Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୁଁ ଆତ୍ମା କହୁଛି - ଭାଗ ୨ - ବଳବନ୍ତ ସାହୁ

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଦୂରଭାଷ- ୯୦୭୮୧୦୫୨୩୪


ଆତ୍ମା... !
ହଁ' ମୁଁ ଆତ୍ମା କହୁଛି । ସମାଜର କୋଟି କୋଟି ଜନତାଙ୍କ ଅଜ୍ଞାତ ଆତ୍ମା, ଯିଏକି ଜୀବନକାଳରେ ନା ହସି ପାରିଛି ଗୋଟିଏ ଦିନ, ନା ପାରିଛି ଗୋଟିଏ ଘଣ୍ଟା, ନା ପାରିଛି ଗୋଟିଏ ମୁହୂର୍ତ୍ତ । ତଥାପି ଦେଇନାହିଁ କାହାକୁ ଦୋଷ ନା ଦେଇଛି ସମାଜକୁ, ନା କେବେ ଦୋଷ ଦେଇଛି ଭଗବାନଙ୍କୁ, ନା କେବେ ଦୋଷୀ କହିଛି ଭାଗ୍ୟକୁ । ଦୋଷ ଦେଇଛି ସତ କିନ୍ତୁ ସବୁବେଳେ ନିଜକୁ.. ନିଜକୁ... ।


ବୋଧେ ଜାଣିପାରିଲେ ନାହିଁ । ହଁ ଜାଣିବେ କେମିତି, ମୁଁ ତ ନୁହେଁ ପ୍ରଧାନମନ୍ତ୍ରୀର ପୁଅ, ନୁହେଁ କୌଣସି ରାଜନେତାର ପୁଅ, ନୁହେଁ ପୁଣି ସେଲେବ୍ରେଟିର ପୁଅ । ତାହା ଛାଡ଼ନ୍ତୁ, ଆଜି ଆସିଛି ମାନେ କହିବି ସବୁ ଗୋଟି ଗୋଟି କରି କହିବି, ଯଦିବି କହିପାରିବି ନାହିଁ ଚଟାପଟ୍ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେଲାପରି ତଥାପି କରିପାରିବି ମୋ କୁନି ପାଟିରେ ଖନେଇ ଖନେଇ । କହିବି ହୃଦୟର ବେଳାଭୂମିରେ ପ୍ରତି ମୁହୂର୍ତ୍ତ ଆଙ୍କି ହେଉଥିବା ଜୀବନର ସେ ଅଭୁଲା ତଥା ଅଲିଭା ଚିତ୍ରକୁ । ଯଦି ପାରିବେ ସେ ଚିତ୍ରରେ ରଙ୍ଗ ଭରିଦେବେ ଯେପରି ରଙ୍ଗୀନ ଦୁନିଆର ଲୋକେ ଅନୁଭବ କରିପାରିବେ ମର୍ମେ ମର୍ମେ ।


ଚନ୍ଦ୍ର ସୂର୍ଯ୍ୟ ମଧ୍ୟରେ ଚାଲିଥାଏ ପ୍ରତିଯୋଗିତା, ବଢି ବଢି ଆସୁଥାଏ ସୂର୍ଯ୍ୟର ଆଲୁଅ ହଠାତ ମେଘ ମଧ୍ୟ ଭାଗନେଇଗଲା ପ୍ରତିଯୋଗିତାରେ ଏବଂ ବାଜିମାରିଦେଲା, ପ୍ରଭାବ ପକାଇ ପାରିଲେ ନାହିଁ ସୂର୍ଯ୍ୟ, ପୁଣି ଚନ୍ଦ୍ର । ରଜନୀ ରାଣୀ ବିଦା ହେଉଥାନ୍ତି ସତ କିନ୍ତୁ କଳାବାଦଳର ପ୍ରଭାବରେ ଅନୁଭବ କରିହେଉନଥାଏ ଏହା । ଶୁଭିଲା- "ଯାତ୍ରୀ ଗଣ୍ କୃପୟା ଧ୍ୟାନ୍ ଦେ ଗାଡି ନମ୍ବର୍...." ମାଆ ଭୁସ୍ ଭାସ୍ ହୋଇ ଉଠିପଡିଲେ ପଦେ କହିଲେ ଆଉ ଚଢ଼ିଗଲେ ଟ୍ରେନକୁ । କହିଥିଲେ- "ମୁଁ ଆସୁଛି, ଥା" । ଭାବିଲି ହଁ ଆସିବେ ।କିନ୍ତୁ ସେ ଭାବନା ଭାବନାରେ ହିଁ ରହିଗଲା । ସେ ଆଉ ଆସିଲେ ନାହିଁ ।ବିତିଗଲା ଘଣ୍ଟାଏ, ଦିଘଣ୍ଟା, ଏମିତି ଘଣ୍ଟା ପରେ ଘଣ୍ଟା । ମନ ଭିତରେ ଅହେତୁକ ଡର ଛାତିକୁ ଥରାଇ ଦେଉଥାଏ ତଥାପି କିନ୍ତୁ ମନର କେଉଁ କୋଣରେ କୁଆଡେ ବିଶ୍ୱାସଟିଏ ରହିଥାଏ ମାଆ ଆସିବେ । ଏପଟେ ଭୋକ ବଢ଼ି ବଢ଼ି ଯାଉଥାଏ ସେଥିରେ ମାଆ ଠାରୁ ଅଲଗା ହେବ ଦୁଖଃ । ଆଉ ପାରିଲିନାହିଁ ସମ୍ଭାଳି ଧୀରେ ଧୀରେ ଉଠିଲି ଆଗକୁ ବଢି ଗୋଟିଏ ବୋଟସୁଟ୍ ପିନ୍ଧିଥିବା ଭଦ୍ର ଲୋକଙ୍କ ଠାରୁ କିଛି ପାଇବା ଆଶାରେ ନେହୁରା ହେଲି । ସେ ଦେଲେ ଆଉ ମୁଁ ପାଇଲି ହେଲେ ଭୋକ କମିଲା ନାହିଁ କାହିଁକି ସେ ଥିଲା ତାଙ୍କ ପରିଶ୍ରମର ବିଭିନ୍ନ ସ୍ରୋତର ଟିପଣୀ ବରଂ ଆହୁରି ଦ୍ୱିଗୁଣିତ ହୋଇଉଠିଲା, ଏବଂ ନିଜଉପରେ ଘୃଣା ଜାତହେଲା । ଆଗକୁ ବଢୁ ବଢୁ ମୁଁ ଦେଖିଲି ଜଣେ ଯୁବକ ମୋ ନିକଟକୁ ଆସୁଛନ୍ତି । କ୍ଷଣିକ ସମୟ ପାଇଁ ମୋ ମନରେ ଆଶା ସଞ୍ଚାର ହେଲା ସତ କିନ୍ତୁ ସେ ଆଶା ତିଷ୍ଠି ପାରିଲା ନାହିଁ ଯେତେବେଳେ ସେ ମୋବାଇଲ ବାହାର କରି ମୋ ସାଥେ ନେଇଗଲେ ଗୋଟିଏ ସେଲ୍ଫି । ଏମିତି ଅନେକ ଚେଷ୍ଟା କରିଛି କିନ୍ତୁ କିଛି ଖାଇବା ବଦଳରେ ପାଇଛି ଆଉ କିଛି...। ଘୃଣା ଚାଲିଆସେ ସମାଜ ପ୍ରତି କିନ୍ତୁ ଘୃଣା ମଧ୍ୟ ପାରେନି ତିଷ୍ଠି, ଉଭେଇ ଯାଏ ଭାବୁ ଭାବୁ ମାଆ କହିଥିବା ପଦେ । ବାରମ୍ବାର ଭାବନାରେ ଆସେ ସେ ପଦ- "ସୂର୍ଯ୍ୟ ପରି ମହାନ ହେବାକୁ ହେଲେ ସୂର୍ଯ୍ୟ ପରି ଜଳିବାକୁ ମଧ୍ୟ ପଡିଥାଏ" ।


ସମୟ କଣ କେବେ କାହାକୁ ଅଟକିଛି ? ନା ଅଟକି ନାହିଁ । ତାହେଲେ ମୋ ପାଇଁ କେମିତି ଅଟକିବ ସମୟ କଣ୍ଟା ବଢି ସରିଥାଏ ବାର ପାଦ । ସନ୍ଧ୍ୟା ସମୟ ଭୋକକୁ ସମ୍ଭାଳି ନପାରି ସମସ୍ତଙ୍କୁ ମାଗୁଥାଏ ସେଇ ଗୋଟିଏ ଆଶା ରଖି କିଛି ପାଇବି ଓ ଖାଇବି । ଷ୍ଟେସନରୁ ବାହାରିଲି ସହର ମଧ୍ୟକୁ କେବଳ ଗୋଟିଏ ଆଶା ନେଇ କିଛି ଖାଇବି । ରାସ୍ତା ଦୁଇ ପାର୍ଶ୍ଵରେ ଲାଇଟ ତା ପୁଣି ପ୍ରତି ଦଶପାଦରେ ଗୋଟିଏ, ଯା' ର ଆବଶ୍ୟକ ମଧ୍ୟ ନାହିଁ । ହଠାତ ଆଖି ଝାପ୍ସା ଝାପ୍ସା ଲାଗିଲା ଟିକେ ଟିକେ ଜଣାପଡୁଥାଏ ମୋ ଆଗରେ ଗୋଟିଏ ସରକାରୀ ଗାଡି । ତାପରେ ମୋ ଆଗରେ ଶତ ଶତ ଲୋକ, କେତେ ଫଟୋ ନେବାରେ ବ୍ୟସ୍ତ, କେତେ ଦେଖିବାରେ, ପୁଣି କେତେ ଚୁ ଚୁ କରିବାରେ...। ରକ୍ତ ଜୁଡୁବୁଡୁ ହୋଇ, ଦୁଇ ପାଦ ହରାଇ ଶେଷ ଆଶା ସେଇ ଜୀବନ ପାଇଁ ହାତ ଉଠାଇ ସାହାର୍ଯ୍ୟ ମାଗୁଥାଏ କିନ୍ତୁ ରକ୍ତ ଲାଗିଯିବ ଭାବି ସମସ୍ତେ କେବଳ ବ୍ୟସ୍ତଥାନ୍ତି ଚୁ ଚୁ କରିବାରେ...।


ଶେଷରେ ହେଲା କଣ ? ମୁଁ ପହଞ୍ଚି ଆସିଲି ମାଆ ପାଖକୁ କିନ୍ତୁ ଭାଙ୍ଗିଗଲା ମୋ ସପନ ଭାଙ୍ଗିଗଲା ଆଶା । ହୋଇଗଲି ବିଜୁ ରୁ ଆତ୍ମା.. ନା ପୂରଣ କରିପାରିଲି ଆଇ.ଏ.ଏସ୍ ହେବା ଆଶା ନା ପାରିଲି ଅନାଥ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ଆଶା, ନା ପୂରଣ କରିପାରିଲି ମାଆକୁ ଖୁସି ରଖିବାର ଆଶା । ସବୁ ଆଶା ଆଶାରେ ହିଁ ରହିଗଲା, ସବୁ ସପନ ପାଣି ଫୋଟକା ପରି ଫାଟିଗଲା କାହିଁକି ହୋଇଗଲି ମୁଁ ଆତ୍ମା.. ହଁ ' ଆତ୍ମା.. ।କ୍ରମଶଃ ଆଗକୁ ପଢନ୍ତୁ..


Post a Comment

0 Comments