Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସାପ ଓ ବିସ୍ତାପ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା
ଫୋନ୍- ୭୯୭୮୧୯୨୨୨୭

ବୟସରେ ଟିକେ ସାନ ବୋଲି ମୋ ଉପର ଭାଇ ମୋତେ କେବେ ସାଙ୍ଗ କରନ୍ତିନି ଖେଳ କୁଦରେ କି ଦୂର ତୋଟାମାଳ ଆଉ ନଈ ବନ୍ଧର ସାହସିକ ଯାତ୍ରାରେ । ଧାନ ମନ୍ଥା ବେଳେ ଶୀତ ଦିନେ ଖଳାର ପାଳ ଗଦା କୁଡିଆ ଭିତରେ ଶୋଇବାର ମଜାଦାର ଅନୁଭବରୁ ବି ମୋତେ ବଂଚିତ ରହିବାକୁ ହୁଏ । ରାତିରେ କୁଆଡେ ଭୁତ ଉତ୍ପାତ କରନ୍ତି ଆମ ଗାଁ ମୁଣ୍ଡରେ ଥିବା ଶୂନ୍ ଶାନ୍ ଧାନଖଳାରେ । ଭୁତ ଦେଖିବା କୌତୁହଳର ଉନ୍ମାଦନା ମୋ ମନରୁ ଡର ଦୂରେଇ ନିଏ ସିନା ଯେତେ ଜିଦ୍ କରି କାନ୍ଦ ଛାଡିଲେ ବି କୋଉ ଥରେ ହେଲେ ମୋତେ ସେ ସମୟରେ ସୁଯୋଗ ମିଳେନି ସେଇ ଅଦ୍ଭୁତ ରୋମାଞ୍ଚର । ଯାହା ହେଉ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଭାଇନା ବଡ କଷ୍ଟରେ ତାଙ୍କ ସାଙ୍ଗମାନଙ୍କ ମେଳରେ ମୋତେ କେବେ କେବେ ମିଶାଇଲେ, ବୋହୂ ଚୋରି ଆଉ କବାଡ଼ି ଖେଳରେ କି ବେଶୀ ହେଲେ ନଈ ଉପର ମୁଣ୍ଡରେ ମାଛଧରା ବେଳେ । ସାଙ୍ଗ ହୋଇ ଯୋଡିକ ଯାକ ଆମ ଆମ୍ବ ତୋଟାକୁ ବି ଯାଉ ଭିନ୍ନ ଏକ ବାହାନାରେ । କଥା କଣ କି, ନଦୀ ପଠା ତୋଟାରେ ଥିବା ଝଙ୍କାଳିଆ କିଆବୁଦା ତଳେ ଆମର ଗୋଟେ ପୁରୁଣା ମାଟି କୂଅ ଥିଲା, ନନ୍ଦ ପଡି ନଥିଲା । ଆମେ ନଦୀରୁ ଧରିଥିବା ଛୋଟ ଛୋଟ ମାଛ ଗୁଡାଏ ସେହି କୂଅରେ ଛାଡି ଦେଇଥାଉ ଧିରେ ଧିରେ ବଡ ହୋଇଯିବେ ବୋଲି ।


ସାନ ଭାଇନା ଖୁବ୍ ସାହସୀ । ହଳିଆଙ୍କ ତୁଲେ ସବୁଆଡ଼େ ସବୁ କାମରେ ହାତ ଲଗାନ୍ତି । ପାଠ ପଢାରେ ମୋଠାରୁ ଟିକେ ଊଣା ସିନା ଅନ୍ୟ ସବୁ କାମରେ ଧୂରନ୍ଧର, କେବେ କେବେ ବଣରୁ କାଠ ଶଗଡ ଆଣିବା ପାଇଁ ହଳିଆଙ୍କ ସହିତ ଚାଲିଯାଇଥିବା କଥା ମୋର ମନେ ଅଛି । ଫାଶ ପକାଇ ପଶୁ ପକ୍ଷୀ ଧରି ଆଣିବାଠୁ ଆରମ୍ଭ କରି ବିଳରେ ପଶିଯାଉଥିବା ସାପକୁ ଘୋଷାଡ଼ି ବାହାରକୁ ଆଣିବା ପର୍ଯ୍ୟନ୍ତ ବିଭିନ୍ନ ଦକ୍ଷତାରେ ପାରଙ୍ଗମ । ମନ୍ତ୍ର ଜଣା ନଥିଲେ ବି ଚକା ହୋଇ ସାପଟିଏ ଶୋଇଥିବାର ଦେଖି ଦେଲେ ଆହାହା କିଏ ବନ୍ଧନ କରି ଦେଇଛି ନା କ ଣ ବୋଲି କହି ତା ପଛରେ ପଡିଯାଆନ୍ତି । ସାପୁଆ କେଳାଙ୍କ ପରି ମିଛିମିଛିକା ପଦ୍ମତୋଳା ବନମାଳି ଗୀତ ଗାଇ ତାକୁ ଧରିବେ ଆଉ ଅନ୍ୟ କୌଣସି ଠାରେ ଛାଡିଦେବେ । ହେଲେ ମାରଧର କରିବା କେବେ ମୁଁ ଜାଣିନି ।


ସେଦିନ ରବିବାର, ଦି ଭାଇ ସାଙ୍ଗ ହୋଇ ତୋଟାକୁ ଯାଇଥିଲୁ କୂଅରେ ଛାଡି ଆସିଥିବା ମାଛ ଦେଖିବାକୁ । କାଳେ ୟା' ଭିତରେ ବଡ ହୋଇ ଯାଇଥିବେ ବୋଲି ମୋ ମନରେ ଉତ୍କଣ୍ଠା । ମାଟି କୂଅକୁ ଅନାଇଲା ବେଳକୁ ଯାହା ଦେଖିଲୁ ଭୟରେ ମୋ ଛାତି ଧଡକିଲା, ପଛଘୁଞ୍ଚା ଦେଲି । ଗୋଟେ ବଡ଼ ନାଗସାପ କୂଅର ଥଣ୍ଡା ପାଣିରେ ପଡି ସେଠୁଆ ହୋଇ ଘୁରି ବୁଲୁଥାଏ । ସାନଭାଇନା ସମବେଦନା ଜଣାଇ କହିଲେ, ଆମ୍ବ ଗଛକୁ ଆଉଜା ହେଇଥିବା ବାଉଁଶ ଖଣ୍ଡେ ଆଣ, ବିଚାରାକୁ ଉଦ୍ଧାର କରିବା । ନ ଖାଇ ଦୁର୍ବଳ ହୋଇ ଯାଇଥିବ କହି ବାଉଁଶ ଖଣ୍ଡଟି କୂଅ ଭିତରକୁ ବଢାଇ ଆ ଯା ବନମାଳି ବୋଲି ଡାକୁ ଡାକୁ ମୁଁ ବାଟ ଦେଖୁଥାଏ କୋଉ ଆଡକୁ ଧାଇଁଲେ ସୁବିଧା ହେବ ବୋଲି । ମୁଁ ଭାଇନାଙ୍କୁ ସତର୍କ କରାଇ ସିନା କହୁଥିଲି ବାଉଁଶଟି ଗୋଟିଏ କୋଣକୁ ଆଉଜାଇ ନିରାପଦ ଦୂରତା ରଖିବା ପାଇଁ, ହେଲେ ଏତେ ବଡ଼ ବିଷଧରକୁ ସେମିତି ଡାକୁଥାନ୍ତି ଦି ହାତରେ ବାଉଁଶଟି ମୁଠେଇ ଧରି । ଧିରେ ଧିରେ ଉପର ଯାଏ ଆସି ଭାଇନାଙ୍କ ହାତ ମୁଠା ଠାରୁ ଚାଖଣ୍ଡେ ଦୂରରେ ସାପଟି ସ୍ବାଭାବିକ ଭାବେ ଫଣାକୁ ଉଠାଇ ଦେଖାଇଲା । ହ୍ଯାପ କୁ ଉଦ୍ଧାର କରୁଛି ଅଥଚ ମୋତେ ଫଣା ଦେଖାଉଛି କହି ବାଳକ ଚପଳାମିରେ ଭାଇ ବାଉଁଶଟିକୁ ଏଡେ ଜୋର ଟାଣିଦେଲେ ଯେ ସାପଟି ଗଛରେ ବାଡେଇ ହୋଇ ଅଧମରା ପଡିଗଲା । ସାପର ଆଖିରେ ଚିତ୍ର ସବୁ ସ୍ଥାୟୀ ରହେ ଏବଂ ସାପ ପ୍ରତିଶୋଧ ନେଇ ପାରେ ବୋଲି ଯେଉଁ ଭୁଲ ଧାରଣା ଥିଲା, ସେଥିପାଇଁ ସାପଟିକୁ ବାଉଁଶ ପାହାରରେ ବାଡେଇ ମାରିଦେଲେ ଆଉ ତାର ଦାହ ସଂସ୍କାର ବି କରିଥିଲେ । ଡରରେ ଘରେ ଏ କଥା ପ୍ରଘଟ ନ କରିବା ପାଇଁ ତାଗିଦ କରି ଦେଇଥିଲେ ସିନା ସେ ନିଜେ ବୋଉକୁ ସବୁ କଥା ଜଣାଇ ଦେଇଥିଲେ । ବୋଉର ନିର୍ଦ୍ଦେଶ ମାନି ଦୁଇ ଭାଇ ସନ୍ଧ୍ୟାରେ ମହାଦେବ ମନ୍ଦିରକୁ କ୍ଷୀର ଦୂ'ଚାଉଳ ଓ ଘିଅଦୀପ ନେଇ ଗଲୁ, ଆଉ ମୁଣ୍ଡିଆ ମାରି ଭୁଲ ମାଗି ଫେରି ଆସିଲୁ ।


ଏ ପରିପ୍ରେକ୍ଷୀରେ ଏକ ପ୍ରାଚୀନ କିମ୍ବଦନ୍ତୀ ଉଲ୍ଲେଖ କରିବା ସମୀଚିନ ମନେ କରୁଛି । ଥରେ ନାରାୟଣ ଗରୁଡ଼ ପୃଷ୍ଠରେ ବସି ମହାଦେବଙ୍କ ଦର୍ଶନ ନିମନ୍ତେ କୈଳାସକୁ ଯାଇ ଥିଲେ । ଦ୍ବାର ବାହାରେ ଗରୁଡ଼ଙ୍କୁ ଛାଡି ସେ ଭିତରକୁ ପ୍ରବେଶ କଲେ । କିଛି ସମୟ ପରେ ଯମରାଜଙ୍କ ଆଗମନ ହେଲା । କିନ୍ତୁ ଭିତରକୁ ଯିବା ପୂର୍ବରୁ ତାଙ୍କ ଦୃଷ୍ଟି ଏକ ଅତ୍ୟନ୍ତ ସୁନ୍ଦର ଛୋଟ ପକ୍ଷୀ ଭପରେ ପଡିଲା । ଜିଜ୍ଞାସୁ ନୟନରେ ଚାହିଁ ସେ ମଧ୍ୟ ମହାଦେବଙ୍କ ପାଖକୁ ଚାଲିଗଲେ । ଏସବୁ ଘଟଣା ଦେଖି ଗରୁଡ଼ ସନ୍ଦେହ କଲେ ଏବଂ ଛୋଟ ପକ୍ଷୀଟାକୁ ରକ୍ଷା କରିବା ଅଭିପ୍ରାୟରେ ଅବିଳମ୍ବେ ନେଇ କେତେ ଯୋଜନ ଦୂରରେ ଏକ ନିରାପଦ ଦ୍ବୀପରେ ଛାଡି ଆସିଲେ । ଫେରିବା ବେଳକୁ ଯମରାଜ ସନ୍ତୋଷ ପ୍ରକାଶ କରି କହିଲେ ଯେ ଯାହା ହେଉ ମୋର ଚିନ୍ତା ଗଲା । ସେ ପକ୍ଷୀର ମରଣ ଯୋଗ ବହୁତ ଦୂରରେ ଥିବା ଏକ ସାପ ହାତରେ ଅଳ୍ପ ମୁହୂର୍ତ୍ତ ପରେ ଥିଲା, ଏତେ ବାଟ କମ ସମୟ ମଧ୍ୟରେ କିପରି ଯିବ ବୋଲି ମୁଁ ଚିନ୍ତା କରୁଥିଲି। ଏବେ ତ ତା 'କାମ ସରିଯିବ । ଗରୁଡ଼ ବୁଝି ପାରିଲେ "ଯାହାକୁ ଯାହା କରିଛି ଦଇବ" ର ତାତ୍ପର୍ଯ୍ୟ କଣ । ଅର୍ଥାତ୍ କହିବା ବାହୁଲ୍ୟ ପୂର୍ବର ସବୁ ଘଟଣା ଯେମିତି ଦୈବ ନିୟୋଜିତ ଥିଲା । ହେଲେ ଆମେ ଦୁଇଭାଇ ଖୁବ୍ ପ୍ରଭାବିତ ହୋଇଥିଲୁ। ସାନ ଭାଇନା ଆଜି ଏକ ଆଦର୍ଶ ବିଦ୍ୟାଳୟର ସ୍ବନାମଧନ୍ଯ ପ୍ରଧାନ ଶିକ୍ଷକ, ସମ୍ପୂର୍ଣ୍ଣ ନିରାମିଷ ସାତ୍ତ୍ଵିକ ଜୀବନ ଅତିବାହିତ କରୁଛନ୍ତି ଏବଂ ଆମ ଗାଆଁ ନୃସିଂହ ମନ୍ଦିର ନିର୍ମାଣ ଓ ପରିଚାଳନା କ୍ଷେତ୍ରରେ ଜଣେ ତତ୍ତ୍ବାବଧାରକ । ପ୍ରାଣୀ ସଂରକ୍ଷଣ ଓ ବାଲ୍ଯବତ୍ସଳତା କହିବା ଅନାବଶ୍ୟକ, ସବୁ ଭଲ ଗୁଣର ଅଧିକାରୀ ସିଏ ।

Post a Comment

0 Comments