Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଆମେ ବଡ ହେବା - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ- ଏଫ୍/୧୩, ସେକ୍ଟର-୪
ରାଉରକେଲା- ୭୬୯୦୦୨
ଫୋନ୍- ୭୯୭୮୧୯୨୨୨୭

ସଞ୍ଜ ଯେବେ ଆସେ ଅନ୍ଧାର ଆକାଶେ
ଟିକି ଟିକି ତାରା ଉଏଁ ,
ସାଙ୍ଗ ସାଥି ମେଳେ କେଡେ କୁତୂହଳେ
ମିଟି ମିଟି କରୁଥାଏ ।
ଅଳପ ଆଲୋକେ ମିଶି ଏକେ ଏକେ
କିଟି ମିଟି ଅନ୍ଧକାର ,
କେତେ ଲାଗେ ଭଲ ଟିକି ତାରା ଫୁଲ
ଫୁଟି ଫୁଟି କରେ ଦୂର ।
ଜହ୍ନ ମାମୁଁ ଆସି ତାଙ୍କ ସଙ୍ଗେ ମିଶି
ଖିଲି ଖିଲି ହସି ଖେଳେ ,
ମୋ ସାନ ଭଉଣୀ ଶୋଇଯାଏ ତୁନି
ଝୁଲି ଝୁଲି ମାଆ କୋଳେ ।
ଗଛରେ ଫୁଟଇ ବାସେ ଚହଟଇ
ସାନ ସାନ ଫୁଲ ମିତ ,
ମହୁମାଛି ଆସି ମହୁ ଖାଏ ବସି
ଗୁଣୁ ଗୁଣୁ ଗାଇ ଗୀତ ।
ବଗିଚାରୁ ତୋଳି ଗୁନ୍ଥି ଦେଲେ ମାଳି
ଗୋଟି ଗୋଟି କରି ଫୁଲ ,
ଫୁଲ ମାଳେ ତା'ର କାଳିଆ ଠାକୁର
ଦାଉ ଦାଉ ଦିଶେ ଭଲ ।
ପକ୍ଷୀ ନାନା ଜାତି ଗଗନେ ଉଡନ୍ତି
କିଚିରି ମିଚିରି କରି ,
ମଧୁର ସ୍ବଭାବେ କୋଇଲି ତ ରାବେ
କୁହୁ କୁହୁ ତାନ ଭରି ।
ଖରା ଦିନ ପରେ ବରଷା ଋତୁରେ
ଝିରି ଝିରି ପଡେ ପାଣି ,
ଝରଣା ପାଣିରେ ମାଛ ବି ପହଁରେ
ଫିରି ଫିରି ତା'ର ଠାଣି ।
ମେଘ ବରଷିଲେ ଆକାଶୁ ଖସିଲେ
ଏକ ଏକ ଜଳ ବିନ୍ଦୁ ,
ବହିଯାଏ ପରା କେତେ ନଈ ଧାରା
ମିଶି ମିଶି ହୁଏ ସିନ୍ଧୁ ।
ସାନ ସାନ ପିଲେ ପାଠ ପଢି ହେଲେ
ବଡ ବଡ ବୈଜ୍ଞାନିକ ,
କରି ଦେଶ ସେବା ଆମେ ବଡ ହେବା
ଧୀରେ ଧୀରେ ରଖି ଟେକ ।

Post a Comment

0 Comments