Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଧାଗଢା ସ୍ଵପ୍ନ - ବିକେଶ ସାହୁ

ବିକେଶ ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭/୯୯୩୭୧୫୩୧୭୯

ହେଲୋ.. ବୋଉ.. ମୁଁ ରବି କହୁଛି.. କେମିତି ଅଛୁ ବୋଉ..?
ମୁଁ.. ମୁଁ.. ଭଲ ଅଛିରେ ଧନ । ତୁ କେମିତି ଅଛୁ.. ଆଉ ବୋହୁ କେମିତି ଅଛି.. ଦୁହେଁ ଭଲରେ ଅଛତ..??
ହଁ ବୋଊ.. ଆମେ ଦୁହେଁ ଭଲରେ ଅଛୁ.. । ତୋ କଥା ବେଶି ମନେପଡ଼ିଲା ତ ସେଇଥି ପାଇଁ ଫୋନ କଲି । ଆଉ କେତେଦିନ ଏକା ସେଇ ଗାଁ ରେ ପଡି ରହିବୁ କହିଲୁ । ଏତେବଡ଼ ଘରଟା ରେ ଏକୁଟିଆ ମଣିଷଟା । ଏପଟେ ତୋର ବୟସବି ହେଇଗଲାଣି, ତୋ କାମଦାମ କରିବାର ସମୟ ତ ଗଲାଣି, କେତେ ଆଉ ସେଇଠି ଏକା ପଡିରହିଥିବୁ କହିଲୁ । ନିତୁ କହୁଥିଲା ତୋତେ ଏଠାକୁ ନେଇ ଆସିବାକୁ । ଆମେ ସମସ୍ତେ ଏକାଠି ମିଶିକି ରହିବା । ମୁଁ କାମରେ ଗଲେ ସେ ଏକା ହୋଇ ଯାଉଛି... । ତୁ ଯଦି ଥାଆନ୍ତୁ ଦୁହେଁ କେତେ କଥାବାର୍ତ୍ତା ହୁଅନ୍ତ.. ଏପଟେ ନିତୁକୁ ବି ଏକା ଲାଗନ୍ତାନି... ଏତେବଡ଼ ଘରଟାରେ ସେ ବି ଆଉ ଏକା ହୁଅନ୍ତାନି । ତେଣୁ ଆମେ ଭାବିଛୁ ମୁଁ ଆସନ୍ତା ମାସରେ ଗାଁ କୁ ଯାଇ ତୋତେ ଆମେରିକା ନେଇ ଆସିବି । ହେଲୋ... ହେଲୋ... ବୋଉ ଶୁଣି ପାରୁଛୁ ମୁଁ କଣ କହିଲି...? ହେଲୋ... ।


ହଁ... ହଁ.... ବାବା ନିଶ୍ଚୟ ଯିବି...।


ବୁଢ଼ୀ ଆଖିରୁ ଧାର ଧାର ହୋଇ କେତେ ଯେ ମମତାର ଅଶ୍ରୁ ଝରିଗଲା । ଆଜିବି ତା’ପୁଅ ଓ ବୋହୁ ତାକୁ କେତେ ଭଲପାଉଛନ୍ତି ଭାବି ବୁଢ଼ୀର ଖୁସି କହିଲେ ନସରେ । ବହୁତ ବର୍ଷ ହୋଇ ଗଲାଣି, ସେ ତା’ପୁଅ ବୋହୁଙ୍କୁ ଦେଖିନି । କେତେ କଣ ଭାବି ପକାଇଲା .. ସବୁ ଦୃଶ୍ୟ ତକ ବୁଢ଼ୀ ଆଖି ଆଗରେ ଜଳଜଳ ହୋଇ ଭାସିଗଲା । ଏପଟେ ଆମେରିକା ପରି ବିକଶିତ ଦେଶ, ନୂଆ ଜାଗା, ନୂଆ ଲୋକ ତା ସାଙ୍ଗ କୁ ଉଡାଯାହାଜ ଚଢିବା କଥା କେତେ କଣ ଭାବି ଯାଉଥାଏ । ବୁଢ଼ୀ ତା’ଜୀବନରେ କେବେ ଉଡାଯାହାଜ ଚଢ଼ିନି । ଏସବୁ କଥା ବୁଢ଼ୀ ମନରେ କେତେଯେ ଖୁସି ଭରିଦେଲା...। ଫୋନକୁ କାନରେ ଦେଇ ହେଲୋ... ହେଲୋ... ହେଲେ ଫୋନଟା କଟି ସାରିଥିଲା ସେତେବେଳକୁ । ସେଇ ଦିନଠୁ ବୁଢ଼ୀ ବେଶି ଖୁସି ଜଣା ପଡୁଥିଲା । ତା’ପାଖ ପଡିଶାଙ୍କୁ ଆମେରିକା ଯିବା କଥା କହିଲା ପରେ ସାହି ପଡିଶା ଲୋକମାନେ ମଧ୍ୟ ଖୁସି ହୋଇଗଲେ । ଯାହାହେଉ ଏତେ ଦିନ ପରେ ବୁଢ଼ୀଟା ତା’ପୁଅବୋହୂଙ୍କ ସହିତ ଖୁସିରେ ନିଜ ଅନ୍ତିମ ସମୟତକ ଅତିବାହିତ କରିବ ।


ଏହା ଭିତରେ ଅନେକ ଦିନ ବିତିଗଲାଣି... । ବୁଢ଼ୀ ତା’ପୁଅର ବାଟ ଚାହିଁ ବସି ରହିଛି । ପୁଅ ଆସିଲେ ତା’କୁ ନିଜ ପାଖକୁ ଆମେରିକା ନେଇଯିବ । ଦୀର୍ଘ ଗୋଟିଏ ବର୍ଷ ପରେ ରବି ଗାଁ’କୁ ଆସିଲା । ପୁଅକୁ ଦେଖି ବୁଢ଼ୀ ବେଶ ଖୁସିରେ ଆତ୍ମହରା ହୋଇଗଲା । ଘର ଭିତରକୁ ଧରି ନେଇ ନିଜ ପଣତରେ ପୁଅର ଦେହ ମୁହଁକୁ ପୋଛି ପକାଇଲା । ଦୁହେଁ ଖିଆପିଆ କଲେ, କିଛି ସମୟ ରବି ବିଶ୍ରାମ କଲା ପରେ ବୋଉକୁ କହିଲା... “ବୋଉ ସମସ୍ତ ଜିନିଷ ଭରାଭରି କରିପକା, ସାହି ପଡିଶା କାହାଠୁ ଯଦି ପଇସାପତ୍ର ଦେବା ନେବାର ଅଛି ଶୀଘ୍ର ସାରିଦେ, ଉଡାଯାହାଜ ସମୟ ଉପରବେଳା ଚାରିଟାରେ, ଆମକୁ ସେଇ ସମୟରେ ଏୟାରପୋର୍ଟ ପହଞ୍ଚିବାକୁ ହେବ । ଏହି ସମୟ ଭିତରେ ମୁଁ ଘର ବିକ୍ରି ପାଇଁ ମହାଜନ ପାଖକୁ ଯାଇ ସବୁ କାମ ସାରି ଦେଇ ଆସୁଛି । କାହିଁକିନା ତୁ ତ ଆଉ ଏଠି ରହିବୁନି... ଏତେବଡ଼ ଘରଟା ଏଠି ପଡିଥିବ ବା କାହିଁକି...? ତୁ ଶୀଘ୍ର ସବୁ କାମ ସାରିପକା, ମୁଁ ଅଟୋବାଲାକୁ କହିଦେଇଛି ଠିକ ସମୟ ଭିତରେ ସେ ଆସି ପହଞ୍ଚିଯିବ, ମୁଁ ଶୀଘ୍ର କାମ ସାରି ଆସୁଛି ।


ରବିର କହିବା ଅନୁସାରେ ବୁଢ଼ୀ ସବୁ କାମ ସାରି ବାହାରେ ଅପେକ୍ଷା କରିଥାଏ । ଏପଟେ ରବି ଘର, ଜମିବାଡ଼ି ସବୁ ବିକ୍ରି କରି ଦେଇ ସମସ୍ତ ଟଙ୍କା ପଇସା ନେଇ ଆସିଲା ବେଳକୁ ଅଟୋ ଆସି ପହଞ୍ଚି ଯାଇଥାଏ । ସମସ୍ତ ଜିନିଷ ପତ୍ର ଅଟୋରେ ଲଦିଦେଇ ବିମାନ ବନ୍ଦର ଅଭିମୁଖେ ବାହାରିଲେ ମାଆ ଓ ପୁଅ । କିଛି ସମୟ ପରେ ସେମାନେ ବିମାନ ବନ୍ଦରରେ ପହଞ୍ଚିଗଲେ, ବୁଢ଼ୀ ମନରେ କେତେଯେ ଖୁସି ଆଉ ସୁନେଲି ସ୍ୱପ୍ନ ଡେଣା ବାନ୍ଧି ଉଡ଼ିବୁଲୁଥିଲା ! ମନେ ମନେ କେତେ କଥା ସବୁ ସେ ଭାବି ଚାଲିଥିଲା !!


ବିମାନ ବନ୍ଦରରରେ ପହଞ୍ଚି ସବୁ ଜିନିଷପତ୍ର ଭିତରକୁ ନେଇ ଗଲା ରବି । ବୁଢୀ ମାଆକୁ ବାହାରପଟେ ଏକ ଚୌକି ଉପରେ ବସାଇ ଟିକେଟ ଆଣିବାକୁ ଚାଲିଗଲା । ବୁଢ଼ୀ ଟା ବାହାରପଟ ଚୌକି ଉପରେ ସେମିତି ଅପେକ୍ଷା କରି ବସିଥାଏ । ରବି ଟିକେଟ ଆଣିବାକୁ ଯିବାର ଅନେକ ସମୟ ହୋଇଗଲାଣି । ବେଳେ ବେଳେ ସେଇ କବାଟ ଆଡକୁ ବୁଢୀ ଦେଖୁଥାଏ ଯେଉଁ ବାଟ ଦେଇ ରବି ଯାଇଛି । ଲୋକ ଭିଡ଼ ଥିବେ ଭାବି ସେମିତି ବସି ରହିଥାଏ ସେ । ସମୟ ପ୍ରାୟ ୬ଟା ପାଖାପାଖି ସେଇ ରାସ୍ତା ଦେଇ ଜଣେ ସୁରକ୍ଷା କର୍ମୀ ଆସିଲେ ଆଉ ବୁଢ଼ୀକୁ ପଚାରିଲେ..,


“ଏ ଠାରେ କାହାକୁ ଅପେକ୍ଷା କରିଛ ମାଉସୀ” ?
ଅତି ଧୀର ସ୍ୱରରେ ବୁଢ଼ୀ କହିଲା, “ମୋ ପୁଅ ସେଇ ରାସ୍ତାରେ ଟିକେଟ ଆଣିବାକୁ ଯାଇଛି, ସେ ମୋତେ ଆମେରିକା ନେଇକି ଯାଉଛି” ।


“ହେଲେ ଆମେରିକା ଯିବା ଉଡାଯାହାଜତ ୪ ଟା ବେଳରୁ ଯାଇସାରିଲାଣି” ଉତ୍ତର ଦେଲେ ସୁରକ୍ଷାକର୍ମୀ ଜଣଙ୍କ ଏବଂ ପଚାରିଲେ,
-ମାଉସୀ ତୁମ ପୁଅର ନାଆଁ କଣ ?
-ରବି... ବୁଢ଼ୀ ଉତ୍ତର ଦେଲା....
ସୁରକ୍ଷାକର୍ମୀ ଜଣକ ଫୋନରେ କାହାସହ କଥା ହୋଇ ବୁଢ଼ୀକୁ ନିର୍ଦ୍ଧିଷ୍ଟ ଭାବେ ଜଣେଇ ଦେଲେଯେ, ତାଙ୍କ ପୁଅ ଚାରିଟା ବେଳର ଉଡାଯାହାଜରେ ଆମେରିକା ଯାଇ ସାରିଛି ।


ବୁଢ଼ୀ ମୁଣ୍ଡରେ ବଜ୍ରପାତ ହେଲାପରି ମନେହେଲା । ବୁଢ଼ୀର ସବୁ ସ୍ୱପ୍ନ ମାଟିରେ ମିଶିଗଲା । ଆଖିରୁ ଲୁହଧାର ବହିଗଲା । ବୁଢ଼ୀଟା ସେମିତି ସେଇଠି କିଛି ସମୟ ବସି ରହିବା ପରେ ସେଇଠୁ ଚାଲି ଚାଲି ନିଜ ଗାଁ’କୁ ଫେରି ଆସିଲା ତା’ର ଅଧାଗଢ଼ା ସ୍ୱପ୍ନକୁ ନେଇ...। ଏପଟେ ଘରଡିହ ଜମିବାଡ଼ି ସବୁ ବିକା ସରିଛି । ରାତି ବଢି ବଢି ଚାଲିଥାଏ । ବୁଢ଼ୀ କିଛି ଭାବିପାରୁ ନଥାଏ । ଆଖିରୁ କେବଳ ଧାର ଧାର ହୋଇ ଲୋତକ ଧାର ବହି ଚାଲୁଥାଏ ଚିରସ୍ରୋତା ନଦୀଟିଏ ପରି...। ଆସି ଲଦକିନା ଘର ବାହାର ପିଣ୍ଡା ଉପରେ ବସିପଡିଲା । କେତେ କଣ ଭାବି ଚାଲିଲା ଆଉ ସେମିତି ସେଇଠି ବସି ରହିଲା ।


ତା’ଆରଦିନ ସକାଳ ହୋଇଛି... ସାହି ପଡିଶା ଲୋକମାନେ ବୁଢ଼ୀ ପାଖରେ ଆସି ରୁଣ୍ଡ ହୋଇଗଲେ.... ପାଟିରୁ ଆଉ କଥା ବାହାରୁ ନଥାଏ । ଘର ମାଲିକଟା ଡାକ ପକେଇଲା, ମାଉସୀ... ମାଉସୀ... ମାଉସୀ... କିନ୍ତୁ କିଛି ଉତ୍ତର ଆସିଲାନି... ବୁଢ଼ୀଟା କିନ୍ତୁ ସେମିତି ନିର୍ବାକ ନିସ୍ପନ୍ଦ ଭଳି ପଡିରହିଥାଏ... ।

Post a Comment

0 Comments