Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସମ୍ପର୍କ ଜନ୍ମାନ୍ତରର - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଗ୍ରାମ/ପୋ - ଛଣମେରୀ, ଥାନା - ଦିଗପହଣ୍ଡି, ଗଞ୍ଜାମ
ଦୂରଭାଷ - ୯୪୩୭୩୪୪୫୯୬

ମୁଁ ତ ଛାଡି ଆସିଥିଲି ସେ ପାର୍ଥିବ ଦେହଟା
ଭିନ୍ନ ଏକ ଲୋକକୁ
ଜଳିଯାଉ ଅନ୍ୟମାନଙ୍କ ପରି ବୋଲି,
ମଥା ପିଟି କେତେ କାନ୍ଦୁଥିଲ ତୁମେ ।
ସେମାନେ ତ ମୋତେ ଛାଡିଦେଲେ
ମିଆଦ ପୂରିଗଲା ଯେବେ
ଉଡିଯିବାକୁ ଆଉଥରେ ପୃଥିବୀ ଆଡକୁ
ଆଗଭଳି ପ୍ରେମ ଓ ଆଲୋକ ସନ୍ଧାନରେ,
ଉଡି ଚାଲିଲି ପକ୍ଷକୁ ବିସ୍ତାରି ।
ମନେନାହିଁ ବିତିଥିଲା କେତେ ବର୍ଷମାସ
ଆଭା ତ ନଥିଲା ଅନ୍ଧାର ଘୋଟିଥିଲା
କ୍ଳାନ୍ତ କି ଥିଲା ସେଠାର ଅପରାହ୍ଣ !
ଆଖି ଆଗେ ଉଡୁଥିଲେ ଅନ୍ଧାରକୁ ଚିରି
କ୍ଷିପ୍ର ବେଗେ ପିପାସୁ ଶକୁନର ବଳ,
ଧାଇଁ ଯାଇ ପଚାରିଲି ପଛର ଜଣକୁ ଆଣ୍ଟ ବାନ୍ଧି
କହି କି ପାରିବ ଏଠି ଅନ୍ଧାର କାହିଁକି
ମୃତ୍ୟୁର ଏହି ଅବବାହିକାରେ ?
କହିଲା ସେ ମଝିବାଟଟାରେ ମୁଣ୍ଡକୁ ବୁଲାଇ
ସେଠି କିଏ ବା ଅଛି ତୁମ ଆପଣାର,
ନିବିଡ଼ତର କେଉଁ ବା ସମ୍ପର୍କର ?
ଅନୁଚ୍ଚ ଗଳାରେ ଦେଲି ମୁଁ ଉତ୍ତର..
ମୋର ସମସ୍ତେ ଅଛନ୍ତି କେବଳ ମୋତେ ଛାଡି
ହୁଁ, ତମେ ଏବେ ଏବେ ଆସିଛ ନା ନୂଆ ନୂଆ,
ଦେଇପାରିବ ସାକ୍ଷ୍ୟପ୍ରମାଣ ଭଲ ପାଇବାର ?
ସେମାନେ ନାହାନ୍ତି ଯାହାକୁ ଖୋଜୁଛ ତମେ ।
ଆଉଥରେ ହଜିଗଲି ଅନ୍ଧାରରେ
ଥିବି କାଳେ ତାଙ୍କ ମନଗହନରେ, ହୃଦୟରେ !
ଯଦିବା ଥାଆନ୍ତି ରକ୍ତମାଂସ ଶରୀରରେ
ନୂତନ ଦେହରେ ସଂସର୍ଗର ସୁଖରେ
ଅତୀବ ଆପଣାର ସମ୍ପର୍କୀୟଟେ ହୋଇ
ପାରନ୍ତେ କି ଆପଣେଇ ସବୁଦିନ ପାଇଁ ?
ହାୟ ପୁଣି ବିତିଗଲା କେତେ କାଳ ଉଡି ଉଡି
ଶେଷରେ ମାଗିବାକୁ ଆଉ ଏକ ମୃତ୍ୟୁ ଚିରକାଳକୁ
ପରୀକ୍ଷିତ ପରି ମୋହମୁକ୍ତ ହୋଇ ଦେହବନ୍ଧନରୁ,
ଅତୁଟ ସମ୍ପର୍କ ଯେ ଥିଲା ପିତା ପରମାତ୍ମା ତୁଲେ
ଅନାଦି କାଳରୁ କଳ୍ପ କଳ୍ପ ଧରି
ଅଂଶୀ ଅଂଶ ଯେଣୁ..
ବାକି ଯାହା ଥିଲା ଅଭିନୟ ନିଜସ୍ଵ ଭୁମିକାରେ ।
ଭିନ୍ନ ଏକ ରଙ୍ଗ ବୋଳିବାର ନାହିଁ ଆଉ,
କ୍ଳାନ୍ତ ମୁଁ ଅବିରତ କ୍ଷିପ୍ର ଶକୁନର ପରି
ଉଡୁଛି ଯେ ଉଡୁଛି ଆଜି ଯାଏଁ
ପାଇଲି ନାହିଁ ଲବେ ପ୍ରଣୟ କି ପ୍ରେମ
ଅଚିହ୍ନା ବୋଲି କି ନିଜ ପ୍ରୀତି ଦରବାରେ ?
ରହିଯାଏ ଖାଲି ସ୍ମୃତି ଆଉ ଯେତେ ଭୁଲ ଖାଲି ଭୁଲ,
ଆହାଃ ଏତକ ହିଁ ବିସ୍ମୟ ଯାହା !!

Post a Comment

0 Comments