Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଖୁଦୁରୁକୁଣୀ

ମୃତ୍ୟୁଞ୍ଜୟ ବେହେରା
ଗୋନ୍ଦିଆ, ଢେଙ୍କାନାଳ

ବାସ ମହମହ ଗାଧୁଆ ତୁଠ
ହଳଦୀକାଠୁଆ ହସଗମାତ
ମଞ୍ଜୁଆତି ରଙ୍ଗ କଅଁଳ ହାତ
ଟୋକି ଭୂଆଷୁଣୀ ଓଷେଇତୁଣୀ
ଖୁଦୁରୁକୁଣୀ ॥

ଟଗର ମନ୍ଦାର ହରଗଉରୀ
ଆମ୍ବଡାଳ କଇଁଫୁଲ ଝାଲେରି
ନୂଆ ଭାଉଜଙ୍କ ଚୁମୁକୀ ଶାଢୀ
ମଝିରେ ମୁରୁଜ ଆଗରେ ଝୋଟି
ମଙ୍ଗଳାକୋଠି ॥


ଆମ ଭାଲୁକୁଣୀ ଖାଉଛି ମୁଢି
ତୁମ ଭାଲୁକୁଣୀ ଖୋତରି ବୁଢୀ
ଆମ ସାହି ଝିଅ ପଦୁଅଁ କଢି
ତମ ସାହି ଝିଅ ଫୁଲ ଚୋରଣୀ
ନାକେ ସିଙ୍ଘାଣୀ ॥

ସାନ ନୂଆବୋଉ ପହିଲି ଭାର
ନଡିଆ ଉଖୁଡା ଖଣ୍ଡ ଶାକର
ଲଗାଇ ଦିଅଲୋ ଟିକେ ଅତର
ତମେ ନୀଳେନ୍ଦିରି ମୁଁ ତଅପୋଇ
ଭୁଲିବି ନାହିଁ ॥


କଅଁଳ କଣ୍ଠେ କେ ପଢୁଛି ବହି
ଦୁଃଖରେ ହୃଦୟ ହେଉଛି ଦହି
କେଡେ ନିରିମାଖି ସେ ତଅପୋଇ
ମଲାନି କିଆଁ ସେ ରାଣ୍ଡି ବ୍ରାହ୍ମଣୀ
କଳିର ମୁଣି ॥

ଦୂରେ ଛିଡା ହୋଇ ଶୁଣେ କେ ଗୀତ
ଖସିଯାଏ ନୂଆ ଶାଢୀ ପଣତ
ଛନ୍ଦି ହୋଇଯାଏ ପାଉଁଜି ପାଦ
ଲୁଚି ଲୁଚି ଆସେ କାହା ନଜର
କେ ମନଚୋର ॥


ଆସ ଲୋ ବନ୍ଦାଅ ସଭିଏଁ ମିଳି
ଟୋକିମାନେ ଦିଅ ଲୋ ହୁଳହୁଳି
ରହିଥିଲେ ଆଉ ବରଷେ ପୁଣି
କେ ଜାଣେ କା ବାହା ରାଶି ଫିଟିବ
କିଏ ରହିବ ॥

କଇଁଫୁଲ ଆଣି ଯେ ଦେଇଥିଲା
ତା ପାଇଁକି ଟିକେ ଭୋଗ ରହିଲା
କୋଠି ନାହାକାଣୀ କୁଆଡେ ଗଲା
ଶେଷକୁ ଆସିଲେ ଛାଡିବ ରଡି
ଲାଗିବ କଳି ॥


 

Post a Comment

0 Comments