Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଭାଷାର ଅପମୃତ୍ୟୁ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ /୧୩, ସେକ୍ଟର- ୪, ରାଉରକେଲା

ଦୁଇ ବା ତତୋଧିକ ପ୍ରାଣୀଙ୍କ ଭିତରେ ଭାବର ଆଦାନପ୍ରଦାନ ପାଇଁ ବ୍ୟବହୃତ ଶବ୍ଦର ଉଚ୍ଚାରଣକୁ ଭାଷା କୁହାଯାଏ । ପ୍ରାଣୀଟିଏ ଜନ୍ମ ହେବା ଅପେକ୍ଷା ଭାଷାଟିଏ ଜନ୍ମ ହେବା ଏବଂ ସମୃଦ୍ଧ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ଓ ସମୟସାପେକ୍ଷ । ଦୀର୍ଘଦିନର ଅନୁଭୂତି ଓ ପ୍ରୟୋଗ ପରେ ଭାଷାଟିଏ ଜନ୍ମ ନେଇ ପରିପକ୍ବ ହୁଏ । ଏଥିପାଇଁ ଭାଷାଟିଏ ମରିଗଲେ ଦୁଃଖ ଲାଗିବା ସ୍ୱାଭାବିକ । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ଅର୍ଦ୍ଧଶତକ ବର୍ଷ ପୂର୍ବେ ତାଞ୍ଜାନିଆ ଓ ଇଣ୍ଡୋନେସିଆ ପରି କ୍ଷୁଦ୍ର ରାଷ୍ଟ୍ରରେ ମୋଟ ବାର ହଜାରରୁ ଅଧିକ ଭିନ୍ନ ଭିନ୍ନ ଭାଷା ପ୍ରଚଳିତ ଥିଲା, ଯାହା ଏବେ ଶହେ ପାଖାପାଖି ଅଛି ।


ଆମ ଦେଶ କଥା ଚିନ୍ତାକଲେ ଜଣାଯାଏ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କେବଳ ସମୁଦ୍ର କୂଳରେ ବସବାସ କରୁଥିବା ଧୀବର ବା ନୋଳିଆ ମାନଙ୍କ ଭିତରେ ୧୭୦ ପ୍ରକାର ଏବଂ ହାତୀ ପାଳୁଥିବା ମାହୁନ୍ତ ମାନଙ୍କ ଭିତରେ ପ୍ରାୟ ୧୬୦ ପ୍ରକାର ଭାଷା ପ୍ରଚଳିତ ଥିଲା, ଯାହା କମି କମି ଆଜିର ଦିନରେ ମାତ୍ର ୩/୪ ପ୍ରକାରରେ ସୀମିତ ଅଛି । ଏବେ ଚିନ୍ତା କରନ୍ତୁ ଆମ ବିଶାଳ ଦେଶରେ ବିଭିନ୍ନ ପ୍ରାନ୍ତର ଜନଜାତିଙ୍କ ଭିତରେ କେତେ ଅଧିକ ପ୍ରକାର ଭାଷା ବ୍ୟବହାର ହେଉଥିଲା । ସରକାରୀ ଆକଳନ ଅନୁସାରେ ବର୍ତ୍ତମାନ ସମଗ୍ର ଦେଶରେ ୧୧୦ ପାଖାପାଖି ଭାଷା ପ୍ରଚଳନରେ ଅଛି । ଏତେ ଦ୍ରୁତ ଗତିରେ ଭାଷା ଲୋପ ପାଇଯିବାର କାରଣ ଜୀବିକା ଅର୍ଥେ ଦୂରସ୍ଥାନକୁ ଲୋକଙ୍କ ପଳାୟନ ବା ପ୍ରବାସନ । ପୂର୍ବେ ଲୋକେ ୧୫/୨୦ କି.ମି. ବ୍ୟାସାର୍ଦ୍ଧ ଭିତରେ ବଞ୍ଚି ଯାଉଥିଲେ, ଯାହା ଆଜି ବିଦେଶ ପର୍ଯ୍ୟନ୍ତ ବ୍ୟାପି ଯାଇଛି । ଆମ ଦେଶରେ ଦ୍ରୁତ ବିକାଶଶୀଳ ଭାଷା ହେଉଛି ଭୋଜପୁରୀ ।


ଆମ ରାଜ୍ୟରେ ଓଡିଆ, ସମ୍ବଲପୁରୀ, ସାଦ୍ରି ଓ ଅଲ୍ଚିକି (ସାନ୍ତାଳ) ଆଦି ଅଳ୍ପ କେତୋଟି ଭାଷା ବଞ୍ଚିଥିଲେ ମଧ୍ୟ ପ୍ରାଚୀନ ତଥା ଶାସ୍ତ୍ରୀୟ ଭାଷା ଓଡିଆ ଏବେ ସଙ୍କଟାପନ୍ନ । କାରଣ ଇଁରାଜୀ ପାଠ୍ୟକ୍ରମ ହେତୁ ଯୁବ ପିଢି ମାତୃଭାଷାର ଶୁଦ୍ଧତାରୁ ବହୁ ଦୂରରେ । ପୂର୍ବେ ଶାସକ ବା ରାଜାଙ୍କ ପୃଷ୍ଠ ପୋଷକତାରେ କବି ଓ ସାହିତ୍ୟିକମାନେ ସ୍ଵଚ୍ଛନ୍ଦରେ ସାହିତ୍ୟର ସମୃଦ୍ଧି ପାଇଁ ବ୍ରତୀ ଥିଲେ ।


ଏବେ ପ୍ରକାଶକମାନେ ଲାଭହୀନତା କାରଣରୁ ଭାଷାର ପ୍ରସାର ଏବଂ ଭଲ ଲେଖାର ପ୍ରକାଶନ କରୁ ନାହାଁନ୍ତି । ପ୍ରକାଶନଠାରୁ ସାହିତ୍ୟ ଏକାଡେମୀ ପର୍ଯ୍ୟନ୍ତ ସବୁଠି ପ୍ରିୟାପ୍ରୀତି ତୋଷଣ । ବିଶେଷ କରି ପାଠକ ମଧ୍ୟ ଦାୟୀ ଉଚ୍ଚ ତଥା ନୀଚ କୋଟିର ସାହିତ୍ୟର ସଠିକ୍ ବିବେଚନା ଅଭାବରୁ । ତ୍ରୁଟିଯୁକ୍ତ ଲେଖାର ମିଛ ପ୍ରଶଂସା ଦ୍ଵାରା ମାତୃଭାଷାର ହନନ ହେଉନାହିଁ କି ? ଚିନ୍ତା କରନ୍ତୁ ଏବଂ ପ୍ରକାଶକ ଓ ସରକାର ଏ ସମ୍ପର୍କରେ ସଚେତନ ରହନ୍ତୁ, ନ ହେଲେ ଓଡିଆ ଭାଷାର ବିନାଶ ଅବଶ୍ୟମ୍ଭାବୀ ।

Post a Comment

0 Comments