Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦୁରିତ ନାଶନ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଫୋନ୍ - ୭୯୭୮୧୯୨୨୨୭

ଦୁରିତ ନାଶନ ହେ ଚକା ନୟନ
ପଲକ ନାହିଁ ବୋଲି କି
କିବା ବୁଜୁନାହଁ ଦୁଇ ଆଖି
ମୁଁ ଘୋର ପାତକୀ ଦୂରୁ ଡାକି ଡାକି
ଧାଇଁ ଆସିଥିଲି ଦେଖି
ଏବେ ମିଶାଇ ପାରୁନି ଆଖି ।

ମୁଁ ଛାର କିଙ୍କର ସତେ କଳଙ୍କର
ଦାଗମାନ ମୁହେଁ ଆଙ୍କି
ଆଜ କି ଯଶ ପାରିବି ରଖି
ହେଲି କି ଅଧମ କଲି ହୀନ କର୍ମ
କ୍ଷଣିକ ସୁଖ ପାଇଁ କି
ମୋର ମାନ ସନମାନ ବିକି ।

ଅମୃତର ଭାଣ୍ଡ ଥୋଉ ଥୋଉ ତୁଣ୍ଡ
ସନ୍ତୋଷ ନୋହିଲା ଚାଖି
ପ୍ରଭୁ ବିଷ ପିଇଗଲି ଢୋକି
ମୁଁ କଲା କରମ ସବୁ ତ ଅଘମ
କାହା ଆଗେ କହିବି କି
କିଏ ଶୁଣିବ କାନ ଡେରି କି ।

ମରୁ ମରୀଚିକା ପଛେ ଧାଇଁ ବୋକା
ଆନ ଜନ ଶିରୀ ଲକ୍ଷି
ନିଜେ ନିଜକୁ ଦେଇଛି ଠକି
ଏଡେ କି ଅବୋଧ କଲି ଅପରାଧ
ତୁମ୍ଭେ ଥାଉଁ ହୃଦେ ସାକ୍ଷୀ
ଦଣ୍ଡ ଦିଅ ହେ ପାପ ପରଖି ।

ମହାବାହୁ ବୋଲି ମନେ ଆଶ୍ରା କଲି
ଲୁହ ଝରି ଯାଏ ଶୁଖି
ଆଉ ପାରୁନି ବେକ ସଳଖି
ଶ୍ରୀଛନ୍ଦା ପୟରେ ଲୟ ନିରନ୍ତରେ
ଆଣ୍ଠୁ ମାଡି ମୁହଁ ଯାକି
ରଖ ଭୁଜବଳେ ଆଜ ଟେକି ।

Post a Comment

0 Comments