Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରଥମ ପ୍ରେମର ବଳି

ବିକେଶ ସାହୁ
ଭୁଷଲାର୍ଡ, ସିନ୍ଧେକେଲା, ଜିଲ୍ଲା- ବଲାଙ୍ଗୀର
ଦୂରଭାଷ – ୭୭୫୨୦୬୬୨୧୭ / ୯୯୩୭୦୫୪୮୯୫

ଧୀରେ ଧୀରେ ମଦନର ସାଇକେଲର ବେଗ ବଢ଼ିବାରେ ଲାଗିଲା.. ତାରି ସାଙ୍ଗକୁ ହୃଦୟର ସ୍ପନ୍ଦନ ବି ଜୋର ଜୋର ବହିବାରେ ଲାଗୁଥାଏ । ତଥାପି ସେ ସବୁ ପ୍ରତି ତା’ର ଖାତିର ନାହିଁ । ଆହୁରି ଜୋରରେ ସାଇକେଲ ପାଇଡେଲ ଘୁମେଇବାରେ ଲାଗିଲା ସହର ଅଭିମୁଖେ । କାହାରିକୁ ବି ତାରି ନିଘା ନ ଥାଏ, କେବଳ ଯେ ଆଗକୁ ଆଗକୁ ଅତିକ୍ରମ କରି ଚାଲିଥାଏ । ପବନର ତାଳେ ତାଳେ ତାଳ ମିଳାଇ ଯାଉଥାଏ ସେଇ କଳା ମଚମଚ ପିଚୁ ରାସ୍ତା ଉପରେ । ଅଠର ବର୍ଷର ଯୁବକ, ଦେହରେ ଅପୂର୍ବ ବଳ । ଜୋରରେ ସାଇକଲ ଚାଲୁଥାଏ ଆଗକୁ.. ସେଇ ଯିବା ଭିତରେ ଯେ ତା’ର ସେଇ ଅଭୁଲା ଅତୀତର ସ୍ମୃତି ଗୁଡାକ ଭାସିଯାଉଥାଏ ତାରି ଆଖି ଆଗରେ । ପ୍ରତିଟି ମୁହୁର୍ତ୍ତ ଜଳଜଳ ହୋଇ ଆଜିବି ତା’ଆଖିରେ ସ୍ପଷ୍ଟ ପ୍ରତୀୟମାନ ହୋଇ ଉଠୁଛି । ହୃଦୟ ଭିତର ଗଛିତ କୋହ ତକ ସବୁ ଛାତିଭିତରେ ତୋଳି ଦେଇଛନ୍ତି ବିଦ୍ରୋହ । ସେଇ ଅତୀତ ଜୀବନର ଅଭୁଲା ଅମାନିଆ ସ୍ମୃତି ସବୁ ମଦନକୁ ପାଗଳ କରିଦେଉଥାଏ । ଶତ ଚେଷ୍ଟା ସତ୍ୱେ ସେ ସବୁ କୁ ସେ ତ ଭୁଲି ପାରିନି, କେତେଥର ଯେ ଚେଷ୍ଟା କରିଛି ହେଲେ ସବୁବେଳେ ସେ ହାରିଯାଇଛି ତାର ନିରୀହ ହୃଦୟ ପାଖରେ । କେତେଥର ତା’ଠୁ ନିଜକୁ ଦୂରେଇବାକୁ ଚେଷ୍ଟା କରିଛି ହେଲେ, ହୃଦୟଟା ତ କେବେ ମନିଲାନି । ମାନିବ ବା କେମିତି ! ସେ ପରା ତା’ର ପ୍ରଥମ ପ୍ରେମ । ପ୍ରଥମ ପ୍ରେମକୁ କଣ କେହି କେବେ ଭୁଲିପାରେ । ଅମାନିଆ ମନଟା ତ ଜମାରୁ ମାନୁନି, ହୃଦୟ ବା କେମିତି ମାନନ୍ତା ଯେ । ଭୁଲିବାର ସେଇ ଶତ ଚେଷ୍ଟା ସତ୍ୱେ ମଧ୍ୟ ଭାସି ଆସି ଠକ ଠକ କବାଟ ବଡାଉଛି ମଦନର ସେଇ ଅତୀତ ଜୀବନର ମେଞ୍ଚା ମେଞ୍ଚା ଅଭୁଲା ସ୍ମୃତି ସବୁ । ଚାହିଁବି ତ ଭୁଲି ପାରେନା ସେସବୁକୁ, କେମିତିବା ଭୁଲିପାରିଥାନ୍ତା..। ସେତେବେଳେ ପୁଣି ମନେ ପଡି ଯାଉଥାଏ ତା ଦଶମ ଶ୍ରେଣୀ ବେଳର କଥା, କେତେଯେ ସୁନ୍ଦର ଜୀବନ ଜୀଉଁଥିଲା ସେ । ନଥିଲା ଦୁଃଖ ଅବା ଯନ୍ତ୍ରଣା.. ନା କାହାରିକୁ ଭୟ ନା ଥିଲା କୌଣସି ଆବଦ୍ଧତା । କେତେ ସ୍ୱାଧୀନ ଜୀବନ ଜିଉଁଥିଲା ସିଏ । ବାପା ମା’ଙ୍କର ଅଲିଅଳ ପୁଅ ଥିଲା ମଦନ । ବାପା ତା’ର ଜଣେ କୃଷକ ହେଲେ ମଧ୍ୟ ଜଣେ ମଣିଷ ପରି ମଣିଷଟିଏ । ଛନ୍ଦ କପଟ ଜାଣନ୍ତି ନାହିଁ, ଦୟା ଧର୍ମରେ ଦେବତା ତୁଲ୍ୟ । ସେଇଥିପାଇଁ ଆଖପାଖ ସମସ୍ତେ ତାଙ୍କୁ ଚିହ୍ନନ୍ତି । ବାରମାସ ସବୁଦିନ ସେ ନିଜ ଜମିରେ ଚାଷ କରି ସୁନାର ଫସଲ ଫଳାନ୍ତି, ତାହା ପୁଣି ବିନା ରାସାୟନିକ ସାର ପ୍ରୟୋଗରେ । ସେଇ କାରଣରୁ ସମସ୍ତେ ତାଙ୍କ ବାଡିରୁ ଶାଗସବଜି କିଣାକିଣି କରନ୍ତି । କାହା ଠୁ ତାଙ୍କର ଗୋ ଟିଏ ନେବାତ ଦୂରର କଥା ବରଂ ଆହୁରି ଦେଇଦିଅନ୍ତି, ତା’ପୁଣି ବିନା ଟଙ୍କାରେ । ମାଆ ଲକ୍ଷ୍ମୀଙ୍କ କୃପାରୁ ଟଙ୍କା ପଇସାର ବି କିଛି ଅଭାବ ନଥିଲା । ମଦନର ସବୁ ଆବଶ୍ୟକତା ସେ ପୁରାଣ କରୁଥିଲେ । ଯାହା ଚାହୁଁଥିଲା ସଙ୍ଗେ ସଙ୍ଗେ ମିଳିଯାଉଥିଲା । ବାପାଙ୍କ ରୋଜଗାରରେ ତିନିପ୍ରାଣୀ ଆରାମରେ ଚଲି ଯାଉଥିଲେ, କିଛିବି ହେଲେ ଅଭାବ ଅସୁବିଧା ନଥିଲା ତାଙ୍କ ସଂସାରରେ ।


ଗାଆଁ ବିଦ୍ୟାଳୟରେ ମଦନର ଦଶମ ଶ୍ରେଣୀ । ପାଠ ପଢ଼ାରେବି ମଦନର ବରାବରି କରିବାକୁ କୌଣସି ପିଲା ନଥିଲେ । ପ୍ରତିଟି କ୍ଷେତ୍ରରେ ଆଗୁଆ । ଖୁବ ମେଧାବୀ, ନମ୍ର, ସମାୟାନୁବର୍ତ୍ତୀ ଓ ସରଳ ପିଲାଟିଏ । ଶେଷକୁ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଦଶମଶ୍ରେଣୀ ପରୀକ୍ଷାରେ ପାସ କଲା । ଗାଁ’ଟା ସାରା ମଦନ’ର ବାଃ ..ବାଃ.. ଶୁଣିବାକୁ ମିଳିଲା । ସେଦିନ କେତେ ଯେ ଖୁସି ଥିଲା ମଦନ । ତା’ପରେ ଆସିଲା କଲେଜ ଜୀବନ । ଗାଁ ରୁ ପାଞ୍ଚ କିଲୋମିଟର ଦୂରରେ କଲେଜ । ସାଇକେଲରେ ଯିବା ଆସିବା ଭଲ ସୁବିଧା ଥିଲା । ରାସ୍ତାଘାଟ ବି ବହୁତ ଉନ୍ନତ । ସେଇ କଲେଜରେ ଆରମ୍ଭ କରିଛି ମଦନ ତା’ର କଲେଜ ଜୀବନ । ନୂଆଜାଗା, ନୂଆଲୋକ ଓ ଏତେ ଗୁଡିଏ ପିଲା ଭିତରରେ ପ୍ରଥମେ ପ୍ରଥମେ ବ୍ୟସ୍ତ ହୋଇପଡୁଥିଲା ସେ । କିନ୍ତୁ କିଛିଦିନ ଗଲାପରେ ସବୁକିଛି ପୂର୍ବପରି ହୋଇଗଲା । ସେଇଠି ମଧ୍ୟ ମଦନ ନିଜ କମାଲ ଦେଖେଇବାରେ ଲାଗିଲା । ସମସ୍ତଙ୍କ ଠାରୁ ସେ ଥିଲା ଦୁଇପାଦ ଆଗରେ ।


ସେଇ ସ୍ମୃତିତକ ତା’ରି ଅନିଚ୍ଛା ସତ୍ୱେବି ମନେପଡି ଯାଉଥାଏ । ଚେଷ୍ଟା କଲେବି ରୋକିପାରୁନି ସେସବୁକୁ । ସେମିତି ଗୋଟିଏ ଦିନର କଥା ସମୟ ପ୍ରାୟ ୯ଟା ପାଖାପାଖି ମଦନ କଲେଜ ଯିବାକୁ ବାହାରି ଥାଏ । ସେଇ ଆସିବା ରାସ୍ତାରେ ହିଁ ତାର ଚମ୍ପା ସହ ପ୍ରଥମ ଦେଖା । କେତେ ଶାନ୍ତ,ସରଳ,ସୁନ୍ଦର ଓ ସୁଶୀଳା ଝିଅଟିଏ ଚମ୍ପା । ସେଦିନ ସତେ କେତେ ସୁନ୍ଦର ନ ଲାଗୁଥିଲା ସେ ! ବୋଧେ ତା ସାଇକେଲର ଚେନ ଟା ଖୋଲି ଯାଇଥିଲା ବ୍ୟସ୍ତ ହୋଇ ଅଟକାଇ ଥିଲା ମଦନକୁ । ମଦନ ବି ଅଟକି ତାକୁ ସାହାଯ୍ୟ କରିଥିଲା । ତା’ପରଠୁ ଦୁହିଁଙ୍କ ମଧ୍ୟରେ ଭଲ ସଂପର୍କଟିଏ ସୃଷ୍ଟି ହୋଇ ଯାଇଥିଲା । ଚମ୍ପା ମଧ୍ୟ ମଦନର ପୋଡ଼ଶୀ ଗାଁ’ର ରାମନାଥ ବାବୁଙ୍କ ଝିଅ । ସେ ବି ବାପା ମାଆଙ୍କର ଅତି ଅଲିଅଳି ଝିଅ । ଧନ ଦୌଲତ କୋଉଥିରେ କମିନାହିଁ । ଅଜସ୍ର ସମ୍ପତିର ମାଲିକ । ଆଖପାଖ ତିନି-ଚାରିଖଣ୍ଡ ଗାଆଁରେ ରାମନାଥ ବାବୁଙ୍କୁ କିଏ ବା ନଜାଣେ । ବାପ ଅଜା ଅମଳରୁ ଅର୍ଜିଯାଇଥିବା ଦଶ ଏକର ଜମିର ମାଲିକ ସିଏ । ଝିଅର କୌଣସି ଅଭାବ ରଖନ୍ତିନି ରମାକାନ୍ତ ବାବୁ । ମା ଛେଉଣ୍ଡ ଚମ୍ପା, ପାଞ୍ଚ ବର୍ଷ ବୟସରେ ହିଁ ମାଆ କୁ ହରେଇଛି । ହେଲେ ତା’ର ମାତୃବିଚ୍ଛେଦ ଅନୁଭବ ହେବାକୁ ଦେଇ ନାହାନ୍ତି ରମାକାନ୍ତ ବାବୁ ।


ଧୀରେ ଧୀରେ ଦୁହିଁଙ୍କ ବନ୍ଧୁତା ଘନିଷ୍ଟ ହେବାରେ ଲାଗିଲା । ଦୁହେଁ ଏକା ସାଙ୍ଗରେ କଲେଜ ଯାଉଥିଲେ ଆସୁଥିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କଟି ଖୁବ ନିବିଡତର ହୋଇ ଯାଇଥିଲା । ଦୁଇ ଗାଁ’ର ରାସ୍ତା ମିଶିଥିବା ପୋଲ ପାଖରେ ମଦନ ପ୍ରତିଦିନ ଚମ୍ପାକୁ ଅପେକ୍ଷା କରେ ତା’ପରେ ଦୁହେଁ ମିଶିକି କେତେ ହସଖୁସିରେ କଲେଜ ଯାଉଥିଲେ । କେତେ ଯେ ହସ କୌତୁକ, କେବେ ରାଗ ରୁଷା ତ କେବେ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା, ଗାଳିରେ ଚାଲି ଯାଉଥାଏ ଦିନ । ଆଜି କଥା ପୁଣି କାଲିକି ନ ଥାଏ । କଲେଜରେ ମଧ୍ୟ ଦୁହେଁ ସମୟ ମିଳିଲେ ଏକାଠି ବସି କେତେ ଯେ ଗପ ସପ କରୁଥିଲେ । ଏମିତି କେତେବେଳେ ଯେ ଗୋଟିଏ ବର୍ଷ ବିତିଗଲା କିଛି ଜଣାପଡିଲାନି । ସେଇ ଗୋଟିଏ ବର୍ଷ ଭିତରେ କେତେବେଳେ ସେଇ ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇ ସାରିଥିଲା ତାହା ମଦନ ବୁଝି ପାରିନଥିଲା । ଯେଉଁଦିନ ଚମ୍ପା ଆସୁନଥିଲା ତାକୁ କାହିଁକି କେଜାଣି ଭଲ ଲାଗୁନଥିଲା । ଚମ୍ପାକୁ ନଦେଖିଲେ ସେ ଶାନ୍ତିରେ ରହିପାରୁନଥିଲା । ସବୁବେଳେ କେବଳ ତାକୁ ଚମ୍ପା କଥା ହିଁ ମନେ ପଡୁଥିଲା । ଏମିତି ଦୁଇ-ତିନିମାସ ବିତିଗଲା । ମଦନା ବୁଝିସାରିଥିଲା ଯେ ଚମ୍ପାକୁ ସେ ପ୍ରେମ କରି ବସିଛି । ପଢାପଢିରେ ଜମା ତା’ମନ ଲଗୁ ନଥାଏ । ଏପଟେ ଆଗକୁ ପରୀକ୍ଷା । କଣ କରିବ କିଛି ବୁଝି ପାରୁନ ଥାଏ ମଦନ । ରାତିସାରା ନିଦ ହେଉ ନଥାଏ । ଆଗ ଅପେକ୍ଷା ଶୀଘ୍ର ସେ ପୋଲ ପାଖକୁ ଆସି ଚମ୍ପା କୁ ଅପେକ୍ଷା କରୁଥିଲା ।


ଏମିତି ବିତି ଚାଲିଥାଏ ସମୟ..। କିନ୍ତୁ ଏପଟେ ଚମ୍ପାର ବି ଠିକ ସେଇ ଅବସ୍ଥା । ଚମ୍ପା ମନେ ମନେ ମଦନକୁ ଭଲପାଇ ବସିଥାଏ । ହେଲେ କିଛି କହିପାରୁ ନଥାଏ ସେ । ଚମ୍ପା ସେସବୁ କିଛି ଜାଣିପାରୁ ନଥାଏ । ଆଉ କେତେଦିନ ପରେ ପରୀକ୍ଷା ତା’ପରେ ଆଉ କେବେ ମଦନ ସହିତ ଦେଖା ହେବ କି ନାହିଁ ସେଇକଥା ଭାବି ଭାଙ୍ଗି ପଡୁଥାଏ ଚମ୍ପା । ଏପଟେ ମଦନ ଅବସ୍ଥା ବି ଠିକ ସେଇଆ । ତାକୁ ମଧ୍ୟ ସେଇ ଗୋଟିଏ ଚିନ୍ତା ସବୁବେଳେ ବ୍ୟତିବ୍ୟସ୍ତ କରି ପକାଉଥିଲା । ସେ ଆଉ ସ୍ଥିର ହୋଇ ରହି ପାରୁନଥିଲା । କେବଳ ଚମ୍ପା କଥା ହିଁ ମନେ ପଡୁଥାଏ । ମା ବାପା ମଧ୍ୟ ପୁଅର ଏମିତି ଅବସ୍ଥା ଦେଖି ତାକୁ ପଚାରିଲେ, ହେଲେ କିଛି କହିଲାନି ସେ । ଅନେକ ବୁଝାଇଲେ ହେଲେ ସେ କଣ ଆଉ ତା ଅଧୀନରେ ଥିଲା ଯେ ସେସବୁ ବୁଝାନ୍ତା । ତା ମନପ୍ରାଣ ସବୁ ତ ସେ ଚମ୍ପା ପାଖରେ ବିକି ସାରିଛି । ଧୀରେ ଧୀରେ ମଦନା ଚମ୍ପାକୁ ପ୍ରେମ କରିବା କଥା ସମଗ୍ର କଲେଜକୁ ବ୍ୟପିଗଲା । ତା ସାଂଗସାଥି କେତେଯେ ଟାହିଟାପରା କଲେ ମଦନକୁ । ହେଲେ ଚମ୍ପା ଏକଥା ଜାଣିନି । ଯେତେ ଯାହା ହେଲେ ବି ଚୁପଚାପ ସହି ଯାଉଥାଏ ମଦନ । ଯିଏ ଯାହା କହିଲେ ବି ତା’ର କିଛି ଖାତିର ନାହିଁ । ଶେଷରେ ଏକଥା ସେ ଚମ୍ପାକୁ କହିବାକୁ ସ୍ଥିର କଲା । ହେଲେ ସାହସ ହେଉନଥାଏ । ଚମ୍ପାର ବାପା ଯଦି ଜାଣିବେ ତାହେଲେ କଣ ହେବ ଭାବି ତାକୁ ଭୟ ବି ଲାଗୁଥାଏ । ହେଲେ ନକହିବି ସେ ରହି ପାରୁନ ଥାଏ ।


ଏମିତି କିଛି ଦିନ ବିତିଯାଇଛି..। ଦିନକର କଥା, ଦୁହେଁ କଲେଜରୁ ଫେରୁଥିବା ସମୟରେ ମଦନ ସବୁକଥା କହିବାକୁ ଦୃଢ ନିଷ୍ପତ୍ତି ନେଇଛି । ହେଲେ ତାର ସାହସ ହେଉ ନଥାଏ । ଯଦି ସେ ରାଗିଯାଇ ବନ୍ଧୁତା ଭାଙ୍ଗି ଦିଏ.. ତାହେଲେ ସେ ଆହୁରି ଏକା ହୋଇଯିବ । ଏବେତ ଚମ୍ପା ବିନା ତାର ନିଶ୍ୱାସ ନେବାବି କଷ୍ଟକର ହୋଇପଡିଲାଣି । ଅନେକଥର ଚେଷ୍ଟା କଲା ହେଲେ କିଛି କହିପାରି ନଥିଲା । ଏପଟେ ପରୀକ୍ଷା ମାତ୍ର ଆଉ କେଇଟି ଦିନ ରହିଲା । କିନ୍ତୁ ମଦନ ଏଯାଏଁ ବହି ବି ଛୁଇଁନି । କଣ କରିବ କିଛି ବୁଝି ପାରୁନଥାଏ ମଦନ । ଏପଟେ ଚମ୍ପାର ବି ଠିକ ସେଇ ଏକା ଅବସ୍ଥା । ମଦନ ବିନା ଗୋଟିଏ ଦିନ ବି ରହିବା ତା’ପାଇଁ ସମ୍ଭବ ହେଉ ନଥାଏ । ହେଲେ କଣ କରିବ ବାପାଙ୍କୁ ଡରି ସେ କିଛି କହୁ ନଥାଏ । ଶେଷକୁ ଆସିଲା ପରୀକ୍ଷାର ବେଳ । ପରୀକ୍ଷା ଶେଷ ହୋଇ ଯାଇଛି । ଦୁହିଁଙ୍କ କଲେଜ ଆସିବା ବି ବନ୍ଦ ହୋଇଗଲା । ହେଲେ ଦୁହିଁଙ୍କ ଭିତରେ ଥିବା ପ୍ରେମସମ୍ପର୍କ ଆହୁରି ଗଭୀର ହେବାରେ ଲାଗିଲା ।


ଏମିତି ଗଡିଗଲା ସମୟ.. । ପରୀକ୍ଷାର ଫଳାଫଳ ପ୍ରକାଶ ପାଇଲା । ଦୁହେଁ ଭଲ ନମ୍ବର ରଖି ପାରିଲେନି ପରୀକ୍ଷାରେ । ସେଥିପ୍ରତି କିଛି ଖାତିର ନାଇଁ । ମଦନ ବାପାଙ୍କୁ ଚାଷ କାମରେ ସାହାଯ୍ୟ କଲା । ତା’ର ଭବିଷ୍ୟତ ସମ୍ପୂର୍ଣ ଭାବେ ନଷ୍ଟ ହୋଇଗଲା । ଏପଟେ ଚମ୍ପା ପାଇଁ ବର ଖୋଜା ଚାଲିଲା, କାହିଁକିନା ରାମନାଥ ବାବୁଙ୍କ ବୟସ ବି ହୋଇ ଆସୁଥାଏ । ଶେଷରେ ବିବାହ ଠିକ ହୋଇଗଲା ଚମ୍ପାର । ହେଲେ ଚମ୍ପା ବାପାଙ୍କୁ ମନା କରି ପାରୁ ନଥାଏ । ଉଭୟେ ଉଭୟଙ୍କୁ ଜୀବନଠୁ ବେଶି ଭଲ ପାଉଥିଲେ, ହେଲେ ଏକଥା କିଏ କାହାରିକୁ କହି ପାରିନାହାନ୍ତି ଏଯାଏଁ ।


ଚମ୍ପାର ବିବାହ ପାଖେଇ ଆସିଲା । ମଦନକୁ ବି ନିମନ୍ତ୍ରଣ ଦିଆଯାଇଛି ଆସିବାକୁ । ସେଇ ଉଦେଶ୍ୟରେ କିଛି ଉପହାର କିଣିବାକୁ ସେ ଯାଇଛି ସହର ଅଭିମୁଖେ । ସହରରେ କିଣାକିଣି କରିସାରି ବାହାରି ପଡ଼ିଲା ଚମ୍ପାର ଗାଁ କୁ । ଯାଇ ପହଞ୍ଚିଗଲା ଚମ୍ପାର ଘର ସାମନାରେ । ତାକୁ ଟିକେ ଦେଖିବାକୁ ତା’ମନରେ କେତେ ଯେ ଇଛା ବସାବାନ୍ଧି ସାରିଛି । ମୁଖ୍ୟଫାଟକ ଦେଇ ଭିତରକୁ ଯାଇଛି ହେଲେ ଶୁନସାନ ଲାଗୁଥାଏ । ଏସବୁର କିଛି ବୁଝି ପାରୁ ନଥାଏ ସେ । ଯେପରି ସବୁ କିଛି ନିସ୍ତବ୍ଧ । ଅନେକ ଲୋକ ରୁଣ୍ଡ ହୋଇ ଥିବାର ସେ ଲକ୍ଷ୍ୟ କଲା । ପାଖକୁ ଯାଇଛି ଅତି ଧୀରେଧୀରେ ପାଦ ପକେଇ, ଦେଖିଲା କିଏ ଜଣେ ତଳେ ପଡି ରହିଛି । ତା’ରି ପାଖରେ ବସି କିଏ ଜଣେ ବିକଳ କଣ୍ଠରେ କାନ୍ଦୁଛି । ମଦନର ଦେହ ଥରି ଉଠୁଥାଏ । ହେଲେ ପାଖକୁ ଯାଇଛି, ଆଉ ଯେତେବେଳେ ଦେଖି ଦେଇଛି ତା’ର ହୋସ ଉଡି ଗଲା । ସତେକି ତା’ମୁଣ୍ଡରେ ବଜ୍ରପାତ ହୋଇଛି, ସେମିତି ଢଳି ପଡିଛି ସେଇଠି ତା’ର ଶରୀର ।

Post a Comment

0 Comments