Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଋଷିପ୍ରାଣ ମଧୁସୂଦନ

ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ - ୪
ଦୂରଭାଷ : ୯୪୩୭୭୪୦୨୮୦

ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ସୁଦୃଢ ଭିତ୍ତି ସୁରମ୍ୟ ସୌଧ ନିର୍ମାଣରେ ଯେଉଁ ବରେଣ୍ୟ ସାରସ୍ୱତ ସାଧକଗଣ ଊନବିଂଶ ଶତକରେ ନିଜ ମନୀଷା ଓ ପ୍ରତିଭାର ପରିଚୟ ବହନ କରିଛନ୍ତି, ସେମାନଙ୍କ ମଧ୍ୟରେ ଋଷିପ୍ରାଣ ଭକ୍ତକବି ମଧୁସୂଦନ ରାଓ ପ୍ରାତଃସ୍ମରଣୀ ଅଟନ୍ତି । ଜଣେ ଆର୍ଦଶ ଶିକ୍ଷକ, ଋଷିପ୍ରାଣଭକ୍ତ, ଜାତିପ୍ରାଣ ଭାଷା ଆନ୍ଦୋଳନର ଉଦ୍ୟୋଗୀ ପୁରୁଷ, ମନୀଷୀ କବି, ବ୍ରାହ୍ମଧର୍ମର ପ୍ରଚାରକ, ଦାର୍ଶନୀକ, ସଫଳ ଅନୁବାଦକ, ମଧୁପୁତ୍ର ଭାବରେ ସେ ସମ୍ମାନର ଅଧିକାରୀ । କର୍ମକ୍ଷେତ୍ର ଜୀବନର ପ୍ରତ୍ୟେକ ବିଭାବରେ ତାଙ୍କର ବିଶିଷ୍ଟ ଅବଦାନର ସ୍ୱତନ୍ତ୍ର ସ୍ୱାକ୍ଷର ମୁଦ୍ରିତ ହୋଇ ରହିଛି । ପରଂପରାର ବିଶ୍ୱସ୍ତ ଅନୁସରଣ ସହ ମୌଳିକ ସଂଶୟ ଓ ନୂତନ ପରୀକ୍ଷାର ଆର୍କଷଣ, ଶିକ୍ଷକର ଗାମ୍ଭୀର୍ଯ୍ୟ ସଂଗରେ କବି ମନର ଉଦାର କୋମଳତା, ଗଭୀର ଜାତୀୟ ସାମାଜିକ ଦାୟିତ୍ୱବୋଧ ମଧ୍ୟରେ ଆତ୍ମିକ ବିକାଶ ପ୍ରତି ସେ ଥିଲେ ଅଧିକ ସଚେତନ ।


ଭକ୍ତକବି ମଧୁସୂଦନଙ୍କ ଜନ୍ମ ୧୮୫୩ ଜାନୁଆରୀ ୨୯ ତାରିଖରେ, ସେଦିନ ଶ୍ରୀପଞ୍ଚମୀ ପଡିଥିବାରୁ, ସତେଯେଭଳି ମନେହୁଏ ତାଙ୍କ ଜୀବନରେ ଏହି ପବିତ୍ର ତୀଥିର ସ୍ୱାର୍ଥକତା ପ୍ରତିଫଳିତ ହୋଇଛି । ମେଧାବୀ ଛାତ୍ର୍, ସୁଯୋଗ୍ୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ, ପାଠ୍ୟପୁସ୍ତକ ଲେଖକ, ନୂତନ ଶିକ୍ଷାନୁଷ୍ଠାନର ସ୍ଥାପୟିତା, ନୂତନ ଶିକ୍ଷାପଦ୍ଧତି ପ୍ରଚଳନର ବଳିଷ୍ଠ ନେତା, ଓଡିଆ ସାହିତ୍ୟର ପ୍ରଥମ ସନେଟ୍ ସ୍ରଷ୍ଟା, ଯଶସ୍ୱୀ କବି ଓ ଭକ୍ତ ତଥା ଏକ ଆର୍ଦଶ ମାନବ ଭାବରେ ଗୌରବ ଲାଭକରି, ସେ ସମଗ୍ର ଜୀବନ ବାଣୀ-ନିରାଜନାରେ, ଅଧ୍ୟୟନରେ, ଅଧ୍ୟାପନାରେ, ରଚନାରେ ନିଜକୁ ଏକ ବିରାଟ ଜ୍ଞାନ-ଯଜ୍ଞରେ ପରିଣତ କରିଥିଲେ । ଶୈଶବରୁ ଧର୍ମ ତାଙ୍କଠାରେ ଏକ ଗଭୀର ବିଶ୍ୱାସର ବସ୍ତୁ ଥିଲା । ସେ ଋଷିର ଜୀବନ ବିତାଉଥିଲେ । ଏହି ଧର୍ମବିଶ୍ୱାସହିଁ ତାଙ୍କୁ ବ୍ରାହ୍ମଧର୍ମରେ ଦୀକ୍ଷିତ କରିଥିଲା ଓ ଏଯୁଗରେ ବ୍ରାହ୍ମଧର୍ମ ବୈଜ୍ଞାନିକ ହେତୁ ଜିଜ୍ଞାସା ପ୍ରାଚୀନ ଧର୍ମ-ଦର୍ଶନର ସମନ୍ୱୟରେ ରୂପାନ୍ତରିତ ହୋଇଥିଲା । ସେ ଓଡିଶାରେ ଦୀର୍ଘ ତିରିଶ ବର୍ଷ ବ୍ରାହ୍ମଧର୍ମର ପ୍ରସାର କାର୍ଯ୍ୟ କରିଥିଲେ । ଅହେତୁକ ଧର୍ମବିଶ୍ୱାସ ଓ ଈଶ୍ୱର ଭକ୍ତି ତାଙ୍କ ଜୀବନର ସକଳ ଦୁଃଖ ଝଂଜାକୂ ପ୍ରତିହତ କରି ତାଙ୍କୁ ସାହସୀ ଓ ଆଶାବାଦୀ କରିଥିଲା । ସେ ଶୈଶବରୁ ମାତା ଅମ୍ବିକା ବାଈଙ୍କୁ ହରାଇ ମାତୃହୀନ ଓ ପିତା ଭାଗୀରଥୀ ରାଓ ଜଣେ ପୋଲିସ କର୍ମଚାରୀ ହୋଇଥିବାରୁ ମାତୃଳାୟରେ ବଢିଥିଲେ । ଗ୍ରାମରୁ ପ୍ରାଥମିକ ଶିକ୍ଷା ସମାପ୍ତ କଲେ ଓ ସେ ପୁରୀ ଜିଲ୍ଲାସ୍କୁଲର ଛାତ୍ରଥିବା ବେଳେ ସେହି ସମୟରେ ସେଠାରେ ତରୁଣ କାବ୍ୟାମୋଦୀ ରାଧାନାଥ ଶିକ୍ଷକ ଥିଲେ । ସାମାନ୍ୟ ପରିଚୟରୁ ଗୁରୁଶିଷ୍ୟଙ୍କ ନିବିଡ ସମ୍ବନ୍ଧ, ଏହିଠାରୁ କବିଙ୍କ କୋମଳ ହୃଦୟରେ ଉଚ୍ଚ ସାହିତ୍ୟ ଆର୍ଦଶର ପ୍ରଥମଲେଖା ଆଙ୍କିଥିଲେ ଯୁଗ ସ୍ରଷ୍ଟା କବିବର ରାଧାନାଥ ।


କର୍ମକ୍ଷେତ୍ରରେ ସେ ଏଫ୍.ଏ ପାଶ୍ କରି ପୁରୀ ଜିଲ୍ଲା ସ୍କୁଲ, ଯାଜପୁର ମାଇନର ସ୍କୁଲ, ବାଲେଶ୍ୱର ଜିଲ୍ଲାସ୍କୁଲରେ ଶିକ୍ଷକତା କରି ବେଶ୍ ସୁନାମ ଅର୍ଜନ କରିଥିଲେ । ଶିକ୍ଷକତା ସମୟରୁ ସେ ପ୍ରବନ୍ଧମାଳା, ଛାନ୍ଦମାଳା, ବର୍ଣ୍ଣବୋଧ ପ୍ରଭୃତି ପାଠ୍ୟପୁସ୍ତକ ଲେଖି ଛାତ୍ର ଓ ଶିକ୍ଷକ ମାନଙ୍କର ପ୍ରିୟପାତ୍ର ହୋଇଥିଲେ । ସେ ଗଦ୍ୟ ଓ ପଦ୍ୟ ଉଭୟରେ ସ୍ୱକୀୟ ନିଷ୍ଠା ଦେଖାଇଛନ୍ତି । ତାଙ୍କର ଅନେକ କବିତା ଶିଶୁମାନଙ୍କ ଉଦ୍ଦେଶ୍ୟରେ ଲିଖିତ, ଏସବୁ କବିତାରେ ତାଙ୍କ ଭକ୍ତିଭାବନା ଓ ଆଶାବାଦୀ ମନୋବୃତ୍ତିର ସ୍ପଷ୍ଟ ପରିପ୍ରକାଶ ଘଟିଛି । ତାଙ୍କ ସୃଷ୍ଟି ସମ୍ଭାର ମଧ୍ୟରେ କବିତାବଳୀ, ପ୍ରବନ୍ଧାବଳୀ, ଛାନ୍ଦମାଳା (ପ୍ରଥମ ଓ ଦ୍ୱିତୀୟ ଭାଗ), କୂସୁମାଂଜଳୀ, ଉତ୍କଳଗାଥା, ଉତ୍ତର ରାମଚରିତ (ଅନୁବାଦ), ହିମାଚଳେ ଉଦୟ ଉଛ୍ସବ, ଶିଶୁଗୀତ, ଅବଧାନ ବନ୍ଧୁ, ବାଳବୋଧ, ଶିଶୁବୋଧ, ସାହିତ୍ୟ ମଂଜରୀ, ସାହିତ୍ୟ କୁସୁମ, ସାହିତ୍ୟ ପ୍ରସଙ୍ଗ ପ୍ରଭୃତି ଗ୍ରହଣୀୟ ଓ ଅମ୍ଳାନ ଶୁଦ୍ଧ ଲିପି ।


ଭକ୍ତକବି ମଧୁସୂଦନ ମୁଖ୍ୟତଃ ଗୀତିକବି । ଉପନୀଷଦୀୟ ଚିନ୍ତନରେ ତାଙ୍କ କବିତା ଭାସ୍କର । ରଚନା ଶୈଳୀ ଓ ଭାବ ଦୃଷ୍ଟିରୁ ବିଚାର କଲେ ଶିଶୁ ଗୀତିକା ଭିତରେ ଛାନ୍ଦମାଳାରେ ରଚିତ ଷଡଋତୁର ବର୍ଣ୍ଣନା, ସ୍ତବ, ପ୍ରଭାତ, ଜନ୍ମମରଣ, ସତ୍ୟବ୍ରତ ଆଦି ଶ୍ରେଷ୍ଠ । ଶିଶୁମାନଙ୍କୁ ଦେବଶିଶୁ କରି ଗଢି ତୋଳିବା ତାଙ୍କ କବିତାର ମହାତ୍ମ୍ୟ, ବର୍ଣ୍ଣନାତ୍ମକ କବିତା ବସନ୍ତ ଗାଥାରେ କବିଙ୍କ ନଦୀପ୍ରତି, ଆକାଶପ୍ରତି, ପୃଥିବୀପ୍ରତି, ଶରତପ୍ରଭାତ ଆଦି ଉଚ୍ଚକୋଟୀର ଓ ସନେଟର ଏକ ଗୀତିମୟ ଅଭିବ୍ୟକ୍ତି । ପ୍ରତ୍ୟେକ ସନେଟ୍ ଗୁଡିକ ଧର୍ମୀୟ ଦୃଷ୍ଟି, ଦେଶପ୍ରେମ, ପ୍ରକୃତି, ପ୍ରଶସ୍ତି, ତତ୍ତ୍ୱ ଦର୍ଶନ, ଆତ୍ମପରିଚୟ ପ୍ରଭୃତି ପ୍ରସଙ୍ଗକୁ ନେଇ ଗୃହୀତ ତାହା ଅତ୍ୟନ୍ତ ହୃଦୟଗ୍ରାହୀ । ଭାବାତ୍ମକ କବିତା କୁସୁମାଞ୍ଜାଳୀ ବୈଦିକ ଦର୍ଶନ ଉପରେ ପ୍ରତିଷ୍ଠିତ । ଏ ସୃଷ୍ଟି ଅମୃତମୟ ହେ, ହିମାଚଳେ ଉଦୟ ଉତ୍ସବ, ଋଷିପ୍ରାଣେ ଦେବାବରଣ ଆଦି କବିତା କବିଙ୍କ ଆଧ୍ୟାତ୍ମ ଅନୁଭୂତିର ସାର୍ଥକ ନିଦର୍ଶନ । ଧର୍ମୀୟ ନୀତିପୂର୍ଣ୍ଣ କବିତା ରୂପେ ଜୀବନ ଚିନ୍ତା, ବିବିଧ କବିତା ପ୍ରଭୃତି ଓ ସମ୍ବୋଧନ ଗୀତିକା ଭାବରେ ଆକାଶପ୍ରତି, ନଦୀପ୍ରତି, ପୃଥିବୀପ୍ରତି ପ୍ରଭୃତି କବିତାରେ ବେଦ ଓ ଉପନିଷଦୀୟ ନିର୍ଯ୍ୟାସ ତାଙ୍କୁ ରହସ୍ୟବାଦୀ କବି ଭାବରେ ପରିଚୟ ଦିଏ । ସେ ଜଣେ ସଫଳ ବ୍ୟଙ୍ଗ କବି ସାବାସ୍ ସାହିତ୍ୟ ଚର୍ଚ୍ଚା, ଭଣ୍ତ ରସାୟନ, କାବ୍ୟରୁ ଅନୁଭବ କରି ହୁଏ । ନିର୍ବାସିତର ବିଳାପ, ଆତ୍ମସର୍ମପଣ, ଅଯୋଧ୍ୟା ପ୍ରତ୍ୟାଗମନ, ସୀତା ବନବାସ, ଉତ୍ତର ରାମଚରିତ ଆଦିର ସେ ସଫଳ ଅନୁବାଦକ । ବିନ୍ଦୁ ମଧ୍ୟରେ ସିନ୍ଧୁ ଦର୍ଶନ କରିବା ଥିଲା ତାଙ୍କ କାବ୍ୟ କବିତାର ଦିଗ ଓ ଦିଗନ୍ତ ।


ସେ କେବଳ କାବ୍ୟ କବିତାର ରୂପକାର ନଥିଲେ, ସେ ଥିଲେ ସଫଳ ଗଦ୍ୟ ସାହିତ୍ୟର ସ୍ରଷ୍ଟା । ବାଳବୋଧ (ଶିଶୁକଥା), ହେମମାଳା(ଗଳ୍ପ), ସାହିତ୍ୟ କୁସୁମ(କାହାଣୀ), ପ୍ରଣୟର ଅଦ୍ଭୁତ ପରିଣାମ(ଗଳ୍ପ) ପୁସ୍ତକ ଗୁଡିକ ତାର ଜ୍ୱଳନ୍ତ ନିଦର୍ଶନ । ଋଷିପ୍ରାଣ ମଧୁସୂଦନ ଶୁଦ୍ଧ ଭାବଲୋକର ସ୍ରଷ୍ଟା । ମୌଳିକ ରଚନା, ଅନୁବାଦ ଓ ଭାବ ଆହରଣ ସବୁଠାରେ ସେ ଏହି ରୂପରେ ଆତ୍ମପ୍ରକାଶ କରିଛନ୍ତି, ହୃଦୟର ଅନ୍ତରଙ୍ଗ ଭାବ ତାଙ୍କ ସୃଷ୍ଟିକୁ କରିଛି ସମୋଜ୍ଜଳ । କବିଙ୍କ ଆତ୍ମା ଏକ ସ୍ଥିର ଆର୍ଦଶରେ ବିଲୀନ, ତେଣୁ ସେ ସୁଖରେ ଦୁଃଖରେ ସର୍ବତ୍ର ଈଶ୍ୱରଙ୍କ ସତ୍ତା ଅନୁଭବ କରି ଅଖଣ୍ତ ଶାନ୍ତିର ଅଧିକାରୀ ଥିଲେ । ସମାଜର କଳୁଷିତ ପରିବେଶ, ମନୁଷ୍ୟର କଳଙ୍କିତ ଜୀବନର ଅନ୍ଧକାର ଭିତରେ ସେ ସୌନ୍ଦର୍ଯ୍ୟ, ଶକ୍ତି ଓ ପବିତ୍ରତାର ଆଲୋକ ପରିସ୍ଫୁଟନ ପାଇଁ ଆତ୍ମାରେ ଅଭିଳାଷର ଚିରଦୀପ୍ତ ଅଗ୍ନୀଜାଳି ରଖିଥିଲେ । ସେ କେବେ କଳ୍ପନାର ଉନ୍ମୁକ୍ତ କ୍ରୀଡାରେ ଭାସି ନଯାଇ ଆର୍ଦଶର ପୁରୋଦୃଷ୍ଟିରେ ଚାଳିତ ହୋଇ ଧର୍ମ ଓ ଆଧ୍ୟାତ୍ମିକ ଭାବନାରେ ନିଜକୁ ନିୟୋଯିତ କରିଥିଲେ, ଏହି ମହତ୍ ଭାବର ପ୍ରତିଫଳନ ତାଙ୍କ ସୃଷ୍ଟି ସମୂହରେ ଅନୁରୂପ ପବିତ୍ର, ସ୍ୱଚ୍ଛ ଓ ଗମ୍ଭୀର ଭାଷାର ସୃଷ୍ଟିରେ, ମାର୍ଜିତ ରୁଚି ଓ କଳାପରିପାଟୀର ସମନ୍ୱୟରେ ପ୍ରତିଫଳିତ ହୋଇଛି । ତାଙ୍କ ସୃଷ୍ଟି ଔପନିଷଦ ଅନ୍ତବାଣୀର ଏକ ମନୋଜ୍ଞ ମଧୁଭଣ୍ତାର କହିଲେ ଅତ୍ୟୁକ୍ତି ହେବ ନାହିଁ ।


ବାସ୍ତବିକ ଏହି ଋଷିପ୍ରାଣ ବରେଣ୍ୟ ସ୍ରଷ୍ଟାଙ୍କ ସାଧନା ଓ ସିଦ୍ଧି ପ୍ରତ୍ୟେକ ଓଡିଆ ପ୍ରାଣରେ ଆଜି ଅମଳିନ ଓ ସ୍ମରଣୀୟ ।

Post a Comment

0 Comments