Information

କବିତା ସୁନ୍ଦରୀ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ /୧୩, ସେକ୍ଟର- ୪, ରାଉରକେଲା

ଛନ୍ଦର ଅଂଶରେ ପଦ୍ୟର ହଂସରେ
ତନ୍ମୟେ କି ଅବା ଯାଇଛ ଲାଗି
ଆଜିର ଆସରେ କିଏ କା' ବଶରେ
କହିବ କି ଖୋଲି ପ୍ରୀତି ସରାଗୀ ?
କବିତା ସୁନ୍ଦରୀ ଅଛ ଆଗୁସରି
ହୃଦୟ ଭିତରେ ଜଗାଇ ଝଡ଼
ଦୋହଲାଇ ତନ୍ତ୍ର ଶବ୍ଦ ଛନ୍ଦ ମନ୍ତ୍ର
ହରିଅଛ ନିଦ୍ରା , ଆବେଗ ବଡ଼ ।
ଶାୟିତା ସଙ୍ଗିନୀ ନାୟିକା ରଙ୍ଗିଣୀ
ସାନିଧ୍ୟରେ ତୁମେ ରହିଲ ସଦା
ତୁମରି ସେବାରେ ରସିକ ବେଭାରେ
ନିଜ କକ୍ଷେ ଆଜି ପଡିଛି ବନ୍ଧା ।
ମଣି ଚାରୁ କଳା ଚିତ୍ରାଙ୍ଗଦା ବାଳା
ହରି ନିଅ କେବେ ପାର୍ଥ ମାନସେ
କେବେ ମଦାଳସା ଚିତ୍ରଲେଖା ଯୋଷା
ଛୁଇଁ ଚିତ୍ତଚୋର ଉରଜ ଶୀଷେ ।
ବିଜନେ ବିହରେ ମତ୍ସ୍ୟକନ୍ୟା ପୁରେ
ପ୍ରବାଳ ଦ୍ବୀପର ରତ୍ନ ମହଲେ
ରୂପସୀ ସୁରସୀ ଅଳକା ଉର୍ବଶୀ
ଗାନ୍ଧାର କଳାର ଝଙ୍କୃତ ତାଳେ ।
ମମତା ବିଧୁରା ସଙ୍ଗିନୀ ଅଧୀରା
କେବେ ଗୋ ଜନନୀ କେବେ ଭଗିନୀ
କବିତା ବନିତା ଦୁଲାଳୀ ଦୁହିତା
ପୋଛିଛ ଲୋତକ ବଢାଇ କାନି ।
କେବେ ବୀରରସେ ରଣାଙ୍ଗନା ବେଶେ
ଛୁଟାଅ ସୀମାନ୍ତେ ଶୋଣିତ ବନ୍ୟା
ଋତୁ ଆସ୍ବାଦନେ ପ୍ରକୃତି ପରାଣେ
ରସୋଜ୍ଜ୍ବଳା ତୁମେ ମାନସୀ କନ୍ୟା ।
କେ ପାରିବ ରୋଧି ଜୀବନ ଜଳଧି
ଉତ୍ତାଳ ତରଙ୍ଗେ ତୁମେ ମୋ ନାବ
ସୁଖ ଦୁଃଖ ଫେଣ୍ଟି ନେଇଛି ଗୋ କଣ୍ଟି
ଥଳ କୂଳ ଯେତେ କରିଛି ଠାବ ।
ମୁଁ ତୁମ ନାଉରୀ ଆଗୋ ମୋର ପରୀ
କବିତା ପ୍ରେୟସୀ ଜୀବନସାଥୀ
ଲାଗି ତୁମ ମୋହ ସଂସାରୁ ନିର୍ମୋହ
ସାଥେ ତୁମ ସରୁ ବଳକା ବୀଥି ।

Post a Comment

0 Comments