରେ ପିନ୍ଧି ଥିଲା ଗୋଟେ ମଙ୍ଗଳସୂତ୍ର । ମୋ ପାଦ ତଳ ମାଟି ଖସିଗଲା ସେଦିନ, ହସ ମୋ ଓଠରୁ ନିମଷକେ ଉଭେଇ ଗଲା । ଏ କଣ ଜେସି ତୁମେ ବିବାହିତ ? ତେବେ ମୋତେ ଭଲ ପାଇବାର ଉଦେଶ୍ୟ କଣ ଥିଲା ?? ନା କିଛି ଉତ୍ତର ନଥିଲା କେବଳ "I am sorry" ଜେସିକା ଓଠରୁ ଶେଷ ପଦିଏ କଥା ଯାହା ଆଜିବି ମୋତେ କାରଣ ଖୋଜିବାକୁ ପଡେ ।


ପାଗଳ ମନକୁ ଅଥୟ ଭାବେ ନେଇ ଓଡିଶା ଫେରି ଆସିଲି ଭାବିଲି ମୋ ଅତୀତହିଁ ଭଲ । ସେଇ ଆଦିବାସୀ ଲୋକଙ୍କ ସହ ବିତାଇବା ଜୀବନଠୁ ଆନନ୍ଦ ଏହି ବିଦେଶିନୀ ମାନେ କାଁହୁ ବୁଝିବେ ? ଏହି ଭାବନାରେ ମୋ ଗାଁ କୁ ଫେରି ପ୍ରଥମେ ମିନତୀ ଘରକୁ ମିନତୀ.. ମିନତୀ.. ଡାକି ଯାଇ ସିଧା ମିନତୀ ଘର ବାଟ ମୁହଁରେ ପହଁଚି ଦେଖିଲି, ଖଟରେ ମିନତୀର ବାପା ବସିଛନ୍ତି, ମିନତୀ କାଇଁ ବୋଲି ପଚାରି ବୁଝଲି, ସେ ଉତ୍ତର ଦେବା ବଦଳରେ ମୋତେ ପଚାରିଲେ ଗାଁ ମନେ ପଡୁଲା କି ? ମୁଁ ହଁ କହି ପୁଣି ମିନତୀ କଥା ପଚାରିଲି ସେ କହିଲେ ବର୍ଷେ ହେଲା ମିନତୀ ଗୋଟେ ଜାଗାରେ ଅଛି ଯେ ଡାକିଲେ ବି ଶୁଣୁନି । "ତୁ ଡାକ ତ କାଳେ ଆସିବ" କହି ମୋତେ ମିନତୀ ରହୁଥିବା ବଖରାକୁ ନେଲେ, ଆଉ କାନ୍ଥ ଆଡେ ଚାହିଁବାକୁ କହିଲେ । ସେଠି ମିନତୀ ନଥିଲା ଥିଲା ଗୋଟେ ଫୁଲମାଳା ସହ ସୁନ୍ଦରୀ ମିନତୀର ଫଟୋ । ଜାଣିବାକୁ ପାଇଲି ବସନ୍ତ ରୋଗରେ ସେ ମରିଗଲା । ମନ ଦୁଃଖରେ ଫେରି ଆସିଲି ଘରକୁ । ଆଜି ସବୁ ଅଛି ମୋ ପାଖେ କିନ୍ତୁ ପିଛା ଛାଡ଼ୁନି ସେ ଅତୀତ ଯାହା ମୋତେ କକବଲ କରିଛି । ମିନତୀର ଭଲପାଇବା ଆଉ ବିଦେଶିନୀ ଜେସିକାର ଧୋକା ।

Post a Comment

2 Comments

  1. ଜମ୍ବେଶ୍ଵର ପ୍ରଧାନ, ଛତ୍ରପୁର, ଗଞ୍ଜାମ9/23/2017

    ଖୁବ ମର୍ମସ୍ପର୍ଶୀ ପ୍ରେମ ଗଳ୍ପଟିଏ । ବହୁତ ଭଲଲାଗିଲା ।

    ReplyDelete
  2. ସିମାଞ୍ଚଳ ରଣା9/24/2017

    ଧନ୍ୟବାଦ ଆଜ୍ଞା ମତାମତ ପାଇଁ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।