Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପିଲାବେଳ କଥା - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ- ଏଫ୍/୧୩, ସେକ୍ଟର-୪
ରାଉରକେଲା- ୭୬୯୦୦୨
ଫୋନ୍- ୭୯୭୮୧୯୨୨୨୭

ଧୋବ ଧୋବଳିଆ ଟଗର ଫୁଲିଆ
ଜହ୍ନରାତି ଗଲା ସରି
ଚୋର ଓ ପୋଲିସି ବୋହୂ ଚୋରୀ ମିଶି
ମନେ ପଡୁଅଛି ଭାରି ।
ଝୁମୁକାଟେ ବାନ୍ଧି ଅଣ୍ଟାସୂତା ପିନ୍ଧି
ପୁଙ୍ଗୁଳା ଦେହରେ ଦାଣ୍ଡେ
ଦେଖୁ ଦେଖୁ ଜହ୍ନ ନିଷ୍ପାପ ଜୀବନ
ସରିଗଲା କେଉଁ ଦଣ୍ଡେ ।
ଲାଞ୍ଜ ଛିଣ୍ଡା ଗୁଡି କବାଡି ବାଗୁଡି
କୁଆଡେ ଉଭେଇ ଗଲେ
ବରଗଛ ତଳ ଓହଳର ଖେଳ
ଭୁଲି ନ ପାରଇ ଭଲେ ।
ଜେଜେମା କାହାଣୀ ରାଜଜେମା ପୁଣି
ସପନ ରାଇଜେ ପାଞ୍ଚେ
ବଢୀ ଅସୁରୁଣୀ କୁହୁକକୁ ଜାଣି
ଗହଳ ବନସ୍ତେ ଲୁଚେ ।
ପ୍ରତି କୃଷ୍ଣପକ୍ଷେ ନରମାଂସ ଲକ୍ଷ୍ୟେ
ପ୍ରଖର ନିଶ୍ବାସେ ଆସି
ନଗରେ ପ୍ରକଟ ଶିକାରେ ସଂଶ୍ଳିଷ୍ଟ
ହୁଅଇ କ୍ଷୁଧା ପ୍ରକାଶି ।
ସେହି ମାୟାବିନୀ ତନ୍ତ୍ର ମନ୍ତ୍ର ଜାଣି
କ୍ଷଣକେ ଅଦୃଶ୍ୟ ହୁଏ
ଛଦ୍ମବେଶ ଧରି ରାଜକନ୍ୟା ହରି
ନେବା ପାଇଁ ବ୍ୟଗ୍ର ସିଏ ।
ଗହନ ରାତିରେ କଙ୍କାଳ ଛାତିରେ
ଝୁଲାଇ ଖପୁରୀ ମାଳ
ଭଗ୍ନ ସେ ଉଆସେ ନିଶାର୍ଦ୍ଧରେ ଆସେ
ଉଡନ୍ତି ଚେମଣୀ ଦଳ ।
ତୀକ୍ଷ୍ଣ ଦନ୍ତେ ତା'ର ନଖରେ ପଞ୍ଝାର
ଭୟଙ୍କର ରୂପ ଦିଶେ
ପର୍ବତ ଗୁମ୍ଫାରେ ଉଲ୍ଲାସ ଚିତ୍ତରେ
ଅଟ୍ଟହାସ୍ୟ କରି ପଶେ ।
ଏତକ ଶୁଣନ୍ତେ ବୋଉର ପଣତେ
ମୁହଁକୁ ଲୁଚାଇ ଶୁଏ
ଉଦାସୀ କୁଆଁରୀ ତାରକାଟେ ପରି
ଜାଣେନି ମୋ ପାଶେ କିଏ ।
ଦ୍ବାର ହେଲେ ବନ୍ଦ ପବନରେ ଗନ୍ଧ
ଲିଭିଲା ଦୀପରୁ ଆସେ
ପାଶେ ମୋର ଲୋଟି ମେଲାଇ ତା' ପାଟି
ଜେଜେମା ଅଳପ ହସେ ।

Post a Comment

0 Comments