Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଅବହେଳିତ ମାତୃତ୍ୱ ଓ ଶିଶୁ କନ୍ୟାରତ୍ନ

ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ : ୯୪୩୭୭୪୦୨୮୦

ସକାଳୁ ଖବର କାଗଜ ପୃଷ୍ଠାରେ ଅବା ଦୂରଦର୍ଶନର ପ୍ରସାରିତ ସଂବାଦ ପ୍ରତି ଦୃଷ୍ଟି ଦେଲେ କନ୍ୟା ଭ୍ରୂଣ ହତ୍ୟା ଏକ ଦେହସୁହା ଘଟଣାରେ ସମସ୍ତଙ୍କର ପରିଣତ ହୋଇଗଲାଣି । ପାଶ୍ଚାତ୍ୟ ସଭ୍ୟତାର ଭୋଗବାଦୀ ନୀତି ସ୍ୱାର୍ଥ କୈନ୍ଦ୍ରିକ ହେବାରୁ ପାରିବାରିକ ବ୍ୟବସ୍ଥା ଯେଭଳି ପତନ୍ମୋଖୀ ହେବାରେ ଲାଗିଛି ସେତିକି ପରିମାଣରେ କନ୍ୟା ହତ୍ୟା ବଢି ବଢି ଚାଲିଛି, ଯାହାର କୁପରିଣାମ ଦିନେ ପାରିବାରିକ କ୍ଷେତ୍ରରେ ଭୋଗିବାକୁ ହେବ । ଯୌଥ ପରିବାରର ସଂଖ୍ୟା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ ଭାରତରେ ଏହି ବହୁକୁଟୁମ୍ବ ପରିବାର ବ୍ୟବସ୍ଥା ପୂର୍ଣ୍ଣ ରୂପେ ପରି ସମାସ୍ତ ହୋଇପାରି ନାହିଁ, କିନ୍ତୁ ବଦଳିଛି । କହିବାକୁ ଗଲେ କେବଳ ଏହା ଏବେ ଏକ ଭାବାତ୍ମକ ସଂବଂଧ ( ସଂପର୍କ ) ରୂପେ ପରିଣତ ହୋଇଛି । ଯେଭଳି ଅବସର ସମୟରେ ମିଳିତ ହେବା ବା ଏକାଠି ହୋଇ କୌଣସି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା, ପର୍ବ ପର୍ବାଣି, ବିବାହ ବା ଜନ୍ମ ଉତ୍ସବ, କ୍ରିୟା କର୍ମରେ ଭେଟ ହେବା । ପୁଣି କେବେ କେବେ ସଂକଟ ସମୟରେ ପରସ୍ପରକୁ ସାମାନ୍ୟ ମାତ୍ର ସାହାଯ୍ୟ ସହଯୋଗ କରିବା, ଯେଉଁଥିରେ ଆନ୍ତରିକତା ଥାଇ ନଥିଲା ଭଳି ମନେ ହୁଏ । ଯୌଥ ପାରିବାରିକ ଅଭାବବୋଧ କନ୍ୟାରତ୍ନ ପ୍ରତି ବିମୁଖତାକୁ ବଢାଇ ଦେଇଛି, ମା'ର ମାତୃତ୍ୱକୁ ଅବହେଳିତ କରୁଛି ।


କନ୍ୟାଶିଶୁ ମାନଂକ ଶିକ୍ଷାପ୍ରତି ଦୃଷ୍ଟିଦେଲେ ଜଣାଯାଏ ବୈଦିକ ଯୁଗରେ କନ୍ୟାକୁ ସାତବର୍ଷରୁ ବେଦ, ବ୍ୟାକରଣ, ସଂଗୀତ, ଛନ୍ଦ, ଜ୍ୟୋତିଷ ଶାସ୍ତ୍ରାଦି ବିଷୟରେ ଶିକ୍ଷା ଦିଆଯାଉଥିଲା । ଯୁବାବସ୍ଥାରେ ସେ ଏକକ ବା ଯୌଥପରିବାରରେ ବିବାହ କରି ଗୃହସ୍ଥାଶ୍ରମ ଧର୍ମ ପାଳନ କରୁଥିଲା । ସତ କହିବାକୁ ଗଲେ ଶିଶୁ କନ୍ୟାର ଶିକ୍ଷା ମା'ର ଗର୍ଭାବସ୍ଥାରୁ ଆରଂଭ ହେଉଥିଲା । ମହାଭାରତର ଅଭିମନ୍ୟୁ କଥା ସର୍ବବିଶ୍ୱାସ ଅଟେ । ଆଜି ମଧ୍ୟ ବଡବଡ ଡାକ୍ତରମାନେ ଗର୍ଭବତୀ ମା'କୁ ସଂସ୍କାର ଦେବାର କାର୍ଯ ଆରଂଭ କଲେଣି । କନ୍ୟା ଜନ୍ମକୁ ରତ୍ନ ବା ଲକ୍ଷ୍ମୀ କହି ଆଦରି ନେଲେଣି, ତା ଜନ୍ମରେ ଆନଂଦ ଉତ୍ସବ, ତାର ସ୍ୱାଗତ ହସୋଲ୍ଲାସ ପରିବାର ମିଶି ପାଳନ କଲେଣି । ଏସବୁ ସତ୍ୱେ କନ୍ୟା ପ୍ରତିଥିବା ଘୃଣ୍ୟ ପ୍ରଥାର ଅନ୍ତ ଘଟିନାହିଁ ।


ପରିବାର କନ୍ୟାର ପ୍ରଥମ ପାଠଶାଳା । ଶାସ୍ତ୍ରକାରମାନଂକ ମତରେ ପାଞ୍ନ ବର୍ଷ ମଧ୍ୟରେ ଯେଉଁ କନ୍ୟା ଶିଖିବା ଶିଖେ, ତାହାର ପରିଣାମ ତାର ସମଗ୍ର ଜୀବନରେ ପ୍ରତିଫଳିତ ହୋଇଥାଏ ଅନ୍ୟ ପ୍ରାଣୀମାନଂକ ତୁଳନାରେ ମାନବ ଶିଶୁ ଅଧିକ ସମୟ ଧରି ପରାବଲମ୍ବୀ ରହିଥାଏ । ଏହାର ମୁଖ୍ୟ କାରଣ ତାର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ଜରୁରୀ ରହିଛି । ପିଲାମାନଂକୁ ବଡ କରି ଗଢିତୋଳିବା ପରିବାରର ପ୍ରଥମ କାର୍ଯ୍ୟ, ତେଣୁ ପରିବାର ତାର ପ୍ରଥମ ପାଠଶାଳା ଓ ମା' ତାର ପ୍ରଥମ ଗୁରୁ । ଏହି କାରଣ ରୁ ମାତୃଦେବ ଭବଃ, ମା'କୁ ସମ୍ମାନୀତ କରାଯାଇଛି । ମା'ର ସ୍ଥାନ ସମସ୍ତଂକ ଠାରୁ ବହୁ ଉର୍ଦ୍ଧରେ । ପରବାରରେ ମା'କୁ ଯଦି ଉପେକ୍ଷା କରାଯାଏ, ତେବେ ତାହାର ପ୍ରଭାବ କନ୍ୟା ଉପରେ ପଡେ ଓ ସେ ହତାଶ ହୋଇପଡେ । ତେଣୁ ପରିବାରର ସଦସ୍ୟମାନେ ପରସ୍ପର ପ୍ରତି ସୁସଂପର୍କ ରଖି ବୁଝାମଣା ଭିତରେ ନାରୀକୁ ପ୍ରାଧ୍ୟାନ୍ୟ ଦେବା ଓ ତାର ତ୍ୟାଗକୁ ବୁଝିବା ଉଚିତ୍ ।


ପରିବାରର କେନ୍ଦ୍ରବିଂଦୁ ସ୍ତ୍ରୀ । ପରିବାର ଭିତରେ ସୌହାର୍ଦ୍ର ପୂର୍ଣ୍ଣ ପ୍ରେମଭାବର ବାତାବରଣ ରଖିବାର ମହତ୍ୱପୂର୍ଣ୍ଣ ଭୂମିକା ତାର । କିଂତୁ ପରିବାରର ବିଘଟନର କାରଣ ତାକୁ କରାଯାଏ । ନିର୍ଣ୍ଣୟ କରିବାର କ୍ଷମତା ତାର ଯେ ରହିଛି ତାହା ଭୁଲି ଯାଉଛେ, ଏହା ଆମର ବିଚାର କରିବା ଆବଶ୍ୟକ ଅଛି । ପରିବାରର ସକଳ କାର୍ଯ୍ୟ ସହ ପିଲାମାନଂକୁ ନିରୀକ୍ଷଣ କରିବା, ପରମତୁପ୍ତ ମନରେ ସେ ସବୁ ଗ୍ରହଣ କରିଥାଏ, ଯାହା ସେ ଶିଶୁ କନ୍ୟାବସ୍ଥାରୁ ମା'ଠାରୁ ଅନୁକରଣ କରି ଆସିଛି । ପୂର୍ବକାଳରେ ଯୌଥ ପରିବାରରେ ନାରୀହିଁ ଘରର ସକଳ ଦାୟିତ୍ୱ ତୁଲାଉ ଥିଲା । ସେ ମାଲିକାନୀ ଭାବେ ଘରର ସମସ୍ତ ଭଲ ମନ୍ଦ ବୁଝୁଥିଲା । ଘରେ ଥିବା ବଡ ଭଉଣୀ, ମା' ଦାଦା, ଖୁଡୀ, ଜେଜେ, ଜେଜି ମା ପ୍ରମୁଖଂକ ଠାରୁ ସଂସ୍କାର ସୃଜନ ଶିକ୍ଷା ପାଇ ଆସିଥିବାରୁ ଶାଶୁ ଘରେ ଏଭଳି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିବାରେ ସଫଳ ହେଊଥିଲା । ବିଶେଷତଃ ଯୌଥପରିବାରରେ ନିବିଡ ସଂପର୍କ ତଥା ମା, ବାପା, ଦାଦା, ଖୁଡୀ, ଜେଜିମା ଆଦିଙ୍କ ସଂସ୍କାରମୂଳକ ମହନୀୟ ଶିକ୍ଷା ଦେବାର ଭୂମିକା ଯଥେଷ୍ଟ ରହୁଥିଲା । ସେମାନେ ସୁନ୍ଦର ସୁନ୍ଦର ହୃଦୟଭରା କାହାଣୀ ମାଧ୍ୟମରେ ସଂସ୍କାର ଦେଉଥିଲେ । ମହୀୟସୀ ନାରୀମାନଂକ ଚରିତ୍ର କାହାଣୀ ପୁରାଣ ଇତିହାସରୁ ଶୁଣାଉଥିଲେ । କିଭଳି ଏହି ବନ୍ଦନୀୟା ନାରୀ ସଂଘର୍ଷ କରୁଥିଲେ, ଜୀବନକୁ ବଳିଦାନ କରି ନିଜକୁ ଓ ଦେଶକୁ ବଂଚାଇ ବାକୁ ଯାଇ ଯୁଦ୍ଧ କରୁଥିଲେ, ଏସବୁ ତ୍ୟାଗ ଓ ବୀରତ୍ୱ ପୂର୍ଣ୍ଣ କାହାଣୀ ମାଧ୍ୟମରେ ଶିଶୁକନ୍ୟା ହୃଦୟରେ ଆତ୍ମବିଶ୍ୱାସ ଜାଗ୍ରତ କରୁଥଲେ । ତାର ମନ ଓ ଭାବନାରେ ଉଚିତ୍ ସଂସ୍କାର ଆଣୁଥିଲେ, ଫଳତଃ ସେ ଏକ ଆର୍ଦଶ ନାରୀରେ ପରିଣତ ହୋଇ ଆସୁଥିଲା ।


ମୁସଲିମ୍ ଆକ୍ରମଣ କାଳରେ ତଥା ବ୍ରିଟିଶ ଶାସନ ସମୟରେ ବିଶିଷ୍ଟା ନାରୀମାନେ କିଭଳି ସଂଘର୍ଷଶୀଳ ଥିଲେ, ଦେଶପାଇଁ ଶତୃମାନଂକୁ ସାମନା କରୁଥିଲେ, ଏସବୁ ଜାଣିବାରେ ଶିଶୁକନ୍ୟା ମାନଂକ ମନୋବଳ ବୃଦ୍ଧି ପାଉଥିଲା । ତେଣୁ ଏବେ ଏହି ଶିଶୁକନ୍ୟାମାନଂକୁ ସାବଲମ୍ବୀ କରିବାକୁ ଶିକ୍ଷାର ଯଥେଷ୍ଟ ଆବଶ୍ୟକ ରହିଛି । ବୌଦ୍ଧିକ ଓ ଶାରିରୀକ ଶ୍ରେଷ୍ଠତା ଶିକ୍ଷଣ ରହିଛି । ଶ୍ରମ ପ୍ରତିଷ୍ଠାର ମହତ୍ତ୍ୱ, ଗୃହ କାର୍ଯ୍ୟରେ ରୁଚି, ଅବିଭକ୍ତ ଯୌଥପରିବାର ସକଳଂକୁ ସମ୍ମାନ ଦେବା, ସମସ୍ତଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ରଖିବା, ପରିବାର ସହ ସଂଧ୍ୟାରେ ପ୍ରାର୍ଥନା କରିବା, ଭଜନ ଗାନ କରିବା, ଭାଗବତ ପଢିବା, ସମବେତ ଭୋଜନ କରିବା, ଶୟନ ସମୟରେ କାହାଣୀ ଶୁଣିବା ସତରେ ଶିଶୁକନ୍ୟା ପାଇଁ ଏବେ ଦୁସ୍ୱପ୍ନ ହୋଇଛି ।


ଭାରତୀୟ ନାରୀ ଆଜି ନିଜର ଅସ୍ତିତ୍ୱ ଗୌରବଶାଳୀ ଚାରିତ୍ରିକ ମହତ୍ତ୍ୱକୁ ପଶ୍ଚିମାମୁଖୀ ଚାକ୍ୟଚକ୍ୟରେ, ଦୂରଦର୍ଶନରେ, ଦୂରଭାଷରେ, ନାନା ବିକୃତି ପୂର୍ଣ୍ଣ ଚଳଚ୍ଚିତ୍ର ଛବି, ଉତେଜକ ଶାରିରୀକ ପ୍ରସାଧାନ, କୃତ୍ରିମ ସୌଦଂର୍ଯ୍ୟରେ ତଥା ପତ୍ର ପତ୍ରିକା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି, ପାଶ୍ଚାତ୍ ଢଂଗରେ ବସ୍ତ୍ର ପରିଧାନ, ଅଂଗ ପ୍ରଦର୍ଶନ ଆଦି ଏଭଳି ବିକୃତିରେ ବାଂଧି ହୋଇଯାଇଛି । ଏ ଘଡିସନ୍ଧି ମୁହୂର୍ତ୍ତରେ ଆଗାମୀ ଦାୟାଦ ଶିଶୁ କନ୍ୟାମାନଂକୁ ସେମାନଂକ ପରିବାର ଓ ମାତୃତ୍ୱ ମହତ୍ୱର ଗାରିମା ସଂପର୍କରେ ସଚେତନ କରିବା ଜରୁରୀ ଆବଶ୍ୟକ ଅଛି ।


ଏବେ ଶିଶୁକନ୍ୟା ମାନଂକ ରୁଚି ଶିକ୍ଷା ଅଧ୍ୟୟନରେ କମିବାରେ ଲାଗିଛି । ସେମାନେ ଚିତ୍ରମୟ କମିସ୍କି (କମେଡି)ରେ ବ୍ୟସ୍ତ ରହୁଛନ୍ତି । ଅଧିକ ସମୟ ଦୂରଦର୍ଶନ ପାଖରେ ବସିବା ବିଭିନ୍ନ ଧାରାବାହିକୀ ଛବି ଏପରିକି ବତମାନଂକ ସହ ଦେଖିବା ଅଭ୍ୟାସରେ ପରିଣତ ହୋଇଛି । ଘରକୁ ଆସୁଥିବା ଆତ୍ମୀୟ, ପରିଜନଂକ ଆସିବା କମିଛି । ଦୂରଦର୍ଶନ ଓ ଦୂରଭାଷ ଏବେ ପୁରାଣ ଶାସ୍ତ୍ର ଜାଗାରେ ଶାସ୍ତ୍ସ ପାଲଟିଛି । ସଂବାଦ ଦ୍ୱାରା ସାରା ବିଶ୍ୱର ଚିତ୍ର ଉଦଭାସିତ ହେଉଛି , ଏଣୁ ପିଲାମାନଂକୁ ଜୀବନୀଧର୍ମୀ ଜୀବନ ଦର୍ଶନ ମୂଳକ କାର୍ଯ୍ୟକ୍ରମ ଦେଖିବାକୁ ଆକର୍ଷିତ କରିବା ବଡମାନଂକ ଧର୍ମ ହେବା ଉଚିତ । ବିଭିନ୍ନ ଶାସ୍ତ୍ରୋପଯୋଗି ଓ ଶିକ୍ଷାଉପଯୋଗି କାର୍ଯ୍ୟକ୍ରମ ପ୍ରତି ପୋତ୍ସାହିତ କରିବା ପରିବାରର ଗୁରୁଦାୟିତ୍ୱ ।


ମାତୃତ୍ୱ, କୃତିତ୍ୱ ତଥା ନେତୃତ୍ୱ ଶିଶୁପ୍ରାଣ କନ୍ୟାମାନଂକ ହୃଦୟରେ କିଭଳି ଉଦ୍ରେକ ହେବ, ମା'ଯଶୋଦାଙ୍କୁ ମାତୃତ୍ୱ ରୂପରେ, ଦେବୀ ଅହଲ୍ୟାଙ୍କୁ କୃତିତ୍ୱ ଭାବରେ ଓ ରାଣୀ ଲକ୍ଷ୍ମୀବାଈଉଙ୍କୁ ନେତୃତ୍ୱ ଦୃଷ୍ଟିରେ ରଖି ଶିକ୍ଷା ଦେବାର ଆବଶ୍ୟକ ରହିଛି । ପାଠଶାଳାରେ ଔପଚାରିକ ଶିକ୍ଷା ରହିଛି, ଏହା ସହିତ ପରିବାରରୁ ଅନୌପଚାରିକ ଶିକ୍ଷାହିଁ ଶିଶୁକନ୍ୟାମାନଂକ ବ୍ୟକ୍ତିତ୍ୱକୁ ବିକଶିତ କରିପାରିବ ଏହା ଅସ୍ୱୀକାର କରିହେବ ନାହିଁ । ବିଡମ୍ବନା ଓ ପରିତାପର ବିଷୟଯେ ପୂର୍ବଭଳି ଆଉ ସେ ଯୌଥପରିବାର ନାହିଁ, ଯେଉଁଠି ଶିଶୁକନ୍ୟା ଜନ୍ମ ହେଲେ ତାକୁ କନ୍ୟାରତ୍ନ ବା ଗୃହଲକ୍ଷ୍ମୀ କହି କୋଳେଇ ନେବ, ମା'ର ଏ ମାତୃତ୍ୱକୁ ସସ୍ନେହ ସମ୍ମାନ ଦେବ !!!

Post a Comment

0 Comments