Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏଇ କଣ ଆଜିର ସ୍ଵାଧୀନତା ?

ବିକେଶ ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂର ଭାଷ-୭୭୫୨୦୬୬୨୧୭/୯୯୩୭୧୫୩୧୭୯

୧୬୦୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରୁ ଏକ ବଣିକ ଗୋଷ୍ଠୀ ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆସି ଆମକୁ ଦୀର୍ଘ ତିନିଶହ ବର୍ଷରୁ ଉର୍ଦ୍ଧ କାଳ ଶାସନ କରି ଭାରତକୁ ଏକ ଅମାଅନ୍ଧକାର କୋଠରୀ ଭିତରେ ବନ୍ଦୀ କରିଦେଲେ । ଭାରତର ସବୁ ଧନ ସମ୍ପଦକୁ ଲୁଣ୍ଠନ କରି ନିଜ ଦେଶକୁ ନେଇଗଲେ । କେତେ ଯେ ଶୋଷଣ କେତେ ଅତ୍ୟାଚାର ନ ସହିଛି ଏଇ ପୁଣ୍ୟଭୂମି ଭାରତ ଓ ଏହାର ନିରୀହ ଜନତା !! ଅନେକ ବୀର ସନ୍ତାନ ନିଜର ଜୀବନକୁ ବଳି ଚଢେଇ ଦେଇଛନ୍ତି ଏଇ ଭାରତ ମାଆର ସ୍ୱାଧୀନତା ଫେରେଇ ଆଣିବାକୁ । ବାଜିରାଉତ, ଝାନସୀ ରାଣୀ ଲକ୍ଷ୍ମୀବାଈ, ଭଗତ ସିଂ, ତାନ୍ତିଆ ଟୋପି, ଖୁଦୀରାମ, ସଭରକର, ସୁବାସ ବୋଷ, ମହାତ୍ମା ଗାନ୍ଧୀଙ୍କ ପରି ମହାତ୍ମା ମାନଙ୍କ ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ, ସମସ୍ତଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସ ଏବଂ ନୂତନ ଜୀବନର ଆରମ୍ଭକୁ ନେଇ । ଦୀର୍ଘଦିନର ପରାଧୀନତା ପରେ ସମଗ୍ର ଭାରତବାସୀ ସ୍ୱାଧୀନତାର ସ୍ୱାଦ ଚାଖିଲେ ସତ, ହେଲେ କ'ଣ ଆମେ ସତରେ ଆଜି ସ୍ୱାଧୀନ ? ବ୍ରିଟିଶ ଶାସନରୁ ମୁକ୍ତ ହୋଇ ନିଜକୁ ତ ସ୍ୱାଧୀନ ଘୋଷଣା କରିଦେଇଛୁ, ସମ୍ବିଧାନ ବି ଲେଖି ସାରିଛୁ, କାର୍ଯ୍ୟକାରୀ ମଧ୍ୟ କରିସାରିଛୁ, ସରକାର ବି ଗଢି ସାରିଛୁ.. ହେଲେ ନିଜ ଛାତିରେ ହାତ ରଖି କିଏ କହିପାରିବ ମୁଁ ସ୍ୱାଧୀନ ବୋଲି ? ପ୍ରତିଟି କ୍ଷେତ୍ରରେ ଆଜି ପରାଧୀନତାର ଅନୁଭବ । ସରକାରୀ ବାବୁଙ୍କ ଦସ୍ତଖତଟିଏ ପାଇଁ, ପଞ୍ଚାୟତରେ ବର୍ଦ୍ଧକ୍ୟ ଭତ୍ତା ପାଇଁ, ଇନ୍ଦିରା ଆବାସ ଗୃହଟିଏ ପାଇଁ ଅବା ଖଣ୍ଡିଏ ଚାକିରୀ ପାଇଁ ଆଜିବି ଧରିବାକୁ ପଡୁଛି ବାବୁ ମାନଙ୍କ ଗୋଡ଼ ହାତ, କେତେ ଥର ଯେ ମାଡିବାକୁ ପଡୁଛି କାର୍ଯ୍ୟାଳୟର ଦ୍ଵାର ତା'ର ହିସାବ ନଥାଏ । ତେବେ ଏଇ କଣ ସ୍ୱାଧୀନତା ??


ଆଜିବି ରାଜରାସ୍ତାରେ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନଥିବା ସେଇ ଜୀର୍ଣ୍ଣ ଶୀର୍ଣ୍ଣ ମଳୀନ ଚିରା ଲୁଗା ପିନ୍ଧା ମଣିଷ ମାନେ ହାତ ପାତି ବସିଛନ୍ତି । ଆଜିବି ନିରୀହା ମାଆଟିଏ ତା'ର ଜନ୍ମ କଲା ଶିଶୁକୁ କେଇଟା ଟଙ୍କା ପାଇଁ ଦାରିଦ୍ର୍ୟର କରାଳ ଗ୍ରାସରେ ବିକ୍ରି କରିଦେଉଛି ଅନ୍ୟ ହାତରେ । ଆଜିବି ଅଭାବି କୃଷକଟିଏ ବିଷ ପିଇ ଆତ୍ମ ହତ୍ୟା କରୁଛି । ଆଜିବି ଅନ୍ୟ ଆଗରେ ହାତପାତୁଛି ଏଇ ସ୍ୱାଧୀନ ଭାରତର ମଣିଷ । ଆଜିବି ବନ୍ୟାରେ ଭାଷୁଛି ଗରୀବ ଜନତାର ଚାଳ, ଖୁରି, ଗିନା, ଚାଲୁଣି, ମାଟିପାତ୍ର ଓ ସେଇ ଚିରା ଲୁଗାରେ ବନ୍ଧା ହୋଇଥିବା କେତୋଟି ପୁଟୁଳି । ନା ସରକାର ତା'କଥା ବୁଝୁଛି ନା ଆଉକେହି । ତେଲିଆ ମୁଣ୍ଡରେ ଖାଲି ତେଲ ବୋଳା ଚାଲିଛି । ଏଇ କଣ ତାହାଲେ ସ୍ୱାଧୀନତା ?? ସମସ୍ତଙ୍କ ଆଖି ଆଜି କେବଳ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଥିବା କାଗଜ ଉପରେ । ବାଃ.... ଆଜିବି ସେମାନେ ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶ ବୋଲି ମଣିନେଇଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ନଦେଖିଲେ କାମ କରିବା ତ ଦୂରର କଥା ପାଖ ବି ମାଡ଼ନ୍ତି ନାହିଁ । ବାଃ.....ବାଃ..... କେତେ ଗାନ୍ଧୀବାଦୀ ମଣିଷ ଗୁଡାକ ! ଧନ୍ୟ ତୁମର ଗାନ୍ଧୀ ପ୍ରୀତି !! ଆପଣ ଭାବୁଥିବେ ସେମାନେ ଗାନ୍ଧୀଙ୍କୁ ସମ୍ମାନ ଦିଅନ୍ତି । ନାଇଁ ଆଜ୍ଞା ଗାନ୍ଧୀ ଫଟୋ କାଗଜ ମାନେ ଟଙ୍କା । ଭାରତବର୍ଷର ସ୍ୱାଧୀନତାକୁ ଦୀର୍ଘ ୭୧ ବର୍ଷ ବିତିଗଲାଣି.. କିନ୍ତୁ ଆଜି ସମସ୍ତଙ୍କ ପାଖରେ ପହଞ୍ଚି ପାରିନି ବିଜୁଳୀ, ପାନୀୟ ଜଳ କି ସରକାରୀ ସୁବିଧା ସୁଯୋଗ । ଆଜିବି ସମସ୍ତଙ୍କୁ ମିଳି ପାରିନି ନାଗରିକତାର ଅଧିକାର । ରାଜରାସ୍ତାରେ ନାରୀ ଆଜିବି ମୁଣ୍ଡ ଟେକି ଚାଲିବାର ଅଧିକାର ପାଇନି, ସବୁଠାରେ ସେ ଆଜି ଆଜି ଲାଂଛିତା, ଶୋଷିତା ଓ ଅତ୍ୟାଚାରିତା ।


ଶିକ୍ଷା କଥା ନ କହିବା ଭଲ । କାରଣ ଶିକ୍ଷା ବଦଳରେ ଆଜି ବେଶୀ ପରିମାଣରେ ପିଲାଙ୍କୁ ମିଳୁଛି ଅଣ୍ଡା । କେଉଁ ବିଦ୍ୟାଳୟର ଛାତ ନାହିଁତ କେଉଁଠି ଶିକ୍ଷକ, କେଉଁଠି ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁତ କେଉଁଠି ଭୁଶୁଡି ପଡିଛି ଛାତ, ଆଉ ପୁଣି କେଉଁ ବିଦ୍ୟାଳୟରେ ହଜାର ଛାତ୍ରଙ୍କୁ ଗୋଟିଏ ଶିକ୍ଷକ ତ କେଉଁଠି ଗୋଟିଏ ଛାତ୍ର ପାଇଁ ଦଶଟି ଶିକ୍ଷକ । ଶିକ୍ଷା ନାମରେ ଆଜି ଚାଲିଛି ରାଜନୀତି । ସମ୍ବିଧାନରେ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ଆଜି କ'ଣ ତାହା ପୂରଣ ହୋଇପାରିଛି ? ଥରେ ନିଜକୁ ପଚାରି ଦେଖନ୍ତୁ ନା.. ! ରାଜନୀତିର କରାଳ ଗ୍ରାସରେ ଆଜି ସମଗ୍ର ଦେଶଟି ଖଣ୍ଡ ବିଖଣ୍ଡିତ । ନା ଅଛି ଗାଁ'ର ଏକତା ନା ଗୋଷ୍ଠୀର.. ନା ଅଛି ଦେଶର ! ପ୍ରତି ମୂହୁର୍ତ୍ତରେ ମୃତ୍ୟୁର ଭୟ.. ପ୍ରତିଦିନ କେତେଯେ ସୈନିକ ନିଜର ପ୍ରାଣ ବଳି ଦେଉଛନ୍ତି । ସବୁଠାରେ ଖାଲି ରାଜନୀତି ଓ ରାଜନେତା ମାନଙ୍କର ପତିଆରା । ରାଜଧାନୀର ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରୀ ଭିତରେ ଆଜି ଚାଲିଛି ଗରିବ ଦୂରୀକରଣ ଓ ଉନ୍ନତି କରଣର ଯୋଜନା । ଏଠି ଖାଲି ଯୋଜନା ଉପରେ ଯୋଜନା ତିଆରି ଚାଲିଛି, କେତେଦୂର ଏହା କାର୍ଯ୍ୟକାରୀ ହୋଇଛି ବା ନହୋଇଛି ସେଥି ପ୍ରତି କାହାର ନିଘା ନାହିଁ । ରାଜନେତାର ଧଳାସାର୍ଟ ଭିତରେ କଳା କାମିଜ ପିନ୍ଧା ଅସଲି ମୁଖାର ମଣିଷ ଆଜି ଆସି ପାରୁନି ପଦାକୁ । କେବଳ ଭିତରେ ଭିତରେ ସୁଡ଼ଙ୍ଗ ନିର୍ମାଣ ଚାଲିଛି, ଦେଶକୁ ପଙ୍ଗୁ କରିବାର ପ୍ରୟାସ । ବ୍ରିଟିଶ ଶାସକ ସିନା ଆଜି ଚାଲିଯାଇଛି ଦେଶ ଛାଡି, ହେଲେ ଆଜିବି ଭାରତ ପରାଧୀନ । ସେଦିନ ଯେମିତି ସେଇ ଗୋରା ମାନଙ୍କ ଦ୍ୱାରା ପରାଧୀନ ଥିଲା ଠିକ ଆଜି ମଧ୍ୟ ଧଳା ମୁଖା ପିନ୍ଧା ବ୍ରିଟିଶ ହାତରେ ଭାରତର ଏକଛତ୍ରବାଦ ଶାସନ ଡୋରୀ ନିୟନ୍ତ୍ରିତ । ଗଣତନ୍ତ୍ର ନାମରେ ଏଠି ଚାଲିଛି ଧନୀତନ୍ତ୍ର । ସାଧାରଣ ପ୍ରଜା କଥା ଏଠି ବୁଝୁଛି ବା କିଏ ? ତେବେ କୁହନ୍ତୁନା, ଏଇ କଣ ଆଜିର ସ୍ୱାଧୀନତା ??

Post a Comment

0 Comments