Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଗରିୟସୀ - ବିହଙ୍ଗାବଲୋକନ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା
ଫୋନ୍- ୭୯୭୮୧୯୨୨୨୭

ମାତୃଶକ୍ତିର ମହାନତା ବର୍ଣ୍ଣନା କରିବା ବେଳେ ମୁଁ ଏକଥା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ନାରୀ ମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମନନଶୀଳ ହେବାକୁ ପଡ଼ିବ ମାତୃ ଜାତିର ବାସ୍ତବ ଉତ୍ଥାନ ପାଇଁ। ଅନ୍ୟଥା ଆଉ ବେଶି ସମୟ ଲାଗିବନି ସ୍ତ୍ରୀ ପୁରୁଷ ପରିସଂଖ୍ୟାନରେ ସନ୍ତୁଳନ ହରାଇ ସାରିଥିବା ଏ ପୁରୁଷପ୍ରଧାନ ସମାଜର ଅଧଃପତନର ଭୟାବହ ପରିଣତି ଦେଖିବାକୁ। ଧାର୍ମିକ କୁସଂସ୍କାର ଏବଂ ପରମ୍ପରାରେ ଅନ୍ଧ ଏ ସମାଜ ଆଜି ପ୍ରାୟ ସମସ୍ତ ଦେଶରେ ନାରୀତ୍ବକୁ ଉପଭୋଗର ମାଧ୍ୟମରେ ସୀମିତ କରିଦେଇଛି। ବସ୍ତୁବାଦୀ ଏହି ଜଗତରେ ଆଜି ଜନ୍ମଦାତ୍ରୀ ସୁଖ ବିଳାସର ଏକ ଉପକରଣ ମାତ୍ର ହିଁ ରହିଯାଇଛି। ଏହି ପତନୋନ୍ମୁଖୀ ମାନସିକତାର ମୁଖ୍ୟ କାରଣ ଶିକ୍ଷା ବ୍ୟବସ୍ଥା। ପେଷା ଓ ବ୍ୟବସାୟିକ ଶିକ୍ଷାର ପ୍ରସାର ଏବଂ ପ୍ରାଧାନ୍ୟ ହେତୁ ଆଜିର ଯୁବ ସମାଜ ଆମର ସଂସ୍କୃତିସମ୍ପନ୍ନ ସାହିତ୍ୟିକ ତଥା ପୌରାଣିକ ଉପନିଷଦ ଆଦି ଗ୍ରନ୍ଥାବଳୀ ଠାରୁ ବହୁ ଦୂରରେ। ସୃଷ୍ଟି ପର୍ବ, ସାଂଖ୍ଯଯୋଗ, କୋକଶାସ୍ତ୍ର, କାମସୂତ୍ର, ନୀତିଶତକ ଏବଂ ରାମାୟଣ ଭାଗବତ ପରି ବ୍ଯବହାରକୁଶଳ ମହାନ୍ ଶାସ୍ତ୍ରୀୟ ଜ୍ଞାନରୁ ବଞ୍ଚିତ ଆଜିର ଯୁବ ପିତାମାତା ଆଗାମୀ ପିଢିକୁ କି ସଂସ୍କାର ଦେବେ, ତାହା ବେଶ୍ ଅନୁମେୟ। ମୁଁ ତ କହିବି ସମୟ ଥାଉଁ ଆମ ଯୁବକ ଯୁବତୀ ମାନେ ସୁଧୁରି ନ ଗଲେ ନପୁଂସକ କି ବନ୍ଧ୍ଯା ହେବା ଶତଗୁଣ ଶ୍ରେୟସ୍କର।


ଭୃଣ ସଂସ୍ଥାନ ଠୁଁ ଆରମ୍ଭ କରାଯାଉ। ବୋଧହୁଏ ଶୁକ୍ରାଣୁ ପ୍ରସ୍ତୁତ କରିବା ସାମର୍ଥ୍ୟକୁ ଛାଡି ଦେଲେ ଏପରି କୌଣସି କ୍ଷମତା ପୁରୁଷର ନାହିଁ ଯାହାସବୁ ପାଇଁ ଜଣେ ନାରୀ ଅକ୍ଷମ। ଅପର ପକ୍ଷରେ ସମ୍ଭବତଃ ନାରୀର ଶାରୀରିକ ଓ ମାନସିକ ଶକ୍ତି ପୁରୁଷଠାରୁ କେଉଁ ସବୁ କ୍ଷେତ୍ରରେ ଅଧିକ ତାହା ସହଜେ ଅନୁମେୟ। ମାତୃ ଗର୍ଭରେ କନ୍ଯା ଭୃଣ ଅଧିକ ସମୟ ଧରି ରହିବା ହେତୁ ଭାବନାତ୍ମକ କୌଶଳ, ସମ୍ବେଦନଶୀଳତା ଓ ପରିପକ୍ବତା ଆଦି ଗୁଣାତ୍ମକ ଅଭିବୃଦ୍ଧି ସେମାନଙ୍କ ଠାରେ ଅପେକ୍ଷାକୃତ ଶୀଘ୍ର ହୋଇଥାଏ। ଲକ୍ଷ୍ୟ କରିଥିବେ ଆବହମାନ କାଳରୁ ଏଯାବତ୍ ବିଭିନ୍ନ ପ୍ରକାର କ୍ଷେତ୍ରରେ ଆମ ନାରୀଜାତି ଶ୍ରେଷ୍ଠତା ପ୍ରମାଣିତ କରି ସାରିଛନ୍ତି ଏବଂ ଏହି ବିଦୂଷୀ ମାନଙ୍କୁ ମହୀୟସୀ ଗରିୟସୀ ବୋଲି ସ୍ବୀକୃତି ଦେବା ପରେ ବି ଆଜି ନିର୍ଯାତିତା, ନିଷ୍ପେସିତା, ଅବହେଳିତା, ଭୂଲୁଣ୍ଠିତା, ଧର୍ଷିତା ଓ ଅବଳା ଭାବରେ ଚିତ୍ରିତ କରାଯାଇଛି। ଏହା ଏକ ବିଷମ କଥା ନୁହେଁ କି ଜଣେ ପୁରୁଷ ସାମାନ୍ୟ ଓ ସ୍ବାଭାବିକ ଆଚରଣରେ ବି ନାରୀକୁ ଚରିତ୍ରହୀନା କୁଳଟା ଆଖ୍ୟା ଦେଇ ପାରେ ଯେଉଁ ସବୁ କ୍ଷେତ୍ରରେ ସେ ନିଜେ ସ୍ଖଳିତ। ତା ଛଡା ଯୌନ କ୍ରିୟା ସମସ୍ତ ପ୍ରାଣୀଙ୍କ ପାଇଁ ଏକ ପ୍ରାଥମିକ ଆବଶ୍ୟକତା, ଏହା କୌଣସି ପାପ ନୁହେଁ ବରଂ ସୃଷ୍ଟି ବିଧାନ ପାଇଁ ପରମପବିତ୍ର ପଦକ୍ଷେପ। ଭୋଜନ ଶୟନ ପରି ଏହା ମଧ୍ୟ ନିତାନ୍ତ ଜରୁରୀ, ଏହାର ସୁପରିଣାମ ବହୁତ ବୋଲି ବୟସ୍କମାନେ ଜାଣନ୍ତି । କେବଳ ଉଚିତ ଯୌନ ଶିକ୍ଷାର ଅଭାବ ଯୋଗୁଁ ପାପପୁଣ୍ୟର ପରିସୀମାରେ ଏହା ଆବଦ୍ଧ ହୋଇ ରହିଛି। ମୁଁ ପୁରୁଷମାନଙ୍କୁ ଧିକ୍କାର କରୁନାହିଁ ବରଂ ସଚେତନ କରାଇବା ପାଇଁ ଚେଷ୍ଟା ମାତ୍ର କରୁଛି ଯେ ଯିଏ ଆମକୁ ଜନ୍ମ ଦେଇ ମୁହଁରେ କ୍ଷୀର ଦେଲା, ଅନ୍ନରେ ପ୍ରତିପୋଷଣ କଲା, ପ୍ରେମ ଦାନ କରି ଅଗ୍ରଗତି ପାଇଁ ଆମ ଉତ୍ସାହର କାରଣ ହେଲା, ତାକୁ ନ୍ୟୁନ ନ ଦେଖି ସମାନ ପ୍ରାଧାନ୍ୟ ମର୍ଯ୍ୟାଦାରେ ତାକୁ ଅଭୟ ସାହାଭରସା ହୋଇ ପାରିଲେ ହିଁ ପୌରୁଷ ଯଥାର୍ଥ ହେବ। ଭୃଣହତ୍ୟା ଓ ଶିଶୁ ଧର୍ଷଣ ତ ବାସ୍ତବ ଆକଳନରୁ ଯଥେଷ୍ଟ ଅଧିକ ମାତ୍ରାରେ ଘଟିତ ହେଉଛି। ଏହି ଭଳି ଘୃଣ୍ୟ ପରିସ୍ଥିତି ଆମକୁ ସାମୁହିକ ଆତ୍ମମନ୍ଥନ ପାଇଁ ବାଧ୍ଯ କରୁନାହିଁ କି ? ପାଶ୍ଚାତ୍ୟ ଅନୁକରଣରେ ତଥାପି ଆମେ ସଭ୍ୟତାର ଉତ୍କର୍ଷରେ ପହଞ୍ଚିବାର ସ୍ବପ୍ନ ଦେଖୁଛୁ ।


ଅନ୍ଯ କୋଣରୁ ଦୃଷ୍ଟି ଦେଲେ ଜଣାଯାଏ ନାରୀ ସ୍ବୟଂ ନିଜ ପତନର କାରଣ । ନିଜ ସାମର୍ଥ୍ୟ ନ ଜାଣିବା, ଉପଯୁକ୍ତ ଯୌନ ଜ୍ଞାନ ଠୁଁ ଦୂରରେ ରହି ଯୌନ ନିରାପତ୍ତା ଲାଗି ଅନଭିଜ୍ଞ ରହିବା, ଈର୍ଷା ପରାୟଣ ହେବା ଏବଂ ଅସଂଯମତା ଆଦି ମୁଖ୍ୟ କାରଣ। ଆମର ଏ ଗ୍ରୀଷ୍ମ ପ୍ରଧାନ ଜଳବାୟୁରେ କୁମାରୀ ମାନେ ଅପେକ୍ଷାତଃ ଶୀଘ୍ର ରଜବତୀ ହେବା, ପୁରୁଷ ଠାରୁ ନାରୀର କାମପ୍ରବଣତା ଅଧିକ ରହିବା ଏବଂ ଅବାଞ୍ଛିତ ଗର୍ଭବତୀ ହେବା ଭୟ ହେତୁ ନାରୀ ମାନେ ନିଜ ଅଙ୍ଗ ସୌଷ୍ଠଭ ପ୍ରଦର୍ଶନରୁ ସଂଯତ ରହି ନିଜ ପ୍ରିୟତମ ପ୍ରଣୟ ସାଥୀ ପାଇଁ ସୁରକ୍ଷାର ସହ ସାଇତି ରଖିବା ଫଳପ୍ରଦ ଏବଂ ବାଞ୍ଛନୀୟ। ମାତାପିତାଙ୍କ ସଂଯମ ଆଚରଣ ଓ କିଛି ସାମାନ୍ୟ ତ୍ଯାଗ ସ୍ବୀକାର ପୂର୍ବକ ନିଜ ସନ୍ତାନ ସନ୍ତତି ମାନଙ୍କୁ ଯୁବାବସ୍ଥା ଯାଏଁ ପାଖରେ ଶୁଆଇବା ପରି ପ୍ରୟୋଗ କରାଯାଇ ପାରିବ। ଏହାଦ୍ବାରା ଉତ୍ ଶୃଙ୍ଖଳ କୈଶୋରାବସ୍ଥାରେ ସେମାନଙ୍କୁ ସଂଯମ ରଖି ହେବ। ଶୃଙ୍ଖଳିତ ଦିନଚର୍ଯ୍ଯା ମାଧ୍ୟମରେ କିପରି ରୋଗମୁକ୍ତ ଓ ନିଶାମୁକ୍ତ ରହି ଦାରିଦ୍ର୍ୟ ଦୂରୀକରଣ କରିପାରିବା , ସେ ବିଷୟରେ ପିଲାମାନଙ୍କୁ ସଚେତନ କରିବାକୁ ହେବ । ଆଜିକାଲି ଲୋକେ ସ୍ତ୍ରୀ ପୁରୁଷର ପ୍ରକାର ଭେଦ ଯଥା ପଦ୍ମିନୀ, ଚିତ୍ରିଣୀ, ଶଂଖିନୀ, ହସ୍ତିନୀ ଏବଂ ମୃଗ, ଶଶକ, ଅଶ୍ବ, ବୃଷ ଆଦି ସହ ଗ୍ରହଣୀୟତାର ତତ୍ତ୍ବ ସବୁ ଭୁଲିଗଲେଣି। ବିଷମ ସଂଯୋଗ କାରଣରୁ ଶାରୀରିକ ଓ ମାନସିକ ଦୁର୍ବଳତା ଓ ଅକ୍ଷମତା ସ୍ଥାନେ ସ୍ଥାନେ ପରିଲକ୍ଷିତ ହେଉଛି । ଅନ୍ୟଥା ଏକ ସୁସ୍ଥ ସମାଜ ଗଠନ ଆମ ନିଜ ହାତରେ।


ସର୍ବୋପରି କିଛି ତ୍ଯାଗ ସ୍ବୀକାର ପୂର୍ବକ ଅନ୍ୟ ପ୍ରତି ଯତ୍ନବାନ ହେବା ହିଁ ପ୍ରେମର ପ୍ରକୃତ ସଂଜ୍ଞା। ସ୍ତ୍ରୀ ଓ ପୁରୁଷ ପରସ୍ପରର ପରିପୂରକ। ନାରୀମାନେ ଯଦି ରମାଦେବୀ, ଶକୁନ୍ତଳା ଦେବୀ, ଅନୁସୂୟା ଦେବୀଙ୍କ ପରି ଦେବୀ ପଦବାଚ୍ଯା ହୋଇପାରିବେ ତାହେଲେ ମୋ ମତରେ ଏ ପୁରୁଷ ସମାଜରେ ତୁଳସୀ ଦାସ, ଶାରଳା ଦାସ କି କାଳିଦାସ ମାନଙ୍କର ଅଭାବ ରହିବ ନାହିଁ ଏକଥା ନିଶ୍ଚିତ । ଏଥିପାଇଁ ମୋ ଗରିୟସୀ ମାଆ ମାନଙ୍କୁ ହିଁ ପ୍ରଥମେ ପଦକ୍ଷେପ ନେବାକୁ ପଡ଼ିବ। ଆସନ୍ତୁ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଆମେ ସମସ୍ତେ ପ୍ରତିଟି ବିଷୟରେ ସଚେତନ ହେବା ଏବଂ ଆମ ଯୁବ ପିଢି ମାନଙ୍କୁ ଦିଗ୍ ଦର୍ଶନ ଦେବା ଏକ ସୁସ୍ଥ ସାମାଜିକ ବାତାବରଣରେ ଜିଇଁବା ଲାଗି ।

Post a Comment

0 Comments