Information

ଗୁରୁଜ୍ଞାନ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ /୧୩, ସେକ୍ଟର- ୪, ରାଉରକେଲା

ଜଳ ସର୍ବଦା ନିମ୍ନଗାମୀ ତା'ର ମୂଳ ଉତ୍ସ ସାଗର ଅଭିମୁଖେ ଏବଂ ଅଗ୍ନିଶିଖା ଉର୍ଦ୍ଧ୍ବଗାମୀ ସୂର୍ଯ୍ଯାଭିମୁଖେ । ଠିକ୍ ସେହିପରି ଏ ଜୀବାତ୍ମାର ଲକ୍ଷ୍ୟ ପରାମାତ୍ମା ପ୍ରାପ୍ତି । ପରମାତ୍ମା ଆନନ୍ଦସ୍ବରୂପ, ତେଣୁ ଆନନ୍ଦ ହିଁ ପ୍ରତ୍ୟେକ ଚେତନଶୀଳ ଜୀବାତ୍ମାର ମୌଳିକ ଗୁଣ ଅଟେ । ଏହି କାରଣରୁ ଜୀବ ଯେତେବେଳେ ଯାହା ବି କରେ, ଆନନ୍ଦପ୍ରାପ୍ତି ହିଁ ସେ କର୍ମର ଅନ୍ତର୍ନିହିତ କାରଣ ଅଟେ । ଆନନ୍ଦ ବି ଦୁଇ ପ୍ରକାର, ଯଥା କ୍ଷଣିକ ବା ଭୌତିକ ଆନନ୍ଦ ଯାହା ଭୋଗ କଲେ ସରିଯାଏ ଏବଂ ଦିବ୍ୟ ବା ଶାଶ୍ବତ ସ୍ଥାୟୀ ଆନନ୍ଦ, ଯାହା ପରମହଂସ ମୁକ୍ତିମାର୍ଗୀ ସାଧୁଜନଙ୍କ ଧ୍ୟେୟ । ଏହିହେତୁ ଭକ୍ତିମାର୍ଗ ହିଁ ଶ୍ରେଷ୍ଠତମ ମାର୍ଗ, ଯଦ୍ଦ୍ବାରା କ୍ରମବର୍ଦ୍ଧିଷ୍ଣୁ ଅଖଣ୍ଡ ଆନନ୍ଦର ଅଧିକାରୀ ହେବା ସହ ଏହି ଗୋଟିଏ ଜନ୍ମରେ ମୁକ୍ତିକ୍ଷମ ନ ହୋଇପାରିଲେ ମଧ୍ୟ ପରବର୍ତ୍ତୀ ଜନ୍ମ ପାଇଁ ସଂସ୍କାର ରୂପକ ସମ୍ବଳ ଜୀବାତ୍ମାକୁ ପ୍ରାପ୍ତ ହୋଇଥାଏ ।


ଈଶ୍ବର ନିରପେକ୍ଷ, ସେ କେବେ କାହାକୁ ସୁଖ ଦୁଃଖ ରୂପକ ଫଳ ଦିଅନ୍ତି ନାହିଁ । କର୍ମ ଅନୁସାରେ ଫଳ ନିର୍ଦ୍ଧାରିତ ହୋଇଥାଏ । ମନୁଷ୍ୟକୁ କର୍ମର ପ୍ରକାରଭେଦ ଓ ବିବେକ ରୂପକ ଅନ୍ତରାତ୍ମାରେ ଔଚିତ୍ୟ ବା ଅନୌଚିତ୍ୟ ଜାଣିବାର କ୍ଷମତା ମିଳି ଥିବାରୁ ଏହି ଯୋନିରୁ ହିଁ ମୁକ୍ତି ସମ୍ଭବ ହୋଇପାରେ । ପ୍ରତ୍ୟେକ କର୍ମଫଳ ତତ୍କାଳ ମିଳେନାହିଁ ଏବଂ କେତେକ ଜନ୍ମାନ୍ତରରେ ବି ପ୍ରାପ୍ତ ହୋଇଥାଏ ।


ଆମେ ଜାତିସ୍ମର ହୋଇ ନଥିବାରୁ ପୂର୍ବଜନ୍ମର କଥା ଆମର ମନେ ରହେନାହିଁ, ଏହା ବି ଈଶ୍ବରଙ୍କ କରୁଣା । ପ୍ରାରବ୍ଧ ହେଉ କି ଏ ଜନ୍ମର କର୍ମଫଳ ହେଉ, ସୁଖ ଦୁଃଖ ଉଭୟରେ ଆମକୁ ସମ ରହିବାକୁ ପଡିବ । ବିଶେଷ କରି ଦୁଃଖ ଭୋଗ ହେଲେ ଅଯଥା ଭାଙ୍ଗି ନଯାଇ କିଛିକଥା ମନନ କଲେ ସେଥିରୁ ବି କିଛି ଶିକ୍ଷା ନେବା କଥା । ଦୁଃଖ ବେଳେ ପ୍ରକ୍ରୁତ ବନ୍ଧୁ ଚିହ୍ନି ହୁଏ, ସେତେବେଳେ ଈଶ୍ବରଙ୍କ ପ୍ରତି ଅନୁରକ୍ତି ବଢେ ଏବଂ ଅବଶ୍ୟଭୋଗ ହେବାକୁ ଥିବା ଗଚ୍ଛିତ ଦୁଃଖ ଭୋଗ ହୋଇଗଲେ ସରି ସରି ଯାଏ ବୋଲି ବୁଝି ପାରିଲେ ଅଧୀର ନ ହୋଇ ସହନ ଶକ୍ତି ଲାଭ କରିପାରିବା ।


ସତ୍ ସଙ୍ଗ ଓ ଆଧ୍ୟାତ୍ମିକ ଚିନ୍ତନଦ୍ବାରା ଭଲମନ୍ଦ, ପାପପୁଣ୍ୟ ବୁଝିବା ସହଜ ହୁଏ ଏବଂ ଆମର କାର୍ଯ୍ୟ କୁଶଳତା ବଢିଥାଏ । ଏହା ଫଳରେ ନିଜର କର୍ମ, ସତ୍ ସଙ୍ଗ ଓ ଆଧ୍ୟାତ୍ମିକ ଚିନ୍ତନଦ୍ବାରା ଭଲମନ୍ଦ, ପାପପୁଣ୍ୟ ବୁଝିବା ସହଜ ହୁଏ ଏବଂ ଆମର କାର୍ଯ୍ୟ କୁଶଳତା ବଢିଥାଏ । ଏହା ଫଳରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ସମ୍ପାଦନ ଉପରାନ୍ତେ ପରମାର୍ଥ କାରଣରେ ଆମେ ନିଜକୁ ନିୟୋଜିତ କରି ପାରିବା ।

Post a Comment

0 Comments